• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Dilip Sabat

କେନ୍ଦ୍ରରେ ଶାସନାଧୀନ ଭାରତୀୟ ଜନତା ପାର୍ଟି (ବିଜେପି)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଦୁଇଦିନିଆ ଓଡିଶା ଗସ୍ତରେ ଆସି ଦଳୀୟକର୍ମୀ ଓ ସଭ୍ୟମାନଙ୍କୁ ୨୦୨୪ ନିର୍ବାଚନରେ ରାଜ୍ୟରେ କମଳ ପ୍ରସ୍ଫୁଟିତ ପାଇଁ ଗୁରୁମନ୍ତ୍ର ଦେଇଛନ୍ତି। ଭୁବନେଶ୍ୱର ଜନତା ମୈଦାନରେ ଏଥିପାଇଁ ଏକ ବିଶାଳ ସମାବେଶ ଆୟୋଜନ କରାଯାଇଥିଲା। ସେପ୍ଟେମ୍ବର ୨୯ରେ ଶକ୍ତିକେନ୍ଦ୍ର ସମ୍ମିଳନୀ ଏବଂ ୩୦ରେ ସଂଯୁକ୍ତ ମୋର୍ଚ୍ଚା ସମାବେଶରେ ସେ ଉଦ୍‌ବୋଧନ ଦେଇଥିଲେ।

ବୁଥ୍‌ସ୍ତରୀୟ ସମ୍ମିଳନୀରେ ଶ୍ରୀ ନଡ୍ଡା ପ୍ରଥମ ଦିନରେ ସାଢେ ୩୧ ମିନିଟ୍‌ ଧରି ନିଜ ଅଭିଭାଷଣ ରଖିଥିଲେ। ତାଙ୍କର ସମ୍ପୂର୍ଣ୍ଣ ଭାଷଣ ମଧ୍ୟରେ ଓଡିଶାର ଶାସନ ବ୍ୟବସ୍ଥା ବିରୋଧରେ କଡା ମନ୍ତବ୍ୟ ଥିଲା ମାତ୍ର ୨ ମିନିଟ୍। ଯାହାକୁ ନେଇ ଦଳୀୟ ନେତା/କର୍ମୀ ବେଶ ଉତ୍ସାହିତ ଲାଗୁଥିଲେ। ତେବେ ଏହା ଅନେକ ରାଜନୈତିକ ସମାଲୋଚକ ଓ ସମୀକ୍ଷକଙ୍କୁ କିନ୍ତୁ ସନ୍ତୁଷ୍ଟ କରିପାରି ନାହିଁ।

ଓଡିଶାରେ ମୁଖ୍ୟ ବିରୋଧୀଦଳ ଭୂମିକା ନିର୍ବାହ କରୁଥିବା ବିଜେପିର ଜାତୀୟ ନେତୃତ୍ୱ ଅଧ୍ୟକ୍ଷ ଶ୍ରୀ ନଡ୍ଡା ଓଡିଶା ସମ୍ପର୍କରେ କହିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ନାଁ ନେଇ ନଥିଲେ; କିନ୍ତୁ ଅନ୍ୟ ରାଜ୍ୟର ଅଣବିଜେପି ବିଷୟରେ ସମାଲୋଚନା କଲାବେଳେ ସେମାନଙ୍କ ପରିବାର ସହିତ ନାଆ ଧରି ଟାର୍ଗେଟ୍‌ କରିଥିଲେ।

ଅତିଥି ପରିଚୟ ୫ ମିନିଟ୍‌ ସମୟ ନେଇଥିବାବେଳେ ବିଜେପିର ଶକ୍ତି ଓ ବିଚାରଧାରା ବିଷୟରେ ୬ ମିନିଟ୍‌, ପ୍ରଧାନମନ୍ତ୍ରୀ ମୋଦୀଙ୍କ ସଫଳ ଯୋଜନା ଓ ବିଭିନ୍ନ ପ୍ରକଳ୍ପ ବିଷୟରେ ୧୫ ମିନିଟ୍‌ ଧରି ଭାଷଣ ଦେଇଥିଲେ। ତେବେ ଓଡିଶା ସମ୍ପର୍କରେ ୨ ମିନିଟ୍‌ କହିବାବେଳେ ନଡ୍ଡା ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ନାମ ନେଇ ନଥିଲେ କି ସେଭଳି ଶାଣିତ ଆକ୍ରମଣ କରି ନଥିବା ନେଇ ଚର୍ଚ୍ଚା ହୋଇଛି।

ଏହାକୁ ନେଇ ପ୍ରଶ୍ନ ଉଠିଛି ଯେ, ୨୦୨୪ରେ ନଡ୍ଡାଙ୍କ ବିଜେପି ବିଜେଡି ସହିତ କଡା ଟକ୍କର ଦବ ତ? ଶ୍ରୀ ନଡ୍ଡା ନିଜ ଭାଷଣରେ କଂଗ୍ରେସ ଏବଂ ଅନ୍ୟ ଅଣବିଜେପି ଦଳଗୁଡିକୁ ଯେଉଁଭଳି ତୀବ୍ର ସମାଲୋଚନା କରି "ଭାଇ-ଭଉଣୀ'ଙ୍କ ଦଳ, ବାପା-ପୁଅଙ୍କ ରାଜନୀତି ବୋଲି ଆକ୍ଷେପ କରିଛନ୍ତି ବିଜେଜେଡି ବିରୋଧରେ ସେଭଳି କହିବା ଦେଖାଯାଇ ନାହିଁ।

ପରିବାରବାଦ ରାଜନୀତି ସମ୍ପର୍କର ବିବରଣୀ ବ୍ୟକ୍ତକରି ବିଭିନ୍ନ ରାଜ୍ୟରେ କ୍ଷମତା ଓ ବିପକ୍ଷରେ ଥିବା ଦଳଗୁଡିକର ନେତୃତ୍ୱଙ୍କ ନାଆ ଧରି ଟାର୍ଗେଟ୍‌ କରିଥିଲେ । ଏହି ତାଲିକାରେ ଓଡିଶାରେ ନେତୃତ୍ୱାଧୀନ ବିଜେଡିକୁ ମଧ୍ୟ ତାଲିକାଭୁକ୍ତ କରିଥିଲେ। ଓଡିଶାରେ ଦୁର୍ନୀତିଗ୍ରସ୍ତ କୁଶାସନ ଚାଲିଛି, ସରକାରକୁ ଉପାଡି ଫୋପାଡିବା ଆବଶ୍ୟକ, ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଓଡିଶା ବହୁ ପଛରେ, ପିଏମ୍‌ ଆବାସ ଯୋଜନାରେ ବିଜୁ ପକ୍କାଘରର "ମୋହର', ଓଡିଶାର ୩ ଜଣ ମନ୍ତ୍ରୀ ହତ୍ୟା ଅପରାଧରେ ଲିପ୍ତ, ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ପ୍ରସଙ୍ଗରେ ସରକାର ନକଲି ତେଣୁ ଚାବି ମଧ୍ୟ ନକଲି ବୋଲି କହି ଶ୍ରୀ ନଡ୍ଡା ରାଜ୍ୟ ସରକାରଙ୍କୁ ଆକ୍ରମଣ କରିଛନ୍ତି।

ସେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ନାମ ନେଇ ନଥିବାରୁ ରାଜନୈତିକ ସମାଲୋଚକଙ୍କୁ ଖୋରାକ ଯୋଗାଇଛି। ଏଭଳି କି ଶ୍ରୀ ନଡ୍ଡା, "ବିଜେପିର ପ୍ରକୃତ ଲଢେଇ କଂଗ୍ରେସ ସହିତ' ବୋଲି ଦେଇଥିବା ମନ୍ତବ୍ୟକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି- ଅର୍ଥାତ୍ ବିଜେପିର ବିଜେଡି ସହିତ ବିଶେଷ ବିରୋଧ ନାହିଁ? ନଡ୍ଡାଙ୍କ ଭାଷଣରେ ଯେଉଁଭଳି ଶାଣିତ ଆକ୍ରମଣ କରିବାର ଆବଶ୍ୟକ ଥିଲା ସେଭଳି ଦେଖାଯାଇ ନାହିଁ।

ପରିବାରବାଦ ରାଜନୀତିରେ ବିଭିନ୍ନ ରାଜ୍ୟର ନେତୃତ୍ୱଙ୍କୁ ନେଇ ସମାଲୋଚନା କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଜମ୍ମୁ-କାଶ୍ମୀରରେ ବରୁଖ ଅବଦୁଲ୍ଲା-ଉମର୍ ଅବଦୁଲ୍ଲା ବାପା-ପୁଅ ଓ ମେହବୁବା ମୁଫ୍‌ତିଙ୍କ ପରିବାରବାଦ ରାଜନୀତି, ହରିୟାନାରେ ଚୌଟାଲା, ପଞ୍ଜାବରେ ସିରୋମଣି ଅକାଳି ଦଳ ଓ ବାଦଲଙ୍କ ଦଳ, ଉତ୍ତର ପ୍ରଦେଶରେ ସମାଜବାଦୀ ପାର୍ଟିର ଅଖିଳେଶ ଯାଦବ-ମୁଲାୟମ ସିଂହ ଯାଦବଙ୍କ ଦଳ, ବିହାରରେ ତେଜସ୍ୱୀ ଯାଦବ ଓ ଲାଲୁ ଯାଦବଙ୍କ ଆର୍‌ଜେଡି, ପଶ୍ଚିମବଙ୍ଗରେ ମମତା-ଅଭିଷକ, ଝାଡଖଣ୍ଡରେ ଶିବୁ ସୋରେନ-ହେମନ୍ତ ସୋରେନ-ଛୋଟା ସୋରେନ, ଆନ୍ଧ୍ରପ୍ରଦେଶରେ ଜଗନ ମୋହନଙ୍କ ୱାଇଏସ୍‌ଆର୍ ଦଳ, ତେଲେଙ୍ଗାନାରେ ଚନ୍ଦ୍ରଶେଖର ରାଓଙ୍କ ଦଳରେ ନିଜେ ମୁଖ୍ୟମନ୍ତ୍ରୀ ଓ ପୁଅ, ଜ୍ୱାଇଁ ମନ୍ତ୍ରୀ, ଝିଅ ସାଂସଦ ଥିବା ନେଇ ଶ୍ରୀ ନଡ୍ଡା ସମାଲୋଚନା କରିଥିଲେ।

ସେହିଭଳି ମହାରାଷ୍ଟ୍ରର ଶିବସେନାକୁ ନେଇ ମଧ୍ୟ ରାଜନୈତିକ ଟାର୍ଗେଟ୍‌ କରି ସେ କହିଥିଲେ, ଶିବସେନା ପରିବାରର ଦଳରୁ ଖଣ୍ଡ ହୋଇ ବର୍ତ୍ତମାନ ନିଜ ଢଙ୍ଗରେ ଉଠୁଛି। ତେବେ ଓଡିଶାରେ ପରିବାରବାଦ ରାଜନୀତି ବିଷୟରେ କହିଲା ବେଳେ ଦଳର ନାଁ କି ନବୀନ ପଟ୍ଟନାୟକଙ୍କ ନା ନେଇ ନଥିଲେ।

ସେହିଭଳି ଦ୍ୱିତୀୟ ଦିନର ସମ୍ମୀଳନୀରେ ମଧ୍ୟ ସମାନ କଥା; ଦୁର୍ନୀତି, ଭ୍ରଷ୍ଟାଚାର ସରକାର କହି ରାଜ୍ୟ ସରକାରଙ୍କୁ ଘେରିଥିଲେ। ବିକଶିତ ଭାରତ ଦେଖିବାକୁ ହେଲେ ବିଜେଡିମୁକ୍ତ ଓଡିଶା ଦେଖିବାକୁ ହେବ ବୋଲି ସେ କହିଥିଲେ। ୨୦୧୯ ନିର୍ବାଚନ ପୂର୍ବରୁ ଆଜି ଯାଏଁ ବିଜେପି-ବିଜେଡି (ସୁ)ସମ୍ପର୍କକୁ ନେଇ ଓଡିଶା ରାଜନୀତିରେ ସମାଲୋଚନା ହୋଇ ଆସିଛି।

ନଡ୍ଡାଙ୍କ ଓଡିଶା ଗସ୍ତ କାର୍ଯ୍ୟକ୍ରମ ବେଳେ ସମାନ ଦିନରେ ବିଜେଡିର ଦୁଇଦିନିଆ ଜନସମ୍ପର୍କ ବୈଠକ ସମାବେଶ ଆୟୋଜନ କରିବା ନେଇ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଗଣମାଧ୍ୟମରେ ସମାଲୋଚନା କରିଥିଲେ। ଜନସାଧାରଣଙ୍କୁ ବୁମେରାଂ କରିବାକୁ ଦୁଇ ଦଳର ଏହି ପ୍ରୟାସ। "ବିଜେପି ଚାହେଁ ଓଡିଶାରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ରୁହନ୍ତୁ ଆଉ କେନ୍ଦ୍ରରେ ମୋଦୀ ସରକାର ରହୁ। ବିଜେଡିର କେବଳ୧୫ ଜଣ ସାଂସଦଙ୍କର ସମର୍ଥନ ବିଜେପି ଚାହୁଁଛି' ବୋଲି କଂଗ୍ରେସ ବିଧାୟକ ଶ୍ରୀ ବାହିନୀପତି ଗଣମାଧ୍ୟମକୁ କହିଥିଲେ।

କେବଳ ସେତିକି ନୁହେଁ, ରାଷ୍ଟ୍ରପତି ନିର୍ବାବାଚନରେ ବିଜେପି ପ୍ରାର୍ଥୀଙ୍କୁ ବିଜେଡିର ଆଗୁଆ ସମର୍ଥନ ଏବଂ ଅଣବିଜେପି ଦଳଗୁଡିକୁ ସମର୍ଥନ କରିବାକୁ ନିବେଦନ କରିବା ନେଇ ମଧ୍ୟ କେନ୍ଦ୍ର-ରାଜ୍ୟ ରାଜନୈତିକ ସମ୍ପର୍କ ବିଷୟରେ ଚର୍ଚ୍ଚା ହେଉଥିଲା। ଲୋକସଭା ଓ ରାଜ୍ୟସଭାରେ ଆଗତ ହେଉଥିବା ବିଭିନ୍ନ ବିଲ୍‌କୁ ବିଜେଡି ସଦସ୍ୟଙ୍କ ସମର୍ଥନ ନେଇ ମଧ୍ୟ ଦୁଇ ଦଳ ଭିତରେ "ବୁଝାମଣା'କୁ ନେଇ ଅନେକ ସମୟରେ ଚର୍ଚ୍ଚା ହୋଇଛି।

ଅଣବିଜେପି ଶାସିତ ରାଜ୍ୟରେ ଇଡି, ଇଓଡବ୍ଲ୍ୟୁର ତନାଘନା ସାମ୍ନାକୁ ଆସୁଥିବାବେଳେ ଓଡିଶାରେ ସେଭଳି ନ ହେବା ବିଷୟ ଚର୍ଚ୍ଚାରେ ରହିଛି। ଏଭଳି ସ୍ଥିତିରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶାଣିତ ଆକ୍ରମଣ ନ କରି କେବଳ ବ୍ୟବସ୍ଥାକୁ ଦାୟୀ କରିବା ପ୍ରଶ୍ନବାଚୀ ସୃଷ୍ଟିକରିଛି। ଲୋକତନ୍ତ୍ରରେ ବିପକ୍ଷ ଦଳର ଭୂମିକା ବିଶେଷ ମହତ୍ୱପୂର୍ଣ୍ଣ। ଯେଉଁ ରାଜ୍ୟରେ ବିରୋଧୀ ଦଳର ସୱର ଓ ପ୍ରସଙ୍ଗଭିତ୍ତିକ ଆକ୍ରମଣ ଯେତେ ଶାଣିତ, ସେଠାକାର ଶାସନ ବ୍ୟବସ୍ଥା ସେତିକି ସୁଦୃଢ, ସତର୍କ ଓ ଜାଗ୍ରତ।

କୁହାଯାଏ, ବିରୋଧୀ ଦଳର ବଳିଷ୍ଠ ନେତୃତ୍ୱ ଓ ଭୂମିକା ଗଣତନ୍ତ୍ର ପାଇଁ ଅତ୍ୟନ୍ତ ଶୁଭଙ୍କର। ୨୦୨୪ ନିର୍ବାଚନକୁ ଆହୁରି ୨ ବର୍ଷ ବାକି ଅଛି। ତେବେ ଆଗାମୀ ଦିନରେ ଓଡିଶାରେ ମୁଖ୍ୟ ବିରୋଧୀ ଦଳ ଭୁମିକାରେ ଥିବା ବିଜେପି ଓ କଂଗ୍ରେସ ନିଜ ଭୂମିକା ତୁଲାଇବାରେ କି ପଦକ୍ଷେପ ନେଉଛନ୍ତି ତାହା ସମୟ ସାପେକ୍ଷ।