ସାମ୍ନାରେ ସାଧାରଣ ନିର୍ବାଚନ ଥିବାବେଳେ ଓଡ଼ିଶାରେ ଶାସକ ଓ ବିରୋଧୀ ଦଳ ମଧ୍ୟରେ ମେଣ୍ଟ ଚର୍ଚ୍ଚା ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଘନିଭୂତ ହେବାରେ ଲାଗିଛି। ଉଭୟ ଦଳର ରାଜ୍ୟ ନେତୃତ୍ୱ ଦିଲ୍ଲୀ ଯାଇ କେନ୍ଦ୍ର କ୍ଷମତାରେ ଥିବା ବିଜେପିର ଶୀର୍ଷ ନେତାଙ୍କ ସହିତ ବାରମ୍ବାର ବୈଠକ ଆଲୋଚନା ପରେ ମେଣ୍ଟ ଚର୍ଚ୍ଚା ହୋଇନି ବୋଲି ସଫେଇ ଦେଲେ।
ଏପଟେ ବହୁଚର୍ଚ୍ଚିତ ଚିଟ୍ଫଣ୍ଡ୍ ମାମଲାରେ ରାଜ୍ୟର ବିଭିନ୍ନ ସ୍ଥାନରେ ଇଡିର ଚଢାଉ କିନ୍ତୁ ଚାଲିଛି। ତେବେ 'ମେଣ୍ଟ'କୁ ନେଇ ଗତ କିଛିଦିନ ହେଲା ଯେଭଳି କମ୍ପନ ଦେଖାଦେଇଛି ଚିଟଫଣ୍ଡ ପ୍ରସଙ୍ଗରେ ସେଭଳି ଚର୍ଚ୍ଚା, ଆଲୋଚନା, ବିତର୍କ ଦେଖାଯାଇ ନାହିଁ। କିନ୍ତୁ ୧୦ ବର୍ଷ ତଳେ ୨୦୧୪ ନିର୍ବାଚନରେ ଏହି ଚିଟଫଣ୍ଡ ପ୍ରସଙ୍ଗ ଶାସକ ଦଳ ବିଜେଡିର ନିଦ ହଜାଇଦେଇଥିଲା।
ଏବେ ବି ଏହି ମାମଲାରେ ପୂର୍ଣ୍ଣଛେଦ ପଡି ନାହିଁ। ଲକ୍ଷ ଲକ୍ଷ କ୍ଷତିଗ୍ରସ୍ତ ଜମାକାରୀ ସେମାନଙ୍କ ଟଙ୍କା ଫେରିପାଇବା ଆଶା ଧରି ଅନେଇ ବସିଛନ୍ତି। ଅନେକ ଜମାକାରୀ ଆଖିବୁଜି ସାରିଲେଣି! ଏବେ ପୁଣି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅର୍ଥାତତ୍ତ୍ୱ ଲିଙ୍କ ମାମଲାରେ ଚଢାଉ ଚଲାଇଛି। ଏଭଳି ସ୍ଥିତିକୁ ନେଇ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି। କଂଗ୍ରେସ କହିଛି, ସିବିଆଇ, ଇଡି ଭୟରେ ନିଜ ସ୍ୱାର୍ଥ ପାଇଁ ବିଜେପି ସହ ବିଜେଡି ମେଣ୍ଟ କରୁଛି।
Also Read
କେବଳ ରାଜ୍ୟ କଂଗ୍ରେସ ନୁହେଁ! ସମଗ୍ର ଦେଶରେ ଅଣ-ବିଜେପି ଶାସିତ ରାଜ୍ୟଗୁଡିକରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ଚଢାଉ ଓ ଗିରଫଦାରିକୁ ନେଇ ବିରୋଧୀ ଦଳମାନେ ବରାବର ଅଭିଯୋଗ କରି ଆସିଛନ୍ତି। କେନ୍ଦ୍ର କ୍ଷମତାରେ ଥିବା ବିଜେପି ରାଜନୈତିକ ଉଦ୍ଦେଶ୍ୟ ରଖି ତଦନ୍ତକାରୀ ସଂସ୍ଥା ଗୁଡିକୁ ଅସ୍ତ୍ରଭାବେ ବ୍ୟବହାର କରୁଥିବା ଅଭିଯୋଗ ଆଣିଛନ୍ତି।
ଆଗାମୀ ନିର୍ବାଚନରେ ଏନ୍ସଡିଏ ମିଳିତ ମେଣ୍ଟ ୪୦୦ରୁ ଅଧିକ ଆସନ ଅକ୍ତିକାର କରି ପୁନର୍ବାର କେନ୍ଦ୍ରରେ ସରକାର ଗଠନ କରିବାକୁ ଲକ୍ଷ୍ୟ ରଖିଛି। ଏହି କ୍ରମରେ ରାଜ୍ୟରେ ଶାସନାଧିନ ବିଜେଡି ଉପରେ ଚାପ ପକାଯାଉଥିବା ଦର୍ଶାଯାଉଛି।
୨୦୧୩ ମସିହା, ଯେତେବେଳେ ପଶ୍ଚିମବଙ୍ଗରେ ଚିଟଫଣ୍ଡର ଏକ ବଡ ସ୍କାମ ଭାବେ ଜଣାଗଲା, ଏଥିରେ ଓଡିଶା ଲିଙ୍କ ସବୁ ପଦାକୁ ଆସିଲା। ସେତେବେଳକୁ ଚିଟଫଣ୍ଡ ମହାଦୁର୍ନୀତି ଭାବେ ଓଡିଶାର ଜଡକୁ ଧରି ସାରିଥିଲା। ଶାସକ ଦଳର ନେତା ମନ୍ତ୍ରୀ ଆଦି ଏଥିରେ ସାମିଲ ଥିବା କଥା ଦେଖାଗଲା।
୨୦୧୪ ସାଧାରଣ ନିର୍ବାଚନ ଆଗରୁ ଏହି ପ୍ରସଙ୍ଗ ସମସ୍ୟା ସୃଷ୍ଟିକରିବାର ଆଶଙ୍କା କରି ରାଜ୍ୟ ସରକାର ‘ଜରୁରୀକାଳୀନ’ ଧରପଗଡ ଆରମ୍ଭ କରିଦେଲେ। ଯୁଦ୍ଧକାଳୀନ ଭିତ୍ତିରେ ଓଡିଶା ସରକାର ଜମାକାରୀଙ୍କୁ ଠକିଥିବା ସଂସ୍ଥାର ମାଲିକ ଏବଂ ତାଙ୍କୁ ସହାୟତା ଯୋଗାଇଥିବା ନେତା ଓ ଅଧିକାରୀଙ୍କୁ ଚିହ୍ନଟ କରି ଦଣ୍ଡ ବିଧାନ କରିବାକୁ ଜଷ୍ଟିସ ପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ତଦନ୍ତ କମିଶନ ବସାଇ ଦେଲେ।
ଏହା ସହିତ ଜମାକାରୀମାନଙ୍କ ଟଙ୍କା ଫେରାଇବାକୁ ୩୦୦ କୋଟି ଟଙ୍କାର ଏକ କର୍ପସ ଫଣ୍ଡ ଗଠନ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କଲେ। କ୍ଷତିଗ୍ରସ୍ତ ଜମାକାରୀମାନେ ସତ୍ୟପାଠ ମାଧ୍ୟମରେ ସେମାନଙ୍କ ଆବେଦନ କମିଶନଙ୍କ ନିକଟରେ ଉପସ୍ଥାପନ କରିବାକୁ ସରକାର ବିଜ୍ଞପ୍ତି ପ୍ରକାଶ କଲେ। ମୁଖ୍ୟମନ୍ତ୍ରୀଙ୍କ ଏଭଳି ନିଷ୍ପତ୍ତିରେ ସନ୍ତୋଷ ଲାଭ କରି ଲକ୍ଷ ଲକ୍ଷ ଜମାକାରୀ ସରକାରଙ୍କୁ ସମର୍ଥନ ଜଣାଇଥିଲେ।
ଓଡିଶାବାସୀ ଯେତେବେଳେ ୨୦୨୪ ନିର୍ବାଚନ ପାଇଁ ଭୋଟ ଦେଉଥିବେ ସେତେବେଳକୁ ଚିଟଫଣ୍ଡ ମାମଲାର ତଦନ୍ତକୁ ଠିକ ୧୦ ବର୍ଷ ପୂରିଯାଇଥିବ !
୨୦୧୪ରୁ ୨୦୨୪, ଏଇ ୧୦ ବର୍ଷ ମଧ୍ୟରେ ଦୁଇଟି ନିର୍ବାଚନ ଯାଇ ସାରିଲାଣି। ଆଗାମୀ ନିର୍ବାଚନ ପାଇଁ ଯେକୌଣସି ମୁହୂର୍ତ୍ତରେ ବାଜିପାରେ ବିଗୁଲ। ହେଲେ ମୁଣ୍ଡ ଝାଳ ତୁଣ୍ଡରେ ମାରି ଗୋଟି ଗୋଟି କରି ପଇସା ସଂଚୟ କରିଥିବା ଲକ୍ଷ ଲକ୍ଷ ଜମାକାରୀ ସେମାନଙ୍କ ଟଙ୍କା ଫେରିପାଇବାକୁ ଆଜି ବି ଅନାଇ ବସିଛନ୍ତି।
ଇତି ମଧ୍ୟରେ କ୍ରାଇମବ୍ରାଂଚ, ସିବିଆଇ, ଇଡି ଏହି ମାମଲାରେ ଘାଂଟ ଚକଟା କଲେଣି, ଅନେକ ସଂସ୍ଥାର ମାଲିକ ଏବଂ ତାଙ୍କୁ ସହଯୋଗ କରିଥିବା ନେତା ଗିରଫ ହେଲେଣି, ଓଡିଶା ହାଇକୋର୍ଟରୁ ମାମଲା ଯାଇ ସୁପ୍ରିମକୋର୍ଟରେ ପହଂଚଲାଣି, ତଦନ୍ତ କମିଶନ ଅଧ୍ୟକ୍ଷ ଜଷ୍ଟିସ ପାତ୍ରଙ୍କ ଦେହାନ୍ତ ପରେ ଜଷ୍ଟିସ ଏମ୍ଏମ୍ ଦାସଙ୍କ କାର୍ଯ୍ୟକାଳ ସରିଲାଣି ଅଥଚ କ୍ଷତିଗ୍ରସ୍ତ ଜମାକାରୀ ସେମାନଙ୍କ ଟଙ୍କା ଫେରି ପାଇପାରୁ ନାହାନ୍ତି?
କେବେ ଜିଲ୍ଲା ସଦରମହକୁମାରୁ ତ କେବେ ରାଜଧାନୀର ରାଜରାସ୍ତାରେ ଏବେ ବି ସେମାନେ ପ୍ରାପ୍ୟ ପାଇବାକୁ ଆନ୍ଦୋଳନ ଚଳାଇଛନ୍ତି। ଏହି ପରିପ୍ରେକ୍ଷୀରେ କେନ୍ଦ୍ରୀୟ ତଦନ୍ତକାରି ସଂସ୍ଥାର ଭୂମିକା ଏବେ ସାମ୍ନାକୁ ଆସିଛି।
୨୦୧୪ ମେ ୯ରେ ସୁପ୍ରିମକୋର୍ଟଙ୍କ ତତ୍କାଳୀନ ବି·ଆର ପତି ଜଷ୍ଟିସ ଟି.ଏସ ଠାକୁରଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ଓଡିଶା, ପଶ୍ଚିମବଙ୍ଗ, ତ୍ରିପୁରା ଓ ଆସାମରେ ଶାରଦା ସମେତ ଅନେକ ଅର୍ଥ ଲଗାଣକାରୀ ସଂସ୍ଥା ୧୦ ହଜାର କୋଟି ଟଙ୍କା ଠକେଇ କରିଛନ୍ତି ବୋଲି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇବା ସହ ତଦନ୍ତଭାର ରାଜ୍ୟ କର୍ତୃପକ୍ଷଙ୍କ ଠାରୁ ଆଣି ସିବିଆଇକୁ ହସ୍ତାନ୍ତର ପାଇଁ ନିର୍ଦ୍ଦେଶ ଦେଇଥିଲେ।
ସିବିଆଇ ତଦନ୍ତ ନିର୍ଦ୍ଦେଶ ପାଇବା ପରେ କ୍ଷତିଗ୍ରସ୍ତ ଜମାକାରୀମାନେ ଟଙ୍କା ଫେରସ୍ତ ପାଇବେ ବୋଲି ଆଶା ପ୍ରକଟ କରିଥିଲେ। ତେବେ ଏହି ତଦନ୍ତ ଏବେ ବି ଗଡିଚାଲିଛି। ଜମାକାରୀ ଅର୍ଥ ଫେରସ୍ତ ଓ ନ୍ୟାୟ ଅପେକ୍ଷାରେ ରହିଛନ୍ତି। ଗତ ବର୍ଷ ଓଡ଼ିଶା ସରକାର ନଭେମ୍ବର ୨୦୨୨ ସୁଦ୍ଧା ୨.୧୦ ଲକ୍ଷ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ୮୩.୪୬ କୋଟି ଟଙ୍କା ଦେଇଥିବା କଥା ସୁପ୍ରିମ୍କୋର୍ଟଙ୍କୁ ସତ୍ୟପାଠ ଦ୍ୱାରା ଜଣାଇଥିଲେ।
ହେଲେ ରାଜ୍ୟ ସରକାର ୨୦୨୪ନିର୍ବାଚନ ପୂର୍ବରୁ ଯେଉଁ ୩୦୦ କୋଟି ଟଙ୍କାର କର୍ପସ ପାଣ୍ଠି ଘୋଷଣା କରିଥିଲେ ତାହା କଣ ହେଲା ସେ ବିଷୟରେ ସ୍ପଷ୍ଟ କରି ନାହାନ୍ତି। ଏଭଳି ସ୍ଥିତିରେ ରାଜ୍ୟର ପ୍ରାୟ ଦଶ ଲକ୍ଷରୁ ଅଧିକ ଚିଟଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀ ସେମାନଙ୍କ ଟଙ୍କା ଫେରିପାଇବା ନେଇ ଆଶା ଆଶଙ୍କା ଲାଗିରହିଛି। ନିର୍ବାଚନୀ ଋତୁରେ ଏହାକୁ ପ୍ରସଙ୍ଗ କରି ବିଜେପି କହିଛି ଆମ ଦଳ କ୍ଷମତକୁ ଆସିଲେ ସଭିଏଁ ନିଜ ଟଙ୍କା ଫେରି ପାଇବେ।
ଇମେଲ୍: dksawat@gmail.com
(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)