ମୁଢ଼ିକୁ ମିଳୁ ସମ୍ମାନ । ପାଳନ ହେଉ ମୁଢ଼ି଼ ଦିବସ । ଉତ୍ତର ଓଡ଼ିଶାର ଘରେ ଘରେ ପରିଚିତ ଖାଦ୍ୟ ମୁଢ଼ି଼ର ପ୍ରଚାର ଓ ପ୍ରଚାର ପାଇଁ ଆରମ୍ଭ ହୋଇଛି ଉଦ୍ୟମ । ମାର୍ଚ୍ଚ ୨୯କୁ ମୁଢ଼ି଼ ଦିବସ ଭାବରେ ପାଳନ କରି ମଜା ଉଠାଇଛନ୍ତି ବାଲେଶ୍ୱର ବାସିନ୍ଦା ।
ମୁଢ଼ି଼ କେବଳ ବାଲେଶ୍ୱର ନୁହେଁ, ସାରା ଓଡ଼ିଶାରେ ଘରେ ଘରେ ପରିଚିତ । ବାଲେଶ୍ୱର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ମୁଢ଼ି ଲୋକଙ୍କର ଅତି ପ୍ରିୟ । ଘରଠାରୁ ଆରମ୍ଭ କରି ଦୋକାନ ବଜାର ସବୁଠାରେ ସହଜରେ ମିଳେ ମୁଢ଼ି଼ । ଏଠାକାର ଲୋକଙ୍କ ସକାଳ ଟିଫିନରୁ ଆରମ୍ଭ କରି ରାତ୍ରି ଭୋଜନ ପର୍ଯ୍ୟନ୍ତ ମୁଢ଼ି଼ ଅଧିକାଂଶ ସମୟରେ ସାମିଲ ହୋଇଥାଏ । ତେବେ ଏହି ମୁଢ଼ିର ପ୍ରଚାର ପ୍ରସାର ସହିତ GI ଟ୍ୟାଗର ମାନ୍ୟତା ପାଇଁ ଅଣ୍ଟା ଭିଡିଛି ବାଲେଶ୍ଵରର ଏକ ସ୍ୱେଚ୍ଛାସେବୀ ସଂଗଠନ ।
ଆଜି ମାର୍ଚ୍ଚ ୨୯ ତାରିଖକୁ ମୁଢ଼ି଼ ଦିବସ ରୂପେ ପାଳନ କରିବା ସହିତ ଷ୍ଟେସନ କ୍ଳବରେ ସ୍ୱତନ୍ତ୍ର ଭାବରେ ମୁଢ଼ି଼ ଦିବସ ପାଳନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଯେଉଁଥିରେ ସହରର ଅନେକ ବୁଦ୍ଧିଜୀବୀ , ବରିଷ୍ଠ ନାଗରିକଙ୍କ ସମେତ ଛୋଟ ପିଲା, ଯୁବକ ମାନେ ଏକତ୍ରିତ ହୋଇ ମୁଢ଼ି଼ ଖାଇ ଏହି ଦିବସ ପାଳନ କରିଥିଲେ । ମୁଢ଼ି଼ ସହିତ ପାରମ୍ପରିକ ଖାଦ୍ୟ ଭାବରେ ମଟର ତରକାରୀ , ଆଳୁ ଚପ, ପିଆଜ, କାକୁଡ଼ି ଆଦି ଲଗାଇ ଖାଇଥିଲେ ଲୋକେ। ମୁଢ଼ି଼ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ନୁହେଁ । ଏହା ଆର୍ଥିକ ଦୃଷ୍ଟିରୁ ସମସ୍ତଙ୍କୁ ସୁହାଇବା ଭଳି ଖାଦ୍ୟ ହୋଇଥିବାରୁ ଏହାକୁ ସମସ୍ତେ ଖାଇପାରିବେ ବୋଲି ଉପସ୍ଥିତ ସଦସ୍ୟ ମାନେ କହିଥିଲେ । ସେହିପରି ମୁଢ଼ିର ପ୍ରଚାର ପ୍ରସାର ଅଧିକ କରିବା ପାଇଁ ସଂଗଠନ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିବା ସହିତ ଜିଆଇ ଟ୍ୟାଗ ପାଇଁ ଉଦ୍ୟମ କରିବ ବୋଲି ସଂଗଠନର ସଭାପତି ବିଜୟ ପାଣିଗ୍ରାହୀ କହିଛନ୍ତି ।
ତେବେ ମୁଢ଼ି କେବଳ କଳିଯୁଗ ନୁହେଁ ଦ୍ୱାପର ଯୁଗରେ ମଧ୍ୟ ଲୋକ ଖାଉଥିଲେ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି । ଆଜି ଅମାବାସ୍ୟା ତିଥିରେ କୃଷ ମହାପ୍ରଭୁଙ୍କ ପାଇଁ ସୁଦାମା ଖୁଦ ଭଜା ଧରି ବାହାରିଥିଲେ । ଏଣୁ ସେତେବେଳର ଖୁଦ ଭଜା ଏବେ ଟିକିଏ ପରିବର୍ତ୍ତନ କରି ମୁଢି ଭାବରେ ଲୋକେ ବ୍ୟବହାର କରୁଛନ୍ତି । ସେହିପରି ଉତ୍ତର ଓ ଦକ୍ଷିଣ ଭାରତରେ ଅନେକ ପୂଜାସ୍ଥଳୀ ରେ ମଧ୍ୟ ମୁଢ଼ି଼ ଭୋଗ ଲାଗୁଛି। ଏଣୁ ମୁଢ଼ି ଦିବସ ଭାବରେ ଆଜିର ଦିନକୁ ପାଳନ ପାଇଁ ସଂସ୍କୃତି ଗବେଷକ ପଣ୍ଡିତ ନିରଞ୍ଜନ ଦାସ କହିଛନ୍ତି । ଏହି ଦିବସ ପାଳନକୁ ସରକାର ମଧ୍ୟ ସହଯୋଗ କରିବା ଆବଶ୍ୟକ ବୋଲି ସେ କହିଛନ୍ତି।