• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sumitra Padhi

ନୂଆବର୍ଷର ପ୍ରଥମ କଲ୍‌ ଆସିଲା ଝାଡ଼ଖଣ୍ଡରୁ ଆଲୋକର ବାପାଙ୍କ ପାଖରୁ। ନୂଆବର୍ଷର ଅଭିନନ୍ଦନ ସାଙ୍ଗକୁ ସମସ୍ୟା ସମାଧାନ ପାଇଁ ଅନୁରୋଧଟିଏ। ସମସ୍ୟାଟି ସେତେ ଗମ୍ଭୀର ନୁହେଁ । ଆମେ ସମସ୍ତେ ପ୍ରାୟ କିଛି ମାତ୍ରାରେ ସେ ସମସ୍ୟାର ଭୁକ୍ତଭୋଗୀ। କଥା ହେଲା- ଗତ ଦୁଇ ବର୍ଷର ଲକ୍‌ଡାଉନ୍, ସଟ୍‌ଡାଉନ୍, ସ୍କୁଲ୍ ବନ୍ଦ ଭିତରେ ହିଁ ଅନ୍‌ଲାଇନ୍‌ରେ ସରିଯାଇଛି ଆଲୋକର ଯୁକ୍ତ ଦୁଇ ପଢ଼ା। ଏବେ ସେ ଆଗକୁ କ’ଣ ପଢ଼ିବ ସେନେଇ ନିଷ୍ପତ୍ତି ନେବାକୁ ହେବ।

ସବୁ ପରିବାର ପରି ତାଙ୍କ ପରିବାରରେ ବି ମାଆ ବାପା ଉଭୟେ ଭିନ୍ନ ଭିନ୍ନ କଥା ଚାହୁଁଛନ୍ତି, ପୁଅ ପଢ଼ୁ ବୋଲି। ତେଣୁ କିଛି ଗୋଟେ ନିର୍ଦ୍ଦିଷ୍ଟ ନିଷ୍ପତ୍ତରେ ପହଞ୍ଚି ପାରୁନାହାଁନ୍ତି ସ୍ୱାମୀ ସ୍ତ୍ରୀ। ତେବେ ତାଙ୍କର ମୁଖ୍ୟ ସମସ୍ୟା ହେଲା, ଆଲୋକ ବି କ’ଣ କରିବ ଠିକ୍‌ରେ କହିପାରୁ ନାହିଁ। କେତେବେଳେ ସେ ଚିତ୍ରଶିଳ୍ପୀ ହେବ କହୁଛି ତ କେତେବେଳେ ଫଟୋଗ୍ରାଫର୍ ହେବ ନ ହେଲେ କେତେବେଳେ କହୁଛି ଫିଲ୍ମ ମେକିଙ୍ଗ୍ ଅବା ସାମ୍ବାଦିକତା କରିବ।

ପୁଅ କିନ୍ତୁ ଉଭୟ ଦଶମ ଓ ଦ୍ୱାଦଶରେ ୯୩ ପ୍ରତିଶତ ମାର୍କ ଆଣିଛି, ତାହା ପୁଣି ସିବିଏସ୍ଇ ବୋର୍ଡ଼ରୁ। ଦ୍ୱାଦଶରେ ପୁଣି ବିଜ୍ଞାନ ନେଇଥିଲା। ତେଣୁ ବାପା ମାଆଙ୍କର ଇଚ୍ଛା ପୁଅ ଡାକ୍ତର ଅବା ଏରୋନେଟିକ୍ ଇଞ୍ଜିନିୟର୍‌ଟିଏ ହେଉ। ଏପଟେ କିନ୍ତୁ ପୁଅ ଯାହା ସବୁ କହୁଛି ସେଥିସହ ମାଆ-ବାପାଙ୍କ ଇଚ୍ଛାର କିଛି ନେଣଦେଣ ନାହିଁ । ତିନି ଚାରି ବର୍ଷ ତଳେ ଏ ଘଟଣାଟି ଘଟିଥିଲେ, ସେ ହୁଏତ କୌଣସି ମତେ ତାଙ୍କ କଥାରେ ପୁଅକୁ ରାଜି କରେଇବା ପାଇଁ ମୋତେ କହିଥା’ନ୍ତେ ।

ଏ ଭିତରେ କିନ୍ତୁ ସମୟ ବଦଳିଯାଇଛି ଅନେକ, ଧାରଣା ବି ବଦଳିଛି । କିଛିଦିନ ତଳେ ତାଙ୍କ ପୁଅ ଆଲୋକ ଯେତେବେଳେ ଡିପ୍ରେସନ୍ ଭୋଗୁଥିଲା ଆଉ ଅନେକ ଡାକ୍ତରଙ୍କ ପାଖରୁ ଔଷଧ ଖାଇବା ପରେ ବି କିଛି ନ ହେବାରୁ ସେ ନିଜେ ନିରୂପାୟ ହୋଇ ଘରେ ବସିଥିଲେ, ସେତେବେଳେ ମୋ ସହ ଯୋଗାଯୋଗ ହୋଇଥିଲା ତାଙ୍କର। କେବଳ ୧୫ ଦିନର କାଉନସିଲିଂରେ ଆଲୋକ ସ୍ୱାଭାବିକ ବି ହୋଇଯାଇଥିଲା। ତେଣୁ ଏଥର ସେମାନେ ସମସ୍ତେ ମିଶି କେମିତି ଗୋଟିଏ ନିଷ୍ପତ୍ତି ନେଇପାରିବେ ତା’ରି ଉପାୟ ଖାଲି ପଚାରିଲେ।

ମୁଁ ଆଗ ତାଙ୍କୁ ନିଜ ଇଚ୍ଛାକୁ କିଛି ସମୟ ଲାଗି ଭୁଲିଯାଇ ଆଲୋକ କ’ଣ ଚାହୁଁଛି ସେଇଟା ବୁଝିବାକୁ ଚେଷ୍ଟା କରିବାକୁ କହିଲି। ତାଙ୍କୁ ବୁଝେଇଲି ଯେ, ଆଲୋକ ଇଚ୍ଛା କରୁଥିବା ସମସ୍ତ କାମ ଭିତରେ କେମିତି ସୂକ୍ଷ୍ମ ସାମଞ୍ଜସ୍ୟଟେ କେମିତି ଅଛି। ଏଇ ଯେମିତି; ଆଜିକାଲି ଚିତ୍ରଶିଳ୍ପୀମାନେ କେବଳ ଚିତ୍ର ଆଙ୍କୁ ନାହାଁନ୍ତି, ଆହୁରି ଅନେକ କଥା ମଧ୍ୟ କରୁଛନ୍ତି ଯାହାକୁ ଆମେ ସାଧାରଣରେ କ୍ରସ୍ ଡିସିପ୍ଲିନ୍‌ରେ ଗଣିପାରିବା।

ସେମାନେ ଚିତ୍ର ଓ ଭାସ୍କର୍ଯ୍ୟ ତ କରୁଛନ୍ତି, ତା’ ସହ କରୁଛନ୍ତି ଇନ୍‌ଷ୍ଟଲେସନ୍, ଭିଡିଓ ଇନ୍‌ଷ୍ଟଲେସନ୍, ସାଇଟ୍ ସ୍ପେସିଫିକ୍ ଆର୍ଟ, ଲ୍ୟାଣ୍ଡ୍‌ ଆର୍ଟ, ଫଟୋଗ୍ରାଫି, ଆର୍ଟ ଆକ୍ଟିଭିଜିମ୍, ପର୍‌ଫର୍‌ମାନ୍ସ, ଡକ୍ୟୁମେଣ୍ଟେସନ୍, ଫାର୍ମିଙ୍ଗ ଓ ଆହୁରି ଅନେକ କଥା। ସେସବୁ ତାଙ୍କ ଶିଳ୍ପକର୍ମରେ ହିଁ ଯାଉଛି। ତେଣୁ ଆମର ବିଷୟକୁ ନେଇ ଯେଉଁସବୁ ଧାରଣା ଅଛି ତାକୁ ବଦଳେଇ ସମସାମୟିକ ଟ୍ରେଣ୍ଡ୍‌କୁ ବୁଝିବାକୁ ହେବ।

ମୋ ଠାରୁ ଏ ନୂଆ କଥା ଶୁଣି ସେ ଏମିତି ଆଶ୍ଚର୍ଯ୍ୟ ହେଲେ ଯେ ପୁଅକୁ ଡାକ୍ତର-ଇଞ୍ଜିନିୟର୍ କରିବା କଥା ଭୁଲି କହିଲେ; ତା’ହେଲେ ମ୍ୟାମ୍, ଆପଣ ପୁଅ ସହ କଥା ହୋଇଯାଆନ୍ତୁ ସିଧାସଳଖ। ସେ କ’ଣ ଚାହୁଁଛି ବୁଝି ମୋତେ କେଉଁଠି, କେମିତି, କ’ଣ କରିବାକୁ ହେବ ଖାଲି ବତେଇ ଦିଅନ୍ତୁ। ତା’ପରେ ଆଲୋକର ମୋର କଥା ହୋଇ ସମାଧାନଟେ ବାହାର କଲୁ। ଖୁସି ହୋଇଗଲେ ସମସ୍ତେ। ନୂଆବର୍ଷରେ ସେମାନଙ୍କୁ ଖୁସି କରେଇପାରିଲି ବୋଲି ମୁଁ ବି ଖୁସି ହୋଇଗଲି।

ସେଇ ଘଟଣାରୁ ଭାବିଲି ନୂଆବର୍ଷରେ ପ୍ରାୟ ସମସ୍ତେ କିଛି ନା କିଛି ନୂଆ ପଦକ୍ଷେପ ନେବାକୁ ଚାହୁଁଥିବାରୁ ଏମିତି ଅସୁବିଧାର ସମ୍ମୁଖୀନ ହେଉଥିବେ ନିଶ୍ଚୟ। ତେଣୁ ଆପଣମାନଙ୍କର ନିଷ୍ପତ୍ତି ନେବାର ପ୍ରକ୍ରିୟାକୁ ସହଜ କରିବାକୁ କେତୋଟି ମୌଳିକ ଉପାୟ ତଳେ ଲେଖୁଛି। ଯେ କେହି ବି ଏହା ପ୍ରୟୋଗ କରିପାରିବେ। କିନ୍ତୁ ମନେରଖିବେ, ପ୍ରତ୍ୟେକ ବ୍ୟକ୍ତି ଭିନ୍ନ, ତେଣୁ ପ୍ରତ୍ୟେକଙ୍କ ପାଇଁ ଉପାୟ ବି ଭିନ୍ନ। ତେବେ ମୋର ବିଶ୍ୱାସ ଏଇ ପ୍ରାଥମିକ ପଦେକ୍ଷପ କେତୋଟି ସମସ୍ତଙ୍କର ନିଷ୍ପତ୍ତି ନେବାର ପ୍ରକ୍ରିୟାକୁ କିଛିଟା ସହଜ କରିବ ନିଶ୍ଚୟ।

୧. ପ୍ରଥମେ ଆପଣ କ’ଣ କରିବାକୁ ଚାହୁଁଛନ୍ତି ତାହା ଲେଖନ୍ତୁ। ଯଦି ଆପଣଙ୍କ ନିଷ୍ପତ୍ତିଟି କୌଣସି କାରଣବଶତଃ ଭୁଲ ହୋଇଯାଏ ତେବେ ଅଧିକରୁ ଅଧିକ କ’ଣ କ୍ଷତି ହୋଇଯିବ ବୋଲି ଆପଣ ଭାବୁଛନ୍ତି ତାହା ବି ଲେଖନ୍ତୁ। ମାନେ ଆପଣଙ୍କ ନିଷ୍ପତ୍ତି ନେବା ପଛରେ ଯେଉଁ ଡରଟି ରହିଛି ସେଇଟିକୁ ଲେଖନ୍ତୁ।

୨. ନିଷ୍ପତ୍ତିଟି ଜୀବନ ତମାମ ଲାଗି ନା କିଛି ବର୍ଷ ଲାଗି ସେକଥା ଟିକେ ଭାବନ୍ତୁ। ଚାହିଁଲେ ବଦଳାଇ ପାରିବାର ସୁଯୋଗ ଯଦି ଥାଏ ତେବେ ନିଷ୍ପତ୍ତି ନେବାରେ ବେଶୀ ଅସୁବିଧା ହେବନି।

୩. ଆପଣଙ୍କୁ ଭଲରେ ବୁଝୁଥିବା କେହି ଜଣେ ସାଙ୍ଗ ବା ପରିବାର ଲୋକ ସହ ନିଜ ନିଷ୍ପତ୍ତିର ଉଭୟ ଭଲ ଓ ମନ୍ଦ ସମ୍ଭାବନା ବିଷୟରେ ଆଲୋଚନା କରନ୍ତୁ। ହୁଏତ ଆପଣଙ୍କ ନଜରରେ ପଡ଼ୁ ନ ଥିବା କେଉଁ ଗୋଟେ କଥା ତାଙ୍କ ନଜରରେ ପଡିପାରେ ଓ ସେଇ ଗୋଟିଏ କଥା ହିଁ ଆପଣଙ୍କ ନିଷ୍ପତ୍ତି ନେବା ପ୍ରକ୍ରିୟାକୁ ସହଜ କରିଦେଇପାରେ।

୪. ରାଗ, ରୁଷା, ଅଭିମାନ କରି ଗୋଟିଏ ହୁଇମ୍‌ରେ ନିଷ୍ପତ୍ତି ନ ନେଇ ଶାନ୍ତ ରହି ଭାବନ୍ତୁ।

୫. ଶାନ୍ତ ରହି ଯାହା କରିବାକୁ ଚାହୁଁଛନ୍ତି ସେ ସମ୍ପର୍କରେ ଯଥାସମ୍ଭବ ତଥ୍ୟ ସଂଗ୍ରହ କରନ୍ତୁ, ସେ ଇଣ୍ଟର୍‌ନେଟ୍‌ରୁ ହେଉ ଅବା ଅଭିଜ୍ଞତା ଥିବା ମଣିଷଙ୍କ ପାଖର।

୬. ନିଜ ନିଷ୍ପତ୍ତିକୁ ଅଧିକ ଭଲ ଭାବରେ ବୁଝିବା ପାଇଁ “କ’ଣ, କାହିଁକି, କେମିତି” ନିୟମରେ ତାକୁ ଟିକେ ପରଖି ନିଅନ୍ତୁ। ଅର୍ଥାତ କ’ଣ କରିବାକୁ ଯାଉଛନ୍ତି, ଯାହା କରିବେ ତାହା କାହିଁକି କରିବେ ଓ ତାହା କେମିତି ବା କେଉଁ ଉପାୟରେ ହେବ ସେ ବିଷୟରେ ଥରେ ଲେଖନ୍ତୁ।

୭. ନିଜ ବ୍ୟକ୍ତିତ୍ୱକୁ ଅର୍ଥାତ ଆପଣ ଯେମିତି ମଣିଷଟେ ତାକୁ ଏଇ ନୂଆ ନିଷ୍ପତ୍ତି କେମିତି ପ୍ରଭାବିତ କରିବ ସେ ବିଷୟରେ ଟିକେ ଭାବନ୍ତୁ। ଆପଣଙ୍କୁ ଆପଣଙ୍କ ନିଜସ୍ୱତା ଛାଡ଼ିବାକୁ ପଡୁନି ତ? ମାନେ ଯେଉଁ ଜିନିଷଟିକୁ ଆପଣଙ୍କ ଜୀବନରୁ ବାଦ ଦେଇଦେଲେ ଆପଣ ଆଉ ଆପଣ ହୋଇ ରହିବେନି ସେଇ ଜିନିଷଟିକୁ ହରେଇବାକୁ ପଡୁନି ତ?

୮. ଅପରାଧବୋଧ ବା ଦୋଷୀ ଭାବରୁ ମୁକୁଳିବା ପାଇଁ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ।

୯. ନିଜେ ନିଜର ଓକିଲ ହୋଇ ନିଜ ନିଷ୍ପତ୍ତିର ଉଭୟ ସପକ୍ଷ ଓ ବିପକ୍ଷରେ ଯୁକ୍ତି ଦିଅନ୍ତୁ।

୧୦. ବ୍ୟାକ୍ ଅପ୍ ପ୍ଲାନ୍ ଗୋଟେ ରଖନ୍ତୁ। ପ୍ଲାନ୍ ଏ କାମ ନ କଲେ ପ୍ଲାନ୍ ବି ହୁଏତ କାମ ଦେଇପାରେ।

ସବୁବେଳେ କିନ୍ତୁ ମନେ ରଖିବେ ଯେ; ଜୀବନ ତ ଯେମିତି ହେଉ ଚାଲିବ ନିଶ୍ଚୟ, ତେଣୁ ବ୍ୟସ୍ତ ହେବାର କିଛି ନାହିଁ। ଖୁସି ରହିବା ହିଁ ଅସଲରେ ମୂଳ କଥା। ସବୁବେଳେ ଚାପମୁକ୍ତ ରହି ଖୁସି ରହିବାକୁ ଚେଷ୍ଟା କରନ୍ତୁ। ଖୁସି ହେବା ପାଇଁ ବହୁତ ଗୋଟେ ବଡ଼ କାରଣର ଆବଶ୍ୟକତା ନାହିଁ। ଅତି ଛୋଟ ଓ ସାଧାରଣ କାରଣରେ ବି ଆମେ ଖୁସି ହେଇପାରିବା।

ଭୁବନେଶ୍ୱର, ମୋ: ୬୩୭୦୨୮୧୦୯୯

OTV is now on Whatsapp

Join and get latest news update delivered to you via whatsapp

Join Now