ତପସ୍ୱୀ ବୃହଦେଶ୍ୱରଙ୍କ ଠାରୁ ଯୁଧିଷ୍ଠିର ନଳ ଓ ଦମୟନ୍ତୀଙ୍କ କାହାଣୀ ମନ ଦେଇ ଶୁଣିଲେ । ବୃହଦେଶ୍ୱର କହିଲେ ହେ ରାଜା ପୁରୁଷାର୍ଥ ସ୍ଥାୟୀ ନୁହେଁ । ତେଣୁ ସେ ପାଇଁ ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ । ସୁଖ ସମୟରେ ଅଧିକ ଆନନ୍ଦିତ ହେବାର କିଛି ନାହିଁ । ସେମିତି ଅଦୃଷ୍ଟର ବିଷମତା ପାଇଁ ପୁରୁଷାକାର ବ୍ୟର୍ଥ ହେଲେ ସତ୍ତ୍ୱ ଗୁଣର ଲୋକଙ୍କର କଦାପି ଆତ୍ମାକୁ ବିଷର୍ଣ୍ଣ କରିବା ବି ଉଚିତ ନୁହେଁ । ମୁଁ ତୁମକୁ ନଳ ରାଜାଙ୍କ କାହାଣୀ ସେଇଥିପାଇଁ କହିଲି । ଧର୍ମଶ୍ଲୋକ ନଳଙ୍କ ନାମକୁ ବାର ବାର ସ୍ମରଣ କଲେ ତୁମର ଅନେକ କ୍ଲେଶ ଦୂର ହେଇଯିବ । ହେ ଧର୍ମରାଜ ତୁମ ମନ ଯଦି କେବେ ଭୟାତୁର ହୁଏ ତେବେ ମୋତେ ସ୍ମରଣ କରିବ । ମୁଁ ଅକ୍ଷଜ୍ଞ । ଅକ୍ଷ ବିଦ୍ୟାକୁ ସାଧନ କରିଛି । ତୁମକୁ ସେଇ ଦ୍ୟୁତ କ୍ରୀଡା ଶିକ୍ଷା ଦେବି ।
ଯୁଧିଷ୍ଠିର କହିଲେ, ହେ ମହାତ୍ମା ! ମୋର ମଧ୍ୟ ଅଯୋଧ୍ୟା ରାଜାଙ୍କ ପାଖରୁ ନଳରାଜା ଦ୍ୟୁତ କ୍ରୀଡାର ବିଦ୍ୟା ହାସଲ କଲାପରି ଆପଣଙ୍କ ପାଖରୁ ସେଇ ବିଦ୍ୟା ଶିକ୍ଷା କରିବାକୁ ଇଚ୍ଛା । ଯୁଧିଷ୍ଠିରଙ୍କ ଅନୁରୋଧ ଶୁଣି ତପସ୍ୱୀ ବୃହଦେଶ୍ୱର ତାଙ୍କୁ ପଶା ଖେଳ ଶିଖାଇଲେ ପରେ ହୟଶିରା ତୀର୍ଥକୁ ଚାଲିଗଲେ ।
ପାଣ୍ଡବମାନେ ଅର୍ଜୁନଙ୍କ ଖବର ନପାଇ ଉଦବେଗରେ ଥାଆନ୍ତି । ଦିନେ ଦ୍ରୌପଦୀ ଆସି ଯୁଧିଷ୍ଠିରଙ୍କୁ କହିଲେ ଅର୍ଜୁନଙ୍କ ବିନା କିଛି ଭଲ ଲାଗୁନି । ମୁଁ ଯୁଆଡେ ଚାହୁଁଛି ସେ ଦିଗ ମୋତେ ଶୂନ୍ୟ ଦିଶୁଛି। ଉଦାସ ପଣରେ ମୋର ଦିନ ସରୁଛି, ରାତିରେ ନିଦ ହେଉନି । ଏମିତି କଥା ସବୁ କହି ଦ୍ରୌପଦୀ କାନ୍ଦିବାକୁ ଲାଗିଲେ। ଦ୍ରୌପଦୀଙ୍କ ଶୋକ ଦେଖି ଭୀମ, ନକୁଳ ଓ ସହଦେବ ମଧ୍ୟ ଅର୍ଜୁନଙ୍କ ବିନା ସେମାନଙ୍କୁବି କିଛି ଭଲ ଲାଗୁନି ବୋଲି କହିଲେ । ଦ୍ରୌପଦୀ ଓ ଅନ୍ୟ ଭାଇମାନଙ୍କର ମନର ଅବସ୍ଥା ଶୁଣି ଧର୍ମରାଜ ଯୁଧିଷ୍ଠିର ବ୍ୟସ୍ତ ହେଇପଡିଲେ ।
Also Read
ଠିକ ସେତିକିବେଳକୁ ବ୍ରହ୍ମର୍ଷୀ ନାରଦ ଆସି ସେଇଠି ପହଞ୍ଚିଲେ । ନାରଦ ମୁନିଙ୍କୁ ଯଥାରୀତି ସତ୍କାର କଲାପରେ ପାଣ୍ଡବମାନେ ତୀର୍ଥାଟନର ସୁଫଳ ବିଷୟରେ ଜାଣିବାକୁ ଚାହିଁଲେ । ନାରଦ ଏକଦା ଭୀଷ୍ମଙ୍କୁ ପୌଲସ୍ତ୍ୟ ଋଷି କହିଥିବା ବିଭିନ୍ନ ଧର୍ମସ୍ଥାନର ମହାତ୍ମା ବିଷୟରେ ବର୍ଣ୍ଣନା କଲେ । ନାରଦ ମୁନିଙ୍କ ପ୍ରସ୍ଥାନ ପରେ ପାଣ୍ଡବମାନଙ୍କ ପୁରୋହିତ ଧୈାମ୍ୟ ମଧ୍ୟ ତୀର୍ଥ ମାନଙ୍କର ମହାତ୍ମ୍ୟ ଓ ତୀର୍ଥ ଯାତ୍ରାର ସୁଫଳତା ବିଷୟରେ ଅବଗତ କରାଉଥାନ୍ତି । ସେତିକିବେଳେ ସେମାନଙ୍କ ପାଖରେ ଲୋମଶ ଋଷି ଆସି ପହଞ୍ଚିଲେ । ଲୋମଶ ଋଷି କହିଲେ ସେ ସ୍ୱର୍ଗ ସଭାରେ ଇନ୍ଦ୍ରଙ୍କ ପାଖରେ ଅର୍ଜୁନଙ୍କୁ ଦେଖିକି ଆସିଲେ । ଇନ୍ଦ୍ର ଯେଉଁ ଦିବ୍ୟ ଅସ୍ତ୍ର ପାଇବା ପାଇଁ ସ୍ୱର୍ଗ ଯାଇଥିଲେ, ସେଥିରେ ସଫଳ ହେଇଛନ୍ତି ।
ରୁଦ୍ରଙ୍କ ପାଖରୁ ବ୍ରହ୍ମଶିର ନାମକ ରୁଦ୍ରାସ୍ତ୍ର ସହ ଇନ୍ଦ୍ର, ଯମ, ବରୁଣ ଓ କୁବେରଙ୍କ ପାଖରୁ ଆହୁରି ଅନେକ ଦିବ୍ୟ ଅସ୍ତ୍ର ପ୍ରାପ୍ତ ହୋଇ ସାରିଛନ୍ତି । ସେ ସବୁ ଦିବ୍ୟ ଅସ୍ତ୍ରକୁ କେମିତି ବ୍ୟବହାର କରାଯିବ ତା'ର କଳା କୌଶଳ ମଧ୍ୟ ଶିକ୍ଷା କରିସାରିଛନ୍ତି । ଏବେ ସେ ଚିତ୍ରସେନ ଗନ୍ଧର୍ବଙ୍କ ପାଖରୁ ନୃତ୍ୟ, ଗୀତ ଓ ବାଦ୍ୟ ଆଦି ଗାନ୍ଧର୍ବ ବିଦ୍ୟା ସେଠାରେ ଶିକ୍ଷା କରୁଛନ୍ତି । ଅଳକାପୁରୀରେ ଆଉ ଅଳ୍ପ ଦିନ ରହି ସେ ତୁମମାନଙ୍କ ପାଖକୁ ପୁଣି ଫେରିଆସିବେ ।
ଲୋମଶ ଋଷିଙ୍କ ପାଖରୁ ଅର୍ଜୁନଙ୍କ ବାର୍ତ୍ତା ପାଇଲାପରେ ପାଣ୍ଡବ ଚାରି ଭାଇ ଓ ଦ୍ରୌପଦୀ ଆନନ୍ଦିତ ହେଲେ । ଯୁଧିଷ୍ଠିର ଲୋମଶ ଋଷିଙ୍କୁ କୃତଜ୍ଞତା ଜଣେଇ ତୀର୍ଥଯାତ୍ରାରେ ବାହାରିବା ପାଇଁ ପରାମର୍ଶ ଲୋଡିଲେ । ଋଷି କହିଲେ ଅର୍ଜୁନ ମଧ୍ୟ ତୁମ ମାନଙ୍କ ସାଙ୍ଗରେ କିଛି କାଳ ରହିବା ପାଇଁ ମୋତେ ଅନୁରୋଧ କରିଥିଲେ। ମୁଁ ଆଗରୁ ଦୁଇଥର ଭାରତ ବର୍ଷର ସମସ୍ତ ତୀର୍ଥ ସ୍ଥାନ ଭ୍ରମଣ କରିସାରିଛି । ଚାଲ ତୁମମାନଙ୍କ ସାଙ୍ଗରେ ଆଉଥରେ ତୀର୍ଥ ଯାତ୍ରାରେ ବାହାରିବି ।

ବନବାସରେ ଆସିବା ଦିନରୁ ଯୁଧିଷ୍ଠିରଙ୍କୁ ଅନୁସରଣ କରି ଅନେକ ବ୍ରାହ୍ମଣ ଜଙ୍ଗଲରେ ରହୁଥାନ୍ତି । ପାଣ୍ଡବମାନେ ବଡ କଷ୍ଟରେ ମୃଗୟା ଆଦି କରି ସେମାନଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରୁଥାନ୍ତି । ଏବେ ଏତେ ସଂଖ୍ୟକ ଲୋକଙ୍କୁ ଧରି ତୀର୍ଥରେ ବାହାରିବା ସମ୍ଭବ ନଥିଲା । ଯୁଧିଷ୍ଠିର ସେମାନଙ୍କ ପାଖକୁ ଆସି କହିଲେ ଏବେ ଆମେ ସବୁ ତୀର୍ଥଯାତ୍ରାରେ ବାହାରିବୁ । ସମସ୍ତେ ଏ କଷ୍ଟ ଉଠେଇ ପାରିବେନି । ତେଣୁ ଆପଣମାନେ ଧୃତରାଷ୍ଟ୍ରଙ୍କ ପାଖକୁ ଫେରିଯାଆନ୍ତୁ । ନହଲେ ପାଞ୍ଚାଳ ନରେଶ ଦ୍ରୁପଦଙ୍କ ପାଖକୁ ଯାଆନ୍ତୁ । ସେ ଆପଣମାନଙ୍କର ଉପଯୁକ୍ତ ବ୍ୟବସ୍ଥା କରି ଯତ୍ନ ନେବେ । ଯୁଧିଷ୍ଠିରଙ୍କ କଥା ଶୁଣି ଅଳ୍ପ ମାତ୍ର ବ୍ରାହ୍ମଣଙ୍କୁ ଛାଡି ଅନ୍ୟମାନେ ହସ୍ତିନା ଓ ପାଞ୍ଚାଳକୁ ଚାଲିଗଲେ।
ଲୋମଶ ଋଷିଙ୍କ ସାଙ୍ଗରେ ଅଳ୍ପ କେତେଜଣଙ୍କୁ ଧରି ଯୁଧିଷ୍ଠିର, ଭୀମ, ନକୁଳ, ସହଦେବ ଓ ଦ୍ରୌପଦୀ ତୀର୍ଥାଟନରେ ବାହାରିଗଲେ । ବାଟରେ ଲୋମଶ ଋଷି ବିଖ୍ୟାତ ଓ ପବିତ୍ର ତୀର୍ଥ ସ୍ଥାନର ମହାତ୍ମ୍ୟ ଏବଂ ସେ ସ୍ଥାନ ସହ ଯୋଡା କିମ୍ବଦନ୍ତୀ ଏବଂ ଆଖ୍ୟାନମାନ ଶୁଣେଇ ଚାଲିଥାନ୍ତି । ସମସ୍ତେ ସେଇ ତୀର୍ଥରେ ପବିତ୍ର ସ୍ନାନ କରୁଥାନ୍ତି ଓ କିଛି ଦିନ ବିଶ୍ରାମ କରି ଅନ୍ୟ ଏକ ତୀର୍ଥକୁ ପ୍ରସ୍ଥାନ କରୁଥାନ୍ତି ।
ଦିନେ ସମସ୍ତେ ଏକ ଆଶ୍ରମ ପାଖରେ ପହଞ୍ଚି ଦେଖିଲେ ଆଶ୍ରମ ଖାଲି ପଡିଛି । କେହି ବି ନଥାନ୍ତି । କୌତୁହଳରେ ଯୁଧିଷ୍ଠିର ଲୋମଶ ଋଷିଙ୍କୁ ଆଶ୍ରମ କାହିଁକି ଖାଲି ପଡିଛି ବୋଲି ପଚାରିଲେ। ଲୋମଶ କହିଲେ ଏ ଆଶ୍ରମ ହେଲା ଅଗସ୍ତ୍ୟ ଋଷିଙ୍କର । ସେ ଉତ୍ତର ଛାଡି ଦକ୍ଷିଣକୁ ଯାତ୍ରା କରିଛନ୍ତି । ସେଇଥିପାଇଁ ତାଙ୍କ ଆଶ୍ରମ ଖାଲି ପଡିଛି । ଲୋମଶ ଋଷି ତାପରେ ଅଗସ୍ତ୍ୟଙ୍କ ବିଷୟରେ କହିବାକୁ ଲାଗିଲେ ।
ଅଗସ୍ତ୍ୟ ଋଷି ତାଙ୍କ ଏକନିଷ୍ଠ ଜପ ତପ ଓ ଯଜ୍ଞ ପାଇଁ ପରିଚିତ ଥିଲେ । ଭ୍ରମଣ କରୁ କରୁ ଋଷି ଦିନେ ଗୋଟେ ସ୍ଥାନରେ ପହଞ୍ଚିଲେ । ସେଠି ଦେଖିଲେ ଗୋଟେ ଗାତ ଭିତରେ ତାଙ୍କ ପୂର୍ବପୁରୁଷମାନେ ତଳକୁ ମୁଣ୍ଡ କରି ଝୁଲି ରହିଛନ୍ତି । ତା'ର କାରଣ ପଚାରିବାରୁ ସେମାନେ କହିଲେ ସେମାନଙ୍କର କେହି ବଂଶଧର ନଥିବାରୁ ସେମାନଙ୍କର ଏ ଅବସ୍ଥା । ପ୍ରତିକାରର ଉପାୟରେ ସେମାନେ ଅଗସ୍ତ୍ୟ ଋଷିଙ୍କୁ କହିଲେ ସେ ବିବାହ କରନ୍ତୁ ଓ ପୁଅଟିଏ ଜନ୍ମ କରି ପରବର୍ତ୍ତୀ ବଂଶଲତାକୁ ଆଗକୁ ନିଅନ୍ତୁ । ତେବେ ଯାଇଁ ତାଙ୍କ ପୂର୍ବପୁରୁଷ ନର୍କରୁ ଉଦ୍ଧାର ପାଇବେ । ଅଗସ୍ତ୍ୟ ଋଷି ରାଜି ହେଲେ, କିନ୍ତୁ ତାଙ୍କର ସମସ୍ୟା ହେଲା ସେ ବିବାହ କରିବାକୁ ସର୍ବଗୁଣ ସମ୍ପର୍ଣ୍ଣା କନ୍ୟାଟିଏ କୋଉଠୁ ପାଇବେ?
ବିଦର୍ଭ ଦେଶର ରାଜାଙ୍କର କୌଣସି ସନ୍ତାନ ସନ୍ତତି ନଥିଲା । ପୁଅଟିଏ ପାଇବାକୁ ସେ ତପସ୍ୟା କରୁଥାନ୍ତି । ଅଗସ୍ତ୍ୟ ଋଷି ରାଜାଙ୍କୁ ଆଶୀର୍ବାଦ କଲେ ଓ କହିଲେ ହେ ରାଜା ଖୁବ ଶିଘ୍ର ତୁମର ଝିଅଟିଏ ଜନ୍ମ ହେବ । କିନ୍ତୁ ସର୍ତ୍ତ ହେଲା ସେ ଝିଅ ଯେତବେଳେ ବିବାହ ଯୋଗ୍ୟା ହେବ ସେବେ ତାକୁ ତୁମେ ମୋତେ ଅର୍ପଣ କରିବ । ଆଶୀର୍ବାଦ କରି ଅଗସ୍ତ୍ୟ ତାଙ୍କ ରାସ୍ତାରେ ଚାଲିଗଲେ ଓ ଠିକଣା ସମୟରେ ବିଦର୍ଭର ରାଣୀ ଝିଅଟିଏ ଜନ୍ମ ଦେଲେ । ଝିଅର ନାମ ଦିଆଗଲା ଲୋପାମୁଦ୍ରା । ଲୋପାମୁଦ୍ରା ଧିରେ ଧିରେ ବଡ ହେଲେ । ଅନ୍ୟ ଦେଶର ରାଜା ଓ ରାଜକୁମାରମାନେ ସୁନ୍ଦରୀ ଲୋପାମୁଦ୍ରାଙ୍କୁ ବିବାହ କରିବାକୁ ପ୍ରସ୍ଥାବ ସବୁ ପଠାଇଲେ । ରାଜା କିନ୍ତୁ ଆଗରୁ ଅଗସ୍ତ୍ୟ ଋଷିଙ୍କୁ କଥା ଦେଇ ସାରିଛନ୍ତି । ଅନ୍ୟଥା ହେଲେ ଋଷି ପୁଣି କୋପ କରିବେ ।
ଦିନେ ଅଗସ୍ତ୍ୟ ଋଷି ଆସି ରାଜାଙ୍କ ପାଖରେ ପହଞ୍ଚିଲେ । ଋଷିଙ୍କୁ ଦେଖି ରାଜା ଓ ରାଣୀ ବଡ ଚିନ୍ତାରେ ପଡିଗଲେ । ଅଲିଅଳରେ ରାଜପ୍ରାସାଦରେ ବଢିଥିବା ସେମାନଙ୍କ ଏକମାତ୍ର ସୁକୁମାରୀ କନ୍ୟାକୁ ବଣ ଜଙ୍ଗଲରେ ବୁଲୁଥିବା ଜଣେ ବୟସ୍କ ସନ୍ୟାସୀ ହାତରେ ସହଜରେ କେମିତି ଟେକିଦେବେ? ବାପା ମାଆଙ୍କ ଦ୍ୱିଧା ଦେଖି ଲୋପାମୁଦ୍ରା କିନ୍ତୁ କହିଲେ ତାଙ୍କର ଅଗସ୍ତ୍ୟ ଋଷିଙ୍କୁ ବର ଭାବରେ ବରଣ କରିବାରେ କିଛି ଅସୁବିଧା ନାହିଁ ।
ଲୋପାମୁଦ୍ରା ଓ ଅଗସ୍ତ୍ୟ ଋଷିଙ୍କର ବିବାହ ହେଲା ଓ ଦୁହେଁ ବିଦାୟ ନେଇ ଚାଲିଗଲେ । ବିଦାୟ ବେଳାକୁ ରାଜକୁମାରୀ ଲୋପାମୁଦ୍ରା ପିନ୍ଧିଥିବା ରାଜକୀୟ ମୂଲ୍ୟବାନ ବେଶ ପୋଷାକ ଓ ଅଳଙ୍କାର ଖୋଲିଦେଇ ମୃଗ ଚମଡା ଓ ଗଛ ବକଳ କେବଳ ପିନ୍ଧିଲେ । ଅଗସ୍ତ୍ୟ ଗଙ୍ଗା ନଦୀ କୂଳରେ ଆଶ୍ରମ ଗଢିଥାନ୍ତି । ଲୋପାମୁଦ୍ରା ସେଇଠି ରହି ସ୍ୱାମୀଙ୍କ ଯଜ୍ଞ, ଜପ ଓ ତପରେ ସହଯୋଗ କଲେ। ପାଖରେ ରହି ତାଙ୍କର ନିଷ୍ଠା ପୂର୍ଣ୍ଣ ସେବା ସହ ସଂଯମତା, କଷ୍ଟସହିଷ୍ଣୁତା ଓ ପତିବ୍ରତା ଗୁଣ ଦେଖି ଅଗସ୍ତ୍ୟ ଋଷି ଲୋପାମୁଦ୍ରାଙ୍କ ପ୍ରତି ପ୍ରୀତ ଥାଆନ୍ତି । ଋଷି ପ୍ରବରଙ୍କ ନିଷ୍ଠାପୂର୍ଣ୍ଣ ସାଧନା ଓ ତାଙ୍କ ପ୍ରତି ଶ୍ରଦ୍ଧା ଦେଖି ଲୋପମୁଦ୍ରା ବି ଋଷିଙ୍କ ପ୍ରତି ଆକର୍ଷଣ ଅନୁଭବ କରୁଥାନ୍ତି ।
ଦିନେ ଋଷି ଲୋପାମୁଦ୍ରାଙ୍କୁ ମିଳନ ପାଇଁ ଆମନ୍ତ୍ରଣ କଲେ । କିନ୍ତୁ ଲୋପାମଦ୍ରା କହିଲେ, ହେ ସ୍ୱାମୀ! ମୁଁ ପିଲା ଦିନରୁ ରାଜ ଉଆସରେ ବଢିଆସିଛି । ସବୁବେଳେ ରାଜକୀୟ ପୋଷାକ ଓ ଅଳଙ୍କାର ବ୍ୟବହାର କରୁଥିଲି । ତୁଳି ତଳ୍ପ ଶେଯରେ ଶୋଉଥିଲି । ଏବେ ଆମ ପ୍ରଥମ ମିଳନ ବେଳକୁ ମୁଁ ସେଇ ସବୁ ଦ୍ରବ୍ୟ ଓ ପରିବେଶ କାମନା କରୁଛି । ଆପଣ ମଧ୍ୟ ସୁନ୍ଦର ବସ୍ତ୍ର ଓ ଅଳଙ୍କାର ପରିଧାନ କରନ୍ତୁ । ତେବେ ଯାଇଁ ଆମର ପ୍ରଥମ ମିଳନ ସୁନ୍ଦର ଓ ଉପଭୋଗ୍ୟ ହେବ । ମୁଁ ଏମିତି ଗଛ ବକଳ ଓ ମୃଗ ଚମଡା ପିନ୍ଧି ଆପଣଙ୍କ ପାଖକୁ ଆସିପାରିବିନି।
ଅଗସ୍ତ୍ୟ କହିଲେ ମୁଁ ତ ଜଣେ ସନ୍ୟାସୀ । ତମ ବରାଦ ମୁତାବକ ଜିନିଷ ଯୋଗାଡ କରିବାକୁ ଅର୍ଥର ଆବଶ୍ୟକତା ଅଛି । ଏ ଧନ ଦରବ ମୁଁ ଆଣିବି କୋଉଠୁ? ମୁଁ ମୋ ତପ ଶକ୍ତି ବ୍ୟବହାର କରି ଅର୍ଥ ବ୍ୟବସ୍ଥା କରିବା ଉଚିତ ହେବନି । ଲୋପାମୁଦ୍ରା କହିଲେ, ତେବେ ଆପଣ କୌଣସି ରାଜାଙ୍କୁ କୁହନ୍ତୁ ସେ ଅର୍ଥ ବ୍ୟବସ୍ଥା କରିଦେବେ । ଜଣେ ତପସ୍ୱୀଙ୍କ ଅନୁରୋଧ କୌଣସି ରାଜା ଏଡାଇ ଯିବେନି । କଥାଟା ଅଗସ୍ତ୍ୟଙ୍କୁ ଠିକ ଲାଗିଲା ।
ତାପରେ ଅଗସ୍ତ୍ୟ ଋଷି ତାଙ୍କ ନବ ବିବାହିତା ପତ୍ନୀଙ୍କର ଇଚ୍ଛା ପୁରଣ କରିବାକୁ ଅର୍ଥ ଯୋଗାଡ କରିବା ପାଇଁ ତାଙ୍କ ଆଶ୍ରମରୁ ବାହାରିଲେ ।