Advertisment

Hidden Wealth Discovery: ବଞ୍ଚୁଥିଲେ ଭିକାରି ପରି, ମଲା ପରେ ଜଣା ପଡ଼ିଲା କୋଟିପତି

ବଞ୍ଚିଥିବା ବେଳେ ଦୀନ ଦରିଦ୍ର ଭଳି ଜିଉଁଥିଲେ । ମଲାପରେ ଜଣାପଡ଼ିଲା ସେ ଥିଲେ କୋଟିପତି । ନା କିଛି ଭୋଗ କରିପାରିଲେ, ନା କଲେ ଦାନ ଧର୍ମ । ନା ଥିଲେ ସ୍ତ୍ରୀ ପିଲାଛୁଆ, ନା କେହି ଉତ୍ତରାଧିକାରୀ ।

author-image
Santosh Kumar Sahoo
undefined

ହାତ ବୁଲାଇଲେ ପୁଳା ପୁଳା ଟଙ୍କା

ଜୀବନକୁ କି ଅବା ଭରସା, ଆଜି ଅଛି କାଲି କି ନାହିଁ । ମଣିଷ ଯେଉଁ ପେଟ ଚାଖଣ୍ଡକ ପାଇଁ ଜୀବନ ଯାକ କଷ୍ଟ କରେ, ଆଉ ସେଇ କଷ୍ଟୋପାର୍ଜିତ ଧନରୁ କାଣିଚାଏ ବି ଯଦି ଜୀବଦ୍ଦଶାରେ ଖର୍ଚ୍ଚ କରିନପାରେ, କିମ୍ବା ଖର୍ଚ୍ଚ କରିବାକୁ ନଚାହେଁ, ତେବେ ତାଙ୍କୁ ଆପଣ କ’ଣ କହିବେ ? କିଛି ଏଭଳି ରୋଚକ କାହାଣୀ ସାମ୍ନାକୁ ଆସିଛି ମାଲକାନଗିରି ମୁଖ୍ୟ ହସ୍ପିଟାଲ ସ୍ବିପର ଡମ୍ବରୁ ଗରଡ଼ାଙ୍କ ଦେହାନ୍ତ ପରେ । ଜୀବନ ସାରା ଅତ୍ୟନ୍ତ ଗରିବ ଭଳି ଚଳିଆସୁଥିବା ଡମ୍ବରୁଙ୍କ ସରକାରୀ କ୍ବାର୍ଟର୍ସ ଭିତରୁ ମିଳିଛି, ସେ ଏଣେତେଣେ ଲୁଚାଇ ରଖିଥିବା ଲକ୍ଷ ଲକ୍ଷ ନଗଦ ଟଙ୍କା। ଅବିବାହିତ ଡମ୍ବରୁଙ୍କ ଏହି ଟଙ୍କା ଏବେ କିଏ ନେବ, ତାକୁ ନେଇ ଉଠିଛି ପ୍ରଶ୍ନ ।

Advertisment

ଅଧିକ ପଢ଼ନ୍ତୁ: ଭବାନୀପାଟଣାରେ ପୋଲିସକୁ ଚ୍ୟାଲେଞ୍ଜ ଦେଉଛନ୍ତି ଲୁଟେରା

ବଞ୍ଚିଥିବା ବେଳେ ଦୀନ ଦରିଦ୍ର ଭଳି ଜିଉଁଥିଲେ । ମଲାପରେ ଜଣାପଡ଼ିଲା ସେ ଥିଲେ କୋଟିପତି । ନା କିଛି ଭୋଗ କରିପାରିଲେ, ନା କଲେ ଦାନ ଧର୍ମ । ନା ଥିଲେ ସ୍ତ୍ରୀ ପିଲାଛୁଆ, ନା କେହି ଉତ୍ତରାଧିକାରୀ । ଏବେ କାହାର ହେବ ଏତେ ଟଙ୍କା ତାକୁ ନେଇ ପ୍ରଶ୍ନ । ମାଲକାନଗିରି ମେଡିକାଲର ସ୍ବିପର୍ ଡମ୍ବରୁ ଗରଡ଼ା । ୩୩ ବର୍ଷ ଧରି ଛୋଟିଆ ଟିଣ ଛପର ସରକାରୀ କ୍ବାର୍ଟର୍ସରେ ରହୁଥିଲେ, ଚାକିରି ସରିବା ମାସେ ଆଗରୁ ଅଚାନକ୍ ହୃଦଘାତରେ ଚାଲିଗଲେ । ଶୁକ୍ରବାର ତାଙ୍କ ଦେହାନ୍ତ ପରେ, ତାଙ୍କୁ ଜାଣିଥିବା ଲୋକେ ଦୁଃଖିତ କମ୍, ଚକିତ ବେଶି । କାରଣ ଜୀବନ ସାରା ଗଣ୍ଡେ ଭଲ ଖାଉନଥିବା କି ଖଣ୍ଡେ ଭଲ ପିନ୍ଧୁନଥିବା ଡମ୍ବରୁଙ୍କ ଘରୁ ବାହାରିଛି ସେ ଲୁଚାଇ ରଖିଥିବା ପୁଳା ପୁଳା ଟଙ୍କା । ଖାତା ଭିତରୁ, ବ୍ୟାଗ୍ ଭିତରୁ, ବିଛଣା ତଳୁ... ଘର ଭିତରେ ଯେଉଁଠି ହାତ ବୁଲାଇଲେ ବାହାରୁଛି ଟଙ୍କା । କେଉଁଠି ପଚାଶ ଟଙ୍କିଆ, କେଉଁଠି ଶହେ ଟଙ୍କିଆ, ତ ଆଉ କେଉଁଠି ୫ଶହ ଟଙ୍କିଆ ବିଡ଼ା । କୁହାଯାଉଛି, ୩-୪ଟି ବ୍ୟାଗ୍ ଭର୍ତ୍ତି ଲକ୍ଷ ଲକ୍ଷ ନଗଦ ଟଙ୍କା ବାହାରିଛି ଡମ୍ବରୁଙ୍କ କ୍ବାର୍ଟର୍ସ ଭିତରୁ । ବ୍ୟାଙ୍କରେ ଜମା ଟଙ୍କା ଓ ଇପିଏଫ୍ ଆଦି ମିଶାଇ ମୋଟ ସଂପତ୍ତି କୋଟିଏ ଟପିବ ।

ଗୁଣ୍ଡୁଚି ମୂଷାର ଗୋଟିଏ ରୋଚକ ଅଭ୍ୟାସ ଅଛି । ତରବର ହୋଇ ପୁଳାଏ ମଞ୍ଜି କି ବାଦାମ ଗୋଟାଇ ନିଏ, ଆଉ ଏଣେତେଣେ କେଉଁଠି ଲୁଚାଏ ଯେ, ନିଜେ ବି ଭୁଲିଯାଏ । ଠିକ୍ ସେମିତି ଡମ୍ବରୁ ବି ଗୋଟିଏ ଜାଗାରେ ଟଙ୍କା ନରଖି ଏଠି ସେଠି ଗୁଞ୍ଜି ଦେଉଥିଲେ । ହେଲେ କୃପଣତା ଯୋଗୁଁ ହୁଏତ ଖର୍ଚ୍ଚ କରିବାକୁ ହାତ ଯାଉନଥିଲା । ରାତିରେ ଡ୍ୟୁଟିରୁ ଫେରିଲେ ବର୍ଷ ବର୍ଷ ଧରି ମହମବତି ଜାଳୁଥିଲେ ଡମ୍ବରୁ। କ୍ବାର୍ଟର୍ସରେ ଲାଇଟ୍ ଓ ଫ୍ୟାନ୍ ସୁବିଧା ଥିଲେ ବି କରେଣ୍ଟ୍ ନେଇନଥିଲେ । ଶେଷ ବେଳକୁ ମାସକୁ ପ୍ରାୟ ୫୦ ହଜାର ଟଙ୍କା ଦରମା ପାଉଥିଲେ ବି, ଆସବାବପତ୍ର କହିଲେ ଖଣ୍ଡେ ଦୌଡ଼ିଆ ଖଟ, ଗୋଟିଏ ଗାମୁଛା, କେଇ ହଳ ଡ୍ରେସ୍ । ଆଗରୁ ପୁରୁଣା ସାଇକେଲ ଖଣ୍ଡେ ଥିଲା ଯେ, ଗଲାବର୍ଷ ତାହା ଚୋରି ହୋଇଗଲା । ଇଚ୍ଛା କଲେ କାର୍ କିଣିବାର ସାମର୍ଥ୍ୟ ଥିବା ଡମ୍ବରୁ, ସାଇକେଲ୍ ଚୋରି ପରେ ନୂଆ ସାଇକେଲ୍ ଟିଏ ବି ନକିଣି ବର୍ଷେ ହେଲା ଚାଲି ଚାଲି ହସ୍ପିଟାଲ ଯାଉଥିଲେ । ସେ ବିବାହ କରିନଥିବା ବେଳେ, କେହି ଘରଲୋକ କି କୁଣିଆ ବି ତାଙ୍କ ଘରକୁ କେବେ ଆସୁନଥିଲେ । ପଡ଼ୋଶୀ କୁହନ୍ତି, ଘରେ ରୋଷେଇ ନକରି, ବାହାରେ ଯେଉଁଠୁ ଯାହା ଯେମିତି ମିଳିଲା, ତାକୁ ହିଁ ଖାଇ ଦିନ କାଟୁଥିଲେ ଡମ୍ବରୁ ଗରଡ଼ା ।

Advertisment

ବେଶ୍ ମେଳାପି ଓ କର୍ତ୍ତବ୍ୟନିଷ୍ଠ ଥିବା ଡମ୍ବରୁ ଗତ ଶୁକ୍ରବାର ହୃଦଘାତର ଶିକାର ହେବା ପରେ, ତାଙ୍କୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହେବା ପରେ, ତାଙ୍କର ଦୂର ସଂପର୍କୀୟଙ୍କୁ ଡକାଯାଇ ପୋଲିସ ଉପସ୍ଥିତିରେ ଘରର ଚାବି ଖୋଲିବାରୁ ସାମ୍ନାକୁ ଆସିଥିଲା ଟଙ୍କା ଗୁମର । ଡମ୍ବରୁଙ୍କର କେହି ସିଧାସଳଖ ଉତ୍ତରାଧିକାରୀ ନଥିବାରୁ ଏବେ ଏ ଟଙ୍କା କାହା ପାଖକୁ ଯିବ, ତାହା ଚର୍ଚ୍ଚାର ବିଷୟ ପାଲଟିଛି ।

ଅଧିକ ପଢ଼ନ୍ତୁ: ସମ୍ବଲପୁରରେ ୧୪୦୦ ଜଣଙ୍କର ଦୁଃଖ ଶୁଣିଲେ ମୁଖ୍ୟମନ୍ତ୍ରୀ

Malkangiri Hidden Treasure
Advertisment
Advertisment