• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Dilip Sabat

ଆମ ସମାଜ କ’ଣ ‘ପଲିଟିକାଲ ହିପ୍ନୋଟାଇଜ୍’ ବା ‘ରାଜନୈତିକ ସମ୍ମୋହନ’ ଭିତରଦେଇ ଗତି କରୁଛି କି? କାରଣ ନିର୍ବାଚନୀ ଚରଣରେ ସାମାଜିକ, ଅର୍ଥନୈତିକ ଓ ନିରାପତ୍ତାକୁ ନେଇ ଯେଉଁ ଗମ୍ଭୀର ଉଦ୍‌ବେଗଜନକ ତଥ୍ୟ ଓ ପ୍ରସଙ୍ଗ ସବୁ ସାମ୍ନାକୁ ଆସିଛି ତାହା ରାଜ୍ୟର ବୁଦ୍ଧିଜୀବୀମାନଙ୍କୁ ଗଭୀର ଚିନ୍ତାରେ ପକାଇଦେଇଛି।

ତେବେ ଏହି ପ୍ରସଙ୍ଗଗୁଡିକ ସେହିଭଳି ବ୍ୟାପକ ରାଜନୈତିକ ଚର୍ଚ୍ଚା କିମ୍ବା ଆଲୋଚନା ପରିସରକୁ ନଆସିବା ସେମାନଙ୍କୁ ଅଧିକ ମର୍ମାହତ କରିଛି। ନୋବେଲ ପୁରସ୍କାର ପ୍ରାପ୍ତ ପ୍ରଖ୍ୟାତ ଋଷ୍‌ ଲେଖକ ଅଲେକ୍‌ଜାଣ୍ଡେର ସୋଲଝୁନିତସିନ୍‌ଙ୍କ କଥା ମନକୁ ଆସେ।

ତାଙ୍କ ଅନୁସାରେ, “ଆଧୁନିକ ସମାଜ ସମାଜବାଦ ଦ୍ୱାରା ସମ୍ମୋହିତ। ସମାଜବାଦ ଦ୍ୱାରା ଏହାକୁ ସେହି ମାରାତ୍ମକ ବିପଦରୁ ରୋକାଯାଇପାରିବ। ଆଉ ସବୁଠାରୁ ବଡ ବିପଦ ହେଉଛି, ଆପଣ ବିପଦର ସମସ୍ତ ଭାବନା ହରାଇ ବସିଛନ୍ତି; ଆପଣ ଏହା ବି ଦେଖିପାରୁ ନାହାଁନ୍ତି ଯେ ଏହା କେଉଁଠାରୁ ଆସୁଛି, କାରଣ ଏହା ଆପଣଙ୍କ ଆଡକୁ ଦ୍ରୁତ ଗତିରେ ମାଡି ଆସୁଛି।”

ନିର୍ବାଚନ ପାଇଁ ରାଜନୀତିର ‘ହୋ ହଲ୍ଲା’ ମଧ୍ୟରେ ସାମାଜିକ ପ୍ରସଙ୍ଗର ‘ହା… ହା… କାର’ ଦୁଇଟି ସମାନ୍ତରାଳ ସରଳରେଖାକୁ ନେଇ ଏକ ଜଟିଳ ପରିସ୍ଥିତି ସୃଷ୍ଟି କଲାଭଳି ମନେହୁଏ। ବ୍ୟାପକ ବେରୋଜଗାରୀ, ବିଭିନ୍ନ ସାମଗ୍ରୀରେ ଦରଦାମ ବୃଦ୍ଧି, ଗାଁରୁ ସହର ରାଜ୍ୟର ପ୍ରାୟ ଅଧିକାଂଶ ଅଞ୍ଚଳରେ ପିଇବା ପାଣି ପାଇଁ ଲୋକଙ୍କ ମଧ୍ୟରେ ସଙ୍ଘର୍ଷ, ରାଜ୍ୟର ପ୍ରାକୃତିକ ସମ୍ପଦର ଅବକ୍ଷୟ, ଶୁଖିଲା ତଥା ମୃତ୍ୟୁମୁହାଁ ଅନେକ ନଦନଦୀ ଏଭଳି ଭୟଙ୍କର ଗମ୍ଭୀର ଚିତ୍ର ଅନେକଙ୍କୁ ଚିନ୍ତାଶୀଳ କରିଛି।

ତେବେ ଏହି ଗମ୍ଭୀର ପରିସ୍ଥିତିକୁ ବ୍ୟାପକ ରାଜନୈତିକ ପ୍ରସଙ୍ଗ କିମ୍ବା ସାମାଜିକ ଚେତନା ସୃଷ୍ଟି କଲାଭଳି ପରିବେଶ ଦେଖାଯାଉନି। ଯେଭଳି ବର୍ଷ ତମାମ ଆଗୁଆ ନିର୍ବାଚନ, ମେଣ୍ଟ ରାଜନୀତି, ଗୋଷ୍ଠି ବିବାଦ, ଦଳଡିଆଁ, ଟିକେଟ୍‌ କଳି ଆଦି ରାଜନୈତିକ ଚର୍ଚ୍ଚା ହେଉଛି, ସାମାଜିକ ଓ ଲୋକଙ୍କ ସମସ୍ୟାକୁ ନେଇ ସେଭଳି ଚର୍ଚ୍ଚା ଆଲୋଚନା ହେଉ ନାହିଁ।

ସବୁଠାରୁ ଆଶ୍ଚର୍ଯ୍ୟଜନକ ସ୍ଥିତି ହେଉଛି ‘ଇଲେକ୍ଟ୍ରୋରାଲ୍‌ ବଣ୍ଡ୍‌’ ପ୍ରସଙ୍ଗରେ ରାଜନୈତିକ ଓ ସାମାଜିକ ‘ନିରବତା’ ଅତ୍ୟନ୍ତ ଚିନ୍ତାଜନକ। ଯେତେବେଳେ ଲୋକଙ୍କ ଜୀବନ ଜୀବୀକା ଭୟଙ୍କର ସଙ୍କଟ ଦେଇ ଗତିକରୁଥିଲା, ମଣିଷ ମଧ୍ୟରେ ଏକ ଅଦୃଶ୍ୟ ଆତଙ୍କ ବସା ବାନ୍ଧିଥିଲା, ଲୋକେ ବାହାରକୁ ବାହାରିବାକୁ କଟକଣା ଲାଗିଥିଲା, ଲକ୍ଷ ଲକ୍ଷ ଲୋକଙ୍କ ରୋଜଗାର ପ୍ରଭାବିତ ହୋଇଥିଲା, ପ୍ରବାସୀ ଶ୍ରମିକମାନେ ଜୀବନ ବିକଳରେ ଗାଁମୁହାଁ ହୋଇଥିଲେ, ସେହି ବିଶ୍ୱବ୍ୟାଧୀ ମହାମାରୀ କରୋନା ସମୟରେ ରାଜନୈତିକ ଦଳଗୁଡିକ କୋଟି କୋଟି ଟଙ୍କାର ନିର୍ବାଚନୀ ଚାନ୍ଦା ଆଦାୟ କରିଥିବାର ରିପୋର୍ଟ ସର୍ବସାଧାରଣକୁ ଆସିଛି। ଅନେକ ଗଣମାଧ୍ୟମ ନିର୍ବାଚନୀ ଚାନ୍ଦାର ଚିତ୍ର ଲୋକଙ୍କ ଆଗରେ ରଖିଛନ୍ତି।

ଲୋକେ ରୋଜଗାର ସଙ୍କଟ ଦେଇ ଗତି କରୁଥିବାବେଳେ ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲ୍ଓ) ୨୦୨୪ ରିପୋର୍ଟରେ ଦର୍ଶାଇଲା "ଭାରତରେ ଯୁବ ବେକାରୀ ବିଶ୍ୱ ହାର ଠାରୁ ଅଧିକ'। ଆଇଏଲ୍ଓ ୨୦୨୨ର ସର୍ଭେରୁ ଜାଣିବାକୁ ପାଇଛି, ଦେଶର ମୋଟ ଜନସଂଖ୍ୟାର ୮୩ ପ୍ରତିଶତ ଯୁବକ ବେକାରୀ। ସବୁଠାରୁ ଶିକ୍ଷିତ ବେକାରୀ ସଂଖ୍ୟା ଅଧିକ ବୋଲି ଏଥିରେ କୁହାଯାଇଛି।

ଏହି ରିପୋର୍ଟ ଅନୁସାରେ ଏକ ଇଂରାଜୀ ଖବରକାଗଜ ଦର୍ଶାଇଛି ଯେ, ଓଡ଼ିଶାରେ ବେରୋଜଗାରୀ ସ୍ଥିତି ସର୍ବାଧିକ। ୨୦୨୨ରେ ଓଡ଼ିଶାରେ ଶିକ୍ଷିତ ବେକାରୀ ହାର ୩୫.୯୩ ଭାଗ ବୃଦ୍ଧି ପାଇଥିବା କୁହାଯାଇଛି। ରାଜ୍ୟରେ ଯୁବ ଭୋଟର ସଂଖ୍ୟାଧିକ ଥିବାବେଳେ ସେମାନଙ୍କ ନିଯୁକ୍ତି କ୍ଷେତ୍ରରେ ଏଭଳି ସ୍ଥିତି ସମାଜ ପାଇଁ ଚିନ୍ତାର ବିଷୟ। ଅଥଚ ଏହା ନିର୍ବାଚନରେ ସେଭଳି ରାଜନୈତିକ ପ୍ରସଙ୍ଗ ଭାବରେ ଉତ୍ଥାପିତ ହୋଇପାରି ନାହିଁ!

ସେପଟେ ଆଇଆଇଟି ଭଳି ପ୍ରତିଷ୍ଠାନରେ ନିଯୁକ୍ତି ସଙ୍କଟକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଲାଣି। ପ୍ରତିବର୍ଷ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି (ଆଇଆଇଟି)ର ଛାତ୍ରମାନେ ବଡ଼ ଧରଣର ଚାକିରି ଉପରେ ଦୃଷ୍ଟି ରଖି ପ୍ଲେସ୍‌ମେଣ୍ଟ୍‌ ଋତୁ - ଡିସେମ୍ବର ଏବଂ ଫେବୃଆରୀ ପରବର୍ତ୍ତୀକୁ ଅପେକ୍ଷା କରନ୍ତି।

ତେବେ, ଚଳିତ ବର୍ଷ ଆଇଆଇଟି-ବମ୍ବେରେ, ୨୦୨୪ ପ୍ଲେସ୍‌ମେଣ୍ଟ୍‌ ପାଇଁ ପଞ୍ଜୀକୃତ ହୋଇଥିବା ପ୍ରାୟ ୨,୦୦୦ ଛାତ୍ରଙ୍କ ମଧ୍ୟରୁ ମାତ୍ର ୭୧୨ ଜଣ - ପ୍ରାୟ ୩୬% - ଚାକିରି ସୁରକ୍ଷିତ ରଖି ନାହାଁନ୍ତି। କେବଳ ବମ୍ବେ ନୁହେଁ ଅନ୍ୟ ଆଇଆଇଟିଗୁଡିକରେ ମଧ୍ୟ ସମାନ ସ୍ଥିତି ଥିବା ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି।

ଆମେ ବେକାରୀ ତଥା ବେରୋଜଗାରୀ କଥା କହିବା ବେଳେ ତା’ ପଛର ଅଦୃଶ୍ୟ ବେଦନାକୁ ମଧ୍ୟ ଚିନ୍ତାକରିବା ଆବଶ୍ୟକ ରହିଛି। ଏକ ଶିକ୍ଷିତ ବେକାର ପଛରେ ଅଭିଭାବକଙ୍କ କଷ୍ଟ ସାଧ୍ୟ ‘ମହଙ୍ଗା ଶିକ୍ଷା’ ସହିତ ଜୁଝିହେବା ଏବଂ ସେମାନଙ୍କ ଅକ୍ଳାନ୍ତ ଶ୍ରମ ଓ ସାଧନାକୁ ମନେପକାଇବା ଦରକାର।

ଏପଟେ ରୋଜଗାର ବାଧାପ୍ରାପ୍ତ ହେବା ବେଳେ ସେପଟେ ହୁ… ହୁ… ହୋଇ ବଢିଚାଲିଛି ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ। ଡାଲିଜାତୀୟ ସାମଗ୍ରୀରେ କ୍ୱିଂଟାଲ ପିଛା ୩ ଶହରୁ ୪ ଶହ ଟଙ୍କା ବୃଦ୍ଧି ହୋଇଥିବାବେଳେ ଖାଇବା ତେଲ ଓ ପନିପରିବା ଦର ଆକାଶଛୁଆଁ ହେଲାଣି। ଏପ୍ରିଲ ମାସରେ ଆଳୁ କିଲୋ ୪୦ ଟଙ୍କା ହେଲାବେଳେ ଆଗକୁ ଆହୁରି ବଢିବା ଆଶଙ୍କା ଦେଖାଦେଇଛି।

ରାଜ୍ୟରେ ପ୍ରତି ପଂଚାୟତରେ ଶୀତଳଭଣ୍ଡାର ଖୋଲିବା ଏବେ ବି ସ୍ୱପ୍ନ ହୋଇ ରହିଯାଇଛି। ଯାହା ଦ୍ୱାରା ଚାଷୀ ଉତ୍ପାଦିତ ସାମଗ୍ରୀରେ ନିୟନ୍ତ୍ରଣ ହରାଉଛି। ସେହିଭଳି ପେଟ୍ରୋଲ୍‌-ଡିଜେଲ୍‌ ଦର ଏବେ ବି ଶହେ ପାର ରହିଛି। ଇସ୍ରାଏଲ୍‌-ଇରାନ ବିବାଦ କାରଣରୁ ଆନ୍ତର୍ଜାତୀୟ ବଜାରରେ ଅଶୌଧିତ ତୈଳ ଦର ୧୦୦ ଡଲାର ଛୁଇଁବା ଆଶଙ୍କା ଦେଖାଦେଇଛି। ଯାହାଦ୍ୱାରା ଆଗକୁ ପେଟ୍ରୋଲ୍‌-ଡିଜେଲ୍‌ ଦର ମଧ୍ୟ ବଢିପାରେ।

ସେହିଭଳି ସାମାଜିକ ସମସ୍ୟାର ସାଙ୍ଘାତିକ ଚିତ୍ର ସାମ୍ନାକୁ ଆସିଛି। ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହର ପ୍ରଭାବରୁ ସମଗ୍ର ରାଜ୍ୟ ତାତିରେ ଜଳୁଛି! ଏଭଳି ସ୍ଥିତିରେ ବ୍ୟାପକ ଜଳ ସଙ୍କଟ ପାଇଁ ରାଜ୍ୟବାସୀଙ୍କ ସଙ୍ଘର୍ଷ ଅତ୍ୟନ୍ତ ଚିନ୍ତାଜନକ। ଗତ ପଂଚାୟତ ନିର୍ବାଚନରେ ଓଡ଼ିଶାର ଅଧିକାଂଶ ଅଂଚଳ ଭୋଟ ବର୍ଜନର ଚେତାବନୀ ଦେଇଥିଲେ। ଏବେ ୨୦୨୪ ସାଧାରଣ ନିର୍ବାଚନରେ ମଧ୍ୟ ସେହି ଚେତାବନୀର ପୁନରାବୃତି ହୋଇଛି।

ଏ ସମସ୍ତ ବିଷୟକୁ ଅବଲୋକନ କଲେ ଜଣାପଡେ ଯେ ରାଜ୍ୟ ରାଜନୀତି ଲୋକଙ୍କ ସମସ୍ୟା ଓ ପ୍ରସଙ୍ଗ ମଧ୍ୟରେ ନାହିଁ! ସମାଜିକ ସମସ୍ୟାକୁ ନେଇ ଲୋକଙ୍କ ମଧ୍ୟରେ ବ୍ୟାପକ ଚାପା ଅସନ୍ତୋଷ ଥିଲେ ମଧ୍ୟ ଏସବୁ ନିର୍ବାଚନକୁ ପ୍ରଭାବିତ କରିବ ବୋଲି ନେତା ବା ରାଜନୈତିକ ଦଳ ମଧ୍ୟରେ ସେଭଳି ଭୟ ବା ଆଶଙ୍କା ଦେଖାଯାଏ ନାହିଁ।

ଇମେଲ୍: dksawat@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)