Advertisment

ଏପଟେ ଘମାଘୋଟ ଲଢ଼େଇ; ସେପଟେ ସ୍ୱତନ୍ତ୍ର ସଂପର୍କ !

ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀରେ ସାମ୍ବାଦିକଙ୍କ ସମୁଖରେ ସ୍ପଷ୍ଟ କଲେ ଯେ ତାଙ୍କ ଦଳ 'ଇଣ୍ଡିଆ' ମେଣ୍ଟରେ ନାହିଁ। କେନ୍ଦ୍ରରେ ଥିବା ମୋଦି ସରକାର ଓଡ଼ିଶା ବିକାଶ ପାଇଁ ଯେଉଁଭଳି ସବୁ ପ୍ରକାର ସହାୟତା ଦେଇ ଆସୁଛନ୍ତି ସେ 'ସମ୍ପର୍କ' ରହିବ ବୋଲି ତାଙ୍କ କଥାରୁ ଜାଣିହେଲା।

author-image
Dilip Sabat
ଅଦ୍ୟତନ ହୋଇଛି
Odisha politics on alliance

Odisha politics on alliance

ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀରେ ସାମ୍ବାଦିକଙ୍କ ସମୁଖରେ ସ୍ପଷ୍ଟ କଲେ ଯେ ତାଙ୍କ ଦଳ 'ଇଣ୍ଡିଆ' ମେଣ୍ଟରେ ନାହିଁ। କେନ୍ଦ୍ରରେ ଥିବା ମୋଦି ସରକାର ଓଡ଼ିଶା ବିକାଶ ପାଇଁ ଯେଉଁଭଳି ସବୁ ପ୍ରକାର ସହାୟତା ଦେଇ ଆସୁଛନ୍ତି ସେ 'ସମ୍ପର୍କ' ରହିବ ବୋଲି ତାଙ୍କ କଥାରୁ ଜାଣିହେଲା।

Advertisment

ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓଡ଼ିଶା ଆସି ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବାର ତୁରନ୍ତ ପରେ ଏ ବିଷୟ ସାମ୍ନାକୁ ଆସିଥିଲା। ସେହି ସମୟରେ ଜେଡିୟୁ ମୁଖ୍ୟ ନୀତିଶ ବିରୋଧୀ ଦଳ ମେଣ୍ଟ 'ଇଣ୍ଡିଆ'ର ନେତୃତ୍ୱ ନେଉଥିଲେ। ପରବର୍ତ୍ତୀ ସମୟରେ ଜେଡିୟୁ 'ଇଣ୍ଡିଆ'ରୁ ଓହରି ଏନଡିଏ ସହିତ ସାମିଲ ହୋଇ ମିଳିତ ସରକାର କଲା।

ନବୀନଙ୍କ ଏହି ସ୍ପଷ୍ଟତା ଜାତୀୟସ୍ତରରେ 'ଇଣ୍ଡିଆ' ମେଣ୍ଟରେ ବିଜେଡିକୁ ନେଇ ଚାଲିଥିବା ଚର୍ଚ୍ଚାରେ ତୁରନ୍ତ ପୂର୍ଣ୍ଣଛେଦ ପକାଇ ଥିଲା। ଅଥଚ ଓଡ଼ିଶାରେ ବିଜେଡି ଓ ବିଜେପି ମଧ୍ୟରେ ସମ୍ଭାବ୍ୟ ମେଣ୍ଟ ଚର୍ଚ୍ଚା ଦୀର୍ଘ ୩ ସପ୍ତାହ ଧରି ଝଡ଼ ଥମିବାର ନାଁ ନେଇ ନ ଥିଲା! ପଲ୍ଲୀରୁ ଦିଲ୍ଲୀ, ନେତା ଓ ଜନତାଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ନିର୍ବାଚନୀ ଚରଣରେ ରାଜନୈତିକ ନୀରବତା ଲାଗି ରହିଲା।

Advertisment

ତେବେ ଏହାର ପ୍ରଭାବ ଏଭଳି ଭାବରେ ପଡିଛି ଯେ ଦୁଇ ଦଳ ଏକାକୀ ନିର୍ବାଚନ ଲଢ଼ିବେ ବୋଲି ସ୍ପଷ୍ଟ କରିସାରିଲେଣି, ଅନେକ ଆସନରେ ଉଭୟ ଦଳ ଶକ୍ତିଶାଳୀ ଲଢୁଆ ପ୍ରାର୍ଥୀ ଦେଇଛନ୍ତି, କଡା ଟକ୍କର ହେବାର ସ୍ଥିତି ଜଣାପଡୁଛି; ଅଥଚ ରାଜନୈତିକ ମାହୋଲରେ ଏକ ମାନ୍ଦାବସ୍ଥା ଦେଖାଦେଇଛି।

ମେଣ୍ଟ ନ ହେବା ପଛର କାରଣରେ କୁହାଯାଏ ଯେ ବିଜେପି ୧୫ଟି ଲୋକସଭା ଆସନ ଚାହିଁଥିଲା ଯେଉଁଥିରେ ବିଜେଡି ଅରାଜି ହୋଇଥିଲା। ଏଭଳି ମଧ୍ୟ ଚର୍ଚ୍ଚା ହେଉଛି ଯେ ମେଣ୍ଟ ହୋଇଥିଲେ ତୃଣମୂଳ ସ୍ତରରେ ଉଭୟ ଦଳର ନେତାଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଥାନ୍ତା ଏବଂ ଏହାର ଫାଇଦା କଂଗ୍ରେସ ନେଇଥାନ୍ତା।

ତେବେ ଏହାରି ଭିତରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି ଯାହାର ଶ୍ରେୟ ମେଣ୍ଟ ଚର୍ଚ୍ଚାକୁ ଯାଇପାରେ! ପ୍ରଥମ କଥା ହେଲା ବିଜେଡିର ଆଶାୟୀମାନଙ୍କ ମଧ୍ୟରେ ଗୋଷ୍ଠୀ କନ୍ଦଳ ଏବଂ ୧୦ ହଜାର ଟିକେଟ୍‌ ଦାବିଦାରଙ୍କୁ ମ୍ୟାନେଜ୍‌ କରିବା ଦଳ ପାଇଁ ବଡ଼ ଆହ୍ୱାନ ଥିଲା। ଯାହାକୁ ଏଡାଇବା ହୁଏତ ଅତ୍ୟନ୍ତ କଷ୍ଟସାଧ୍ୟା ହୋଇଥାନ୍ତା। ଏ କ୍ଷେତ୍ରରେ ବିଜେପିରେ ଯୋଗ ଦେଇଥିବା ପ୍ରଶାନ୍ତ ଜଗଦେବ କହିଲେ "ବିଜେଡି ୧୦ ହଜାର ବୋମା ଉପରେ ବସିଛି।"

ସେପଟେ ଓଡିଶାର ବିଭିନ୍ନ ନିର୍ବାଚନମଣ୍ଡଳୀରୁ କର୍ମୀ ଓ ସମର୍ଥକଙ୍କୁ ନେଇ ଆଶାୟୀ ନେତାମାନେ ନବୀନ ନିବାସ ଆଗରେ ରୀତିମତ ପ୍ରଚୁର ଭିଡ଼ ଜମାଇବା ଦେଖାଯାଉଥିଲା। ଯାହା ଅନେକାଂଶରେ ପ୍ରଶମିତ ହେବାରେ ଲାଗିଲା। ସେହିଭଳି ରାଜ୍ୟରେ ସୃଷ୍ଟି ହୋଇଥିବା 'ଅଣଓଡ଼ିଆ' ବିରୋଧୀ ଲହର ମେଣ୍ଟ ଚର୍ଚ୍ଚା ପରେ ଏକଦମ ଥମିଯାଇଛି। ତେବେ ସବୁଠୁ ବଡ଼ ଝଟକା ଲାଗିଛି କଂଗ୍ରେସକୁ!

'ଉଦ୍ୟମେନ ହି ସିଧ୍ୟନ୍ତି କାର୍ଯ୍ୟାଣି ନ ମନୋରଥେ, ନ ହି ସୁପ୍ତସ୍ୟ ସିଂହସ୍ୟ ପ୍ରବେଶନ୍ତି ମୂଖେ ମୃଗା:' ଅର୍ଥାତ ବିନା ଉଦ୍ୟମରେ ଶୋଇରହି ସିଂହ ଯେମିତି ଆଶାକରେ ତା'ପାଟିରେ ହରିଣ ପଶିଯିବେ ଆଉ ତା ଭୋକ ମେଣ୍ଟିଯିବ। ଏଇ ମେଣ୍ଟ ଚର୍ଚ୍ଚା ରାଜ୍ୟ କଂଗ୍ରେସ ପାଇଁ ଏକ ବଡ଼ ସୁଯୋଗ ନେଇ ଆସିଥିଲା। ରାଜ୍ୟର ଅନେକ ପ୍ରସଙ୍ଗ ଉତ୍‌ଥାପିତ କରି ଲୋକଙ୍କ ପାଖରେ ପହଞ୍ଚିବା, ଶାସକ-ବିରୋଧୀ ମେଣ୍ଟ ଚର୍ଚ୍ଚାରୁ ଦଳ ଜନସମର୍ଥନ ହାସଲ କରିବାର ଯେଉଁଭଳି ସୁଯୋଗ ଥିଲା ତାକୁ ଧରିବାରେ ସେଭଳି ସଫଳ ହୋଇପାରିଲା ନାହିଁ।

ମେଣ୍ଟ ଦ୍ୱାରା 'ଅସନ୍ତୁଷ୍ଟ'ଙ୍କୁ ଅସ୍ତ୍ର କରିବାର ଆଶା ହୁଏତ ମଉଳିଯାଇଛି! ଚଳିତ ନିର୍ବାଚନରେ ୯ରୁ ୯୦ ବିଧାନସଭା ଆସନ ଜିତିବାର ଆହ୍ୱାନ ଦେଇଥିବା ରାଜ୍ୟ କଂଗ୍ରେସ ମେଣ୍ଟକୁ ଚାହିଁ ନିର୍ବାଚନ ବେଳରେ ପ୍ରାୟ ୩ ସପ୍ତାହ ବିନିଯୋଗରୁ ବ୍ୟର୍ଥ ହେଲା। ଯାହାଦ୍ୱାରା ବିଜେଡି ବିଜେପି ମେଣ୍ଟ ଚର୍ଚ୍ଚା ପାଇଁ ଏକ ଫାଇଦା ପାଇପାରିଲେ ବୋଲି କୁହାଯାଇପାରେ।

ଓଡିଶାରେ ଶାସକ ବିଜେଡି ଏବଂ ମୁଖ୍ୟ ବିରୋଧୀ ଦଳ ବିଜେପି ମଧ୍ୟରେ ‘ମେଣ୍ଟ’ ଚର୍ଚ୍ଚା ମାର୍ଚ୍ଚ ୫ ତାରିଖ ପ୍ରଧାନମନ୍ତ୍ରୀ ମୋଦିଙ୍କ ଚଣ୍ଡିଖୋଲ ଗସ୍ତ ଢେର ପୂର୍ବରୁ ଆରମ୍ଭ ହୋଇଥିଲା। ଚର୍ଚ୍ଚା ହେଲା, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପିତା ପ୍ରବାଦ ପୁରୁଷ ସ୍ୱର୍ଗତଃ ବିଜୁ ପଟ୍ଟନାୟକଙ୍କ ନାମରେ 'ଭାରତ ରତ୍ନ' ସମ୍ମାନ ଘୋଷଣା ହେବ ଆଉ ବିଜେଡି-ବିଜେପି ମେଣ୍ଟ ସ୍ଥିର ହେବ।

୨୨ ତାରିଖ ଉଭୟ ଦଳର 'ମେଣ୍ଟ ସ୍ପଷ୍ଟୀକରଣ' ପର୍ଯ୍ୟନ୍ତ ପଲ୍ଲୀରୁ ଦିଲ୍ଲୀ, ସୋସିଆଲ ମିଡିଆରୁ ଜାତୀୟ ଗଣମାଧ୍ୟମ, ସବୁଠି ରୀତିମତ ମେଣ୍ଟ ଚର୍ଚ୍ଚା ଓ ଆଲୋଚନା। ଏହି ପ୍ରସଙ୍ଗ ପରେ ରାଜନୈତିକ ଦଳଗୁଡିକର ନେତା, କର୍ମୀ ଓ ସମର୍ଥନଙ୍କ ମଧ୍ୟରେ ଏକ ଦ୍ୱନ୍ଦ୍ୱାତ୍ମକ ନିରବତା ଦେଖାଗଲା। ୧୬ ମାର୍ଚ୍ଚ ନିର୍ବାଚନ ତାରିଖ ଘୋଷଣା ହେବା ପରେ ମଧ୍ୟ 'ମେଣ୍ଟ' ଆଲୋଚନା ମଉଳି ନ ଥିଲା। ଯେଉଁ ସମୟରେ ନେତାଏ ନିର୍ବାଚନୀ ରଣକ୍ଷେତ୍ରକୁ ଓହ୍ଲାଇବା କଥା 'ମେଣ୍ଟ'ର ମାୟାଜାଲରେ ଛନ୍ଦିହୋଇ ଯେମିତି ଉପାୟଶୂନ୍ୟ ହୋଇଯାଇଥିଲେ।

୨୨ ମାର୍ଚ୍ଚରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଏକ ବିବୃତ୍ତି ପ୍ରକାଶ ପାଇଲା। ଏଥିରେ ସେ ଦର୍ଶାଇଲେ ଯେ ଓଡ଼ିଶାରେ ସମସ୍ତ ଲୋକସଭା ଓ ବିଧାନସଭା ଆସନ ତାଙ୍କ ଦଳ ଏକାକୀ ଲଢ଼ିବ। ତେବେ ବିବୃତିର ଆରମ୍ଭ ଧାଡିଟି କିନ୍ତୁ ମେଣ୍ଟ ଚର୍ଚ୍ଚାକୁ ଦ୍ୱନ୍ଦ୍ୱ ଭିତରେ ରଖିଥିଲା।

ବିବୃତ୍ତିର ପ୍ରଥମରେ ଥିଲା, ଗତ ୧୦ ବର୍ଷ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ରାଷ୍ଟ୍ରର ମହତ ପାଇଁ କେନ୍ଦ୍ରରେ ଥିବା ନରେନ୍ଦ୍ର ମୋଦି ସରକାରଙ୍କୁ ଅନେକ ପ୍ରସଙ୍ଗରେ ସମର୍ଥନ ଦେଇଆସୁଛି। ଏଥିପାଇଁ ରାଜ୍ୟ ବିଜେପି ନବୀନଙ୍କ ନେତୃତ୍ୱାଧୀନ ବିଜେଡିକୁ ଧନ୍ୟବାଦ ଜଣାଇଛି। ୨୦୨୪ ନିର୍ବାଚନ ଓଡ଼ିଆ ଅସ୍ମିତାକୁ ନେଇ ବିଜେପି ୨୧ଟି ଲୋକସଭା ଓ ୧୪୭ଟି ବିଧାନସଭା ଆସନ ଏକାକୀ ଲଢ଼ିବ।

ଏସବୁ ବିଷୟରୁ ଅନ୍ତତଃ ଏତିକି ସ୍ପଷ୍ଟ ଜଣାପଡୁଛି ଯେ ଚଳିତ ନିର୍ବାଚନ ଦୁଇ ଦଳ ମଧ୍ୟରେ ଲଢେଇ ତ ନିଶ୍ଚୟ ହେବ, କିନ୍ତୁ ତା’ର ରୂପରେଖ କ’ଣ ହେବ, ତାକୁ ନେଇ ପ୍ରଶ୍ନ ଉଠୁଛି। କାରଣ କେନ୍ଦ୍ରରେ ଥିବା ବିଜେପି ଏବଂ ରାଜ୍ୟ ବିଜେଡି ମଧ୍ୟରେ ଥିବା ‘ସମ୍ପର୍କ' କାହାକୁ ଅଛପା ନାହିଁ। 

 ଇମେଲ୍: [email protected] 

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

BJD Congress Odisha BJP Odisha Politics
Advertisment
Advertisment