ଭାରତରେ ଆରମ୍ଭ ହୋଇଯାଇଛି ୨୦୨୩ ଦିନିକିଆ ବିଶ୍ୱକପ୍। କେବେ ବି ବିଶ୍ୱକପ୍ ଜିତି ନ ଥିବା ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକା ଦମ୍ଦାର ଢଙ୍ଗରେ ଅଭିଯାନ ଆରମ୍ଭ କରି ନିଜକୁ ମୁକୁଟର ଦାବିଦାରମାନଙ୍କ ଦୌଡ଼ରେ ସାମିଲ୍ କରାଇଛି।
ତେବେ ୧୦ ଟିମ୍କୁ ନେଇ ଖେଳାଯାଉଥିବା ବିଶ୍ୱକପ୍ର ଆଦ୍ୟ ମୁକାବିଲାଗୁଡ଼ିକରେ ସଫଳତା ମୁକୁଟ ବିଜୟର ଗ୍ୟାରେଣ୍ଟି ନୁହେଁ। ସମସ୍ତେ ନିଜ ନିଜର ଶ୍ରେଷ୍ଠତ୍ୱ ପ୍ରତିପାଦନ ପାଇଁ ଯଥାସାଧ୍ୟ ଉଦ୍ୟମ କରିବେ। ଲିଗ୍ ପର୍ଯ୍ୟାୟର ଶେଷ ଯାଏଁ ରୋମାଞ୍ଚ ରହିପାରେ। ଯେକୌଣସି ପରିସ୍ଥିତିରେ ମୋଡ଼ ବଦଳି ଯାଇପାରେ।
କେଉଁମାନେ ମୁକୁଟର ଦାବିଦାର:
ଏଥର ଲଢ଼େଇ ଜୋର୍ଦାର ହେବ ବୋଲି ଅନୁମାନ କରାଯାଉଛି। ଗୋଟିଏ-ଦୁଇଟି ଟିମ୍କୁ ମୁକୁଟର ଦାବିଦାର କୁହାଯାଇପାରିବନି। ୧୦ ଟିମ୍ ମଧ୍ୟରୁ ଏଭଳି ପାଞ୍ଚ-ଛଅ ଟିମ୍ ଅଛନ୍ତି, ଯେଉଁଗୁଡ଼ିକ ଚାମ୍ପିଅନ୍ ହେବାର ସାମର୍ଥ୍ୟ ରଖନ୍ତି। ସେହି ଟିମ୍ଗୁଡ଼ିକ ମଧ୍ୟରେ ଏକ ନମ୍ବର ସ୍ଥାନରେ ରହିଛି ଭାରତ।
Also Read
୧୨ ବର୍ଷ ପରେ ବିଶ୍ୱ ବିଜେତା ହେବା ପାଇଁ ଭାରତ ପାଖରେ ଏହାଠାରୁ ଭଲ ସୁଯୋଗ ନାହିଁ। ପ୍ରଥମ କଥା, ଟୁର୍ଣ୍ଣାମେଣ୍ଟ ଘରୋଇ ମାଟିରେ ଓ ଘରୋଇ ଦର୍ଶକଙ୍କ ଉପସ୍ଥିତିରେ ଖେଳାଯାଉଛି। ଦ୍ୱିତୀୟ କଥା, ଟିମ୍ ଇଣ୍ଡିଆ ଏବେ ଜୋର୍ଦାର ଫର୍ମରେ ରହିଛି। ନିକଟରେ ଏସିଆ କପ୍ ବିଜୟ ଓ ଏହାପରେ ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ଦିନିକିଆ ସିରିଜ୍ ବିଜୟ ଯୋଗୁଁ ଟିମ୍ର ମନୋବଳ ଏବେ ଉଚ୍ଚରେ ରହିଛି । ଟିମ୍ରେ ପ୍ରତିଭା ବି ଭରପୂର ରହିଛି।
ଏହାଛଡ଼ା ବିଶ୍ୱକପ୍ ଇତିହାସର ସବୁଠାରୁ ସଫଳ ଟିମ୍ ଅଷ୍ଟ୍ରେଲିଆ, ଡିଫେଣ୍ଡିଂ ଚାମ୍ପିଅନ୍ ଇଂଲଣ୍ଡ, ଶ୍ରେଷ୍ଠ ବୋଲିଂ ଆକ୍ରମଣ ଥିବା ପାକିସ୍ତାନ ମଧ୍ୟ ମୁକୁଟର ଦୌଡ଼ରେ ରହିଛି। ଏହି ତାଲିକାରେ ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକାକୁ ମଧ୍ୟ ଯୋଡ଼ାଯାଇପାରେ। ପାକିସ୍ତାନକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ଟିମ୍ରେ ଏଭଳି ଖେଳାଳି ଅଛନ୍ତି, ଯେଉଁମାନେ ଭାରତୀୟ ପିଚ୍ ବିଷୟରେ ଅବଗତ। ବିଶେଷକରି ଏଠାରେ ଇଣ୍ଡିଆନ୍ ପ୍ରିମିଅର୍ ଲିଗ୍ (ଆଇପିଏଲ୍) ଖେଳିଥିବାରୁ ସେମାନେ ଭାରତୀୟ ସ୍ଥିତି ବିଷୟରେ ଜାଣନ୍ତି।
ଟିମ୍ ଇଣ୍ଡିଆର ସାମର୍ଥ୍ୟ:
ବିଶ୍ୱକପ୍ରେ ଟିମ୍ ଇଣ୍ଡିଆର ଦୁଇ ବଡ଼ ଖେଳାଳି - ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଉପରେ ସମସ୍ତଙ୍କ ନଜର ରହିବ। ଉଭୟଙ୍କ ପାଇଁ ଏହା ଶେଷ ସମ୍ଭବତଃ ଶେଷ ବିଶ୍ୱକପ୍ ହେବ।
ବିରାଟ କୋହଲି ଏସିଆ କପ୍ରେ ପାକିସ୍ତାନ ବିପକ୍ଷରେ ଶତକୀୟ ଇନିଂସ୍ ଖେଳିଥିଲେ। ରୋହିତ ମଧ୍ୟ ଏସିଆ କପ୍ରେ ଭଲ ପ୍ରଦର୍ଶନ କରିଥିଲେ। ଟିମ୍ରେ ଶ୍ରେୟାସ ଆୟର, ଲୋକେଶ ରାହୁଲଙ୍କ ଭଳି ବ୍ୟାଟର୍ ବି ଅଛନ୍ତି, ଯେଉଁମାନେ ଆବଶ୍ୟକ ସ୍ଥଳେ ବଡ଼ ସ୍କୋର୍ କରିପାରିବେ । ଭବିଷ୍ୟତର ଅଧିନାୟକ ଅଲ୍ରାଉଣ୍ଡର୍ ହାର୍ଦ୍ଦିକ ପାଣ୍ଡ୍ୟା ଟିମ୍ ପାଇଁ ଏକ୍ସ ଫ୍ୟାକ୍ଟର ହୋଇପାରନ୍ତି। ତାଙ୍କୁ ପୂରା ଟୁର୍ଣ୍ଣାମେଣ୍ଟରେ ଫିଟ୍ ରହିବାକୁ ହେବ।
ଟିମ୍ ଇଣ୍ଡିଆରେ ଯୁବ ଖେଳାଳିମାନେ ମଧ୍ୟ ଚମକପ୍ରଦ ପ୍ରଦର୍ଶନ କରିଆସୁଛନ୍ତି। ଓପନିଂ ବ୍ୟାଟର୍ ଶୁଭମନ ଗିଲ୍ ନିଜର ଉଲ୍ଲେଖନୀୟ ପ୍ରଦର୍ଶନ ବଳରେ ଆଇସିସି ଦିନିକିଆ ମାନ୍ୟତାରେ ପାକିସ୍ତାନର ବାବର ଆଜମ୍ଙ୍କ ପରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଈଶାନ କିଶନ୍ ବିଶ୍ୱର ବଡ଼ ବଡ଼ ବୋଲର୍ଙ୍କ ଆଗରେ ଉଜ୍ଜ୍ୱଳ ପ୍ରଦର୍ଶନ କରୁଛନ୍ତି।
ବୋଲିଂ ବିଭାଗରେ ପେସର୍ ଯଶପ୍ରୀତ ବୁମ୍ରାଙ୍କ ଉପସ୍ଥିତି ଟିମ୍ରେ ଦୃଢ଼ତା ଆଣିଛି। ତାଙ୍କ ସହିତ ମହମ୍ମଦ ସିରାଜ ଓ ମହମ୍ମଦ ଶାମୀଙ୍କ ଭଳି ପେସର୍ ଅଛନ୍ତି। ସ୍ପିନ୍ ବିଭାଗରେ ବାମହାତି ରିଷ୍ଟ ସ୍ପିନର୍ କୁଲଦୀପ ଯାଦବ ନିଜ ବୋଲିଂରେ ବୈଷୟିକ ସୁଧାର ଆଣିଛନ୍ତି। ସେ ଏବେ ପ୍ରାୟତଃ ସିଧା ରନ୍ଅପ୍ରୁ ବୋଲିଂ କରୁଛନ୍ତି ଏବଂ ତାଙ୍କ ବୋଲିଂରେ କ୍ଷିପ୍ରତା ଆସିଛି। ଏସିଆ କପ୍ରେ ସେ ‘ପ୍ଲେୟର୍ ଅଫ୍ ଦ ସିରିଜ୍’ ବିବେଚିତ ହୋଇଥିଲେ।
ଅଫ୍ସ୍ପିନର୍ ରବିଚନ୍ଦ୍ରନ୍ ଅଶ୍ୱିନଙ୍କୁ ବି ଟିମ୍ରେ ନିଆଯାଇଛି। ଏହାଛଡ଼ା ବାମହାତି ସ୍ପିନ୍ ଅଲ୍ରାଉଣ୍ଡର୍ ରବୀନ୍ଦ୍ର ଜାଡ଼େଜାଙ୍କ ଉପସ୍ଥିତି ଭାରତର ସ୍ପିନ୍-ଅନୁକୂଳ ପିଚ୍ରେ କାମରେ ଆସିବ। ତେବେ ଚାମ୍ପିଅନ୍ ହେବା ପାଇଁ ସବୁ ଖେଳାଳିଙ୍କୁ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ହେବ।
ଗୁରୁତ୍ୱପୂର୍ଣ୍ଣ ହେବ ଅଧିନାୟକଙ୍କ ଭୂମିକା:
କ୍ରିକେଟ୍ ବିଶେଷଜ୍ଞଙ୍କ ବିଚାରରେ ବିଶ୍ୱକପ୍ରେ ଅଧିନାୟକଙ୍କ ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ ହେବ। ଯଦି ଅଧିନାୟକ ଚାପଗ୍ରସ୍ତ ହୁଅନ୍ତି ଏବଂ ସେ ନିଜେ ଭଲ ପ୍ରଦର୍ଶନ କରିପାରନ୍ତି ନାହିଁ, ତା’ହେଲେ ପୂରା ଟିମ୍ର ମନୋବଳ ହ୍ରାସ ପାଇଥାଏ।
ବିଶ୍ୱକପ୍ର ଇତିହାସକୁ ଦେଖିଲେ, ଟିମ୍ର ସଫଳତା ପଛରେ ଅଧିନାୟକ ଭୂମିକା ବିଷୟରେ ଜାଣିବାକୁ ମିଳିଥାଏ। ୧୯୭୫ରେ କ୍ଲାଇଭ୍ ଲଏଡ୍ଙ୍କ ଠାରୁ ନେଇ ୧୯୮୩ରେ କପିଳ ଦେବ, ୧୯୯୨ରେ ଇମ୍ରାନ୍ ଖାନ୍, ୨୦୦୩ରେ ରିକି ପଣ୍ଟିଂ ଅଥବା ୨୦୧୧ରେ ମହେନ୍ଦ୍ର ଧୋନି - ସେମାନେ ସବୁ ପରିସ୍ଥିତିରେ ଟିମ୍ର ମନୋବଳକୁ ବଜାୟ ରଖିଥିଲେ, ସମ୍ମୁଖ ଭାଗରୁ ଟିମ୍ର ନେତୃତ୍ୱ ନେଇଥିଲେ ଏବଂ ସଙ୍କଟ ବେଳେ ଉତ୍ତମ ବ୍ୟକ୍ତିଗତ ପ୍ରଦର୍ଶନ କରିଥିଲେ। ଅଧିନାୟକଙ୍କ ମନୋଭାବ ସବୁ ଥର ଖାସ୍ ହୋଇଥାଏ।
ଏଥର ରୋହିତ ଶର୍ମାଙ୍କ ପାଖରେ ରହିଛି ଟିମ୍ ଇଣ୍ଡିଆର ଅଧିନାୟକ ଦାୟିତ୍ୱ। ଟିମ୍କୁ ଚାମ୍ପିଅନ୍ କରାଇବା ପାଇଁ ତାଙ୍କୁ ଦୃଢ଼ ନେତୃତ୍ୱ ନେବାକୁ ହେବ, ଏହା ସହିତ ଉତ୍ତମ ବ୍ୟକ୍ତିଗତ ପ୍ରଦର୍ଶନ ବି ଜରୁରୀ।
ଘରୋଇ ପରିସ୍ଥିତି ଟିମ୍ ଇଣ୍ଡିଆ ପାଇଁ ପ୍ଲସ୍ ପଏଣ୍ଟ ହେଲେ ବି ସବୁବେଳେ ଖେଳାଳିଙ୍କ ଉପରେ ଭଲ ପ୍ରଦର୍ଶନ କରିବାର ଚାପ ରହିବ, ବିଶେଷକରି ଅଧିନାୟକଙ୍କ ଉପରେ। ଅଧିନାୟକ ରୋହିତଙ୍କୁ ସେହି ଚାପରୁ ମୁକୁଳିବା ପାଇଁ ୨୦୧୧ ବିଶ୍ୱକପ୍ ବିଜେତା ଟିମ୍ର ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଠାରୁ ପ୍ରେରଣା ନେବାକୁ ହେବ। ସେଥର ବି ବିଶ୍ୱକପ୍ ଭାରତୀୟ ଉପମହାଦେଶରେ ହୋଇଥିଲା ଏବଂ ଫାଇନାଲ୍ ମୁମ୍ବାଇରେ ଖେଳାଯାଇଥିଲା।
ଏହାଛଡ଼ା ଏ କଥା ବି ଗୁରୁତ୍ୱ ରଖେ ଯେ ରୋହିତଙ୍କ ଛଡ଼ା କୋଚ୍ ରାହୁଲ ଦ୍ରାବିଡ଼ଙ୍କ ପାଇଁ ମଧ୍ୟ ଏହି ବିଶ୍ୱକପ୍ ଅଗ୍ନିପରୀକ୍ଷା ସଦୃଶ ହେବ। ଏହି ବିଶ୍ୱକପ୍ର ଫଳାଫଳରୁ ସେମାନଙ୍କ ଭୂମିକାର ଭବିଷ୍ୟତ ନିର୍ଦ୍ଧାରଣ ହୋଇପାରେ।
ଇମେଲ୍: biswasports@gmail.com
(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)