Advertisment

Actor Ajay Nayak's Untimely Demise: ଟେଲରିଂ ବୃତ୍ତିରୁ କଳା କ୍ଷେତ୍ର...ଅଜୟଙ୍କୁ ହରାଇ ଝୁରୁଛି ହାସ୍ୟ ଅଭିନୟ ଜଗତ...

କେତେବେଳ ଚୋର ତ ଆଉ କେତେବେଳେ ପୋଲିସ...କେବେ ବାବା ସାରଥୀଙ୍କ ଭକ୍ତ ତ ଆଉ କେବେ ମହାଭାରତର ସଂଜୟ।.. ତାଙ୍କ ଅଭିନୟର ଚାତୁରି ଯେତିକି ଚମତ୍କାର ଥିଲା, ଡାଇଲଗ୍ ଡେଲିଭରିରେ ବି ଥିଲେ ସେତିକି ମାହିର...।

author-image
Sujit kumar Swain
ଅଦ୍ୟତନ ହୋଇଛି
undefined

Actor Ajay Nayak's Untimely Demise

ଓଟିଭିର ଲୋକପ୍ରିୟ କାର୍ଯ୍ୟକ୍ରମ ଦି ଗ୍ରେଟ୍ ଓଡ଼ିଶା ପଲିଟିକାଲ୍ ସର୍କସର ଲୋକପ୍ରିୟ ଅଭିନେତା ଅଜୟ ନାୟକ ଆଉ ନାହାନ୍ତି। ମାତ୍ର ୫୦ ବର୍ଷ ବୟସରେ ଗତକାଲି ସଂଧ୍ୟାରେ ପୁରୀ କଣାସ ସ୍ଥିତ ତାଙ୍କ ଗାଁରେ ହୃଦଘାତରେ ଦେହାନ୍ତ ହୋଇଛି। କଣାସ ଗାଁରୁ ଟେଲରିଂ ବୃତ୍ତିରୁ କଳା କ୍ଷେତ୍ରକୁ ଆସି ଦୀର୍ଘ ୧୫ ବର୍ଷରୁ ଅଧିକ ସମୟ ଧରି ଢେର ପ୍ରଶଂସା ଓ ପରିଚୟ ସାଉଁଟିଥିବା ଅଜୟଙ୍କୁ ହରାଇ ଝୁରୁଛି ହାସ୍ୟ ଅଭିନୟ ଜଗତ।

Advertisment

କେତେବେଳ ଚୋର ତ ଆଉ କେତେବେଳେ ପୋଲିସ...କେବେ ବାବା ସାରଥୀଙ୍କ ଭକ୍ତ ତ ଆଉ କେବେ ମହାଭାରତର ସଂଜୟ।.. ତାଙ୍କ ଅଭିନୟର ଚାତୁରି ଯେତିକି ଚମତ୍କାର ଥିଲା, ଡାଇଲଗ୍ ଡେଲିଭରିରେ ବି ଥିଲେ ସେତିକି ମାହିର...। ବ୍ୟଙ୍ଗ କଳାକାର ଭାବେ ଦର୍ଶକଙ୍କୁ ହସାଇ ହସାଇ ବେଦମ କରୁଥିବା ଅଭିନେତା ଅଜୟ ନାୟକଙ୍କର ହୃଦଘାତରେ ହୋଇଛି ଅକାଳ ବିୟୋଗ। ମାତ୍ର ୫୦ ବର୍ଷ ବୟସରେ ପରିବାର, କଳା ଜଗତ ଓ ସର୍ବୋପରି ଦୁନିଆଠୁ ଦୂରେଇ ଯାଇଛନ୍ତି ଏହି ପ୍ରତିଭାବାନ କଳାକାର। ଯାହାଙ୍କ ବିୟୋଗରେ ଖାଲି ସ୍ତବ୍ଧ ହୋଇନି ଟିମ୍ ପଲିଟିକାଲ ସର୍କସ, ବରଂ କଣାସ, ପୁରୀ, ଭୁବନେଶ୍ବର ଭଳି ରାଜ୍ୟର ବିଭିନ୍ନ ଅଞ୍ଚଳର ଅଭିନେତା, ନେତା, ସାଧାରଣ ଜନତା ବି ନିର୍ବାକ, ନିଶ୍ଚଳ।

ଅଧିକ ପଢ଼ନ୍ତୁ: ହସାଉଥିଲେ ମାତ୍ର ୫୦ବର୍ଷ ବୟସରେ ସମସ୍ତଙ୍କୁ ଛାଡି ଚାଲିଗଲେ, ଝୁରୁଛନ୍ତି ହଜାର ହଜାର ପ୍ରଶଂସକ

Advertisment

ପୁରୀ କଣାସ ଗାଁରେ ସାଧାରଣ ଟେଲରିଂ କରି ଚଳୁଥିବା ଯୁବ ପ୍ରତିଭାବାନ କଳାକାର ଅଜୟଙ୍କ ଭିତରେ ଥିବା ସୁପ୍ତ ପ୍ରତିଭାକୁ ସମ୍ନାକୁ ଆଣିଥିଲା ଓଟିଭି। ଓଟିଭିର ଲୋକପ୍ରିୟ କାର୍ଯ୍ୟକ୍ରମ ଦି ଗ୍ରେଟ୍ ଓଡ଼ିଶା ପଲିଟିକାଲ ସର୍କସରେ ୨୦୧୦ରେ ସେ ଅଭିନୟ ପାଇଁ ମନୋନୀତ ହେବା ପରେ ସେଇଠୁ ଆରମ୍ଭ ହୋଇଥିଲା ତାଙ୍କ ବୃତ୍ତିଗତ କଳାକାର ଜୀବନ। ତାପରଠୁ ଆଉ ପଛକୁ ଫେରିନଥିଲେ ଅଜୟ। ୨୦୧୦ରୁ ଏ ପର୍ଯ୍ୟନ୍ତ ନିରବଚ୍ଛିନ୍ନ ଭାବେ ଜାରି ରଖିଥିଲେ ଅଭିନୟର ଯାତ୍ରା। ରାଜ୍ୟର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସାମାଜିକ, ରାଜନୈତିକ ଓ ଅନ୍ୟ ସାଂପ୍ରତିକ ପ୍ରସଙ୍ଗକୁ ବ୍ୟଙ୍ଗାତ୍ମକ ଶୈଳୀରେ ଅତି ନିଖୁଣ ଭାବେ ଦର୍ଶକଙ୍କ ଆଗରେ ପେସ୍ କରୁଥିଲେ ଅଜୟ । ପଲିଟିକାଲ ସର୍କସରେ ଓଡ଼ିଶା ଜନନାଟ୍ୟର ଅଜୟ ଆଉ ସଚିକାନ୍ତଙ୍କ ଯୋଡ଼ି ମଞ୍ଚକୁ ଆସିବା ମାତ୍ରେ, ତାଳି ବୃଷ୍ଟି ସହ ଅଭିନୟ ଶେଷ ପର୍ଯ୍ୟନ୍ତ ଅପେକ୍ଷା କରୁଥିଲେ ଦର୍ଶକ। ଏମିତିକି କଳା ଓ ଅଭିନୟ ପ୍ରତି ଉତ୍ସର୍ଗୀକୃତ ଅଜୟଙ୍କର ଗତକାଲି ଦେହାନ୍ତ ଖବର ଟିଭି ସ୍କ୍ରିନରେ ଚାଲିବା ବେଳେ, ସେହି ସମାନ ସମୟରେ ହିଁ ପ୍ରସାରିତ ହେଉଥିଲା ତାଙ୍କ ଅଭିନୀତ କାର୍ଯ୍ୟକ୍ରମ।

ପୁରୀ କଣାସ ଅଞ୍ଚଳର ଅଜୟ ନାୟକ, ୬ ଭାଇଙ୍କ ମଧ୍ୟରୁ ଅନ୍ୟତମ। ତାଙ୍କ ପୁଅ ଏବେ ମାଟ୍ରିକ୍ ପଢୁଛି। ଆଜି କଣାସ ଗାଁ ସ୍ମାଶାନରେ ତାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। କଣାସ ମାଟି ଜଣେ ସୁଯୋଗ୍ୟ ସନ୍ତାନକୁ ହରାଇବା ଦୁଃଖରେ ଶୋକରେ ବୁଡ଼ିଛି ସମଗ୍ର ଅଞ୍ଚଳ।

ଅଧିକ ପଢ଼ନ୍ତୁ: ଯାତ୍ରା ବିବାଦରେ ନିଇତି ନୂଆ ନୂଆ ନାଟକ...ଯାତ୍ରା ମଞ୍ଚରେ କମ୍, ମଞ୍ଚ ବାହାରେ ଏବେ ବେଶି 'ବହି'

Advertisment
Advertisment