• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Ramakanta Samantaray

ମୋର ମନେପଡ଼ୁଛି, ସାନବେଳେ ମୋର ଦୁଇଟି ପାଦୁକା (ଚପଲ) ଥିଲା। ଗୋଟେ ବାଟାର ଓ ଅନ୍ୟଟି କାଠର। ବାଟା ଚପଲଟି ବାପା କିଣି ଦେଇଥିଲେ ଓ କାଠ କଠଉଟିକୁ ମାମୁଘର ଗାଁ ବଢ଼େଇ ତିଆରି କରିଥିଲା। ପିଲାବେଳେ ମୁଁ ସେ ଦୁଇଟିଯାକ ପିନ୍ଧୁଥିଲି। କ୍ରମେ ବାଟା ଚପଲଟି ମୋ ପାଦକୁ ଆଉ ହେଲାନି। ସାନ ଭାଇ ତାକୁ ପିନ୍ଧିଲା। କାଠ କଠଉ ଖେଳଣା ହେଇଗଲା। ମୁଁ ଏଥର ଖାଲି ପାଦରେ ବୁଲିଲି ଓ ସେଇ ଖାଲି ପାଦରେ ସ୍କୁଲ୍ ଗଲି। ଗାଁରେ ମୋର ଅନ୍ୟ ସାଙ୍ଗମାନେ ବି ପ୍ରାୟ କେହି ଚପଲ ପିନ୍ଧୁ ନଥିଲେ। ଏମିତି ଦେଖିଲେ ଗାଁ ଗହଳରେ ଚପଲ ବ୍ୟବହାର ଏତେ ନ ଥିଲା। ହଁ, କିଛି ହଳୁଆ ଅବଶ୍ୟ ଗାଡ଼ି ଟାୟାର୍ ରବର୍‌ରେ କିଛି ବାଗବାଇଶ ନଥିବା ନିଜ ହାତ ତିଆରି ଚପଲ ପିନ୍ଧୁଥିଲେ।

ଷଷ୍ଠଶ୍ରେଣୀରେ ମାମୁଘର ଗାଁକୁ ମୋତେ ବାପା ପଠେଇଦେଲେ ପାଠ ପଢ଼ିବାକୁ। ମୋ ସାନ ଡାକ୍ତର ମାମୁ ନୂଆ ବାହାହେଇ କଟକରେ ଚାକିରି କରୁଥା’ନ୍ତି। ସାନ ମାଇଁଙ୍କ ପାଖକୁ ଚିଠି ପଠାଗଲା ମୋର ଗୋଟେ ଚପଲ ଦରକାର। ହେଲେ ମୋ ପାଦ ସାଇଜ ସେ ଜାଣିବେ କେମିତି? ତେଣୁ ମୁଁ ଗୋଟେ ଆକାଶ ରଙ୍ଗର ଇନ୍‌ଲ୍ୟାଣ୍ଡ ଲେଟର୍ ଉପରେ ଛିଡ଼ା ହେଲି ଓ ବଡ଼ମାମୁଙ୍କ ଝିଅ ମୋ ପାଦର ମାପ ସେଇଠି ଆଙ୍କିଲେ। ପ୍ରାୟ ମାସେ ପରେ ମୋ ଚପଲ ହଳେ ଆସି ପହଞ୍ଚିଲା। ବାଟା କମ୍ପାନୀର ସ୍ଳିପର୍। ଉପର ଧଳା ତଳଟି ନୀଳ। ସେତେବେଳେ ଲୋକେ ଲାଟିନ୍‌ରୁ ପାର୍ଲାମେଣ୍ଟ ଏଇ ବାଟା ସ୍ଳିପର୍‌କୁ ପିନ୍ଧି ବୁଲୁଥିଲେ।

ତଳ ନୀଳ ଓ ମାଟିଆ ରଙ୍ଗ ହେଇ ମାତ୍ର ଦୁଇ ରଙ୍ଗର ବାଟା ସ୍ଳିପର୍ ମିଳୁଥିଲା। ତାକୁ ଲୋକେ ଏତେ ପିନ୍ଧୁଥିଲେ ଯେ ଉପର ଧଳା ଆବରଣ ଘୋରି ହେଇ ହେଇ ନୀଳ କି ମାଟିଆ ରଙ୍ଗ ପଦାକୁ ବାହାରି ଦିଶୁଥିଲା। ପାଦର ଚାପ ଅନୁସାରେ ସେଇଟି ଘୋରି ହେଉଥିବାରୁ ଅନେକ ସମୟରେ ସେଇଟି ଗୋଟେ ଅଜବ ଛବି ପରି ଦେଖାଯାଉଥିଲା। ସ୍କୁଲ୍‌କୁ ଅଳ୍ପ ପିଲା ବାଟା ଚପଲ (ଆମେ ସ୍ପଞ୍ଜ ବୋଲି କହୁଥିଲୁ) ପିନ୍ଧି ଆସୁଥିଲେ। ମାତ୍ର ଜଣେ ଦୁଇ ଜଣ କଳା ରଙ୍ଗର ବୁଟ୍ ବି ପିନ୍ଧୁଥିଲେ। ମୋର ବି ବଡ଼ ଇଚ୍ଛା ଥିଲା ଏମିତି ଗୋଟେ କଳା ରଙ୍ଗର ବୁଟ୍ ପିନ୍ଧିବାକୁ, ହେଲେ ଦବ କିଏ?

ଛୋଟ ଥିବା ବେଳେ କକା ମୋ ପାଇଁ କଳା ରଙ୍ଗର ବୁଟ୍ ହଳେ ଦିଲ୍ଲୀରୁ ଆଣିଥିଲେ। କିନ୍ତୁ ସେଥିରେ ବହୁତ ଦିନ ତଳୁ ମୋ ପାଦ ଆଉ ପଶୁ ନଥିଲା । ନ ହେଲେ ହାଇସ୍କୁଲ୍‌ରେ ପଢ଼ୁଥିବା ଏନ୍‌ସିସ ପିଲାଏ ଢିଲା ଢିଲା ମାଟିଆ ରଙ୍ଗର ପ୍ୟାଣ୍ଟ୍‌ ସାର୍ଟ ସାଙ୍ଗରେ ମାଟିଆ ରଙ୍ଗର ବୁଟ୍ ପିନ୍ଧୁଥିଲେ। ମୋତେ ସେଇଟା କିନ୍ତୁ ଭଲ ଦିଶୁ ନଥିଲା। ମୋ ନୂଆ ଚପଲ ପହଞ୍ଚିଲା ପରେ ମୋର ଖୁସି କାହିଁରେ କ’ଣ। ଏଥର ନୂଆ ଚପଲ ପିନ୍ଧି ସ୍କୁଲ୍‌ ଗଲି। ଥରେ ଖେଳ ପିରିୟଡ୍‌ରେ ସ୍କୁଲ୍ ଖେଳ ପଡ଼ିଆ ପାଖ ହାଟ ଚାଳିରେ ମୋ ନୂଆ ଚପଲକୁ ଖୋସିଦେଇ ଖେଳିଲି ଓ ଖେଳ ସରିଲା ପରେ ଚପଲ କଥା ଭୁଲିଗଲି। ଭୁଲିଗଲି ମାନେ ପୂରା ଭୁଲିଗଲି। ଚପଲ କଥା ମନେପଡ଼ିଲା ଯାଇଁ ରାତିରେ। ସେଦିନ ରାତିରେ ଆଉ ନିଦ ହେଲାନି। ମନ ଦକଦକ ଚପଲ ଥିବ ତ? ନା କିଏ ନେଇଯାଇଥିବ? ପରଦିନ ସକାଳୁ ସକାଳୁ ସ୍କୁଲ୍ ଆଗ ହାଟ ଚାଳିଆ ପାଖକୁ ଧାଇଁଲି। ହାୟ, ଚପଲ ମୁଁ ଖୋସିଥିବା ଯାଗାରେ ଆଉ ନ ଥିଲା। ମନ ଦୁଃଖରେ କାହାକୁ କିଛି କହିଲିନି। ଦୁଇ ତିନି ଦିନ ପରେ ଯାଇଁ ଅନ୍ୟମାନେ ଜାଣିଲେ।

ମୁଁ ପୁଣି ଥରେ ଖାଲି ଗୋଡ଼ରେ ସ୍କୁଲ୍‌ ଗଲି। ଚପଲ ପିନ୍ଧା ଅଭ୍ୟାସ ନ ଥିବାରୁ ମୋ ପରି ଅନେକ ଏମିତି କୋଉଠି ନା କୋଉଠି ଚପଲ ଭୁଲି ଯାଉଥିଲେ ଓ ହଜେଇ ଦେଉଥିଲେ। ଏଇ ହଜିବା ଭୟରେ ଅନେକ ଚପଲ ପିନ୍ଧୁ ନ ଥିଲେ। ଆମେ ବାଟା ସ୍ପଞ୍ଜ୍‌ କହୁଥିବା ବାଟା ହାୱାଇ ଚପଲ ସେତେବେଳେ ଭାରତରେ ଏତେ ଲୋକପ୍ରିୟ ଥିଲା ଯେ ରାସ୍ତା ଘାଟରେ ସବୁଠି ଦେଖିବାକୁ ମିଳୁଥିଲା।

ଭାରତରେ ବାଟା କମ୍ପାନୀର ଜୋତା ଓ ଚପଲ ଏତେ ଲୋକପ୍ରିୟ ଯେ ଅନେକ ଏବେ ବି ଭାବନ୍ତି ବାଟା ଆମ ଭାରତୀୟ କମ୍ପାନୀ ଦ୍ୱାରା ତିଆରି ଏକ ସ୍ୱଦେଶୀ ଜୋତା। ପ୍ରକୃତରେ କିନ୍ତୁ ‘ଟିଏଣ୍ଡ୍‌ଏ ବାଟା ସୁ କମ୍ପାନୀ’ ଚେକୋସ୍ଲୋଭାକିଆର ଜ୍ଲିନ୍‌ ସହରରେ (ସେତେବେଳେ ଅଷ୍ଟ୍ରିୟା-ହଙ୍ଗେରୀ) ୨୪ ଅଗଷ୍ଟ ୧୮୯୪ ମସିହାରେ ଥୋମାସ୍ ବାଟା ଓ ତାଙ୍କ ଭାଇ ଆଣ୍ଟୋନିନ୍ ଏବଂ ଭଉଣୀ ଆନାଙ୍କ ଦ୍ୱାରା ପ୍ରତିଷ୍ଠା ହେଇଥିଲା। ସେମାନେ ପାରମ୍ପରିକ ମୋଚି ପରିବାରରୁ ଆସିଥିଲେ।

କମ୍ପାନୀ ଗଢ଼ିବାର ମାତ୍ର ବର୍ଷକ ପରେ ଆର୍ଥିକ ଅବସ୍ଥା ଖରାପ ହେବାରୁ ଥୋମାସ୍ ଏକ ନୂଆ କଥା ଭାବିଲେ। ସେ ଚମଡ଼ା ଛାଡି କ୍ୟାନ୍‌ଭାସ୍‌ରେ ଜୋତା ତିଆରି ଆରମ୍ଭ କଲେ। ଭାଗ୍ୟକୁ କପଡ଼ା ଜୋତାକୁ ଲୋକେ ପସନ୍ଦ କଲେ ଓ ବ୍ୟବସାୟ ଖୁବ୍ ଭଲରେ ଚାଲିଲା। ପ୍ରଥମ ବିଶ୍ୱଯୁଦ୍ଧରେ କମ୍ପାନୀକୁ ମିଲିଟାରୀରୁ ବେଶ ଭଲ ସଂଖ୍ୟାରେ ବରାଦ ଆସିଲା। ବ୍ୟବସାୟ ତାଙ୍କର ଭଲରେ ଚାଲିଲା ଓ ସେ ଖୁବ ଶୀଘ୍ର ଚେକୋସ୍ଲୋଭାକିଆର ଧନୀମାନଙ୍କ ତାଲିକାରେ ଚତୁର୍ଥ ସ୍ଥାନରେ ପହଞ୍ଚିଗଲେ। ବାଟା ତା’ର ଚପଲ ୧୯୦୯ ମସିହାରେ ବିଦେଶକୁ ରପ୍ତାନୀ କରିବା ଆରମ୍ଭ କରିଥିଲା।

୧୯୨୦ ମସିହାରେ ବାଟା ପରିବାରର ନବମ ପିଢିର ଥୋମାସ୍ ବାଟା ନାମରେ ଜଣେ ଭଦ୍ରବ୍ୟକ୍ତି ଭାରତ ବୁଲି ଆସିଥିଲେ। ଉଦ୍ଦେଶ୍ୟ ଥିଲା ତାଙ୍କ କମ୍ପାନୀ ପାଇଁ ଦରକାର ରବର ଓ ଚମଡ଼ା ସଂଗ୍ରହ କରିବେ। କଲିକତା ସହରରେ ବୁଲିଲା ବେଳେ ସେ ଦେଖିଲେ ଯେ, ଭାରତୀୟ ଲୋକମାନେ ଖାଲି ପାଦରେ ଅବା ଅତି ସାଧାରଣ ଭାବରେ ହାତରେ ତିଆରି ହେଇଥିବା ଚପଲ ପିନ୍ଧି ରାସ୍ତା ଘାଟରେ ବୁଲୁଛନ୍ତି। ସେ ଜାଣିଗଲେ ଭାରତରେ ଭଲ ଜୋତାର ଏକ ବିରାଟ ବଜାର ରହିଛି। ସେ ଆଉ କାଳ ବିଳମ୍ବ ନକରି ‘ବାଟା ସୁ କମ୍ପାନୀ ପ୍ରାଇଭେଟ୍ ଲିମିଟେଡ୍’ ନାମରେ କମ୍ପାନୀ ଖୋଲି କଲିକତା ନିକଟର କୋନ୍‌ନଗର ଠାରେ ଛୋଟିଆ ଜୋତା ତିଆରି ଫ୍ୟାକ୍ଟ୍ରୀ ଗୋଟେ ବସାଇଲେ।

କୋନ୍‌ନଗରକୁ ଏବେ ବାଟା ନଗର ବୋଲି କୁହାଯାଉଛି। ଭାରତରେ ବାଟା ତା’ର କାରଖାନା ୧୯୩୧ରେ ଖୋଲିଲା। ସେତେବେଳକୁ ଭାରତର ଜୋତା ବଜାରରେ ଜାପାନରେ ତିଆରି ହେଇଥିବା ଜୋତାର ଏକଚାଟିଆ କାଟ୍‌ତି ଚାଲିଥାଏ। ବାଟା କମ୍ପାନୀ ପ୍ରାଥମିକ ଭାବରେ ଭାରତରେ କେବଳ କପଡ଼ା ଓ ରବର ଚପଲ ତିଆରି ଆରମ୍ଭ କଲା। ଭାରତରେ ରବର ଓ କପଡ଼ାରେ ଚପଲ ତିଆରି କରିବାରେ ସେମାନେ ମଧ୍ୟ ପ୍ରଥମ ଥିଲେ। ସେମାନେ୧୯୩୭ରେ ଯାଏ ଚମଡ଼ା ଚପଲ ତିଆରି କଲେ। ୧୯୩୯ ବେଳକୁ ସାରା ଭାରତରେ ଛୟାଅଶୀଟି ବାଟା ତିଆରି ଜୋତାର ଦୋକାନ ଖୋଲି ସାରିଲାଣି ଓ ସପ୍ତାହକୁ ପଇଁତିରିଶ ଶହରୁ ଅଧିକ ଜୋତା ବିକ୍ରି ହେଲାଣି।

୧୯୩୮ ବେଳକୁ ବାଟା କମ୍ପାନୀ ତା’ର ବ୍ୟବସାୟ ତିରିଶରୁ ଅଧିକ ଦେଶକୁ ସମ୍ପ୍ରସାରିତ କରିସାରିଥିଲା। ସେତେବେଳକୁ ଭାରତର ବାଟା କମ୍ପାନୀରେ ଚାରି ହଜାରରୁ ଅଧିକ ଲୋକ କାମ କରୁଥା’ନ୍ତି। ୧୯୪୨ରେ ବାଟା ପାଟନାର ବାଟାଗଞ୍ଜରେ ଓ ୧୯୫୨ରେ ଫରିଦାବାଦ୍‌ରେ ଗୋଟେ ଗୋଟେ ନୂଆ କମ୍ପାନୀ ବସାଇଥିଲା।

ଆଜିର ବାଟା ଲୋଗୋ ଅତି ପରିଚିତ ଲୋଗୋମାନଙ୍କ ଭିତରୁ ଅନ୍ୟତମ। ନାଲି ରଙ୍ଗରେ ଇଂରାଜୀ ଇଟାଲିକ୍ ବଡ଼ ଅକ୍ଷରରେ ଲେଖା ବାଟା ବୋଲି ଚାରି ଅକ୍ଷରକୁ ପାଠ ପଢ଼ି ନଥିବା ଲୋକ ବି ପଢ଼ି ପକାଉଥିଲେ। ବାଟାର ପ୍ରଥମ ଲୋଗୋରେ ଲେଖା ଥିଲା ଟିଏଣ୍ଡ୍‌ଏ ବାଟା। ୧୯୨୪ରେ କେବଳ ବାଟା ଲେଖାଗଲା। ଆଜିର ପ୍ରଚଳିତ ଲୋଗୋ ମଧ୍ୟ ବହୁତ ପୁରୁଣା। ବାଟା ପ୍ରଥମ କମ୍ପାନୀ ଯିଏକି ତା’ର ଜୋତା ଅଧିକ ବିକ୍ରିକରିବା ପାଇଁ ବିଜ୍ଞାପନରେ ଭଲ ପଇସା ଖର୍ଚ୍ଚ କରୁଥିଲା।

ମଜା କଥା ହେଲା, ବାଟା ଚପଲର ଦର କେବେ ବି ପୂରା ଟଙ୍କା ନ ହେଇ ୯ରେ ଶେଷ ହେଉଥିଲା। ଉଦାହରଣ ସ୍ୱରୂପ, ବାଟା ଚପଲ ଦର ଶହେ ଟଙ୍କା ନ ହେଇ ହେଉଥିଲା ଅନେଶତ ଟଙ୍କା। ହଜାର ଟଙ୍କା ନ ହେଇ ହେଉଥିଲା ନଅ ଶହ ଅନେଶତ ଟଙ୍କା। ଏବେବି ସେଇ ପରି ଦର ରଖିଛି କମ୍ପାନୀ। ବାଟା କମ୍ପାନୀ ତିଆରି କରୁଥିବା ଜୋତାର ଡିଜାଇନ୍ ବେଶ୍ ଲୋକପ୍ରିୟ ଥିବାରୁ ତାକୁ ଅବିକଳ ନ କଲ କରି ବଜାରରେ ଶସ୍ତା ଦରରେ ଜୋତା ସବୁ ମିଳୁଥିଲା। ଯେଉଁମାନେ ବାଟା କିଣି ପାରୁ ନଥିଲେ ସେମାନେ ସେଇ ବାଟା ପରି ଦିଶୁଥିବା ଅପେକ୍ଷାକୃତ କମ ଦରର ଜୋତା ଚପଲରେ କାମ ଚଳାଉଥିଲେ।

ସତୁରୀ ଦଶକ ବେଳକୁ ବାଟା କପଡ଼ାରେ ତିଆରି ଜୋତା ଭାରତୀୟ ବଜାରକୁ ଆଣିଲା। ଯାହାକୁ କମ୍ପାନୀ ଟେନିସ୍ ସୁ ବୋଲି ନାମକରଣ କରିଥାଏ। ସରଳ ଡିଜାଇନ୍‌ର ଧଳା ରଙ୍ଗର କ୍ୟାନ୍‌ଭାସ୍ କପଡ଼ାରେ ତିଆରି ଟେନିସ୍ ସୁ’ର ବଜାର ଚାହିଦା ବେଶ୍ ଅଧିକ ଥିଲା। କାରଣ ବାଟାର ଟେନିସ୍ ସୁ ଆମ ସ୍କୁଲ୍ ସୁ’କୁ ବଦଳି ସାରିଥିଲା। ଧଳା ରଙ୍ଗର ମୋଜା ଓ କ୍ୟାନ୍‌ଭାସ୍ କପଡ଼ାର ସୁ ପିନ୍ଧି ପିଲାମାନେ ସ୍କୁଲ୍ ଯିବାର ଦୃଶ୍ୟ ଅନେକଙ୍କର ଅବଶ୍ୟ ମନେଥିବ।

ଆମ ପିଲାବେଳେ ସହରୀ ସ୍କୁଲ୍‌ର ପିଲାମାନେ ଏମିତିକା ସୁ ପିନ୍ଧୁଥିବା ବେଳେ ଆମ ଗାଁ ଗହଳ ଓ ଛୋଟ ସହରର ସରକାରୀ ସ୍କୁଲ୍ ପିଲାଙ୍କର ପାଦ ତଥାପି ଲଙ୍ଗଳା ଥିଲା। ବାଟାର ଏହି ଟେନିସ୍ ସୁ’ର ବିଶ୍ୱବ୍ୟାପି ଲୋକପ୍ରିୟତା ରହିଥିଲା। ୧୯୮୦ ମସିହା ବେଳକୁ ବାଟା ଜୋତାକୁ ବଜାରରେ ଟକ୍କର ଦେବାକୁ ଆରମ୍ଭ କଲେ ଖାଦିମ୍ ଓ ପାରାଗନ୍ ପରି ଜୋତା କମ୍ପାନୀ। ୧୯୮୬ରେ ବାଟା ମେକ୍ସିକୋରେ ଆୟୋଜିତ ହୋଇଥିବା ଫିପା ଫୁଟ୍‌ବଲ୍ ବିଶ୍ୱକପ୍ ଓ ଆଇସିସି କ୍ରିକେଟ୍‌ ବିଶ୍ୱକପ୍‌ର ଅଫିସିଆଲ୍ ସ୍ପୋନ୍ସରର୍ ଥିଲା।

ଆଜି ଭାରତୀୟ ଜୋତା ବଜାରର ଆକାର ୨୦୨୦ ମସିହାର ଏକ ହିସାବ ଅନୁସାରେ ପ୍ରାୟ ୭୯୨୩ ମିଲିୟନ ଆମେରିକୀୟ ଡଲାରରୁ ଅଧିକା। ଏକଥା ସତ ଯେ; ଆଜି ସାରା ଭାରତୀୟ ବଜାରରେ ଭଳିକି ଭଳି ଦେଶୀ ଓ ବିଦେଶୀ ଜୋତାର ପସରା, ହେଲେ ବାଟା ଜୋତା ପରି ଲୋକପ୍ରିୟତା କିନ୍ତୁ କାହାକୁ ବି ମିଳିନି।

ଭୁବନେଶ୍ୱର: ଦୂରଭାଷ: ୯୮୬୧୧୨୪୧୭୩

OTV is now on Whatsapp

Join and get latest news update delivered to you via whatsapp

Join Now