• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Dilip Sabat

ଧାନ ବୁଣିବା ବା ଜମିରୁ ଫସଲ ଅମଳ କଲାବେଳେ ଚାଷୀ ମୁହଁରେ ବିଭିନ୍ନ ପାରମ୍ପରିକ ଗୀତ ସେଠାରେ ଏକ ନିଆରା ପରିବେଶ ସୃଷ୍ଟି କରିଥାଏ। ଚାଷୀ ମନରେ ଫସଲ ଅମଳର ଖୁସି ବେଶ ବାରି ହୋଇପଡେ ଏହି ଗୀତରେ। ସାରା ବର୍ଷର କ୍ଳାନ୍ତି, କଷ୍ଟ ଓ ବେଦନାକୁ ଭୁଲାଇ ଦେଇଥାଏ ଏହି ଗୀତ। କ୍ଷେତର ଏ ମୁଣ୍ଡରୁ ଆରମୁଣ୍ଡ ପର୍ଯ୍ୟନ୍ତ ଧାଡିହୋଇ ଚାଷୀ ଗୀତ ବୋଲି ବୋଲି ଧାନ କାଟିବା ଦୃଶ୍ୟ ରାସ୍ତାର ପଥିକକୁ ମଧ୍ୟ କ୍ଷଣିକେ ଅଟକାଇ ଦିଏ।

ଅଧିକ ପଢ଼ନ୍ତୁ: ଅମଳ ସମୟରେ ଉତ୍ପାତ କରୁଛନ୍ତି ଗଜରାଜ : ଚାଷୀ ଆଖିରେ ଲୁହ

ଗତ ୨୦ ତାରିଖ ଗୁରୁବାର ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଅଞ୍ଚଳରେ ଚାଷୀ ଜମିରୁ ଧାନ କାଟିବାର ଏକ ଦୃଶ୍ୟ ଦେଖାଯାଇଥିଲା। କିନ୍ତୁ ଏଠାରେ ଉପର ବର୍ଣ୍ଣୀତ ଦୃଶ୍ୟପଟ୍ଟର ସମ୍ପୂର୍ଣ୍ଣ ଓଲଟା ଚିତ୍ର ଦେଖିବାକୁ ମିଳିଥିଲା। ଗୀତ ବୋଲିବା, ହସ, ଖୁସି-ମଜା ନୁହେଁ ବରଂ ଚାଷୀ କାନ୍ଦି କାନ୍ଦି ଧାନ କାଟୁଥିବା ଭଳି ଦେଖାଯାଉଥିଲା। ସତେ ଯେମିତି ଶୋକର ଛାୟା ଖେଳିଯାଇଛି।

ଛଳ ଛଳ ଲୁହଭରା ଆଖିକୁ ବାମ ବାହୁରେ ପୋଛି ପୋଛି ଚାଷୀ ବହୁ କଷ୍ଟରେ କରିଥିବା ଧାନ ଫସଲକୁ ଅପରିପକ୍ୱ ଅବସ୍ଥାରେ କାଟି ଚାଲିଥିଲା। ସତେଯେମିତି ବଢିବାକୁ ଚାହୁଁଥିବା, ହାଲୁକା ପବନରେ ଲହ ଲହକା ଖେଳିବାକୁ ହାତ ବଢାଉଥିବା କଞ୍ଚା ଧାନ ଗଛକୁ ତା’ ମାଲିକ କାଟି ଦେଉଛି! ଦର ପାଚିଲା ଧାନ କାଟିଲା ବେଳେ ଚାଷୀର ହୃଦୟ କିଭଳି ଯନ୍ତ୍ରଣା ପାଉଥିବ, ଭିଜା ଆଖିରୁ ସ୍ପଷ୍ଟ ବାରି ହେଇଯାଉଥାଏ।

ସମ୍ଭାବ୍ୟ ବାତ୍ୟାର ବାର୍ତ୍ତା ଯେମିତି ତା’ ଜୀବନରେ କଳା ବାଦଲର ଅନ୍ଧକାର ଖେଳାଇ ଦେଲା। ବାତ୍ୟା ଭୟରେ ତରବର ହୋଇ ଦରପାଚିଲା ଧାନ ସବୁ କାଟି ପକାଇଲେ ଚାଷୀ। ହେଲେ ବାତ୍ୟା ତ ଛାଡ, ଯେଉଁଭଳି ସମ୍ଭାବ୍ୟ ପ୍ରବଳ ବର୍ଷାର ଆକଳନ ହୋଇଥିଲା ତାହା ବି ହେଲାନି। ଦରପାଚିଲା ଧାନ ଧରି ଏବେ ଚିନ୍ତାରେ ଚାଷୀ।

କଥାରେ ଅଛି, ଯାହାର ପୁଅକୁ ସାପ କାମୁଡିଥିବ, ପାଳ ଦଉଡି ଦେଖିଲେ ବି ମାଆ ଡରିବ! ଓଡିଶା ହେଉଛି ବନ୍ୟା ଓ ବାତ୍ୟାର ଚିରସହଚର। ୧୯୯୯ ମହାବାତ୍ୟା ପରେ ପରେ ଫନି, ଫାଇଲିନ୍, ହୁଡହୁଡ, ତିତିଲି ଆଦି ଅନେକ ବାତ୍ୟାରେ ରାଜ୍ୟବାସୀ ଧନ ଜୀବନ ହରାଇଛନ୍ତି। ଏବେ ବାତ୍ୟା ନା’ ଶୁଣିବା ମାତ୍ରେ ସେହି ଭୟଙ୍କର ଘଟଣା ସବୁ ଆଖି ଆଗକୁ ଆସିଯାଏ।

ଚଳିତ ଅକ୍ଟୋବରରେ ମଧ୍ୟ ଏଭଳି ଏକ ବାତ୍ୟା ‘ସିତ୍ରାଙ୍ଗ’କୁ ନେଇ ଚହଳ ପଡିଲା। ଓଡିଶା ରେ ଏହାର ପ୍ରଭାବ ପଡିବ କି ନାହିଁ ତା’ର କୌଣସି ସ୍ପଷ୍ଟ ଚିତ୍ର ନେଇ ପାଣିପାଗ ବିଭାଗର ବିଧିବଦ୍ଧ ଘୋଷଣା କରିନଥିଲା। ହେଲେ ବାତ୍ୟାକୁ ନେଇ ଏଭଳି ‘ଗୁଜବ’ ସୃଷ୍ଟି ହେଲା ଯେ, ପାଳ ଦଉଡିକୁ ମାଆ ସାପ ଭାବିବାକୁ ବାଧ୍ୟ ହେଲା! ଓଡିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ଥିବା ଚାଷୀଙ୍କ ମନରେ ଛନକା ପସିଗଲା।

ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ସମେତ ବିଭିନ୍ନ ତଟବର୍ତ୍ତୀ ଜିଲ୍ଲାର ଚାଷୀ ପାଚିବା ଆଗରୁ ଧାନ ଅମଳ କରିନେଲେ। ଚାଷୀ କଞ୍ଚା ଧାନ କାଟିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଭାରତୀୟ ପାଣିପାଗ ବିଭାଗ ତରଫରୁ ‘ଗୁଜବ’କୁ ବିଶ୍ୱାସ ନ କରିବା ନେଇ ସୂଚନା ଜାରି କରାଗଲା। ତେବେ ସାମୁଦ୍ରିକ ବାତ୍ୟା ‘ସୀତ୍ରାଙ୍ଗ’ ଓଡିଶା ନୁହେଁ, ଭାରତକୁ ମଧ୍ୟ ନ ଛୁଇଁ, ବାଙ୍ଗ୍ଲାଦେଶ ଚାଲିଯାଇଛି । ହେଲେ ବିନା ବାତ୍ୟାରେ ଚାଷୀ ‘ଗୁଜବ’ ପାଇଁ କଞ୍ଚା ଧାନ କାଟି ଚିନ୍ତାରେ ପଡିଛି। ତା ଦୁଃଖ ବୁଝିବ କିଏ?

ବାତ୍ୟା ହେଲେ ସରକାର ଚାଷୀମାନଙ୍କ କ୍ଷୟକ୍ଷତିର ଆକଳନ କରି ପ୍ୟାକେଜ୍ ଘୋଷଣା କରିଥାନ୍ତି; ହେଲେ ଏ କ୍ଷେତ୍ରରେ ତାଙ୍କ ଦୁଃଖ ବୁଝିବ କିଏ? ‘ଗୁଜବ’ ଦ୍ୱାରା ରାଜ୍ୟର କେତେ ଚାଷୀ, କେତେ ଏକର କଞ୍ଚା ଫସଲ କାଟିଛନ୍ତି ତାହାର ହିସାବ ସରକାର କିମ୍ବା ଚାଷୀ ସଂଗଠନ ରଖିଛନ୍ତି କି? ଏହି ‘ଗୁଜବ’ କେଉଁଠୁ ଆସିଲା ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି କି? ଏଭଳି ଅନେକ ପ୍ରଶ୍ନ ସାମ୍ନାକୁ ଆସିଛି।

ଅକ୍ଟୋବର ୧୦ରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବାତ୍ୟା ସମ୍ପର୍କୀତ ଏକ ଆଲୋଚନା ବୈଠକ ବସିଥିଲା। ଓଡ଼ିଶାରେ ବିଶେଷତଃ ଅକ୍ଟୋବର ଏବଂ ନଭେମ୍ବର ମାସରେ ଭୀଷଣ ବାତ୍ୟା ଅନୁଭୁତ ହୁଏ। ବେଳେବେଳେ ଏହି ସମୟ ଅବଧି ଡିସେମ୍ବର ୧୫ ପର୍ଯ୍ୟନ୍ତ ମଧ୍ୟ ରହିଥାଏ। ତେଣୁ ଏ ସମ୍ପର୍କରେ ରାଜ୍ୟ ସରକାର ଏକ ତର୍ଜମା ପାଇଁ ଉଚ୍ଚସ୍ତରୀୟ ବୈଠକ କରି ସତର୍କ ଓ ସଜବାଜ ନିମିତ ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ଯଥେଷ୍ଟ ପରିମାଣର ବ୍ଲିଚିଂ, ହାଲୋଜେନ୍‌ ବଟିକା, ଔଷଧ, ଆମ୍ବୁଲାନ୍ସ ଏବଂ ଡାକ୍ତରୀ ଟିମ୍‌ ଆଦି ବିଷୟରେ ପୂର୍ବ ପ୍ରସ୍ତୁତି କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ଏହା ସହିତ ଓଡ୍ରାଫ୍‌ ଏବଂ ଅଗ୍ନିଶମ ଟିମ୍ ସବୁ ଉପକରଣକୁ ସଠିକଭାବେ ଯାଞ୍ଚ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ହୋଇଥିଲା। ଉକ୍ତ ବୈଠକରେ ଭାରତୀୟ ପାଣିପାଗ ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକ ଏଚ୍‌. ଆର୍‌. ବିଶ୍ୱାସ ଜଣାଇଥିଲେ ଯେ ଓଡ଼ିଶାର ବର୍ତ୍ତମାନ ଜଳବାୟୁସ୍ଥିତି ବାତ୍ୟା ଅନୁକୂଳ ରହିଛି, ହେଲେ ଆସନ୍ତା ୧୫ ଦିନ ଭିତରେ ବାତ୍ୟାର ସୂଚନା ମିଳି ନାହିଁ।

ପରବର୍ତ୍ତୀ ସମୟରେ ବିଭିନ୍ନ ଗଣମାଧ୍ୟମରେ ବାତ୍ୟା ସମ୍ପର୍କୀତ ଖବର ପ୍ରକାଶ ପାଇଲା। ଏହା ପରେ ଅକ୍ଟୋବର ୧୨ ତାରିଖରେ ଭୁବନେଶ୍ୱରସ୍ଥିତ ଭାରତୀୟ ପାଣିପାଗ ବିଭାଗ ତରଫରୁ ବାତ୍ୟା ‘ଗୁଜବ’ ନେଇ ଏକ ଟ୍ୱିଟ୍‌ ସାମ୍ନାକୁ ଆସିଲା। ବାତ୍ୟା ସମ୍ବନ୍ଧରେ ପାଣିପାଗ ବିଭାଗ ତରଫରୁ କୌଣସି ସୂଚନା କିମ୍ବା ପୂର୍ବାନୁମାନ ଜାରି ହୋଇ ନାହିଁ ବୋଲି ପାଣିପାଗ ବିଭାଗ ଦ୍ୱାରା ଟ୍ୱିଟ୍‌ରେ ଦର୍ଶାଯାଇଥିଲା। ଏଭଳି କି ୭ ଦିନ ପୂର୍ବରୁ କୌଣସି ପାଣିପାଗ ସମ୍ବନ୍ଧୀୟ ଆକଳନ କରିବା ବିଜ୍ଞାନ ସମ୍ମତ ନୁହେଁ ବୋଲି ମଧ୍ୟ ଏଥିରେ ଉଲ୍ଲେଖ ହୋଇଥିଲା।

ତେବେ ୨୦ ତାରିଖରେ ଯାଇ ଉତ୍ତର ଆଣ୍ଡାମାନ ସାଗର ଏବଂ ନିକଟସ୍ଥ ଅଞ୍ଚଳରେ ଘୂର୍ଣ୍ଣିବଳୟର ପ୍ରଭାବରେ ଏକ ଲଘୁଚାପ ସୃଷ୍ଟି ହୋଇଥିବା ନେଇ ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ସାମ୍ନାକୁ ଆସିଲା। ୨୨ ତାରିଖରେ ଏହା ଅବପାତରେ ପରିଣତ ହେବାର ସମ୍ଭାବନା ଥିବା ସେ ଦର୍ଶାଇଲେ। ୨୩ ତାରିଖ ସକାଳ ପର୍ଯ୍ୟନ୍ତ ଏହା ଗଭୀର ଅବପାତରେ ପରିଣତ ହେବ ଏବଂ ୨୪ରେ ଘୂର୍ଣ୍ଣିବାତ୍ୟାର ରୂପନେଇ ଧିରେ ଧିରେ ଉତ୍ତର ଆଡକୁ ଗତିକରିବ।

ଶେଷରେ ପଶ୍ଚିମବଙ୍ଗ ଉପକୂଳ ଦେଇ ବାତ୍ୟା 'ସିତ୍ରାଙ୍ଗ' ବାରିସାଲ ନିକଟରେ ବାଂଲାଦେଶ ଉପକୂଳରେ ପହଞ୍ଚିଲା। ଭାରତ ପାଣିପାଗ ବିଭାଗ (ଆଇଏମ୍‌ଡି) ମଙ୍ଗଳବାର ଏହି ସୂଚନା ଦେଇଥିଲେ। ତେବେ ଏଥିରେ ଗୁଜବର କୌଣସି ସୂଚନା ନାହିଁ। ଏହା ଉପରେ ତଦନ୍ତ କରାଯାଇ ପ୍ରକୃତ ତଥ୍ୟ ସାମ୍ନାକୁ ଆଣିବା ଜରୁରୀ ନୁହେଁ କି?

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)