• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Ramakanta Samantaray

ଚିତ୍ରଶିଳ୍ପୀ ଚିତ୍ର ଆଙ୍କେ। କେବେ ବରାଦରେ ଆଙ୍କେ ତ କେବେ ତା’ ଇଚ୍ଛାରେ ଆଙ୍କେ। ଆଗରୁ ରଜା ମହାରାଜା ଓ ଧନୀ ଲୋକମାନେ ଚିତ୍ରଶିଳ୍ପୀକୁ ବରାଦ ଦେଇ ଚିତ୍ର କରାଉଥିଲେ। ଧର୍ମ ଓ ପରମ୍ପରା ପାଇଁ ବି କଳା ସୃଷ୍ଟି ହେଉଥିଲା। ଲୋକବିଶ୍ୱାସ ଓ ଲୋକଚଳଣୀ ପାଇଁ ସାଧାରଣ ଲୋକ ଚିତ୍ର ଆଙ୍କୁଥିଲେ ଅବା ଅଙ୍କଉଥିଲେ। ଚିତ୍ର କରି ମୂର୍ତ୍ତି ଗଢ଼ି କଳାକାର ଦି ପଇସା ରୋଜଗାର କରେ।

ଏହା ପରେ ପ୍ରେକ୍ଷାପଟକୁ ଆସିଲେ ଗ୍ୟାଲେରୀ ବାଲା। ସେମାନେ ଚିତ୍ର କିଣୁଥିବା ଓ ଚିତ୍ର ଆଙ୍କୁଥିବା ଲୋକ ମଝିରେ ରହି ବେପାର (ଦଲାଲି)କଲେ। ଭଲ ମୁନାଫା ମଧ୍ୟ କମେଇଲେ। ଆଜିକାଲି ତ ଗ୍ୟାଲେରୀ ବାଲାଏ ଚିତ୍ରଶିଳ୍ପୀ ପାଖରୁ ବିକ୍ରୀ ଛବିର ପଇସା ଉପରେ ପଚାଶ ପ୍ରତିଶତ ଭାଗ ମାଗିଲେଣି।

ପ୍ରଶ୍ନ ହେଲା ଶିଳ୍ପୀ ଗ୍ୟାଲେରୀ ଦୁଆର ମୁହଁକୁ ଯାଏ କାହିଁକି? ସରଳ କାରଣ ହେଲା, ସେ ଜାଣି ନଥାଏ ଛବି କିଣୁଛି କିଏ। ଛବି କିଣୁଥିବା ଧନୀ ବାୟର୍ସଙ୍କ ପାଖରେ ସେ ସିଧାସଳଖ ପହଞ୍ଚିବ କେମିତି? ତା’ ଉପରେ ଛବି କିଣୁଥିବା ବାୟର୍ସ ଭରସା କାହିଁକି ବା କରିବ? ଛବିଟିର ଦର ଲକ୍ଷାଧିକ ଟଙ୍କା ବୋଲି ଟ୍ୟାଗ୍ ଲଗାଇବ କିଏ? କିଏ ଗ୍ୟାରେଣ୍ଟି ଦେବ? ଏ ସବୁ କଥା ଗ୍ୟାଲେରୀ ବୁଝେ। ଯାହାଙ୍କୁ ସଭ୍ୟ ଭାଷାରେ ଆର୍ଟ ଡିଲର୍ ବି କୁହାଯାଏ।

ଗ୍ୟାଲେରୀ ତା’ର ପସନ୍ଦର ଚିତ୍ରଶିଳ୍ପୀର ଛବି କିମ୍ବା ଭାସ୍କର୍ଯ୍ୟକୁ ନେଇ ପ୍ରଦର୍ଶନୀ ଆୟୋଜନ କରେ। ଉଦ୍‌ଘାଟନୀ ଦିନ ପାର୍ଟି ଦିଏ। କ୍ୟାଟ୍‌ଲଗ୍ ଛାପେ। ଅକ୍ସନ୍‌ରେ ଭାଗନିଏ। ଭିନ୍ନ ଭିନ୍ନ ପ୍ଲାଟ୍‌ଫର୍ମରେ ଇଏ ଜଣେ ଚମତ୍କାର, ପ୍ରତିଭାବାନ ଓ ଅତ୍ୟନ୍ତ ସୃଜନଶୀଳ ଶିଳ୍ପୀ ବୋଲି ପ୍ରଚାର ଓ ପ୍ରସାର କରେ। ପତ୍ରିକା ଓ ଖବର କାଗଜରେ ରିଭ୍ୟୁ ପ୍ରକାଶ କରେ। ଧିରେ ଧିରେ ଆର୍ଟିଷ୍ଟ୍‌ର ନାଁ ବଢ଼େ ଓ ସେଇ ଅନୁପାତରେ ତା’ କାମର ଦର ବି ବଢ଼େ। ଡିଲର୍‌ର ଲାଭ ବି ସେହି ଅନୁପାତରେ ବଢେ଼।

କିନ୍ତୁ ସମସ୍ୟା ହେଲା, ସବୁ ଶିଳ୍ପୀଙ୍କ ଭାଗ୍ୟରେ ଗ୍ୟାଲେରୀ ମିଳେନି। ଗ୍ୟାଲେରୀ ରାଜନୀତିରେ କିଛି ଶିଳ୍ପୀ ପଶିପାରନ୍ତିନି। କିଛି ପଶି ପୁଣି ବାହାରି ଆସନ୍ତି ବି। ତା’ର ଅବଶ୍ୟ ଅନେକ କାରଣ ରହିଛି। ଦୁଃଖର କଥା ହେଲା, ଗ୍ୟାଲେରୀ ବାହାରେ ହିଁ ଅଧିକା ଶିଳ୍ପୀ ରହିଯାଆନ୍ତି। କିଛି ବର୍ଷ ହେଲାଣି ଅନ୍‌ଲାଇନ୍ ପ୍ଲାଟ୍‌ଫର୍ମରେ ମଧ୍ୟ ଛବି ବିକ୍ରିବଟା ହେଉଛି। ଅନେକ ସମୟରେ ଗ୍ୟାଲେରୀମାନେ ସେମାନଙ୍କ ଫିଜିକାଲ୍ ସ୍ପେସ୍‌ରେ ସ୍ଥାନାଭାବ କାରଣରୁ ତାଙ୍କ ଭର୍ଚ୍ଚୁଆଲ୍ ସ୍ପେସ୍‌ରେ ଅଧିକ ଶିଳ୍ପୀଙ୍କୁ ଯାଗା ଦେଇପାରୁଛନ୍ତି। ପ୍ରକୃତ କଳାକୃତି ନ ଦେଖିବି କେବଳ ଡିଜିଟାଲ୍ ଇମେଜ୍‌ରେ କିଣା ବିକା ହେଉଛି।

କଳାକୃତିର ବିକ୍ରିବଟାର ଅନେକ ନୂଆ ଓ ପୁରୁଣା ମାଧ୍ୟମ ମହଜୁଦ ଥିବାବେଳେ ଏବେ ଆଉ ଏକ ମାଧ୍ୟମ ଲୋକପ୍ରିୟ ହେବାକୁ ଲାଗିଲାଣି। ସେଇଟି ହେଲା ଏନ୍.ଏଫ୍.ଟି। ଆଜି ଉଭୟେ ଚିତ୍ରଶିଳ୍ପୀ ଓ ଚିତ୍ର ପାଇଁ ଏନ୍.ଏଫ୍.ଟି ସମ୍ଭାବନାର ନୂଆ ରାସ୍ତା ଖୋଲିଛି।

କ’ଣ ଏଇ ଏନ୍.ଏଫ୍.ଟି:

ଏନ୍.ଏଫ୍.ଟି ହେଲା ନନ୍ ଫଞ୍ଜିବଲ୍ ଟୋକନ୍। ଏହା ଏକ ଡାଟା ୟୁନିଟ୍, ଯାହାକି ଡିଜିଟାଲ୍ ଲେଜର୍‌ରେ ଷ୍ଟୋର୍ ହେଇ ରୁହେ। ଲେଜର୍ ପୁଣି ଏକାବେଳେକେ ସାରା ପୃଥିବୀବ୍ୟାପି ରହିଥିବା ହଜାର ହଜାର ଅଲଗା କମ୍ପ୍ୟୁଟର୍‌ରେ ସେୟାର୍ ହେଇ ରହିଥାଏ, ଯାହାକୁ ବ୍ଲକ୍ ଚେନ୍ କୁହାଯାଏ। ଫଳରେ ସହଜରେ ଡାଟାର ଏପଟ ସେପଟ କରାଯାଇପାରିବନି। ଡିଜିଟାଲ୍ ସମ୍ପତ୍ତି ଭାବରେ ଡିଜିଟାଲ୍ ଚିତ୍ର, ଗୀତ, ଟ୍ରେଡିଂ କାର୍ଡ, ଭିଡିଓର କିଛି ଭାଗ, ମନେରହିଲା ପରି ଟୁଇଟ୍ ଆଦିକୁ ନିଆଯାଇପାରେ। ସୁନା, ରୂପା, ହୀରା ହେଇ କି ଘର ବାଡ଼ି ଆଦି ସମ୍ପତ୍ତି ପରି ଏବେ ଡିଜିଟାଲ ସମ୍ପତ୍ତିର କିଣା ବିକାର ଯୁଗ ଆସିଗଲା।

ଏନ୍.ଏଫ୍.ଟି କିଣାବିକା ପାଇଁ ଆମ ପାରମ୍ପରିକ ମୁଦ୍ରା ବଦଳରେ କ୍ରିପ୍ଟୋ କଏନ୍‌ର ଆବଶ୍ୟକତା ରହିଛି। କିନ୍ତୁ କ୍ରିପ୍ଟୋ କଏନ୍ ପରି ଏନ୍.ଏଫ୍.ଟିକୁ ଅଦଳ ବଦଳ କରାଯାଇପାରିବନି। ତୁମେ ଇଥର୍ କିମ୍ବା ବିଟ୍ କଏନ୍ ଦେଇ ଆଉ ଗୋଟେ କଏନ୍ ନେଇପାରିବ; ଯେମିତି ଶହେ ଟଙ୍କା ବଦଳରେ ଜଣେ କେହି ଦୁଇଟି ପଚାଶ ଟଙ୍କିଆ ନୋଟ୍‌ ନେଇପାରେ। ଶହେ ଟଙ୍କା ଓ ଦୁଇଟି ପଚାଶ ଟଙ୍କିଆ ନୋଟ୍‌ର ମୂଲ୍ୟ ସମାନ ରହିବ। କିନ୍ତୁ ଗୋଟେ କଳାକୃତିର ଏନ୍.ଏଫ୍.ଟି ବଦଳରେ ଆଉ ଏକ ଛବି ପାଇପାରିବନି। କାରଣ ଦୁଇ ଛବିର ଏନ୍.ଏଫ୍.ଟି ଅଲଗା।

ଗୋଟେ ମୋନାଲିସା ଛବି ବଦଳରେ ତମେ ଆଉ ଗୋଟିଏ ମୋନାଲିସା ପାଇପାରିବନି। କାରଣ ସାରା ପୃଥିବୀରେ ମୋନାଲିସା ଗୋଟିଏ। ତେଣୁ କ୍ରିପ୍ଟୋ କଏନ୍ ଫଞ୍ଜିବଲ୍ ହେଇଥିବା ବେଳେ ମୋନାଲିସା ନନ୍ ଫଞ୍ଜିବଲ୍‌। ଏନ୍.ଏଫ୍.ଟି ସମ୍ପୂର୍ଣ୍ଣ ଭାବରେ ସ୍ୱତନ୍ତ୍ର ଓ ଏକ ସମୟରେ ମାତ୍ର ଜଣେ ତା’ର ମାଲିକ ହେଇପାରିବ। ମୋନାଲିସା ପ୍ୟାରିସ୍‌ର ମ୍ୟୁଜିୟମରେ ଅଛି। ଆମେ ଯାଇ ତାକୁ ଏକ ବସ୍ତୁ ଭାବରେ ଦେଖି ଛୁଇଁପାରିବା କିନ୍ତୁ ଏନ୍.ଏଫ୍.ଟି ହେଲା ଭର୍ଚ୍ଚୁଆଲ୍, ଡିଜିଟାଲ୍।

ମୂଳ ମୋନାଲିସା ଛବିର ଡିଜିଟାଲ୍ ଫଟୋ ନେଇ ଏନ୍.ଏଫ୍.ଟି କରାଯାଇପାରେ। ମନେକରାଯାଉ ଚାରୋଟି ଡିଜିଟାଲ୍ ଫାଇଲ୍ କରାଯିବ ଓ କିଏ କିଏ କିଣିଲେ ତା’ର ହିସାବ ବ୍ଳକ୍ ଚେନ୍‌ରେ ରଖାଯିବ। ଏବେ ଆମ ପାଖରେ ପାଞ୍ଚୋଟି ମୋନାଲିସା ଛବି। ଚାରୋଟି ଡିଜିଟାଲ୍ ଓ ଗୋଟିଏ ଫିଜିକାଲ୍। ଇଣ୍ଟର୍‌ନେଟ୍‌ରେ ମିଳୁଥିବା ହଜାର ହଜାର ମୋନାଲିସା ଛବିର କିଛି ମୂଲ୍ୟ ନଥିବା ବେଳେ ଚାରିଟି ଏନ୍.ଏଫ୍.ଟି ମୋନାଲିସାର ଗୁରୁତ୍ୱ କାହିଁରେ କେତେ ହେଇଯିବ। କାରଣ କେବଳ ଏନ୍.ଏଫ୍.ଟି ମୋନାଲିସା କିଣିଥିବା ଗ୍ରାହକ ପାଖରେ ଗୋଟେ ଟୋକନ୍ ଥିବ ଯାହାକି ଏହା ଅରିଜିନାଲ୍‌ ବୋଲି ପ୍ରମାଣ ଦେ। ଯଦି କେହି ପଞ୍ଚମ ଏନ୍.ଏଫ୍.ଟି ମୋନାଲିସାର କରି ବିକିବାକୁ ଚେଷ୍ଟା କରେ ତେବେ ବ୍ଳକ୍ ଚେନ୍ ଯୋଗୁଁ ସେ ତୁରନ୍ତ ଧରାପଡିଯିବ।

ଗ୍ୟାଲେରୀ ଓ ମଧ୍ୟସ୍ଥିମାନଙ୍କ ଚାଲାକି ପାଇଁ ଅନେକ ସମୟରେ କଳାକାର ଖୋଦ ଜାଣିପାରେନି ତା’ ଛବିର ପ୍ରକୃତ ଦର କେତେ। କେତେ ଟଙ୍କା ଦେଇ କିଣିବା ଲୋକଟି ତା’ ଛବି କିଣିଛି। ଏନେଇ ସେ ଅନ୍ଧାରରେ ରୁହେ। ଅଳ୍ପ ଟଙ୍କାରେ କିଣା ଛବି ପୁଣି ଥରେ ଯେତେବେଳେ ଅଧିକା ଦରରେ ବିକ୍ରୀ ହୁଏ ସେତେବେଳେ ଶିଳ୍ପୀ କିଛିବି ରାଜଭାଗ ପାଏନି। କୋଟି କୋଟି ଟଙ୍କାରେ ଅକ୍ସନ୍ ହେଇଥିବା ଛବି ବିକ୍ରୀ ବାବଦକୁ କଳାକାର ପାଞ୍ଚ ପଇସା ପାଏନି। ଅନେକ ନାମକରା କଳାକାରଙ୍କ ଭାଗ୍ୟରେ ଏମିତି ଘଟିଛି।

ବଜାର ଓ ଅକ୍ସନ୍ ହାଉସ୍‌ରେ କୋଟି କୋଟି ଟଙ୍କାରେ କଳାକାରର ଛବି ବିକ୍ରୀ ହେଇଥିବା ବେଳେ ସେ ବିଚରା ଗରିବ ହେଇ ମାଟି କାମୁଡି ପଡିରହିଥାଏ। କାରଣ, ଅନେକ ଆଗରୁ ତା’ ଛବି ଅଳ୍ପ କିଛି ମୁଦ୍ରା ବିନିମୟରେ ଆଉ କାହାର ମାଲିକାନାକୁ ଚାଲିଯାଇଥାଏ। ସେମାନେ ତାକୁ କିଛି ବି ରାଜଭାଗ ଦିଅନ୍ତି ନାହିଁ। ଏଥିପାଇଁ ଅନେକ ସମୟରେ କଳାକାରମାନେ ସ୍ୱର ଉତ୍ତୋଳନ କରିଥିଲେ ମଧ୍ୟ କିଛି ଲାଭ ହେଇନି। କିନ୍ତୁ ଏବେ କଳାକାରର ଏନ୍.ଏଫ୍.ଟି ଯେତେଥର ବିକ୍ରୀ ହେବ ସେ ପ୍ରତି ବିକ୍ରୀରେ ଦଶ ପ୍ରତିଶତ ରାଜଭାଗ ପାଇବ।

ତାପରେ କଳା ବଜାରରେ ଫେକ୍ ଛବିର ଚାହିଦା କାହିଁରେ କେତେ। ଭାରତୀୟ ଚିତ୍ରକଳା ବଜାରରେ ଅନେକ ନାମକରା ଶିଳ୍ପୀଙ୍କର ରାଶି ରାଶି ଫେକ୍ ଛବିର ପ୍ରଚୁର କିଣାବିକା ଚାଲିଛି। ଜାମିନ ରାୟ, ଏମ୍. ଏଫ୍. ହୁସେନ, ଫ୍ରାନ୍‌ସିସ୍ ନିଉଟନ୍ ସୁଜା ଆଦି ତାଙ୍କ ସାରା ଜୀବନରେ ଯେତେ ଛବି ଆଙ୍କି ନଥିବେ ତା’ ଠାରୁ ଢେର ଅଧିକା ଛବି ଆଜି ସେମାନଙ୍କ ନାମରେ ବଜାରରେ ମହଜୁଦ୍ ଅଛି ଓ କିଣାବିକା ବି ଚାଲିଛି। କଥା ହେଲା, ଏନ୍.ଏଫ୍.ଟି ଏ ସବୁକୁ ବଢିଆ ବାଗରେ ଆକଟ କରିପାରିବ।

ଏବେବି ଏନ୍.ଏଫ୍.ଟି ବିଷୟରେ ଶେଷକଥା କୁହାଯାଇ ପାରିବନି। ଏନ୍.ଏଫ୍.ଟି କଳା ଓ କଳାକାରମାନଙ୍କ ପାଇଁ ଭବିଷ୍ୟତ କୁହାଯାଉଥିଲେ ମଧ୍ୟ ଟେକ୍‌ନୋଲୋଜି ସମ୍ପୂର୍ଣ୍ଣ ଭାବରେ ଭରସାଯୋଗ୍ୟ ହେଇନ। ସତ କହିଲେ, ଏଇତ ଆରମ୍ଭ ହେଲା ଖେଳ। ଯଦି ସବୁ ଠିକ୍ ଠାକ୍ ଚାଲେ ତେବେ ଖୁବ୍ ଶୀଘ୍ର ପାରମ୍ପରିକ ଅକ୍ସନ୍ ହାଉସ୍, ଡିଲର୍, କ୍ୟୁରେଟର୍, ଗ୍ୟାଲେରୀ ଓ ଯେତେସବୁ ମଧ୍ୟସ୍ଥିମାନଙ୍କର ବେପାର ଠପ୍ ହେଇଯିବ।

କଳା ଜଗତରେ ମଧ୍ୟସ୍ଥିମାନେ ଯେଉଁ ରାଜନୀତିଟି କରୁଥିଲେ ଯେ କିଏ ବଡ଼ ଆର୍ଟିଷ୍ଟ ହେବ ଓ କାହାର ଛବି କେତେ ଦରରେ ବିକ୍ରୀ ହେବ, ତାହା ଏନ୍.ଏଫ୍.ଟି ସ୍ପେସ୍‌ରେ ଆଉ ସମ୍ଭବ ହେବନି। ଏଇଠି ଆର୍ଟିଷ୍ଟ ନିଷ୍ପତ୍ତି ନେବ ଓ ନିଜେ ନିଜ ପାଇଁ ନାମ ଓ ପଇସା ତା’ ଅନୁସାରେ ରୋଜଗାର କରିବ।

ଅନ୍ୟ କଥାଟି ହେଲା ଡିଜିଟାଲ୍ ଟେକ୍‌ନୋଲୋଜି ଆଜି ଏମିତି ଏକ ସ୍ଥାନରେ ପହଞ୍ଚିଲାଣି ଯେତେବେଳେକି ଜଣେ ଶିଳ୍ପୀ ତା’ର ଗୋଟିଏ ମାତ୍ର କମ୍ପ୍ୟୁଟର ଭିତରେ ଆଗରୁ ବ୍ୟବହାର କରୁଥିବା ଷ୍ଟୁଡିଓ ଓ ଷ୍ଟୁଡିଓରେ କାମ କରୁଥିବା ସହକାରୀ ଓ ସହକର୍ମୀ ଏବଂ ଆହୁରି ଅନେକ ଆନୁସଙ୍ଗିକ ବିଷୟକୁ ସମାହିତ କରିପାରେ।

ସବୁଠାରୁ ବଡ଼ କଥା ହେଲା ଏନ୍.ଏଫ୍.ଟି ସହ ଓଡ଼ିଶାର କିନ୍ତୁ ସିଧାସଳଖ ସମ୍ପର୍କ ରହିଛି। କାରଣ ୧୯୧୪ ମସିହାରେ ଇଥେରିୟମ୍ ବ୍ଲକ୍‌ ଚେନ୍ ତିଆରି ହେବାର ତିନି ମାସ ପରେ ଆମେରିକାରେ ରହୁଥିବା ଓଡ଼ିଶା ବଂଶୋଦ୍ଭବ ଅନିଲ ଦାଶ ଓ ଆମେରିକୀୟ ଡିଜିଟାଲ୍ ଶିଳ୍ପୀ କେଭିନ୍ ପ୍ରଥମ ଏନ୍.ଏଫ୍.ଟି ତିଆରି କରିଥିଲେ। ତେବେ ୧୯୧୭ରେ ଯାଇ ଏନ୍.ଏଫ୍.ଟି ମୁଖ୍ୟଧାରାକୁ ଆସିଥିଲା। ଏନ୍.ଏଫ୍.ଟି ଛବିର ବଜାର ଦର ୨୦୧୮ରେ ୪୧ ମିଲିୟନ ଡଲାର୍ ଥିବା ବେଳେ ୨୦୨୦ ବେଳକୁ ୩୩୮ ମିଲିୟନ୍ ଡଲାର୍ ହେଇସାରିଥିଲା।

ଗତ ମାର୍ଚ୍ଚ ମାସରେ ମାଇକ୍ ୱିଙ୍କେଲ୍‌ମ୍ୟାନ୍ ନାମକ ଜଣେ ଅଳ୍ପଜ୍ଞାତ ଆମେରିକୀୟ ଡିଜିଟାଲ୍ ଚିତ୍ରଶିଳ୍ପୀ ତାଙ୍କର ଏକ ଛବିର ଏନ୍.ଏଫ୍.ଟିକୁ ଖ୍ରୀଷ୍ଟିଜ୍ ତା’ର ନିଲାମରେ ୬୯ ମିଲିୟନ ଡଲାରରେ ବିକ୍ରୀ କରି ସାରା ବିଶ୍ୱରେ ଚହଳ ପକାଇ ଦେଇଥିଲେ। ମାଇକ୍ ନିଜକୁ ଏନ୍.ଏଫ୍.ଟି ଚିତ୍ରର ଦୁନିଆରେ ବିପିଲ୍ ନାମରେ ପରିଚିତ କରାଇଛନ୍ତି। ଛବିଟି ହେଲା ଗଲା ଚଉଦ ବର୍ଷ ଧରି ମାଇକ୍ ସବୁଦିନ ପୋଷ୍ଟ୍‌ କରୁଥିବା ଡିଜିଟାଲ ଆର୍ଟର କୋଲାଜ୍‌।

ନାଇଜେରିଆର ଏନ୍.ଏଫ୍.ଟି ବା କ୍ରିପ୍ଟୋ ଚିତ୍ରଶିଳ୍ପୀ ତିରିଶି ବର୍ଷିଆ ଓସିନାଚି ମାଇକ୍ରୋସପ୍ଟ ୱାର୍ଡରେ ଆଙ୍କିଥିବା ଡିଜିଟାଲ୍ ଛବି ଖ୍ରୀଷ୍ଟିଜ୍ ଅକ୍ସନରେ ଚଢ଼ା ଦରରେ ନିଲାମ ହେଇଯାଇଛି। ୨୦୧୭ରେ ପ୍ରଥମେ ପାରମ୍ପରିକ ଗ୍ୟାଲେରୀ ବ୍ୟବସ୍ଥାରେ ଓସିନାଚି ତାଙ୍କ ଛବି ବିକ୍ରୀ କରିବାକୁ ଚେଷ୍ଟା କରି ଅସଫଳ ହେଇଥିଲେ, କିନ୍ତୁ ୧୯୧୭ରେ ସେ ଏନ୍.ଏଫ୍.ଟିରେ ବେଶ୍ ସଫଳ ହେଇଥିଲେ। ପ୍ରାଥମିକ ଭାବରେ ସେ ତାଙ୍କ କାମ ମାତ୍ର ଷାଠିଏ ଡଲାରରେ ବିକ୍ରୀ କରୁଥିଲେ, କିନ୍ତୁ ଗଲା ଅକ୍ଟୋବରରେ ଖ୍ରୀଷ୍ଟିଜ୍‌ରେ ତାଙ୍କ ଡିଜିଟାଲ ଛବି ୬୮ ହଜାର ଆମେରିକୀୟ ଡଲାରରେ ବିକ୍ରୀ ହେଇଛି।

୨୦୧୨ରୁ ଆମେରିକାରେ ରହୁଥିବା ଭାରତୀୟ ଚିତ୍ରଶିଳ୍ପୀ ରାଘବ କେକେଙ୍କର ଏକ ଡିଜିଟାଲ୍ ଏନ୍.ଏଫ୍.ଟି ଛବି ଗଲା ଅକ୍ଟୋବର ଖ୍ରୀଷ୍ଟିଜ୍ ଅକ୍ସନରେ ୯୪,୫୦୦ ଆମେରିକୀୟ ଡଲାରରେ ନିଲାମ ହେଇଛି। ଛବିଟିକୁ ସେ ଡାଟା ବୈଜ୍ଞାନିକ ହର୍ଷିତ ଅଗର୍‌ୱାଲ୍‌, ନ୍ୟୁରୋ ସାଇଣ୍ଟିଷ୍ଟ୍‌ ଅଭିଜିତ୍ ସତାନି ଓ ମ୍ୟାଟେରିଆଲ୍ ବୈଜ୍ଞାନିକ ବେନ୍ ଟ୍ରିଟ୍‌ଙ୍କ ମିଳିତ ସହଯୋଗରେ ତିଆରି କରିଥିଲେ।

ଚଳିତ ମାସ ୧୪ ତାରିଖରେ ମୁମ୍ବାଇରେ ଥିବା ଭାରତୀୟ ଅକ୍ସନ୍ ହାଉସ୍‌ ପ୍ରିନ୍‌ସେପ୍ସ ଭାରତରେ ପ୍ରଥମକରି ଆଧୁନିକ ଚିତ୍ରଶିଳ୍ପୀ ଗିବର୍ଦ୍ଧନ ଆସ୍‌(ଜନ୍ମ ୧୯୦୭)ଙ୍କ ଏନ୍.ଏଫ୍.ଟି ଛବିକୁ ନେଇ ଅକ୍ସନ୍ ଆୟୋଜନ କରିଥିଲ। ଏଥିରେ ତାଙ୍କର ଅଙ୍କିତ ପଞ୍ଚତିରିଶଟି ଛବିର ଏନ୍.ଏଫ୍.ଟି. ସ୍ଥାନ ପାଇଛି। ତା’ ସାଙ୍ଗରେ ଏନ୍.ଏଫ୍.ଟି. ହୋଇଥିବା ସେଇ ପ୍ରକୃତ ପଞ୍ଚତିରିଶଟି ମୂଳଛବି ମଧ୍ୟ ନିଲାମରେ ରଖାଯାଇଛି। କାଗଜରେ ଗ୍ୱାସ୍‌ରେ ଅଙ୍କା ମୂଳ ଛବିର ଦର ତିରିଶ ହଜାରରୁ ଲକ୍ଷେ ପଚାଶ ହଜାର ଭିତରେ ରଖାଯାଇଥିବା ବେଳେ ଏନ୍.ଏଫ୍.ଟି.ର ମୂଲ୍ୟ ହଜାରେରୁ ପଚିଶ ହଜାର ରଖାଯାଇଛି।

କେବଳ ଛବି ନୁହେଁ ଆହୁରି ଅନେକ କିଛିର ଏନ୍.ଏଫ୍.ଟି କିଣାବିକା କରାଯାଉଛି। ଟୁଇଟର୍‌ର ସି.ଇ.ଓ ଜାକ୍ ଡୋରସେ କରିଥିବା ଟୁଇଟର୍‌ର ପ୍ରଥମ ଟୁଇଟ୍‌ର ଏନ୍.ଏଫ୍.ଟି ୨.୯ ମିଲିୟନ୍ ଡଲାରରେ ନିଲାମ ହେଇଛି। ସେମିତି ଆମେରିକାର ଜାତୀୟ ବାସ୍କେଟ୍ ବଲ୍ ଆସୋସିଏସନ୍ ସେମାନଙ୍କର ଖେଳର ଏକ ଭିଡିଓ କ୍ଲିପ୍ ଏନ୍.ଏଫ୍.ଟିକୁ ୩୨୦ ମିଲିୟନ୍ ଆମେରିକୀୟ ଡଲାରରେ ବିକ୍ରୀ କରିଛନ୍ତି। ଏବେ ଏବେ ଇଣ୍ଡୋନେସିଆର ଜଣେ ଯୁବକ ଗଲା ଚାରିବର୍ଷ ଧରି ଉଠାଇଥିବା ତାଙ୍କ ସେଲ୍‌ଫିକୁ ଏନ୍.ଏଫ୍.ଟି କରି ନିଲାମ କରି, ରାତାରାତି କୋଟିପତି ହୋଇଯାଇଛନ୍ତି।

ଏନ୍.ଏଫ୍.ଟିର ଏକ ବିରାଟ ଅସୁବିଧା ଦିଗ ମଧ୍ୟ ଅଛି ଓ ତାହା ଆମ ପର୍ଯ୍ୟାବରଣକୁ ନେଇ। କଥା ହେଲା ଯେଉଁ ଇଥେରିଅମ୍ କ୍ରିପ୍ଟୋ କରେନ୍ସି ମାଇନିଂରେ ଏନ୍.ଏଫ୍.ଟି ଚାଲେ ତା’ ପାଇଁ ବହୁତ ପରିମାଣରେ ବିଦ୍ୟୁତର ଆବଶ୍ୟକତା ପଡେ। ହିସାବରୁ ଜଣାପଡିଛି ବର୍ଷକୁ ଏଥିପାଇଁ ୨୯.୮ ଟେରାୱାଟ୍ ବିଦ୍ୟୁତ ଘଣ୍ଟା ବର୍ଷକୁ ଖର୍ଚ୍ଚ କରେ, ଯାହାକି ଆମ ରାଜ୍ୟର ବାର୍ଷିକ ବିଦ୍ୟୁତ ଖର୍ଚ୍ଚର ପାଖାପାଖି। ତେଣୁ ପରିବେଶବିଦ୍‌ମାନେ ଏନେଇ ଚିନ୍ତା ପ୍ରକଟ କରିଛନ୍ତି। ହୁଏତ ତା’ର ସମାଧାନର ରାସ୍ତା ବି ନିକଟ ଭବିଷ୍ୟତରେ ବାହାରି ଆସିବ।

ଭୁବନେଶ୍ୱର
ଦୂରଭାଷ: ୯୮୬୧୧୨୪୧୭୩