Ipsita Pradhan

ଗୋଟିଏ ସୁସ୍ଥ ଜୀବନ ଓ ଶରୀର ପାଇଁ ବ୍ୟାୟାମ, ନିଦ୍ରା, ଉନ୍ନତ ଚିକିତ୍ସା ବ୍ୟବସ୍ଥା ସହିତ ଖାଦ୍ୟ ବା ଆହାରର ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ। ଆଉ ଏଇ କଥା ସମସ୍ତଙ୍କୁ ଜଣା ମଧ୍ୟ। ହେଲେ ଏଠି ଖାଦ୍ୟର ମାନେ ହେଉଛି ସନ୍ତୁଳିତ ଆହାର। ମାନେ ଏମିତି ଗୋଟିଏ ଖାଦ୍ୟ ଥାଳି ବା ଯେଉଁଥିରେ ସମସ୍ତ ପ୍ରକାରର ଖାଦ୍ୟସାର ଓ ପୋଷକତତ୍ତ୍ୱ ଠିକ ପରିମାଣରେ ଥିବ।

ନିଜେ ଖାଉଥିବା ଖାଦ୍ୟ, ସେଥିରେ ଥିବା ପୋଷକ ତତ୍ତ୍ୱ ବିଷୟରେ ଜ୍ଞାନ ଓ ତା’ର ଗୁଣବତ୍ତା ବିଷୟରେ ଜାଣି ଏହାକୁ ଅନୁସରଣ କରିବାରେ କିଛି ଅସୁବିଧା ନଥାଏ। ହେଲେ ଯଦି ଏହା ମାତ୍ରାଧିକ ହୋଇ ଆମର ଖାଦ୍ୟ ପଦାର୍ଥର ତାଲିକାକୁ ଛୋଟ କରିଦିଏ କିମ୍ବା ଆମର ଖାଇବା ପ୍ରଣାଳୀକୁ ପ୍ରଭାବିତ କରି ମାନସିକ ସ୍ତରରେ ଆମକୁ ପ୍ରଭାବିତ କରେ ତା'ହେଲେ ଏହା ସାଧାରଣ ନ ହୋଇ ଏକ ପ୍ରକାର ମାନସିକ ରୋଗ ହୋଇଯାଏ, ଯାହାକୁ ଅର୍ଥୋରେକ୍ସିଆ (orthorexia) କୁହାଯାଏ।

କୌଣସି ବହି କିମ୍ବା ତଥ୍ୟ ଖୋଜିଲେ ଅର୍ଥୋରେକ୍ସିଆର ଠିକ ଓ ବିଶଦ ବିବରଣୀ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ନାହିଁ। ଏହାକୁ ମଧ୍ୟ ଆନୋରେକ୍ସିଆ ନର୍ଭସା ଓ ଅବ୍ସେସିଭ୍ କମ୍ପଲସନ୍ ପରି କିଛି ଖାଦ୍ୟ ଖାଇବା ପ୍ରଣାଳୀର ବ୍ୟାଧିର ଶ୍ରେଣୀଭୁକ୍ତ କରାଯାଏ। ବିଶ୍ୱବ୍ୟାପି ଏବେ ବି ଅର୍ଥୋରେକ୍ସିଆକୁ ନେଇ ଷ୍ଟାଟିଷ୍ଟିକ୍ସ ଓ ଡାଟାର ଅଭାବ ରହିଛି। ୧୯୯୮ ମସିହାରେ ପ୍ରଥମ ଥର ପାଇଁ ଅର୍ଥୋରେକ୍ସିଆ ଶବ୍ଦର ପ୍ରଚଳନ ଆରମ୍ଭ ହୋଇଥିଲା।

ଯେମିତିକି ପ୍ରଥମରୁ କୁହାଯାଇଛି ଯେ ନିଜ ଖାଦ୍ୟ, ସେଥିରେ ଥିବା ପୋଷାକତତ୍ତ୍ୱ, ଗୁଣ, ଉତ୍ପାଦନ ପ୍ରଣାଳୀ ବିଷୟରେ ଜାଣିବା କୌଣସି ପ୍ରକାର ଭୁଲ କିମ୍ବା ଅସ୍ଵାଭାବିକ ନୁହେଁ। କିନ୍ତୁ ଅର୍ଥୋରେକ୍ସିଆରେ ପୀଡିତ ବ୍ୟକ୍ତି ପୌଷ୍ଟିକ ଆହାର ପ୍ରତି ଏତେ ଆସକ୍ତ ହୋଇଯାଆନ୍ତି ଯେ ଏହା ମାନସିକ ଅବସାଦ ବା compulsive disorderର ରୂପ ନିଏ। ପୌଷ୍ଟିକ ଆହାର ପ୍ରତି ଏହି ଅତ୍ୟଧିକ ଆସକ୍ତି ସେମାନଙ୍କୁ ସନ୍ତୁଳିତ ଆହାରରୁ ବଞ୍ଚିତ କରେ ଓ ସେମାନେ ପ୍ରକୃତରେ ନିଜ ସ୍ୱାସ୍ଥ୍ୟ ପ୍ରତି ବିପଦ ଡାକି ଆଣନ୍ତି।

ଅର୍ଥୋରେକ୍ସିଆର ଲକ୍ଷଣ:

  • ଖାଦ୍ୟ ସାମଗ୍ରୀ ଓ ପ୍ୟାକ୍‌ଗୁଡିକର ଇନ୍‌ଗ୍ରେଡିଏଣ୍ଟ ଓ ନ୍ୟୁଟ୍ରିସନ୍ ଲେବଲ୍ (କ'ଣ ମାସଗ୍ରୀ ବ୍ୟବହାର କରାଯାଇଛି, କେଉଁ ଖାଦ୍ୟସାର କେତେ ମାତ୍ରାରେ ଅଛି)କୁ ବାରମ୍ବାର ଓ ବାଧ୍ୟତାମୂଳକ ଭାବେ ଜାଞ୍ଚ୍‌ କରିବା।
  • ବ୍ୟବହାର କରୁଥିବା ଖାଦ୍ୟ ସାମଗ୍ରୀର ସ୍ୱାସ୍ଥ୍ୟ ହିତକାରୀ, ଖାଦ୍ୟସାର ଓ ପୋଷକ ତତ୍ତ୍ୱ ଉପରେ ବାରମ୍ବାର ପଚରାଉଚରା କରିବା, ପଢିବା ଓ ନୂତନ ତଥ୍ୟ ଉପରେ ନଜର ରଖିବା।
  • ଧୀରେଧୀରେ ନିଜ ଖାଦ୍ୟ ଗ୍ରହଣର ତାଲିକାକୁ ଛୋଟ କରିଚାଲିବା ଓ ଅନେକ ଖାଦ୍ୟ ପଦାର୍ଥକୁ ବାଦ ଦେବା (ଯେମିତିକି ଚିନି, ସମସ୍ତ ପ୍ରକାରର ଶର୍କରା, ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟ, ସବୁ ପ୍ରକାରର ପଶୁଜାତ ଦ୍ରବ୍ୟ ବର୍ଜନ କରିବା)।
  • ସେମାନଙ୍କ ରିସର୍ଚ୍ଚ ଓ ମନ ମୁତାବକ ଏକ ନିର୍ଦ୍ଦିଷ୍ଟ ଶ୍ରେଣୀର ସ୍ୱାସ୍ଥ୍ୟପ୍ରଦ ଓ ପୌଷ୍ଟିକ ଖାଦ୍ୟ ହିଁ ଗ୍ରହଣ କରୁଥିବା ହେତୁ, ସେମାନଙ୍କ ଖାଦ୍ୟ ତାଲିକା ଅତି ସ°କୀର୍ଣ୍ଣ ହୋଇଯାଏ।
  • ଅନ୍ୟମାନଙ୍କ ଖାଦ୍ୟ ତାଲିକା ପ୍ରତି ଅହେତୁକ ଜିଜ୍ଞାସା।
  • ଆସନ୍ତା ଖାଦ୍ୟରେ କ'ଣ ସ୍ୱାସ୍ଥ୍ୟପ୍ରଦ ଓ ପୌଷ୍ଟିକ ଖାଦ୍ୟ ଗ୍ରହଣ କରିବେ, ସେଇ ବିଷୟରେ ଘଣ୍ଟାଘଣ୍ଟା ଧରି ଭାବିବା।
  • ସ୍ୱାସ୍ଥ୍ୟପ୍ରଦ ଓ ପୌଷ୍ଟିକ ଖାଦ୍ୟ ଖାଇବା ପାଇଁ ନ ମିଳିଲେ ଅତ୍ୟଧିକ ବ୍ୟତିବ୍ୟସ୍ତ ଓ ବିବ୍ରତ ହୋଇପଡିବା, ଅବସାଦଗ୍ରସ୍ତ ହେବା।
  • ବାଧ୍ୟତାମୂଳକଭାବେ ପତ୍ରିକା, ଇଣ୍ଟର୍‌ନେଟ୍‌, ଟ୍ୱିଟର, ଇନଷ୍ଟାଗ୍ରାମରେ ସ୍ୱାସ୍ଥ୍ୟ ଓ ସୁସ୍ଥ ଖାଦ୍ୟ ସମ୍ପର୍କିତ ଲେଖା ଓ ପୋଷ୍ଟ୍‌କୁ ପଢିବା ଓ ଅନୁସରଣ କରିବାକୁ ଚେଷ୍ଟା କରିବା।

ଅର୍ଥୋରେକ୍ସିଆର କୁପ୍ରଭାବ:

  • ଶରୀରରେ ଅନେକ ଖାଦ୍ୟସାର, ମିନେରାଲ୍ସର ଅଭାବ ଦେଖାଯାଏ।
  • କେଶ ଝଡିବା, ନଖ ଭଙ୍ଗୁର ହେବା, ଚର୍ମ ନିସ୍ତେଜ ଦେଖାଯିବା, ଗୋଡହାତ ଝିମ୍‌ଝିମ୍‌ ଲାଗିବା, ହାଲିଆ ଲାଗିବା ପରି ସମସ୍ୟା ଦେଖାଯାଏ।
  • ଚିଡା ଲାଗିବା, ଅତ୍ୟଧିକ ଉଦ୍‌ବିଘ୍ନ ହେବା ଓ ମାନସିକ ଅବସାଦ ମଧ୍ୟ ଦେଖାଯାଏ।
  • ରକ୍ତହୀନତା।
  • ଆମ ଶରୀରର ଅନେକ ହର୍‌ମୋନ୍‌ ଠିକ ଭାବରେ କାମ କରିବା ପାଇଁ ଫ୍ୟାଟ୍ ଓ କୋଲେଷ୍ଟ୍ରଲ୍‌ (ସ୍ନେହସାର) ଆବଶ୍ୟକ କରିଥାନ୍ତି, ଯେମିତିକି ଇଷ୍ଟ୍ରୋଜେନ୍‌ ଓ ଟେଷ୍ଟୋଷ୍ଟେରନ୍‌ ପରି ସେକ୍ସ-ହରମୋନ୍‌ ଓ ଥାଇରଏଡ୍‌ ହର୍‌ମୋନ୍‌। ତେଣୁ ଖାଦ୍ୟ ତାଲିକାରୁ ଫ୍ୟାଟ୍‌କୁ ସମ୍ପୂର୍ଣ୍ଣ ବାଦଦେଲେ ଏଇ ସବୁ ହର୍‌ମୋନ୍‌ର ଅସନ୍ତୁଳନ ଦେଖାଯାଏ।

ଅର୍ଥୋରେକ୍ସିଆର ଚିକିତ୍ସା:

ଏପର୍ଯ୍ୟନ୍ତ ଅର୍ଥୋରେକ୍ସିଆକୁ ଦୂର କରିବା ପାଇଁ କୌଣସି ଔଷଧର ଆବିଷ୍କାର ବା ନିର୍ମାଣ ହୋଇନାହିଁ। ଅତ୍ୟଧିକ ଅବ୍‌ସେସନ୍ କ୍ଷେତ୍ରରେ ମାନସିକ ରୋଗ ବିଶେଷଜ୍ଞଙ୍କ ସାହାଯ୍ୟ ଦରକାର ପଡିଥାଏ। କାଉନ୍‌ସେଲି° ମାଧ୍ୟମରେ ରୋଗୀର ପୁଷ୍ଟିକର ଖାଦ୍ୟକୁ ନେଇଥିବା ଧାରଣା ଓ ଅବ୍‌ସେସନ୍‌କୁ ସୁଧାରିବାକୁ ଚେଷ୍ଟା କରାଯାଏ। ଧୀରେଧୀରେ ଖାଦ୍ୟ ତାଲିକାରେ ନୂଆନୂଆ ଖାଦ୍ୟ ସାମଗ୍ରୀକୁ ଯୋଡ଼ାଯାଏ।

ଲେଖାଟି ଆରମ୍ଭ କରିବା ପୂର୍ବରୁ ମୁଁ ଜଣେ ବନ୍ଧୁଙ୍କୁ ପଚାରିଥିଲି ଓ ତାଙ୍କ ସାହାଯ୍ୟରେ ଜାଣିବାକୁ ପାଇଲି ଯେ ଯଦି ଆମେ Google Search Engine ରେ "Healthy Food" ଖୋଜିବା ତାହାଲେ ୦.୪୯ ସେକେଣ୍ଡ୍‌ ମଧ୍ୟରେ ମୋଟ ୧୦,୯୬,୦୦,୦୦,୦୦୦ ଟି ସର୍ଚ ରେଜଲ୍ଟ ବା ତଥ୍ୟ ମିଳୁଛି। ଏଇଥିରୁ ଆମେ ଅନୁମାନ ଲଗାଇ ପାରିବା ଯେ ସୁସ୍ଥ ଓ ପୌଷ୍ଟିକ ଖାଦ୍ୟ ପାଇଁ ଆଜି ଆମ ବିଶ୍ୱରେ ଲୋକଙ୍କ ମଧ୍ୟରେ କେତେ ଅବ୍‌ସେସନ୍ ଅଛି!

ତେବେ ଏହା ବି ଭାବିବା ଦରକାର ଯେ, ଏମିତି ପରିସ୍ଥିତିରେ ତ ସମସ୍ତେ ସୁସ୍ଥ ହୋଇଯିବା କଥା, କିନ୍ତୁ ହେଉନି କାହିଁକି? ଗୋଟିଏ ମଣିଷ ସମାଜର ଖାଦ୍ୟ ତାଲିକା ଓ ପ୍ରଣାଳୀ ତା'ର ଭୌଗୋଳିକ ସ୍ଥିତି, ସ୍ଥାନୀୟ ଶସ୍ୟ, ଗଛ-ଲତା-ଫଳ ଓ ଶହଶହ ବର୍ଷର ଅନୁଭୂତି ଉପରେ ନିର୍ଭର କରେ। ତେଣୁ ଖାଲି ଇଣ୍ଟର୍‌ନେଟ୍‌ରେ ଦେଖି, ଅଧା ଜ୍ଞାନ ଧରି ଅଯଥା ପରିବର୍ତ୍ତନ ଓ ଅଯଥା ଚିନ୍ତା ଅସ୍ୱାସ୍ଥ୍ୟକର।

Other Stories