Advertisment

Sports: ବିଶ୍ୱକପ୍‌ରେ ଟିମ୍ ଇଣ୍ଡିଆ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ଲୋକେଶ ରାହୁଲ

ଆଘାତରୁ ସୁସ୍ଥ ହୋଇ ପ୍ରତ୍ୟାବର୍ତ୍ତନ ପରେ ନୂଆ ଅବତାରରେ ଭାରତୀୟ ୱିକେଟ୍‌କିପର୍‌-ବ୍ୟାଟର୍ ଲୋକେଶ ରାହୁଲ। ଏବେ ସେ ସାଜିଛନ୍ତି ମଧ୍ୟକ୍ରମର ମେରୁଦଣ୍ଡ। କେବଳ ବ୍ୟାଟର୍ ଭାବେ ନୁହନ୍ତି, ୱିକେଟ୍‌କିପର୍ ଭାବରେ ମଧ୍ୟ ତୁଲାଉଛନ୍ତି ଗୁରୁତ୍ୱପୂର୍ଣ୍ଣ ଭୂମିକା।

author-image
Biswajit Mohanty
ଅଦ୍ୟତନ ହୋଇଛି
How important Lokesh Rahul is for Team India in the World Cup

How important Lokesh Rahul is for Team India in the World Cup

ଚଳିତ ବର୍ଷ ଅଗଷ୍ଟରେ ଭାରତର ପୂର୍ବତନ ଅଲ୍‌ରାଉଣ୍ଡର୍ ଯୁବରାଜ ସିଂହ ଏକ ସାକ୍ଷାତକାରରେ କହିଥିଲେ ଯେ ୨୦୨୩ ବିଶ୍ୱକପ୍‌ରେ ଭାରତୀୟ ମଧ୍ୟକ୍ରମ ଉପରେ ବହୁତ ଅଧିକ ଚାପ ରହିବ ଏବଂ ଏହି କାରଣରୁ ବ୍ୟାଟର୍‌ଙ୍କ ପ୍ରଦର୍ଶନ ପ୍ରଭାବିତ ହୋଇପାରେ । କିନ୍ତୁ ସେତେବେଳକୁ ରାହୁଲ ୨.୦ର ଆଗମନ ହୋଇ ନ ଥିଲା।

Advertisment

ଆଘାତରୁ ସୁସ୍ଥ ହୋଇ ପ୍ରତ୍ୟାବର୍ତ୍ତନ ପରେ ରାହୁଲଙ୍କୁ ନୂଆ ଅବତାରରେ ଦେଖିବାକୁ ମିଳୁଛି। ସେ ଭାରତୀୟ ମଧ୍ୟକ୍ରମର ଦାୟିତ୍ୱ ସମ୍ଭାଳିବା ପାଇଁ ପୂରା ପ୍ରସ୍ତୁତ ଥିବା ଭଳି ଜଣାପଡ଼ୁଛନ୍ତି। ସେ କେବଳ ବ୍ୟାଟିଂରେ ଦୃଢ଼ ପ୍ରଦର୍ଶନ କରୁ ନାହାନ୍ତି, ପ୍ରଭାବଶାଳୀ ୱିକେଟ୍‌କିପିଂ ମଧ୍ୟ କରୁଛନ୍ତି।

ପ୍ରତ୍ୟାବର୍ତ୍ତନର ଆହ୍ୱାନ ଓ ସଫଳତା:

ଲୋକେଶ ରାହୁଲଙ୍କ ପାଇଁ ବିଶ୍ୱକପ୍ ପୂର୍ବର ଯାତ୍ରା ଖୁବ୍ ଆହ୍ୱାନପୂର୍ଣ୍ଣ ଥିଲା। ପ୍ରାୟ ଏକ ବର୍ଷ ଧରି ଟିମ୍‌ରେ ତାଙ୍କର ଯିବାଆସିବା ଲାଗି ରହିଥିଲା। ତାଙ୍କ ବ୍ୟାଟିଂରେ ଆଉ ପୁରୁଣା ଦାଢ଼ ଦେଖିବାକୁ ମିଳୁ ନ ଥିଲା।

Advertisment

ଟେଷ୍ଟରେ ଶୁଭମନ ଗିଲ୍ ତାଙ୍କ ଓପନିଂ ସ୍ଥାନ ଛଡ଼ାଇ ନେଇଥିଲେ। ଦିନିକିଆରେ ମଧ୍ୟ ଗିଲ୍‌ଙ୍କ ଫର୍ମ ଏତେ ମଜଭୁତ ଥିଲା ଯେ ସେଠାରେ ମଧ୍ୟ ସେ ନିଜ ସ୍ଥାନ ହରାଇଥିଲେ। ଏହାଛଡ଼ା ତାଙ୍କୁ ଆଘାତ ଓ ସର୍ଜରୀ ଦେଇ ଗତି କରିବାକୁ ପଡ଼ିଥିଲା।

ଆଇପିଏଲ୍ ୨୦୨୩ରେ ରାହୁଲଙ୍କ ବ୍ୟାଟିଂକୁ ନେଇ ପ୍ରଶ୍ନ ବି ଉଠିଥିଲା। ସେ ଚାପଗ୍ରସ୍ତ ହୋଇ ଖେଳୁଥିଲେ ବୋଲି କୁହାଯାଇଥିଲା। ସେହି ଆଇପିଏଲ୍ ସମୟରେ ହିଁ ସେ ଆହତ ହୋଇ ପୂରା ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଥିଲେ। କିନ୍ତୁ ସେ ଆଶା ଛାଡ଼ି ନ ଥିଲେ ଏବଂ ଜାତୀୟ କ୍ରିକେଟ୍ ଏକାଡେମୀ (ଏନ୍‌ସିଏ)ରେ ଫିଟ୍‌ନେସ୍ କୋଚ୍‌ଙ୍କ ସହ ମିଶି କ୍ରିକେଟ୍‌କୁ ପ୍ରତ୍ୟାବର୍ତ୍ତନ ପାଇଁ ବହୁତ ପରିଶ୍ରମ କରିଥିଲେ।

ରାହୁଲ ଉଭୟ ଶାରୀରିକ ଓ ମାନସିକ ଭାବେ ଦୃଢ଼ ହେବା ପାଇଁ ପ୍ରୟାସ କରିଥିଲେ। ତା’ର ପରିଣାମ ଆଜି ସମସ୍ତଙ୍କ ସାମ୍ନାରେ ଅଛି। ବିଶ୍ୱକପ୍ ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ତାଙ୍କ ଫର୍ମ ଓ ଫିଟ୍‌ନେସ୍ ଉପରେ ସମସ୍ତଙ୍କ ନଜର ଥିଲା। ଏଥିରେ ସେ ଫର୍ମକୁ ପ୍ରତ୍ୟାବର୍ତ୍ତନର ସଙ୍କେତ ଦେଇଥିଲେ।

ବିଶ୍ୱକପ୍ ପ୍ରସ୍ତୁତି ପାଇଁ ଅଷ୍ଟ୍ରେଲିଆ ସିରିଜ୍ ଥିଲା ଶେଷ ଟୁର୍ଣ୍ଣାମେଣ୍ଟ । ରାହୁଲ ସିରିଜ୍‌ର ପ୍ରଥମ ଦୁଇଟି ମ୍ୟାଚ୍‌ରେ ଟିମ୍‌ର ନେତୃତ୍ୱ ନେଇଥିଲେ ଏବଂ ଭାରତ ଉଭୟ ମ୍ୟାଚ୍ ଜିତିଥିଲା। ତାଙ୍କ ଅଧିନାୟକତ୍ୱକୁ ବି ପ୍ରଶଂସା କରାଯାଇଥିଲା।

ପ୍ରଥମ ମ୍ୟାଚ୍‌ରେ ସେ ୫୮ ରନ୍‌ର ଅଧିନାୟକୀୟ ଇନିଂସ୍ ଖେଳିଥିଲେ ଏବଂ ଟିମ୍ ଇଣ୍ଡିଆ ୫ ୱିକେଟ୍‌ରେ ମ୍ୟାଚ୍ ଜିତିଥିଲା। ଦ୍ୱିତୀୟ ମ୍ୟାଚ୍‌ରେ ବି ରାହୁଲ ଅର୍ଦ୍ଧଶତକ ହାସଲ କରିଥିଲେ ଏବଂ ଆୟୋଜକ ଟିମ୍ ୯୯ ରନ୍‌ରେ ବିଜୟ ହାସଲ କରିଥିଲା। ଦୀର୍ଘ ଦିନ ପରେ ପ୍ରତ୍ୟାବର୍ତ୍ତନ କରି ଏଭଳି ଇନିଂସ୍ ଖେଳିବା ଓ ସଫଳ ନେତୃତ୍ୱ ନେବା ତାଙ୍କ ପାଇଁ ବଡ଼ ଉପଲବ୍‌ଧି ଥିଲା।

ସାଜିଛନ୍ତି ମଧ୍ୟକ୍ରମର ମେରୁଦଣ୍ଡ:

ଗତ ଏକ ବର୍ଷ ମଧ୍ୟରେ ଓପନିଂ ସ୍ଥାନ ହରାଇ ସାରିଥିବା ରାହୁଲଙ୍କ ପାଇଁ ମଧ୍ୟକ୍ରମରେ ସ୍ଥାନ ସୁରକ୍ଷିତ କରିବା ଜରୁରୀ ଥିଲା। ସେ କାହାକୁ ନିରାଶ କରି ନ ଥିଲେ । ସେ ୨୦୨୩ ବିଶ୍ୱକପ୍‌ରେ ଏ ଯାବତ ପାଞ୍ଚ ମ୍ୟାଚ୍‌ର ଚାରି ଇନିଂସ୍ ଖେଳି ୧୭୭ ରନ୍ ସଂଗ୍ରହ କରିଛନ୍ତି। ସେଥିମଧ୍ୟରେ ସେ ଚାରି ଥର ଅପରାଜିତ ଥିଲେ।

ସେପ୍ଟେମ୍ବର ଆଦ୍ୟଭାଗରେ ସେ ବିଶ୍ୱକପ୍‌ରେ ଖେଳିପାରିବେ କି ନାହିଁ, ତାହାକୁ ନେଇ ସନ୍ଦେହ ଥିଲା। କିନ୍ତୁ ଏବେ ସେ ଭାରତୀୟ ମଧ୍ୟକ୍ରମର ମେରୁଦଣ୍ଡ ସାଜିଛନ୍ତି।

ବିଶ୍ୱକପ୍‌ରେ ଅଷ୍ଟ୍ରେଲିଆ ବିପକ୍ଷ ଭାରତର ପ୍ରଥମ ମ୍ୟାଚ୍‌ରେ ରାହୁଲ ୯୭ ରନ୍‌ର ମ୍ୟାଚ୍‌-ବିଜୟୀ ଇନିଂସ୍ ଖେଳିଥିଲେ। ନିଜ ପସନ୍ଦଯୋଗ୍ୟ ଓପନିଂ ସ୍ଥାନକୁ ଛାଡ଼ି ମଧ୍ୟକ୍ରମରେ ସେ ଭାରତୀୟ ଇନିଂସ୍‌କୁ ସମ୍ଭାଳିଥିଲେ ଏବଂ ଉପଯୋଗୀ ବ୍ୟାଟିଂ ପ୍ରଦର୍ଶନ କରିଥିଲେ। ଏହି ୯୭ ରନ୍‌କୁ ଶତକ ଠାରୁ ମଧ୍ୟ ଅଧିକ ମୂଲ୍ୟବାନ ବିବେଚନା କରାଯାଇଥିଲା।

ଭାରତୀୟ ଟିମ୍ ୨ ରନ୍ ମଧ୍ୟରେ ୩ ୱିକେଟ୍ ହରାଇବା ପରେ ରାହୁଲ କ୍ରିଜ୍‌କୁ ଆସିଥିଲେ। ବିଜୟଲକ୍ଷ୍ୟ ସହଜ ଥିଲେ ବି ଟିମ୍ ସଙ୍କଟଘେରକୁ ଚାଲିଯାଇଥିଲା। ସେ ବିରାଟ କୋହଲିଙ୍କ ସହ ମିଶି ଟିମ୍‌କୁ ସଙ୍କଟରୁ ମୁକୁଳାଇଥିଲେ।

ରାହୁଲ ଓ ବିରାଟଙ୍କ ମଧ୍ୟରେ ଚତୁର୍ଥ ୱିକେଟ୍ ପାଇଁ ୧୬୫ ରନ୍‌ର ଉଜ୍ଜ୍ୱଳ ଭାଗୀଦାରୀ ହୋଇଥିଲା। ବିରାଟ ଆଉଟ୍ ହେବା ପରେ ରାହୁଲ ପରବର୍ତ୍ତୀ ବ୍ୟାଟର୍ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ମିଶି ଅପରାଜିତ ୩୪ ରନ୍ ଯୋଗ କରିଥିଲେ। ଶେଷରେ ଟିମ୍ ଇଣ୍ଡିଆ ମ୍ୟାଚ୍ ଜିତିଥିଲା।

ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ସେ ବିରାଟଙ୍କ ସହ ଚତୁର୍ଥ ୱିକେଟ୍ ପାଇଁ ଅପରାଜିତ ୮୩ ରନ୍‌ର ଭାଗୀଦାରୀ କରିଥିଲେ। ଏଥିରେ ସେ ୩୪ ରନ୍‌ର ଇନିଂସ୍ ଖେଳିବା ସହ ଦିନିକିଆ ଆନ୍ତର୍ଜାତିକରେ ବିରାଟଙ୍କୁ ୪୮ତମ ଶତକ ହାସଲ କରିବାରେ ସହାୟତା ମଧ୍ୟ କରିଥିଲେ।

ପ୍ରଭାବଶାଳୀ ୱିକେଟ୍‌କିପିଂ:

ରାହୁଲ ୱିକେଟ୍‌କିପର୍ ଭାବରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଛନ୍ତି। ସେ ଏ ଯାବତ ପାଞ୍ଚ ମ୍ୟାଚ୍‌ରେ ପାଞ୍ଚ କ୍ୟାଚ୍ ଧରିଛନ୍ତି। ସେଥିମଧ୍ୟରେ ବାଂଲାଦେଶ ବିପକ୍ଷ ଦୁଇ ଚମକପ୍ରଦ କ୍ୟାଚ୍ ରହିଛି। ମହମ୍ମଦ ସିରାଜଙ୍କୁ ଏହି ଦୁଇ ସଫଳତା ମିଳିଥିଲା।

ବାଂଲାଦେଶୀ ବ୍ୟାଟର୍ ମେହିଦୀ ହସନ୍ ମିରାଜଙ୍କ ଗ୍ଲୋଭ୍‌ସକୁ ଛୁଇଁକି ବଲ୍ ରାହୁଲଙ୍କ ବାମପଟକୁ ଯାଇଥିଲା। ବଲ୍ ଦୂରରେ ଥିଲା, କିନ୍ତୁ ରାହୁଲ ସୁନ୍ଦର ଡାଇଭ୍ ମାରି କ୍ୟାଚ୍ ଧରିଥିଲେ। ଏହାପରେ ନାସୁମ ଅହମଦଙ୍କ କ୍ୟାଚ୍ ମଧ୍ୟ ସେ ଚିତ୍ତାକର୍ଷକ ଢଙ୍ଗରେ ଧରିଥିଲେ। ସେ ଏବେ ବିଶ୍ୱକପ୍‌ର ଆଗଧାଡ଼ିର ୱିକେଟ୍‌କିପର୍‌ଙ୍କ ମଧ୍ୟରେ ରହିଛନ୍ତି।

ରାହୁଲଙ୍କୁ ଏକଦା ଟିମ୍ ଇଣ୍ଡିଆର ଭବିଷ୍ୟତର ଅଧିନାୟକ ଓ ରୋହିତ ଶର୍ମାଙ୍କ ଉତ୍ତରାଧିକାର ଦୃଷ୍ଟିରୁ ବିଚାର କରାଯାଉଥିଲା। କିନ୍ତୁ ଫର୍ମ ଓ ଫିଟ୍‌ନେସ୍ ଏଥିରେ ଅନ୍ତରାୟ ସୃଷ୍ଟି କରିଥିଲା। ଇତ୍ୟବସରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଭ୍ୟୁଦୟ ତାଙ୍କ ବାଟ ବନ୍ଦ କରିଦେଇଥିଲା। ଏପରିକି ଟିମ୍‌ରେ ସ୍ଥାନ ପାଇବା ପାଇଁ ତାଙ୍କୁ ସଂଘର୍ଷ କରିବାକୁ ପଡ଼ିଥିଲା।

ଏବେ ରାହୁଲ ଟିମ୍ ପାଇଁ ଏକ ଆବଶ୍ୟକତା। ଭାରତକୁ ମଧ୍ୟକ୍ରମରେ ଜଣେ ଏଭଳି ବ୍ୟାଟର୍‌ଙ୍କ ଆବଶ୍ୟକତା ଥିଲା, ଯିଏ ଦାୟିତ୍ୱର ସହ ଖେଳି ଇନିଂସ୍‌କୁ ଲକ୍ଷ୍ୟସ୍ଥଳ ପର୍ଯ୍ୟନ୍ତ ନେଇପାରିବେ। ଏହାଛଡ଼ା ରିଷଭ ପନ୍ତଙ୍କ ଅନୁପସ୍ଥିତିରେ ଜଣେ ଦକ୍ଷ ୱିକେଟ୍‌କିପର୍‌ଙ୍କ ଆବଶ୍ୟକତା ମଧ୍ୟ ଥିଲା। ରାହୁଲ ଉଭୟ ଆବଶ୍ୟକତାକୁ ପୂରଣ କରିଛନ୍ତି। ଏହା ସହ ଟିମ୍ ଇଣ୍ଡିଆରେ ତାଙ୍କ ଗୁରୁତ୍ୱ କେତେ, ତାହା ପ୍ରମାଣିତ କରିଛନ୍ତି।

ଭବିଷ୍ୟତରେ ରାହୁଲ ପୁନର୍ବାର ଅଧିନାୟକତ୍ୱର ଦାବିଦାର ହୋଇପାରନ୍ତି, ହେଲେ ବର୍ତ୍ତମାନ ଟିମ୍‌ରେ ସ୍ଥାନ ବଜାୟ ରଖିବା ତାଙ୍କ ପାଇଁ ବଡ଼ ଆହ୍ୱାନ।

ଇମେଲ୍: [email protected]

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Indian Cricket Team
Advertisment
Advertisment