Advertisment

Modern Anxiety : କ’ଣ ଏହି ଉଦ୍‌ବେଗ, ଆଧୁନିକ ଜୀବନଚର୍ଯ୍ୟାରେ କାହିଁକି ବଦଳୁଛି ଏହାର ଚେହେରା ?

ମଡର୍ଣ୍ଣ ଏନଜାଇଟି ସୁକ୍ଷ୍ମ ଭାବରେ ଆସି ଆପଣଙ୍କୁ କବଳିତ କରେ, ନିରନ୍ତର ଲାଗି ରହେ ଓ ସର୍ବତ୍ର ବ୍ୟାପିଯାଏ । ଏହାର ରହିଛି ଅନେକ ଚେହେରା ଓ ନାଁ । ସେସବୁକୁ ଜାଣିବା ବୁଝିବା ସହ ସେଥିରୁ ମୁକ୍ତି ପାଇବା ପାଇଁ ପଢନ୍ତୁ ଆଜିର ବିଷୟ ।

author-image
Sumitra Padhi
ଅଦ୍ୟତନ ହୋଇଛି
ଆଧୁନିକ ଜୀବନ ଚର୍ଯ୍ୟାରେ ଉଦ୍‌ବେଗ

ଆଧୁନିକ ଜୀବନ ଚର୍ଯ୍ୟାରେ ଉଦ୍‌ବେଗ

“ମୁଁ ଉଦାସ ନାହିଁ । ମୁଁ ଖାଲି... ଚିନ୍ତା କରିବା ବନ୍ଦ କରିପାରୁ ନାହିଁ । ଭବିଷ୍ୟତର କଥା, ଚାକିରି କାଳେ ଚାଲିଯିବାର କଥା, ଆଗକୁ କିଛି ଭଲ ହେବ କି ନାହିଁର କଥା, ଏମିତି ଅନେକ ଚିନ୍ତା ଦିନ-ରାତି, ଏମିତିକି ଶୋଇବା ସମୟରେ ବି ବୋଧହୁଏ ଘୁରି ବୁଲୁଛନ୍ତି ମୋ ମୁଣ୍ଡ ଭିତରେ ।” ଏ ଥିଲା ମୋ ପାଖକୁ କାଉନସିଲିଂରେ ଆସିଥିବା ସୌମ୍ୟ ସୁନ୍ଦର ୨୮ ବର୍ଷୀୟ ଅରୁଣର କଥା ।

Advertisment

ଅନେକ ଦିନ ଧରି ସେ ଭଲରେ ଶୋଇନଥାଏ ବୋଲି ତା’ର ଗୋରା ମୁହଁ ଭିତରୁ ଆଖି ତଳେ କିଛି ଅଂଶ ପାଉଁଶିଆ ଦିଶିବାଟା ବାରି ହେଇପଡୁଥାଏ । ପ୍ରାୟତଃ ତା’ ଛାତିରେ ଅଳ୍ପେ ବହୁତ ଯନ୍ତ୍ରଣା ଅନୁଭୂତ ହୁଏ । ଦିନକୁ ତିନି ଚାରି ଥର ଲେଖାଏ ବ୍ଲଡ୍ ପ୍ରେସର୍ ଦେଖେ ଓ ବ୍ୟସ୍ତ ହୁଏ । ମୋବାଇଲ୍ ଓ ମେଲ୍ ରେ ଆସୁଥିବା ସବୁ ନୋଟିଫିକେସନ୍ ତାକୁ ବ୍ୟସ୍ତ ବିବ୍ରତ କରନ୍ତି । ତା’ର କିଛି ବଡ ସମସ୍ୟା ନଥିଲା, ଖାଲି ମେଞ୍ଚାଏ ଛୋଟ ଛୋଟ ସମସ୍ୟା ଯାହା କେବେବି ବନ୍ଦ ହେଉନଥିଲେ ।

ମଡର୍ଣ୍ଣ ଏନଜାଇଟିର ରୂପ ଓ ଅନୁଭବ କିଛିଟା ଏମିତି । ଏହା ସୁକ୍ଷ୍ମ । ଏହା ଅବିରାମ । ଏହା ସର୍ବତ୍ର ।

Advertisment

ସାଧାରଣତଃ ପୁରୁଣା ଧାରାର ଏନଜାଇଟିକୁ ଏକ ନିର୍ଦ୍ଦିଷ୍ଟ ଧରଣର ଭୟ ଯଥା; ସାଧାରଣରେ ଭାଷଣ ଦେବା ବା ସ୍ୱାସ୍ଥ୍ୟ ସହ ଯୋଡା ଯାଉଥିବା ବେଳେ ଆଧୁନିକ ଏନଜାଇଟି ଭିତରେ ଲୁକ୍କାୟିତ ରହି ଅନବରତ ବହୁଥିବା ଗୋଟିଏ ଧାରା ପରି । ଏହା ଚିନ୍ତା ତିଆରି କରୁଥିବା ଅନେକଗୁଡିଏ କାରଣର ପରିଣାମ । ଯଥା; ପ୍ରଯୁକ୍ତି ବିଦ୍ୟା, ଜଳବାୟୁ ପରିବର୍ତ୍ତନ, ଏ.ଆଇ, ଆର୍ଥିକ ଅସ୍ଥିରତା, ସଫଳ ହେବାର ଚାପ ଏବଂ ପୃଥିବୀ ବହୁତ ଦୃତ ଗତିରେ ବଦଳି ଯାଉଥିବାର ଅନୁଭବ ।

ଆଜିର ଏନଜାଇଟି ସବୁବେଳେ ଚିତ୍କାର କରି ଅସୁବିଧା କ’ଣ ଜଣାଏନି, ସେ ଅନେକ ସମୟରେ ନିରନ୍ତର ଭାବେ ଫୁସଫୁସ୍ କରି ନିଜର ଉପସ୍ଥିତ ଜାହିର କରୁଥାଏ । ଏହି ପ୍ରକାରର ଚିନ୍ତା କେବଳ ମାନସିକ ନୁହେଁ, ଏହା ଆମର ଶାରିରୀକ ସ୍ୱାସ୍ଥ୍ୟ, ନିଦ, ଧ୍ୟାନ ଏବଂ ଭାବନାତ୍ମକ ସନ୍ତୁଳନକୁ ପ୍ରଭାବିତ କରେ । ଏହା ଖୁବ୍ କ୍ଳାନ୍ତିକର ହୋଇଥିଲେ ବି ପ୍ରାୟତଃ ଅଦୃଶ୍ୟ ।

ମଡର୍ଣ୍ଣ ଏନଜାଇଟିର ବିଭିନ୍ନ ରୂପ

୧.ଏ.ଆଇ ଏନଜାଇଟି ବା ଏ.ଆଇ ଉଦବେଗ

ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତାର ଉନ୍ନତି ସହିତ ଅନେକ ଚାକିରିଆ ନିଜ ଚାକିରି ହରେଇବା କିମ୍ବା ଅପ୍ରାସଙ୍ଗିକ ହୋଇଯିବାକୁ ଭୟ କରୁଛନ୍ତି । ଡାଟା ପ୍ରାଇଭେସି, ସରଭିଲାନ୍ସ, ମଣିଷ ପରି ସିଦ୍ଧାନ୍ତ ନେବା ପାଇଁ ମେସିନଗୁଡିକର ନୈତିକ ବ୍ୟବହାର ବିଷୟରେ ମଧ୍ୟ ଏନଜାଇଟି ରହୁଛି ।

“ଏ.ଆଇ ଯଦି ମୋ ଜାଗା ନେଇଯାଏ ତେବେ କ’ଣ ହେବ?” କଥାଟି ପ୍ରାୟ ସବୁ ପ୍ରକାର ଚାକିରି, ବ୍ୟବସାୟ ଓ ଅନ୍ୟାନ୍ୟ କ୍ଷେତ୍ରରେ ନୀରବ ଚିନ୍ତା ହୋଇ ରହୁଛି ।

୨.ଏନଜାଇଟି କ୍ରିପ୍ ବା ଲୁକ୍କାୟିତ ଉଦବେଗ

ଏହା ଦୈନନ୍ଦିନ ଚିନ୍ତା ଧୀରେ ଧୀରେ ବଢିଚାଲିବାକୁ ବଝାଏ । ଯଥା; ଡେଡଲାଇନ୍, ବିଲ୍, ନୋଟିଫିକେସନ୍, ଟ୍ରାଫିକ୍, ସାମାଜିକ ଚାପ । ଏହା ଆପଣଙ୍କ ସ୍ନାୟୁତନ୍ତ୍ର କ୍ରମାଗତ ସତର୍କ ଅବସ୍ଥାରେ ନରହିବା ପର୍ଯ୍ୟନ୍ତ ନୀରବରେ ଚୁପଚାପ୍ ଜମା ହୋଇ ଚାଲିଥାଏ । ଆପଣ ଦୁର୍ଘଟଣାଗ୍ରସ୍ଥ ନହେବା ପର୍ଯ୍ୟନ୍ତ ଜାଣିପାରନ୍ତି ନାହିଁ ଯେ ଆପଣ ଚିନ୍ତିତ ବା ଆକ୍ସିଅସ୍ ଅଛନ୍ତି ବୋଲି ।

ଆପଣ କାରଣ ନଜାଣିପାରି ସବୁବେଳେ ଚାପରେ କବଳିତ ହୋଇନଯିବା ଯାଏ ଛୋଟ ଛୋଟ ଚିନ୍ତା ଓ ଉଦବେଗ ବଢି ବଢି ଚାଲୁଥାଏ ।

୩.ଇକୋ ଏନଜାଇଟି ବା ପର୍ଯ୍ୟାବରଣ ଜନିତ ଉଦବେଗ

ଆଜିକାଲି ଜଳବାୟୁ ପରିବର୍ତ୍ତନ, ଅସ୍ୱାଭାବିକ ପାଣିପାଗ, ପର୍ଯ୍ୟାବରଣ ବିନାଶ ସମ୍ପର୍କରେ ଚିନ୍ତା କରି ଅସହାୟ ଅନୁଭବ କରୁଥିବା ତରୁଣ ତରୁଣୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଇକୋ ଏନଜାଇଟି ଏକସଙ୍ଗେ ଅପରାଧବୋଧ ଓ ଭୟ ତିଆରି କରୁଛି । ପ୍ରଥମଟି ହେଲା, “ମୁଁ କ’ଣ ଏଥିପାଇଁ ଯଥେଷ୍ଟ କରୁଛି?”ର ଅପରାଧବୋଧ ଏବଂ ଦ୍ୱିତୀୟଟି ହେଲା “ଆମେ ଆମ ଭବିଷ୍ୟ ପିଢ଼ି ପାଇଁ କେଉଁ ପ୍ରକାର ପୃଥିବୀ ଛାଡିଯିବୁ”ର ଭୟ ।

ଏହା ଆପଣଙ୍କ ଛାତି ଉପରେ ଠିକ୍ ଗୋଟେ ପୃଥିବୀର ଭାର ଲଦା ହେବା ପରି ।

୪. ଫ୍ୟୁଚର ଡ୍ରେଡ୍ ବା ଭବିଷ୍ୟତର ଆତଙ୍କ

ଏହା ଅନିଶ୍ଚିତତାର ଭୟକୁ ବୁଝାଏ । ସେ ଆର୍ଥିକ ଅସ୍ଥିରତା ହେଉ କି ଯୁଦ୍ଧ, ଚାକିରିରେ ନିରାପତ୍ତାହୀନତା ଅଥବା ସାମାଜିକ ପତନ । ଏହା ଅସ୍ପଷ୍ଟ, କିନ୍ତୁ ମେଘ ପରି ଏଇ ହେବ ହେବ ବୋଲି ନହୋଇ ପୁରା ଆକାଶକୁ ଆଚ୍ଛନ୍ନ କରି ରଖିବା ପରି “ପରିସ୍ଥିତି କେବେ ଭଲ ହେବ?”ର ଚିନ୍ତା ଆପଣଙ୍କୁ ଆଚ୍ଛନ୍ନ କରି ରଖିଥାଏ ।

୫.ଫୋନ୍ ଏନଜାଇଟି / ଫାଣ୍ଟମ୍ ଭାଇବ୍ରେସନ୍ ସିଣ୍ଡ୍ରୋମ 

ଆଧୁନିକ ଜୀବନ ଚର୍ଯ୍ୟାରେ ଉଦବେଗଆଧୁନିକ ଜୀବନ ଚର୍ଯ୍ୟାରେ ଉଦବେଗ

ଆପଣ କେବେ ଫୋନ୍ ବାଜୁନଥିଲେ ବି ତାହା ବାଜୁଛି ବା ନୋଟିଫିକେସନ୍ ଆସୁଛି ବୋଲି ଅନୁଭବ କରିଛନ୍ତି କି? ଏହା ହିଁ ହେଉଛି ଫାଣ୍ଟମ୍ ଭାଇବ୍ରେସନ୍ । ବହୁତ ଲୋକ ଫୋନ୍ ବାଜିଲେ ବା ବହୁତ ସମୟ ଧରି ଫୋନ୍ ଠାରୁ ଦୂରେଇ ରହିଲେ କେମିତି ଗୋଟେ ଭୟ ଓ ଆତଙ୍କ ଅନୁଭବ କରୁଛନ୍ତି, ତାକୁ ଘାବରେଇଯିବା ବି କୁହାଯାଇପାରେ । 

ସବୁବେଳେ ଏମିତି ସହଜଲବ୍ଧ ହେବା ଦ୍ୱାରା ବିଶ୍ରାମ ନେବା ବି ବିପଜ୍ଜନକ ମନେହେଉଛି । ଆମେ କେବଳ ଖରାପ ଖବରକୁ ଭୟ କରୁନାହାଁନ୍ତି, ଆମେ ଖବର ପାଇବାରୁ ବଞ୍ଚିତ ହେବାକୁ ବି ଭୟ କରୁଛନ୍ତି । 

ମଡର୍ଣ୍ଣ ଏନଜାଇଟି ବଢୁଛି କାହିଁକି?

-୨୪/୭ ଡିଜିଟାଲ ଏକ୍ସପୋଜର ଆମ ମସ୍ତିଷ୍କକୁ ଅତି ସତର୍କ ଅବସ୍ଥା ବା ହାଇପର ଆଲର୍ଟ ମୋଡ୍ ରେ ରଖୁଛି ।

-ତାତକ୍ଷଣିକ ସମ୍ବାଦ ଯୋଗୁଁ ବିଶ୍ୱବ୍ୟାପୀ ଶଙ୍କଟ (ମହାମାରୀ, ଯୁଦ୍ଧ, ପର୍ଯ୍ୟାବରଣ ବିପଦ) ଅଧିକ ଘନିଷ୍ଟ ଓ ସତ୍ୟ ବୋଲି ଅନୁଭବ ହେଉଛି ।

-ଦୃତଗତିରେ ଉଦ୍ଭାବନର ଅର୍ଥ ଆମକୁ ସବୁବେଳେ ନୂଆ କିଛି ସହ ଖାପ୍ ଖାଇ ଚାଲିବାକୁ ପଡୁଛି ।

-“ଆଉ କିଛି କର”, “ଆଉ କିଛି ହୁଅ”, “ଆହୁରି ପୋଷ୍ଟ କର” ଆଦି ସାମାଜିକ ଓ ସାଂସ୍କୃତିକ ଚାପ ରହୁଛି ।

ଏନଜାଇଟି ସବୁ ସମୟରେ ଥିଲା- କିନ୍ତୁ ଏତେ ଦୃତ ବେଗରେ, ଏତେ ଜୋରରେ, ଏତେ ନିରନ୍ତର ଭାବେ ଗତି କରୁଥିବା ଦୁନିଆରେ କେବେ ବି ନଥିଲା । 

ମଡର୍ଣ୍ଣ ଏନଜାଇଟି ଦ୍ୱାରା ଆକ୍ରାନ୍ତ ହେବାର ଲକ୍ଷଣ:

• ଶୋଇବାରେ ଅସୁବିଧା କିମ୍ବା ଉଠିଲା ବେଳକୁ ଥକ୍କା ଲାଗିବା ।

• ଲଗାତାର ଫୋନ୍ ଚେକ୍ କରିବା ବା ଡୁମ୍ ସ୍କ୍ରୋଲିଙ୍ଗ କରିବା ।

• ଏକାଗ୍ର ହେବାରେ ଓ ନିଷ୍ପତ୍ତି ନେବାରେ ଅସୁବିଧା ।

• ଖବର ଶୁଣି ଭାବପ୍ରବଣ ଅନୁଭବ କରିବା ।

• ଅସ୍ଥିରତା, ଚିଡିଚିଡା ବା ଛାତିରେ ଟାଣ ଅନୁଭବ କରିବା ।

• ବିଶ୍ରାମ ନେବା ଲାଗି ଅପରାଧବୋଧ ଓ ବିଶ୍ରାମ ନେବାରେ ଅସମର୍ଥତା ।

ସମାଧାନର ଉପାୟ :

ଆଧୁନିକ ସମସ୍ୟାର ସମାଧାନ ପାଇଁ ଆଧୁନିକ ଉପକରଣ ଆବଶ୍ୟକ କିନ୍ତୁ ସାଙ୍ଗରେ ଏମିତି କିଛି ଉପକରଣ ବି ଦରକାର ଯାହା ସମୟ ସହ କାମ କରିବା ବନ୍ଦ ହୋଇଯିବ ।

୧.ଡିଜିଟାଲ୍ ସୀମା ନିର୍ଦ୍ଧାରଣ କରନ୍ତୁ ।

-ଦିନକୁ ଥରେ କିମ୍ବା ଦୁଇଥର ଖବର ଜାଣିବାକୁ ସୀମିତ ରଖନ୍ତୁ ।

-ନୋଟିଫିକେସନକୁ ବନ୍ଦ କରନ୍ତୁ ଓ ଶୋଇବା ପୂର୍ବରୁ ମୋବାଇଲ୍ ସ୍କ୍ରୋଲ୍ କରନ୍ତୁ ନାହିଁ ।

-ଆବଶ୍ୟକତା ଥିଲେ ଇଚ୍ଛାକୃତ ଭାବରେ ଫୋନ୍ ବ୍ୟବହାର କରନ୍ତୁ- ବାଧ୍ୟତାମୂଳକ ଭାବରେ ବା ଅଭ୍ୟାସଗତ ଭାବେ ନୁହେଁ ।

୨. ମନଯୋଗୀତା ଓ ଶ୍ୱାସକ୍ରିୟା ଅଭ୍ୟାସ କରନ୍ତୁ ।

ଇଚ୍ଛାକୃତ ଭାବରେ ପାଞ୍ଚ ମିନିଟ୍ ବସି ନିଶ୍ୱାସ ପ୍ରଶ୍ୱାସକୁ ଦେଖିବା ବା ନବା ଆଣିବା କରିବା ମଧ୍ୟ ଆପଣଙ୍କ ସ୍ନାୟୁ ପ୍ରଣାଳୀକୁ ଶାନ୍ତ କରିଥାଏ । କିମ୍ବା କେବଳ ନୀରବରେ ବସିବା ମଧ୍ୟ ଆପଣଙ୍କ ଚିନ୍ତାଧାରାକୁ ପୁନଃସ୍ଥାପିତ କରିବାରେ ସାହାଯ୍ୟ କରେ ।

୩. ପରିବେଶ ପାଇଁ କାର୍ଯ୍ୟ ନିଅନ୍ତୁ ।

ଯଦି ଜଳବାୟୁ ପରିବର୍ତ୍ତନ ଆପଣଙ୍କୁ ଚିନ୍ତିତ କରୁଛି, ତେବେ ସ୍ଥାନୀୟ ସଫେଇ ଅଭିଯାନରେ ଯୋଗ ଦିଅନ୍ତୁ, ପ୍ଲାଷ୍ଟିକ୍ ବ୍ୟବହାର କରିବା କମ୍ କରନ୍ତୁ, ସ୍ଥାୟିତ୍ୱ ଥିବା ଉଦ୍ୟମକୁ ସମର୍ଥନ କରନ୍ତୁ । ନିଜେ କିଛି ପଦକ୍ଷେପ ନେବା ଦ୍ୱାରା ଅସହାୟତା କମ୍ ହୁଏ ।

୪.ସ୍ଲୋ ଲିଭିଙ୍ଗ ଅପଣାନ୍ତୁ ।

ଏମିତି ଶୈଳୀରେ ବଞ୍ଚିଲେ ଆପଣଙ୍କୁ କାହାକୁ ତୁରନ୍ତ ପ୍ରତିକ୍ରିୟା ଜଣାଇବାକୁ ହେବ ନାହିଁ । ଅଥବା ପ୍ରତି ମିନିଟ୍ ରେ କିଛି ନା କିଛି କରିବାକୁ ପଡିବ ନାହିଁ । ଏକୁଟିଆ ରହିବାକୁ ଓ ଏକୁଟିଆ ରହି ବୋର୍ ହେବାର ଅନୁଭବକୁ ପୁନରୁଦ୍ଧାର କରନ୍ତୁ ।

ଆଜିଠୁ କ’ଣ କ’ଣ କରିପାରିବେ?

• ଆପଣଙ୍କ ମୋବାଇଲ୍ କୁ ୩୦ ମିନିଟ୍ ପାଇଁ "ଡୁ ନଡ୍ ଡିଷ୍ଟର୍ବ" ମୋଡ୍ ରେ ରଖନ୍ତୁ ।

• ଆପଣଙ୍କ ମନରେ ବାରମ୍ବାର ଆସୁଥିବା ତିନୋଟି ଚିନ୍ତାଧାରାକୁ ଲେଖନ୍ତୁ ।

• ୪ ପର୍ଯ୍ୟନ୍ତ ଗଣି ନିଶ୍ୱାସ ନିଅନ୍ତୁ, ପୁଣି ୪ ଗଣିବା ଯାଏଁ ନିଶ୍ୱାସକୁ ଧରି ରଖନ୍ତୁ ଓ ୬ ଗଣିସାରିବା ଭିତରେ ତାକୁ ଛାଡନ୍ତୁ । ଏମିତି ତିନି ଥର କରନ୍ତୁ ।

• ୧୫ ମିନିଟ୍ ପାଇଁ ଖବର ଦେଖିବା କାମକୁ ୧୫ ମିନିଟ୍ ଗୀତ ଶୁଣିବା ବା ଡାଏରୀ ଲେଖିବା ବା ଅନ୍ୟ କିଛି ପସନ୍ଦର କାମ କରିବାରେ ବଦଳାନ୍ତୁ ।

ଏନଜାଇଟି ସହ ବଞ୍ଚିହୋଇପାରେ, କିନ୍ତୁ ତା’ ଅଧିନରେ ନୁହେଁ ।

ଏନଜାଇଟି ବା ଉଦବେଗ ଏକ ତ୍ରୁଟି ନୁହେଁ, ଏହା ଏକ ସଙ୍କେତ । ଏବଂ ଆଜିର ଦୁନିଆରେ ଆମ ଆଗରେ ଅନେକ ବେଶୀ ଟ୍ରିଗର୍ ରହିଥିଲେ ବି ଅଧିକ ସଚେତନତା, ସମର୍ଥନ ଓ କୌଶଳ ମଧ୍ୟ ରହିଛି ।

ଆପଣ ଉଦବେଗରେ ରହି ମଧ୍ୟ ଭଲରେ ବଞ୍ଚିପାରିବେ । ଆପଣଙ୍କ ଶରୀର ଓ ମନର କଥା ଶୁଣିବାକୁ ଚେଷ୍ଟା କରନ୍ତୁ । ତାପରେ ଗୋଟିଏ ଛୋଟିଆ ପଦକ୍ଷେପ ନେଇ ଆରମ୍ଭ କରନ୍ତୁ । ଦୁନିଆ ଅନିଶ୍ଚିତ ହୋଇପାରେ କିନ୍ତୁ ଆପଣଙ୍କ ଶାନ୍ତି ଅନିଶ୍ଚିତ ହୋଇପାରେନା ।

Mental Health Life Style Anxiety Relieve Stress And Anxiety
Advertisment
Advertisment