/odishatv-khabar/media/post_attachments/uploadimage/library/16_9/16_9_0/IMAGE_1745319112.jpg)
ସଂସାର ଭାଙ୍ଗିଦେଲା ଇନ୍ଷ୍ଟାଗ୍ରାମ
ସୋସିଆଲ୍ ମିଡିଆ ସ୍ବାମୀ-ସ୍ତ୍ରୀ ମଧ୍ୟରେ ଫାଟ ସୃଷ୍ଟି କରିପାରେ। ଏହି ଫାଟ ଶେଷରେ ଗୋଟିଏ ରକ୍ତର ହୋଲି ବି ଖେଳିପାରେ। ଏକଥା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ ପ୍ରମାଣିତ ହୋଇଛି। ଜଣେ ୟୁଟ୍ୟୁବର ମହିଳା ଆଉ ଜଣେ ୟୁଟ୍ୟୁବର ପୁରୁଷ ବନ୍ଧୁଙ୍କ ସହିତ ମିଶି ସାତ ଜନ୍ମ ପାଇଁ ସାଥୀ କରିଥିବା ସ୍ବାମୀଙ୍କୁ ହତ୍ୟା କରିଛନ୍ତି। ସ୍ବାମୀ ଏହି ପ୍ରେମୀ ଯୁଗଳଙ୍କ ଅନୈତିକ ସମ୍ପର୍କର ମୁକସାକ୍ଷୀ ପାଲଟିଯିବାରୁ ଏଭଳି ଚରମ ପଦକ୍ଷେପ ନେଇଛନ୍ତି ପତ୍ନୀ। ନିଜ ସ୍ବାମୀଙ୍କୁ ଦୁପଟ୍ଟାରେ ଚିପି ହତ୍ୟା କରିବା ପରେ ଡ୍ରେନରେ ଶବ ଭସାଇଦେବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ହରିୟାନାରେ ଏଭଳି ହତ୍ୟାକାଣ୍ଡ ଘଟିଛି।
୬ ବର୍ଷ ପୁଅ ସହ ହସଖୁସିରେ କଟୁଥିଲା, କିନ୍ତୁ…
ହରିୟାନାର ଭିଓ୍ଵାନି ଅଞ୍ଚଳର ବାସିନ୍ଦା ୩୫ ବର୍ଷୀୟ ପ୍ରବୀଣଙ୍କ ବିବାହ ରେୱାଡ଼ିର ଜୋଡି ଗାଁର ବାସିନ୍ଦା ରବିନା ରାଓ (୩୨)ଙ୍କ ସହିତ ହୋଇଥିଲା। ଆଜକୁ ୮ ବର୍ଷ ତଳେ ବାହାଘର ହୋଇଥିଲା। ଏହି ଦମ୍ପତ୍ତିଙ୍କ ଏକ ଛଅ ବର୍ଷର ପୁଅ ମୁକୁଲ। ମୁକୁଲର ଜୀବନ ଆରମ୍ଭରୁ ମୋଡ଼ ଏମିତି ଗୋଟିଏ ଅଜଣା ଦିଗକୁ ମୁହାଁଇବ, ଏକଥା ସେ କେବେ ସ୍ବପ୍ନରେ ବି ଚିନ୍ତା କରିନଥିଲା। ଯେତେବେଳେ ଜାଣୁଛି ଚାରିଆଡ଼ ତାକୁ ଖାଲି ଅନ୍ଧାର ଦିଶୁଛି।
ସବୁ ବିଗାଡ଼ିଦେଲା ଇନଷ୍ଟାଗ୍ରାମ୍
ରବିନା ସୋସିଆଲ ମିଡିଆରେ ବହୁତ ସକ୍ରିୟ ଥିଲେ। ତାଙ୍କର ରବିନା ରାଓଙ୍କ ନାମରେ ଇନଷ୍ଟାଗ୍ରାମରେ ଏକ ଆକାଉଣ୍ଟ ଅଛି। ଏଥିରେ ୩୪ ହଜାର ଫଲୋଅର୍ସ। ୟୁଟ୍ୟୁବରେ ୫ ହଜାର ଫଲୋଅର୍ସ ଅଛନ୍ତି। ଏଥିରେ ସେ ୬୫୯ ଟି ପୋଷ୍ଟ ମଧ୍ୟ କରିଛନ୍ତି। ରବିନା ସାଧାରଣତଃ ମଜାଳିଆ ଓ ପାରିବାରିକ ଘଟଣାକୁ ନେଇ ଏହି ଭିଡ଼ିଓଗୁଡ଼ିକ ପ୍ରସ୍ତୁତ କରୁଥିଲେ। ଏହା ଛଡ଼ା ତାଙ୍କର ଅନେକ ଛୋଟ ଭିଡିଓ ସିରିଜ୍ ମଧ୍ୟ ୟୁଟ୍ୟୁବରେ ଅପଲୋଡ୍ କରୁଥିଲେ। ରବିନା ଇନଷ୍ଟାଗ୍ରାମ ପ୍ରତି ଏତେ ଆକର୍ଷିତ ଥିଲେ ଯେ ପରିବାରର ବାରଣ ସତ୍ତ୍ୱେ ସେ ଏସବୁ କରିଆସୁଥିଲେ। ଏହି ଘଟଣାକୁ ନେଇ ତାଙ୍କର ସ୍ୱାମୀଙ୍କ ସହିତ ଅନେକ ସମୟରେ ପାଟିତୁଣ୍ଡ ମଧ୍ୟ ହେଉଥିଲା। ମନାନ୍ତର ଓ ମତାନ୍ତର ବଢ଼ିଚାଲିଥିଲା। କିଏ ଜାଣିଥିଲା ଦମ୍ପତ୍ତିଙ୍କ ଏହି ଦୂରତା ଏତେ ବଢ଼ିଯିବ ଯେ କେହି କାହାକୁ ଆଉ ଛୁଇଁ ବି ପାରିବେ ନାହିଁ।
ରକ୍ତର ହୋଲି ଖେଲିଲେ ପତ୍ନୀ
ହିସାର ଜିଲ୍ଲାର ପ୍ରେମନଗର ନିବାସୀ ୟୁଟ୍ୟୁବର୍ସ ସୁରେଶ ରାଘବଙ୍କ ସହ ମିଶି ରବିନା ମଧ୍ୟ ଭିଡିଓ କରୁଥିଲେ। ଦେଢ଼ ବର୍ଷ କାଳ ପରସ୍ପର ମଧ୍ୟରେ ସମ୍ପର୍କ ଘନିଷ୍ଠ ହେବାରେ ଲାଗିଥିଲା। ଏହି କଥାକୁ କିନ୍ତୁ ପ୍ରବୀଣ ଗ୍ରହଣ କରିପାରୁନଥିଲେ। ଗଲା ମାର୍ଚ୍ଚ ୨୫ରେ ପ୍ରବୀଣ ଘରେ ଉଭୟ ସୁରେଶ ଓ ରବିନାଙ୍କୁ ଆପତ୍ତିଜନକ ଅବସ୍ଥାରେ ଦେଖିଥିଲେ। ଏ ଦୃଶ୍ୟ ଦେଖି ସୁରେଶଙ୍କ ପାଦ ତଳୁ ମାଟି ଖସିପଡ଼ିଥିଲା। ଘଟଣାକୁ ନେଇ ଦମ୍ପତ୍ତିଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। କଥା ପ୍ରଘଟ ହୋଇଯିବା ଭୟରେ ଘର ଭିତରେ ହିଁ ରବିନା ପୁରୁଷ ବନ୍ଧୁ ସୁରେଶଙ୍କ ସହିତ ମିଶି ପ୍ରବୀଣଙ୍କୁ ମାଡ଼ି ବସିଥିଲେ। ବିଛଣାରେ ପକାଇ ଦୁପଟ୍ଟା ସାହାଯ୍ୟରେ ପ୍ରବୀଣଙ୍କ ଗଳା ଚିପି ହତ୍ୟା କରିଥିଲେ। ଗୋଟିଏ ସୁନାର ସଂସାର କିଛି ମୂହୁର୍ତ୍ତ ଭିତରେ ଭାଙ୍ଗିରୁଜି ଯାଇଥିଲା। ନିଜ ହାତରେ ନିଜେ ସିନ୍ଦୁର ପୋଛିଥିଲେ ପତ୍ନୀ।
ଡ୍ରେନରେ ସ୍ବାମୀଙ୍କ ଶବକୁ ଫିଙ୍ଗିଥିଲେ
ପ୍ରବୀଣଙ୍କ ହତ୍ୟା ପରେ ରବିନା ଦିନସାରା ଘରେ ସ୍ୱାଭାବିକ ଭାବେ ରହିଥିଲେ। ରାତି ହେବା ପର୍ଯ୍ୟନ୍ତ ଶବକୁ ଘରେ ଲୁଚାଇ ରଖିଥିଲେ। ସମସ୍ତେ ଶୋଇବା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ। ପରିବାର ସଦସ୍ୟମାନେ ରବିନାଙ୍କୁ ଯେତେବେଳେ ପ୍ରବୀଣଙ୍କ ସମ୍ପର୍କରେ ପଚାରିଲେ ସେ ଜାଣି ନ ଥିବାର ଅଭିନୟ କଲେ। ରାତି ପ୍ରାୟ ୨ଟା ୩୦ ରେ ରବିନା ଏବଂ ସୁରେଶ ମୃତଦେହକୁ ବାଇକ୍ ମଝିରେ ରଖି ପ୍ରାୟ ୬ କିଲୋମିଟର ଦୂର ଦିନୋଦ ରୋଡ୍ ଡ୍ରେନ୍ ନିକଟକୁ ନେଇଥିଲେ। ସେଠାରେ ପ୍ରବୀଣଙ୍କ ଶବକୁ ଫିଙ୍ଗିଦେଇଥିଲେ। ମାର୍ଚ୍ଚ ୨୮ ରେ ସଦର ପୁଲିସ ଖୋଜକିପୁର ଗାଁର ଦିନୋଦ ରୋଡର ଏକ ଡ୍ରେନ୍ ଭିତରେ ପ୍ରବୀଣଙ୍କ ମୃତଦେହକୁ ଗଳିତ ଅବସ୍ଥାରେ ପାଇଥିଲା। ପୁଲିସ ପ୍ରଥମେ ଅପମୃତ୍ୟୁ ମାମଲା ରୁଜୁ କରିଥିଲା। ପ୍ରବୀଣଙ୍କ ବାପା ଏପ୍ରିଲ ୧୧ରେ ରବୀନାର ଅନୈତିକ ସମ୍ପର୍କରକୁ ନେଇ ପୁଲିସକୁ ସୂଚନା ଦେବା ପରେ ଏହା ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ପ୍ରମାଣିତ ହୋଇଥିଲା।
ସିସିଟିଭି ହତ୍ୟାର ରହସ୍ୟ ଖୋଲି ଦେଇଥିଲା
ଦିନୋଡ ରୋଡରେ ପ୍ରବୀଣଙ୍କ ମୃତଦେହ ପାଇବା ପରେ ପରିବାର ଲୋକଙ୍କ ସନ୍ଦେହ ହୋଇଥିଲା। ପ୍ରବୀଣ ସେଠାରେ କେମିତି ପହଞ୍ଚିଲେ ଏହା ଜାଣିବା ପାଇଁ ଘର ଚାରିପାଖ ରାସ୍ତାର ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲେ। ଘର ନିକଟରେ ହେଲମେଟ୍ ପିନ୍ଧିଥିବା ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଏକ ବାଇକ୍ ଦେଖାଯାଇଥିଲା। ରବୀନା ତାଙ୍କ ମୁହଁକୁ କପଡାରେ ଘୋଡାଇ ପଛରେ ବସିଥିଲେ। ପ୍ରବୀଣଙ୍କ ଶରୀର ମଝିରେ ଥିଲା। ରାତି ପ୍ରାୟ ୧୨ଟା ୩୦ ସମୟରେ ସିସିଟିଭିରେ ବାଇକଟି ଯାଉଥିବାର ଦେଖାଯାଇଥିଲା। ପ୍ରାୟ ଦୁଇ ଘଣ୍ଟା ପରେ ରବୀନା ହେଲମେଟ ପିନ୍ଧି ବାଇକ୍ ଆରୋହୀଙ୍କ ପଛରେ ବସି ଘରକୁ ଫେରିଥିଲେ। ଏହି ସିସି କ୍ୟାମେରା ଫୁଟେଜ ପୁଲିସ ହାବୁଡ଼ରେ ପଡ଼ିବା ପରେ ପୁରା ରହସ୍ୟ ସାମନାକୁ ଆସିଥିଲା।
ବାପା ମାଙ୍କ ସ୍ନେହ ହରାଇଲା ମୁକୁଲ୍
ପ୍ରବୀଣଙ୍କ ହତ୍ୟା ପରେ ମୁକୁଲ ତାଙ୍କ ବାପାଙ୍କୁ ହରାଇଲା। ମା ରବିନା ହତ୍ୟା ଅପରାଧରେ ଜେଲ ଯିବା ପରେ ସେ ମଧ୍ୟ ତା ମା ସ୍ନେହରୁ ବଞ୍ଚିତ ହେଲା। ମୁକୁଲ ଏବେ ତା ଜେଜେବାପା ସୁଭାଷ ଏବଂ କାକା ସନ୍ଦୀପଙ୍କ ସହ ରହୁଛନ୍ତି। ଗୋଟିଏ ନୀରିହ ଶିଶୁ ବିନା ଦୋଷରେ ବି ସବୁ ସ୍ନେହ ମମତାରୁ ବାଦ୍ ପଡ଼ିବା ଘଟଣା ଏବେ ସଂପୃକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)