• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Biswajit Mohanty

ବର୍ମିଂହାମ୍ ଟେଷ୍ଟ୍‌ରେ ଇଂଲଣ୍ଡ ଠାରୁ ଟିମ୍ ଇଣ୍ଡିଆର ପରାଜୟ ଓ ଏହାର କାରଣକୁ ନେଇ ଆଲୋଚନା ହେଉଥିବା ବେଳେ ଅନ୍ୟପଟେ ଆଉ ଏକ ପ୍ରସଙ୍ଗ ଚର୍ଚ୍ଚା ପରିସରଭୁକ୍ତ ହୋଇଛି। ଏ ଚର୍ଚ୍ଚାର ଉଦ୍ଭବ ଅବଶ୍ୟ ଏବେ ହୋଇ ନାହିଁ; ହେଲେ ଏଥିରେ କ୍ଷିପ୍ରତା ଆସିଛି।

ଏ ଚର୍ଚ୍ଚା ଏମିତି ଜଣେ କ୍ରିକେଟର୍‌ଙ୍କୁ ନେଇ, ଯିଏ ଯୁବ ବୟସରୁ ନିଜ ପ୍ରତିଭା ଓ ନେତୃତ୍ୱ-ଦକ୍ଷତାର ପ୍ରଦର୍ଶନ କରିଆସିଛନ୍ତି। ନେତୃତ୍ୱ ତ ସେ ଛାଡ଼ି ସାରିଲେଣି, ଏବେ ତାଙ୍କ ବ୍ୟକ୍ତିଗତ ପ୍ରଦର୍ଶନକୁ ନେଇ ଅଙ୍ଗୁଳି ନିର୍ଦ୍ଦେଶ ହେଉଛି। ସେ ଥିଲେ ୨୦୦୮ କନିଷ୍ଠ ବିଶ୍ୱକପ୍ ବିଜେତା ଟିମ୍‌ର ଅଧିନାୟକ, ଜଣେ ଉତ୍ତମ ବ୍ୟାଟର୍। ବରିଷ୍ଠ ଟିମ୍‌କୁ ଆସିବା ପରେ ସେ ଅନେକ ଅବସରରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ଟିମ୍‌କୁ ଜିତାଇଛନ୍ତି। ଅନେକ ରେକର୍ଡ କରିଛନ୍ତି, ଅନେକ ପୁରସ୍କାର ଲାଭ କରିଛନ୍ତି।

ସେ ହେଲେ ବିରାଟ କୋହଲି। ଏକଦା କୁହାଯାଉଥିଲା ଯେ ସେ କିମ୍ବଦନ୍ତୀ କ୍ରିକେଟର୍ ସଚିନ ତେନ୍ଦୁଲକରଙ୍କ କେତେକ ବଡ଼ ରେକର୍ଡକୁ ବି ଭାଙ୍ଗି ଦେଇପାରନ୍ତି। ଆନ୍ତର୍ଜାତିକ କ୍ରିକେଟ୍‌ରେ ତେନ୍ଦୁଲକର ସମସ୍ତ ଫର୍ମାଟ୍‌କୁ ମିଶାଇ ମୋଟ୍ ୧୦୦ ଶତକ ହାସଲ କରିଥିବା ବେଳେ କୋହଲି ୭୦ ଶତକ ଲଗାଇଛନ୍ତି। ଏ ବ୍ୟବଧାନ ବି ସମୟକ୍ରମେ ଆଉ ରହିବ ନାହିଁ ବୋଲି କ୍ରିକେଟ୍ ବିଶ୍ଳେଷକମାନେ ଆଶାପୋଷଣ କରୁଥିଲେ।

ଦିନିକିଆ ଆନ୍ତର୍ଜାତିକରେ କୋହଲି (୪୩) ତେନ୍ଦୁଲକରଙ୍କ ଠାରୁ ମାତ୍ର ୬ ଶତକ ଦୂରରେ ଅଛନ୍ତି। କିନ୍ତୁ ବିଡ଼ମ୍ବନାର ବିଷୟ, ସେ ଅଢ଼େଇ ବର୍ଷରୁ ଊର୍ଦ୍ଧ୍ୱ କାଳ ଧରି କୌଣସି ଫର୍ମାଟ୍‌ରେ ଶତକ ଲଗାଇ ନାହାନ୍ତି। ଏବେ କ୍ରିକେଟ୍ ଜଗତରେ ତାଙ୍କ ବ୍ୟାଟିଂ ପ୍ରଦର୍ଶନକୁ ନେଇ ଚର୍ଚ୍ଚା ହେଉଛି।

ଗୋଟିଏ ସମୟରେ କୋହଲି ଆଇସିସି ଦିନିକିଆ ବ୍ୟାଟିଂ ମାନ୍ୟତାରେ ଶୀର୍ଷ ସ୍ଥାନରେ ଥିଲେ। ସେ ଟେଷ୍ଟ୍‌ରେ ଆଠ ହଜାରରୁ, ଦିନିକିଆରେ ୧୨ ହଜାରରୁ ଏବଂ ଟି-୨୦ରେ ତିନି ହଜାରରୁ ଅଧିକ ରନ୍ ସଂଗ୍ରହ କରିଛନ୍ତି। ଆଇପିଏଲ୍ ଭଳି ଘରୋଇ ଟି-୨୦ ଲିଗ୍‌ରେ ସେ ସାଢ଼େ ଛଅ ହଜାରରୁ ଅଧିକ ରନ୍ କରିଛନ୍ତି। ଏସବୁ କିଛି କମ୍ ଉପଲବ୍ଧି ନୁହେଁ। ଏଥିରେ କେତେକ କିର୍ତ୍ତୀମାନ ବି ରହିଛି।

ଏତଦ୍‌ଭିନ୍ନ, କୋହଲି ତିନିଟିଯାକ ଫର୍ମାଟ୍‌ରେ ମୋଟ୍ ୨୧୩ ଆନ୍ତର୍ଜାତିକ ମ୍ୟାଚ୍‌ରେ ଭାରତୀୟ ଟିମ୍‌ର ନେତୃତ୍ୱ ନେଇଛନ୍ତି। ୬୮ ଟେଷ୍ଟ୍‌ ମଧ୍ୟରୁ ୪୦ ମ୍ୟାଚ୍ ଜିତି ସେ ଏଯାବତ୍ ଦେଶର ସବୁଠାରୁ ସଫଳ ଟେଷ୍ଟ୍‌ ଅଧିନାୟକ ହେବାର ଗୌରବ ବଜାୟ ରଖିଛନ୍ତି। ବିଜିତ ମ୍ୟାଚ୍ ସଂଖ୍ୟା ଦୃଷ୍ଟିରୁ ସେ ବିଶ୍ୱ କ୍ରିକେଟ୍‌ରେ ଚତୁର୍ଥ ସ୍ଥାନରେ ରହିଛନ୍ତି।

କୋହଲିଙ୍କ ନେତୃତ୍ୱ କାଳରେ ଆଇସିସି ଟେଷ୍ଟ୍‌ ମାନ୍ୟତାରେ ଟିମ୍ ଇଣ୍ଡିଆ ୪୨ ମାସ ଧରି ଶୀର୍ଷ ସ୍ଥାନରେ ରହିଥିଲା। ଭାରତ ପ୍ରଥମ ଥର ଅଷ୍ଟ୍ରେଲିଆରେ ଟେଷ୍ଟ୍‌ ଶୃଙ୍ଖଳା ଜିତିଥିଲା। ପ୍ରଥମ ବିଶ୍ୱ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍‌ରେ ତାଙ୍କ ଟିମ୍ ଫାଇନାଲ୍‌ରେ ପହଞ୍ଚିଥିଲା। ସେହିପରି ଦିନିକିଆରେ କୋହଲି ଭାରତକୁ ୯୫ରୁ ୬୫ ଏବଂ ଟି-୨୦ରେ ୫୦ରୁ ୩୦ ମ୍ୟାଚ୍‌ରେ ଜିତାଇଥିଲେ। ଦେଶ-ବିଦେଶରେ ସବୁ ଫର୍ମାଟ୍‌ରେ ଟିମ୍ ଭଲ ଖେଳିଥିଲା।

ଏବେ କିନ୍ତୁ ଯେଉଁ ଚର୍ଚ୍ଚା ହେଉଛି, ତାହା ତାଙ୍କ ପ୍ରତିଭାର ପରାକାଷ୍ଠାକୁ ନେଇ ନୁହେଁ ବରଂ ତାଙ୍କ କ୍ୟାରିଅରର ଅନ୍ତ ସମୟ ପାଖେଇ ଆସିବା ନେଇ। ଟିମ୍ ଇଣ୍ଡିଆ ଏବେ ଇଂଲଣ୍ଡ ଗସ୍ତରେ ଅଛି। କୁହାଯାଇଛି ଯେ ଏହି ଗସ୍ତ କୋହଲିଙ୍କ ଭବିଷ୍ୟତ ନିର୍ଦ୍ଧାରଣ କରିବ।

ଜଣେ ଅଭିଜ୍ଞ ଖେଳାଳି ସେତିକିବେଳେ ଅବସର ନେଇଥା’ନ୍ତି, ଯେତେବେଳେ ସେ ବୁଝିପାରନ୍ତି ଯେ ସେ ବହୁତ ଖେଳିସାରିଲେଣି, ଆଉ ଅଧିକ ଖେଳିବା ତାଙ୍କ ପକ୍ଷେ ସମ୍ଭବପର ନୁହେଁ। ଏବେ ଆଉ ତାଙ୍କ ଭିତରେ ପୂର୍ବ ଭଳି ଫିଟ୍‌ନେସ୍ ନାହିଁ। ଫର୍ମ ବଜାୟ ରଖିବା ବି ବଡ଼ ଆହ୍ୱାନ ହୋଇଛି। ଏବେ ଯୁବ ଖେଳାଳିଙ୍କ ପାଇଁ ବାଟ ଛାଡ଼ିବାକୁ ହେବ। ନିଜ ପରିବାର ପାଇଁ ସମୟ ଦେବାକୁ ହେବ। ଏବେ ହିଁ ଖେଳ ଛାଡ଼ିବାର ପ୍ରକୃଷ୍ଟ ସମୟ।

ଜଣେ ସୁଯୋଗ ପାଉ ନ ଥିବା ଯୁବକ କିମ୍ବା ସ୍ୱଳ୍ପାଭିଜ୍ଞ ଖେଳାଳି ଅବସର ନେବା ପଛରେ ବିଭିନ୍ନ କାରଣ ଥାଇପାରେ; କିନ୍ତୁ ଜଣେ ସ୍ୱାଭାବିକ ଅଭିଜ୍ଞ ଖେଳାଳିଙ୍କ ଅବସର ପଛରେ ଏସବୁ କାରଣ ହିଁ ରହିଥାଏ। ଅବସର ନେଉଥିବା ଅଭିଜ୍ଞ ଖେଳାଳିମାନଙ୍କ ମଧ୍ୟରୁ ଜଣେ ଜଣେ ଭଲ ଖେଳୁଥିଲେ ହେଁ ସେମାନଙ୍କର ଫିଟ୍‌ନେସ୍ ନ ଥାଏ, ଆଉ କେହି କେହି ଫିଟ୍ ଥିଲେ ମଧ୍ୟ ସେମାନଙ୍କର ଫର୍ମ ନ ଥାଏ। ଧୋନି, କୋହଲି ପ୍ରମୁଖଙ୍କ କ୍ଷେତ୍ରରେ ସମସ୍ୟା ଦ୍ୱିତୀୟ ପ୍ରକାରର। ୟୋ ୟୋ ଫିଟ୍‌ନେସ୍ ଟେଷ୍ଟ୍‌ରେ କେହି ପାସ୍ ହୁଅନ୍ତୁ ବା ନ ହୁଅନ୍ତୁ, ଏହି ଦୁଇ ଜଣ ନିଶ୍ଚୟ ପାସ୍ କରନ୍ତି।

ତେଣୁ ଫିଟ୍‌ନେସ୍ କୋହଲିଙ୍କ ପାଇଁ ବଡ଼ ପ୍ରସଙ୍ଗ ନୁହେଁ କି ଧୋନିଙ୍କ ପାଇଁ ବି ନ ଥିଲା। ବ୍ୟାଟିଂ ଫର୍ମ ହିଁ ବଡ଼ କାରଣ ଥିଲା ଧୋନିଙ୍କ ପାଇଁ, ଆଉ ଏବେ କୋହଲି ସେହି ସମାନ ସମସ୍ୟା ଦେଇ ଗତି କରୁଛନ୍ତି।

ଆଚରଣ ଦୃଷ୍ଟିରୁ ଧୋନି ଓ କୋହଲିଙ୍କ ମଧ୍ୟରେ ପ୍ରଭେଦ ଥିଲେ ମଧ୍ୟ ଉଭୟ ନିଜ ନିଜ ଶୈଳୀରେ ନେତୃତ୍ୱ ନେବାର ଦକ୍ଷତା ରଖୁଥିଲେ। ଧୋନିଙ୍କ ଉତ୍ତରାଧିକାରୀ ଭାବରେ କୋହଲି ଯେତେବେଳେ ଭାରତୀୟ ଟିମ୍‌ର ଦାୟିତ୍ୱ ନେଲେ, ସେତେବେଳେ ତାଙ୍କ ଠାରୁ ବଡ଼ ସଫଳତା ଆଶା କରାଯିବାରେ ବିଚିତ୍ରତା ନ ଥିଲା। କିନ୍ତୁ କୋହଲି ଅଧିନାୟକ ଭାବେ ଧୋନିଙ୍କ ଭଳି ବଡ଼ ସଫଳତା ହାସଲ କରିପାରି ନ ଥିଲେ। ସେ କୌଣସି ଆଇସିସି ଟୁର୍ଣ୍ଣାମେଣ୍ଟରେ ଟିମ୍‌କୁ ଟ୍ରଫି ଜିତାଇପାରି ନ ଥିଲେ, ଯେତେବେଳେ କି ଧୋନି ସମସ୍ତ ଆଇସିସି ମୁକୁଟ ଜିତାଇଥିଲେ।

ଫଳସ୍ୱରୂପ, କୋହଲି ପ୍ରଥମେ ଟି-୨୦ ଓ ଏହାପରେ ଟେଷ୍ଟ୍‌ ଅଧିନାୟକତ୍ୱ ଛାଡ଼ିଥିଲେ। ତେବେ ଦିନିକିଆ ଅଧିନାୟକତ୍ୱ ତାଙ୍କ ଠାରୁ କାଢ଼ି ନିଆଯାଇଥିଲା। ଏପରିକି ଆଇପିଏଲ୍‌ରେ ମଧ୍ୟ ସେ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋରର ନେତୃତ୍ୱ ଦାୟିତ୍ୱରୁ ଅବ୍ୟାହତି ନେଇଥିଲେ।

କୋହଲି ଦୀର୍ଘ ଦିନ ଧରି ଆଶାଜନକ ବ୍ୟାଟିଂ ପ୍ରଦର୍ଶନ କରିପାରୁ ନାହାନ୍ତି। ତାଙ୍କ ଅଧିନାୟକତ୍ୱ ଛାଡ଼ିବା ପଛର ମୂଳ କାରଣ ଥିଲା, ନିଜ ବ୍ୟାଟିଂ ଉପରେ ଫୋକସ୍ କରିବା। କିନ୍ତୁ ସବୁ ଫର୍ମାଟ୍‌ରେ ତାଙ୍କର ଦୁର୍ବଳ ପ୍ରଦର୍ଶନ ଅବ୍ୟାହତ ରହିଛି। ବର୍ମିଂହାମ୍ ଟେଷ୍ଟ୍‌ରେ ସେ ୧୧ ଓ ୨୦ ରନ୍‌ର ଇନିଂସ୍ ଖେଳିଥିଲେ। ଫର୍ମକୁ ଫେରିବା ପାଇଁ ଚଳିତ ବର୍ଷ ଆଇପିଏଲ୍ ତାଙ୍କ ପାଇଁ ଭଲ ପ୍ଲାଟ୍‌ଫର୍ମ ଥିଲା; କିନ୍ତୁ ଏହା ତାଙ୍କ ପାଇଁ ବିଶେଷ ସହାୟକ ହେଲା ନାହିଁ।

ଶେଷ ଥର କୋହଲି ୨୦୧୯ ନଭେମ୍ବର ୨୩ରେ ବାଂଲାଦେଶ ବିପକ୍ଷ ଟେଷ୍ଟ୍‌ରେ ଶତକ ହାସଲ କରିଥିଲେ। ସେବେଠାରୁ ସେ କ୍ରିକେଟ୍‌ର କୌଣସି ଫର୍ମାଟ୍‌ରେ ଗୋଟିଏ ବି ଶତକ ଲଗାଇପାରି ନାହାନ୍ତି। ଶେଷ ଶତକ ପରଠାରୁ ଏଯାବତ୍ ସେ ୧୮ ଟେଷ୍ଟ୍‌ ମ୍ୟାଚ୍ ଖେଳି ସାରିଲେଣି। ସେଥିମଧ୍ୟରୁ ୩୧ ଥର ବ୍ୟାଟିଂ କରିଛନ୍ତି ଏବଂ ମାତ୍ର ୬ ଥର ୫୦ ସଂଖ୍ୟା ଅତିକ୍ରମ କରିପାରିଛନ୍ତି। ଏହି ସମୟରେ ତାଙ୍କ ଆଭରେଜ୍ ମାତ୍ର ୨୭.୪୮ ରହିଛି।

ଆଗକୁ କ’ଣ କରିବେ କୋହଲି?

ବ୍ୟାଟିଂ ଉପରେ ଫୋକସ୍ କରିବା ସହ ନିଜ ଉପରୁ ଚାପ କମାଇବା ପାଇଁ କୋହଲିଙ୍କୁ ଏବେ ସୀମିତ ଓଭର୍ (ଦିନିକିଆ ଓ ଟି-୨୦) ଓ ଟେଷ୍ଟ୍‌ ମଧ୍ୟରୁ ଯେକୌଣସି ଗୋଟିଏ ଫର୍ମାଟ୍‌କୁ ବାଛିବାକୁ ହେବ। ଅନେକ ପୂର୍ବତନ ଖେଳାଳି କ୍ୟାରିଅରର ଶେଷ ବେଳକୁ ଏଇଆ ହିଁ କରିଥା’ନ୍ତି। ସବୁ ଫର୍ମାଟ୍‌ରେ ସବୁବେଳେ ଭଲ ଖେଳିବା ସମ୍ଭବ ନୁହେଁ।

ତେଣୁ କୋହଲି ମଧ୍ୟ ଗୋଟିଏ ଫର୍ମାଟ୍ ଉପରେ ଫୋକସ୍ କଲେ ଭଲ ହେବ। ଖେଳକୁ ଦୀର୍ଘସ୍ଥାୟୀ କରିବାକୁ ହେଲେ ଏହା ପ୍ରମୁଖ ଉପାୟ, ଯାହା ଫଳରେ ତାଙ୍କ ଉପରେ ଅଧିକ ଖେଳର ଚାପ ରହିବନି ଏବଂ ଫିଟ୍‌ନେସ୍ ବି ବଜାୟ ରହିବ।

‘ଯେତିକି ଖେଳିବେ, ଭଲ ଖେଳିବେ’ ନୀତିରେ କ୍ୟାରିଅରର ଅନ୍ତିମ ସୋପାନରେ ତାଙ୍କୁ ଅଧିକ ସମାଲୋଚିତ ହେବାକୁ ପଡ଼ିବନି।

ଦୂରଭାଷ: ୯୪୩୮୧୭୯୨୧୯

ଇ-ମେଲ୍: biswasports@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)