• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sumitra Padhi

ଗତ ୧୨ ବର୍ଷ ଭିତରେ ମୁଁ ଯେତେବେଳେ ବି କେହି ବାପା ମାଆଙ୍କୁ ପିଲାଙ୍କ ସମସ୍ୟା ନେଇ ଭେଟିଛି, ସେତେବେଳେ ସମସ୍ତଙ୍କର ଗୋଟିଏ ଅଭିଯୋଗ ଶୁଣିବାକୁ ପାଇଛି । ନିଦ ଭଲରେ ହୁଏ ନାହିଁ, ଯଦ୍ୱାରା ଅନେକ ପ୍ରକାର ଅସୁସ୍ଥତା ଦେଖାଦିଏ । ସେଇଟା ହେଲା; ପିଲାଏ ବହୁତ ବେଶୀ ମୋବାଇଲ୍ ନ ହେଲେ ଟିଭି ଦେଖୁଛନ୍ତି । କେମିତି କ’ଣ କରି ତାଙ୍କ ସ୍କ୍ରିନ୍‌ ଟାଇମ୍ କମ୍ କରିବାକୁ ତ ହେବ । ହେଲେ କେମିତି?

ପିଲାଙ୍କୁ ତ ଟିଭି ଦେଖିବାକୁ ମନାକଲେ ରାଗି ଯାଉଛନ୍ତି ଆଉ ମୋବାଇଲ୍ ହାତରୁ ନେଇଗଲେ କାନ୍ଦ କାନ୍ଦ ହୋଇଯାଉଛନ୍ତି । ଯେତେ ମାନ ଅଭିମାନ ସବୁ ବାହାରି ପଡ଼ୁଛି ତାଙ୍କର ଏଇ ସ୍କ୍ରିନ୍ ଟାଇମ୍ କମ୍ କରିବାକୁ କହିଲେ। ଏବେ ପୁଣି କୋଭିଡ୍‌ ଲକ୍‌ଡାଉନ୍ ସମୟରେ ଘରେ ରହୁଥିବାରୁ ଅଧିକ ସମୟ ସ୍କ୍ରିନ୍‌କୁ ଅନେଇ ଅନେଇ ବିତୁଛି । ଏବେ ତ ବାଧ୍ୟତାମୂଳକଭାବେ ଅନ୍‌ଲାଇନ୍‌ କ୍ଲାସ୍ ସମୟ ତକ ସ୍କ୍ରିନ୍‌ରେ ବିତୁଛି, ତାପରେ ପୁଣି ଚାରି ପାଞ୍ଚ ଘଣ୍ଟା ସମୟ ଅଧିକ ଯାଉଛି କାର୍ଟୁନ୍‌, ଭିଡିଓ ଗେମ୍ କି ଫିଲ୍ମ ଦେଖିବାରେ।

କେତେକଙ୍କର ତ ଅଭିଯୋଗ ତାଙ୍କ ପିଲାଏ ଖାଇବା ବେଳେ ମୋବାଇଲ୍ ନ ଧରିଲେ ଖାଉ ନାହାନ୍ତି । କିନ୍ତୁ ପିଲାଙ୍କର ଏମିତି ଅଭ୍ୟାସ ପଛରେ ଆମ ବଡ଼ମାନଙ୍କର ଭୂମିକା ନାହିଁ ତ? ଏମିତି କାହିଁକି ହେଉଛି ଖୋଜିଲେ ଜଣାପଡ଼ିବ ଏଥିପାଇଁ ଆମେ ବଡ଼ମାନେ କେଉଁଠି ନା କେଉଁଠି ଦାୟୀ। କେତେବେଳେ ଘର କାମରେ ନିଜ ବ୍ୟସ୍ତତା ପାଇଁ ପିଲାଟିଏ ବଡ଼ମାନଙ୍କ ସହ ସମୟ ବିତେଇବାକୁ ଚାହୁଁଥିବା ବେଳେ ଆମେ ସମୟ ଦେଇ ନ ପାରି ହାତରେ ମୋବାଇଲ୍ ଧରେଇ ଦେଉ ତ କେତେବେଳେ ପିଲା ନ ଖାଇଲେ ଖୁଆଇବା କାମ ସାରିବା ପାଇଁ କାର୍ଟୁନ୍ ଦେଖେଇଦେଉ।

ଆମେରିକାନ୍ ଏକାଡେମୀ ଅଫ୍ ପେଡିଆଟ୍ରିକ୍ସ ବିଭିନ୍ନ ବୟସର ପିଲା ଓ ବଡ଼ଙ୍କ ପାଇଁ ନିର୍ଦ୍ଦିଷ୍ଟ ସ୍କ୍ରିନ୍‌ ଟାଇମ୍ ନିର୍ଦ୍ଧାରଣ କରିଛି । ତାହା ସମସ୍ତଙ୍କର ଜାଣିବା ପାଇଁ ମୁଁ ଏଇଠି ଲେଖୁଛି । କିନ୍ତୁ ଯଦି ଆମେ ସତକୁ ସତ ସୁସ୍ଥ ରହିବାକୁ ଚାହୁଁ, ତେବେ ଏଇ ନିର୍ଦ୍ଧାରିତ ସମୟକୁ ସର୍ବାଧିକ ବୋଲି ହିଁ ଗ୍ରହଣ କରିବା।

୧- ଦୁଇ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ଆଦୌ ସ୍କ୍ରିନ୍‌ ଟାଇମ୍ ରହିବ ନାହିଁ ।

୨- ଦୁଇରୁ ବାର ବର୍ଷ ପିଲାଙ୍କ ପାଇଁ ମାତ୍ର ଏକ ଘଣ୍ଟା ସମୟ ।

୩- ତରୁଣ ଓ ବୟସ୍କମାନଙ୍କ ପାଇଁ ମାତ୍ର ଦୁଇ ଘଣ୍ଟା ସମୟ ।

ହାରାହାରି ହିସାବ ଅନୁସାରେ କିନ୍ତୁ ୨୦୨୧ରେ ପ୍ରତ୍ୟେକେ ୮ ରୁ ୧୦ ଘଣ୍ଟା ଫୋନ୍‌ କଲ୍, ଫେସ୍‌ବୁକ୍ ବା ଅନ୍ୟ ସୋସିଆଲ୍‌ ମେଡିଆ ସ୍କ୍ରଲ୍ କରିବା କି ଭିଡିଓ ରିଲ୍‌ସ ଦେଖିବାରେ ବିତଉଛନ୍ତି । ଆମ ଭିତରୁ କାହାର କାହାର ସ୍କ୍ରିନ୍‌କୁ ଚାହିଁ ରହିବା ଅଭ୍ୟାସରେ ପରିଣତ ହୋଇଯାଇଛି ତ କେହି କେହି ଅଭ୍ୟାସ ଛାଡ଼ିବାକୁ ଚାହିଁ ସମାଧାନର ବାଟ ପାଉନାହାଁନ୍ତି।

ସେଇମାନଙ୍କ ପାଇଁ କେତୋଟି ସମାଧାନର ସହଜ ଉପାୟ କହି ରଖୁଛି । ସବୁଠୁ ବଡ଼ କଥା ହେଲା ଆପଣଙ୍କୁ ଆଗ ନିଜ ପିଲା ପାଇଁ ଉଦାହରଣ ହେବାକୁ ହେବ।

୧- ଖାଇବା ସମୟରେ, ଗାଡ଼ି ଚଲେଇବା ସମୟରେ କି ପରିବାର ଲୋକଙ୍କ ସହ ସମୟ ବିତେଇବା ବେଳେ ଫୋନ୍‌ ବ୍ୟବହାର କରନ୍ତୁ ନାହିଁ । ନିହାତି ଜରୁରୀ ନ ଥିଲେ ସାଇଲେଣ୍ଟ ମୋଡ୍ କରି ମୋବାଇଲ୍ ରଖିଦିଅନ୍ତୁ। ଆପଣଙ୍କ ଉପରେ ଅନେକ ଦାୟିତ୍ୱ ଥିଲେ ବି ଆପଣଙ୍କ ହାତରେ ନିଜ ଶରୀରର ଦାୟିତ୍ୱ ମଧ୍ୟ ଅଛି।

୨- ପିଲା ଓ ଘରର ଅନ୍ୟ ସଦସ୍ୟଙ୍କ ସହ ସାଙ୍ଗ ହୋଇ କେତେବେଳେ କେମିତି ପାଖ ଆଖର ଲାଇବ୍ରେରୀ କି ବହି ଦୋକାନ ଆଡ଼େ ବୁଲି ଯାଆନ୍ତୁ । ପିଲାଙ୍କୁ ଭଲଲାଗିବା ପରି ତାଙ୍କ ପସନ୍ଦର ଦୁଃସାହସିକ ଅଭିଯାନ କାହାଣୀ, ପରୀ କଥା, ପଞ୍ଚତନ୍ତ୍ର ପରି ଜୀବଜନ୍ତୁଙ୍କ କାହାଣୀ ବା ଭଲ ଲାଗୁଥିବା ଯେ କୌଣସି ବହି ନେଇ ଆସନ୍ତୁ ବା ସେମିତି ବହି କିଣି ଉପହାର ଦିଅନ୍ତୁ । ଦିନରେ କିଛି ସମୟ ସାଙ୍ଗରେ ବସି ବହି ପଢନ୍ତୁ ବା ସେ କହୁଥିବା କାହାଣୀ ଶୁଣନ୍ତୁ ।

୩- ସ୍କ୍ରିନ୍‌ ଟାଇମ୍ ଲାଗି ନିର୍ଦ୍ଦିଷ୍ଟ ସମୟ ଠିକ କରିଦିଅନ୍ତୁ। ପ୍ରତ୍ୟେକ ଦିନ ସ୍କ୍ରିନ୍‌ ଅଫ୍ ଟାଇପ୍ ସମସ୍ତଙ୍କ ପାଇଁ ରଖନ୍ତୁ । କମ୍

ସ୍କ୍ରିନ୍‌ ଟାଇମ୍ କରିବାକୁ ଏମିତି କିଛି କରନ୍ତୁନି ଯାହା ପିଲାଙ୍କୁ ଦଣ୍ଡ ଦେବା ପରି ଲାଗିବ । ଖାଲି ପିଲା ପାଇଁ ନୁହେଁ, ନିଜେ ବି ସେ ନିୟମ ପାଳନ୍ତୁ । ସ୍କ୍ରିନ୍‌ ଟାଇମ୍ ମାନିବା ନିୟମକୁ ଠିକ୍ ଠାକ୍ ପାଳିଲେ ଆତ୍ମନିୟନ୍ତ୍ରଣ ଆସିବ, ଯାହା ଜୀବନର ଲମ୍ବା ଦଉଡ଼ ଲାଗି ବି ସହାୟକ ହେବ ।

୪- ପିଲାମାନେ ଟିଭି କି ମୋବାଇଲ୍‌ରେ ଯେଉଁ ପ୍ରକାର କଣ୍ଟେଣ୍ଟ ଦେଖୁଛନ୍ତି ସେ ବିଷୟରେ କଥା ହୁଅନ୍ତୁ। ନିଜେ କେବେ କିଛି ଭଲ କଣ୍ଟେଣ୍ଟ ଦେଖିଲେ ତାହା ପିଲାକୁ ବି ଦେଖାନ୍ତୁ । ତେବେ ଯାଇ ସେ ନିଜେ ଦେଖୁଥିବା ଜିନିଷ ବିଷୟରେ ଆପଣଙ୍କୁ କହିପାରିବ।

୫- ପିଲାଙ୍କର ଅନ୍ୟ ଯେଉଁସବୁ କାର୍ଯ୍ୟକଳାପ କରିବାରେ ଆଗ୍ରହ ରହିଛି ତାହା କରିବାକୁ ଉତ୍ସାହିତ କରନ୍ତୁ । ଏଇ ଯେମିତି ଗୀତ, ନାଚ, ଖେଳ, ଚିତ୍ର ଆଙ୍କିବା, ବହି ପଢ଼ିବା, ଗପ କବିତା ଲେଖିବା ଇତ୍ୟାଦି। ଏ ସବୁକୁ ସମୟ ଦେବା ବଢିଗଲେ ସେପଟର ସମୟ ଆପେ ଆପେ କମିଯିବ। ପିଲାର ଏସବୁ କାର୍ଯ୍ୟରେ ନିଜେ ବି କେବେ କେବେ ସାମିଲ ହୁଅନ୍ତୁ ।

ଏଇ ଛୋଟ ଛୋଟ ସହଜ ବାଟ ସବୁ ଆପଣେଇ ଥରେ ଦେଖନ୍ତୁ, ଦୈନନ୍ଦିନ ଜୀବନ କେମିତି ବଦଳିଯିବ। ସ୍କ୍ରିନ୍‌କୁ ବେଶୀ ସମୟ ଅନେଇ ରହିବାର କୁପରିଣାମ କ’ଣ ଆସନ୍ତୁ ସେ ବିଷୟରେ ଜାଣିନେବା । ଏହାକୁ ଆପଣେଇଲେ ଉଭୟ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ହେବା ସହ ଆପଣ ସୁଖୀ ମଧ୍ୟ ହୋଇପାରିବେ ।

୧- ଅନେକ ସମୟ ମୋବାଇଲ୍ ଧରି ବସି ରହିବାରୁ ଖେଳାବୁଲା ଆଦି ଶାରୀରିକ କସରତ ହୋଇ ନ ପାରି ଶରୀର ଅସୁସ୍ଥ ହୁଏ।

୨- ଲମ୍ବା ସମୟ ଧରି ବସି ରହିବା ବା ଅର୍ଦ୍ଧଶାୟିତ ଅବସ୍ଥାରେ ଶୋଇ ରହିବା ଦ୍ୱାରା ସ୍ପଣ୍ଡିଲାଇଟିସ୍, ଦୃଷ୍ଟି ଶକ୍ତି ଓ ମେରୁଦଣ୍ଡ ସମ୍ବନ୍ଧିତ ଅନ୍ୟାନ୍ୟ ରୋଗ ମଧ୍ୟ ହୁଏ ।

୩- ସାଙ୍ଗ ସାଥି, ପରିବାରବର୍ଗଙ୍କ ସହ କଥାବାର୍ତ୍ତା ନ କରିବାରୁ ମାନସିକ ସ୍ୱାସ୍ଥ୍ୟ ଖରାପ ହୁଏ, ଏକୁଟିଆପଣ ଅନୁଭୂତ ହୁଏ । ଏହାର ଅନେକ କୁପରିଣାମ ବୟସ ବଢିବା ସହ ଦେଖିବାକୁ ମିଳେ । ଡିପ୍ରେସନ୍‌, ଏଙ୍ଗଜାଇଟି, ସୁଇସାଇଡାଲ୍ ଟେଣ୍ଡେନ୍ସି ଆଦି ଦେଖାଯାଏ।

୪- ମସ୍ତିଷ୍କର କାର୍ଯ୍ୟ କରିବାର ଶକ୍ତି କମିଯାଏ । ବୋଧଗମ୍ୟତା, ସୃଜନାତ୍ମକତା, ଲଜିକାଲ୍ ଥିଙ୍କିଙ୍ଗ୍‌, ସ୍ମୃତି ଶକ୍ତି ଇତ୍ୟାଦିରେ ଅସୁବିଧା ହୁଏ।

୫- ନିଦ ଭଲରେ ହୁଏ ନାହିଁ, ଯଦ୍ୱାରା ଅନେକ ପ୍ରକାର ଅସୁସ୍ଥତା ଦେଖାଦିଏ ।

୬- ମୋବଇଲ୍‌ରୁ ବାହାରୁଥିବା ରେଡିଏସନ୍‌ ବିଭିନ୍ନ ପ୍ରକାରର ଛୋଟ ବଡ଼ ରୋଗର କାରଣ ହୋଇଥାଏ ।

ତେଣୁ ଯେମିତି ବି ହେଉ ନିଜର ଓ ନିଜ ପିଲାଙ୍କର ସ୍କ୍ରିନ୍‌ ଟାଇମ୍ କମାଇ ସୁସ୍ଥ ରୁହନ୍ତ ଓ ଖୁସି ରୁହନ୍ତୁ।

ଭୁବନେଶ୍ୱର, ଦୂରଭାଷ: ୬୩୭୦୨୮୧୦୯୯

OTV is now on Whatsapp

Join and get latest news update delivered to you via whatsapp

Join Now