• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Dilip Sabat

ପ୍ରଖ୍ୟାତ ସିନେ ନିର୍ମାତା ବୋନି କପୂରଙ୍କ ପ୍ରଯୋଜନାରେ ମୁକ୍ତିଲାଭ କରିଛି ତ୍ରିଭାଷୀ ସିନେମା ‘ବଲିମାଇ’। ସାମ୍ପ୍ରତିକ ସ୍ଥିତି ସହିତ ସାମଞ୍ଜସ୍ୟ ରଖୁଥିବା ‘ବଲିମାଇ’ର ମୂଳ ଭାଷା ତାମିଲ; ଏହାର ଅର୍ଥ ‘ଶକ୍ତି’। ଏକ ରାଜ୍ୟ ତଥା ରାଷ୍ଟ୍ରର ସମ୍ପତ୍ତି ହେଉଛି ଯୁବ ଶକ୍ତି, ଯାହା ସମାଜର ମୁଖ୍ୟ ସ୍ରୋତରୁ ଧିରେ ଧିରେ ଅପସରି ଅପରାଧ ଓ ନିଶାର ସାମ୍ରାଜ୍ୟରେ ନଅର ବସାଇଥାଏ।

ଶିକ୍ଷିତ ବେକାର ଓ ବେରୋଜଗାର ଏବଂ ଅର୍ଥନୈତିକ ଅସମାନତା ଦ୍ୱାରା ବିଶାଳ ଯୁବ ସମୁଦାୟ କିଭଳି ସାମାଜିକ ନିର୍ଯାତନାର ଶିକାର ହୋଇ ମାରାତ୍ମକ ନିଶାର ନାଗଫାଶରେ ଛନ୍ଦି ହୋଇ ଅପରାଧ ଘଟାଇଥାନ୍ତି ସେକଥା ଏହି ସିନେମାରେ ପର୍ଯ୍ୟବେଶିତ।

ଖାଲି ସେତିକି ନୁହେଁ; ଧଳା ଜହର କାରବାରର କଳା ଦୁନିଆ ଚଳାଇବା ଓ ନିଶା ସାମ୍ରାଜ୍ୟ ବିସ୍ତାର ପଛରେ ରାଜନେତା, ପୁଲିସ, ପ୍ରଶାସନ କିଭଳି ଏହି ଯୁବ ଶକ୍ତିକୁ ହତିଆର ଭାବେ ବ୍ୟବହାର କରନ୍ତି ତାହା ଏହି ସିନେମାରେ ଜୀବନ୍ତ ଭଳି ପ୍ରଦର୍ଶୀତ। ଗାଡି, ଗାର୍ଲଫ୍ରେଣ୍ଡ, ବଙ୍ଗଳା, ବିଲ୍ଡିଂ, ଅଏସ୍ ଆରାମର ସବୁ ସ୍ୱପ୍ନକୁ ହାସଲ କରିବା ପାଇଁ ଯୁବା, ରକ୍ତର ସମ୍ପର୍କ ସହିତ ରକ୍ତର ହୋଲି ଖେଳିବାକୁ କୁଣ୍ଠାବୋଧ କରେନି। ଏହି ଚଳଚ୍ଚିତ୍ରରେ ଆମ ସମାଜର ବାସ୍ତବିକ ଚିତ୍ର ଓ ଚରିତ୍ରର ବାସ୍ନା ବେଶ୍ ବାରି ହୋଇପଡୁଛି!

ଡ୍ରଗ୍ସ୍ ମାଫିଆଙ୍କ ପାଇଁ ଓଡିଶା ଦ୍ରୁତ ଗତିରେ ସୁରକ୍ଷିତ ସ୍ଥାନ ପାଲଟିଛି, କାରଣ ବ୍ରାଉନ୍ ସୁଗର ଏବଂ ଗଞ୍ଜେଇ ଭଳି ନିଶା ଦ୍ରବ୍ୟ କ୍ରମାଗତଭାବେ ଜବତ ହେବାରେ ଲାଗିଛି।

ଓଡିଶା ଅବକାରୀ ନିର୍ଦ୍ଦେଶାଳୟ ତଥ୍ୟ ଅନୁଯାୟୀ, ଚଳିତ ବର୍ଷ ଏପ୍ରିଲରୁ ଅଗଷ୍ଟ ପର୍ଯ୍ୟନ୍ତ ୮୩ କୋଟି ଟଙ୍କା ମୂଲ୍ୟର ଗଞ୍ଜେଇ ଏବଂ ବ୍ରାଉନ୍ ସୁଗର ଜବତ କରାଯାଇଛି।

ଗତ ଆର୍ଥିକ ବର୍ଷର ୨୦୨୧-୨୨ ର ସମାନ ଅବଧିରେ ଏଭଳି ପଦାର୍ଥ ଜବତ ବିରୁଦ୍ଧରେ ଅଗଷ୍ଟ ପର୍ଯ୍ୟନ୍ତ NDPS (ନାର୍କୋଟିକ୍ ଡ୍ରଗ୍ସ ଏବଂ ସାଇକୋଟ୍ରୋପିକ୍ ପଦାର୍ଥ) ଜବତରେ ୧୧୦% ବୃଦ୍ଧି ଘଟିଛି। ଏପ୍ରିଲରୁ ଅଗଷ୍ଟ ୨୦୨୧ ମଧ୍ୟରେ ୩୯.୪୯ କୋଟି ଟଙ୍କା ମୂଲ୍ୟର NDPS ସାମଗ୍ରୀ ଜବତ କରାଯାଇଛି।

ରାଜ୍ୟରେ ଗଞ୍ଜେଇ ଓ ବ୍ରାଉନ ସୁଗର୍ ଯଥାକ୍ରମେ ୧୩୨% ଏବଂ ୧୯୧% ବୃଦ୍ଧି ପାଇଛି। ୨୦୨୨ରେ ୯୮୭୪ଗ୍ରାମ ବ୍ରାଉନ ସୁଗର ଜବତ ହୋଇଥିବା ବେଳେ ୨୦୨୧ରେ ଜବତ ପରିମାଣ ୩୩୯୨ ଗ୍ରାମ ଥିଲା। ସେହିଭଳି ରାଜ୍ୟରେ ଗଞ୍ଜେଇ ୨୦୨୨ ଅଗଷ୍ଟ ସୁଦ୍ଧା ୨୧୬୯୦ କେଜି ଜବତ ହୋଇଥିବା ବେଳେ ୨୦୨୧ରେ ୯୩୩୯ କେଜି ଗଞ୍ଜେଇ ଜବତ ହୋଇଥିଲା।

୨୦୨୦ରେ ପ୍ରାୟ ୩୪ କିଲୋଗ୍ରାମ ବ୍ରାଉନ ସୁଗର ଜବତ ହୋଇଥିବା ବେଳେ ୨୦୨୧ ମସିହାରେ ଏହା ପ୍ରାୟ ୪୯.୫ କିଲୋଗ୍ରାମରେ ପହଞ୍ଚିଛି।

ବିଶେଷକରି କୋରାପୁଟ, ମାଲକାନଗିରି ଏବଂ ରାୟଗଡା ଜିଲ୍ଲାରେ ବହୁ ପରିମାଣର ଗଞ୍ଜେଇ ପୋଲିସ ଜବତ କରିଥିବା ବେଳେ ବାଲେଶ୍ଵର ଜିଲ୍ଲାରୁ ରାଜ୍ୟ କ୍ରାଇମ ବ୍ରାଞ୍ଚର ସ୍ୱତନ୍ତ୍ର ଟାସ୍କଫୋର୍ସ (ଏସଟିଏଫ) ଦ୍ୱାରା ବ୍ରାଉନ ସୁଗର ଜବତ କରାଯାଇଥିଲା।

ବର୍ତ୍ତମାନ ନିଶାର ପ୍ରସାର ଓ ପରିମାଣ ଏଭଳି ପରିବ୍ୟାପ୍ତ ଯେ, ‘ମଦ’ ସାଧାରଣ ରୂପରେ ପରିଗଣିତ ହେଲାଣି! ଏବେକା ଯୁବ ପିଢିର ଠିକ୍ ପୂର୍ବରୁ ଅର୍ଥାତ ୨୦/୨୫ ବର୍ଷ ତଳେ ‘ମଦ’କୁ ମାରାତ୍ମକ ନିଶା ଭାବରେ ବିବେଚନା କରାଯାଉଥିଲା। ମଦ ବିରୋଧୀ ଅଭିଯାନ କ୍ଷେତ୍ରରେ ସାମାଜିକ ସଂଗଠନଗୁଡିକ ସକ୍ରିୟ ଭୂମିକା ନିର୍ବାହ କରୁଥିଲେ।

ଏହି ପରିପ୍ରେକ୍ଷୀରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଗାନ୍ଧୀବାଦୀ ନେତା ପଦ୍ମଚରଣ ନାୟକଙ୍କ ଅବଦାନ ମଧ୍ୟ ଅତୁଳନୀୟ। ନିଜର ସମଗ୍ର ଜୀବନ ମଦ ବିରୋଧୀ ସଂଗ୍ରାମ ପାଇଁ ଉତ୍ସର୍ଗିକୃତ କରିଦେଲେ। ଏବେ ମଧ୍ୟ ଗ୍ରାମାଞ୍ଚଳରେ ମହିଳାମାନେ ମଦକୁ ବିରୋଧ କରି ସଂଗ୍ରାମ ଜାରି ରଖିଛନ୍ତି। ସେମାନଙ୍କ ଅନୁସାରେ ନିଶା ହିଂସାର ମୁଖ୍ୟ ଅସ୍ତ୍ର। ମହିଳା ବିରୋଧୀ ହିଂସା ଓ ଘରୋଇ ହିଂସାର କାରଣ ନିଶା।

ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ (ଏନସିଆରବି) କହିଛି ଯେ ଗତ ବର୍ଷ ଓଡିଶାରେ ମହିଳାଙ୍କ ପ୍ରତି ଅପରାଧରେ ୨୩% ବୃଦ୍ଧି ଘଟିଛି ଏବଂ ସେମାନଙ୍କ ବିରୋଧରେ ରାଜ୍ୟ ସର୍ବାଧିକ ଆକ୍ରମଣ ତଥା ସାଇବର ଅପରାଧ ରେକର୍ଡ କରିଛି। ଏନସିଆରବି ଦ୍ୱାରା ପ୍ରକାଶିତ 'କ୍ରାଇମ ଇନ ଇଣ୍ଡିଆ ୨୦୨୧' ରିପୋର୍ଟ ଅନୁଯାୟୀ, ୨୦୨୧ ମସିହାରେ ଦୁଷ୍କର୍ମ, ଅପହରଣ ଏବଂ କ୍ରୁରତା ମାମଲାରେ ମଧ୍ୟ ରାଜ୍ୟରେ ଏକ ବଡ଼ ବୃଦ୍ଧି ଘଟିଛି। ରାଜ୍ୟରେ ପ୍ରତି ଏକ ଲକ୍ଷ ମହିଳାଙ୍କ ଅପରାଧ ହାର ୨୦୨୦ରେ ୧୧୨.୯ ରୁ ୧୩୭.୮କୁ ବୃଦ୍ଧି ପାଇଛି।

ଆମ ସମାଜର ବାସ୍ତବିକ ଚିତ୍ର କ’ଣ? ବେରୋଜଗାର ଓ ଶିକ୍ଷିତ ବେକାର ଯୁବବର୍ଗ ବାସ୍ତବରେ ନିଶାର କବଳରେ ବା କାରବାରରେ ଫସି ନାହାଁନ୍ତି ତ? ଏଭଳି ପ୍ରଶ୍ନର ଭୟଙ୍କର ତଥ୍ୟ ସାମ୍ନାକୁ ଆଣିଛି ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟ। ଏଥିରେ କୁହାଯାଇଛି, ଭାରତରେ, ସାଇକୋଆକ୍ଟିଭ ପଦାର୍ଥର ବ୍ୟବହାର ଯୁବକମାନଙ୍କ ମଧ୍ୟରେ ଏକ ପ୍ରମୁଖ ବିପଦ ସୃଷ୍ଟି କରେ।

ସାଇକୋଆକ୍ଟିଭ ପଦାର୍ଥ ହେଉଛି ରାସାୟନିକ ପଦାର୍ଥ ଯାହା ମସ୍ତିଷ୍କ ଏବଂ ସ୍ନାୟୁ ପ୍ରଣାଳୀର କାର୍ଯ୍ୟକୁ ପ୍ରଭାବିତ କରି ବ୍ୟକ୍ତିର ମାନସିକ ସ୍ଥିତିକୁ ପରିବର୍ତ୍ତନ କରିଥାଏ। ଏହା ଜଣେ ବ୍ୟକ୍ତିର ମାନସିକ ସ୍ଥିତିକୁ ପରିବର୍ତ୍ତନ କରିପାରେ। ସେଗୁଡିକ ସାଇକୋଟ୍ରୋପିକ ପଦାର୍ଥ ଭାବରେ ମଧ୍ୟ ଜଣାଶୁଣା। ଏଥିରେ ମୁଖ୍ୟତଃ ମଦ୍ୟପାନ ଏବଂ ଡ୍ରଗ୍ସ ଅନ୍ତର୍ଭୁକ୍ତ।

ଯୁବକମାନଙ୍କ ଦ୍ୱାରା ଏପରି ପଦାର୍ଥର ବ୍ୟବହାର ଆଧୁନିକ ଭାରତୀୟ ସମାଜର ସାମାଜିକ ସମସ୍ୟା ମଧ୍ୟରୁ ଅନ୍ୟତମ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସାଇକୋଆକ୍ଟିଭ ପଦାର୍ଥକୁ ବ୍ୟାଖ୍ୟା କରେ ଯାହା ଯେତେବେଳେ ଗୋଟିଏ ସିଷ୍ଟମରେ ନିଆଯାଏ କିମ୍ବା ବ୍ୟବହୃତ ହୁଏ, ମାନସିକ ପ୍ରକ୍ରିୟାକୁ ଗଭୀର ପ୍ରଭାବିତ କରିଥାଏ। ମାନବ ଧାରଣା, ଚେତନା, ଜ୍ଞାନ, ମନୋବଳ ଏବଂ ଭାବନା ହରାଇବସେ।

ଫେବୃଆରୀ ୨୦୧୯ ରେ ଏଆଇଆଇଏମ୍ଏସ୍ ଦ୍ୱାରା ହୋଇଥିବା ଅଧ୍ୟୟନରେ ଏହା ଜଣାପଡିଛି ଯେ, ସର୍ଭେ ସମୟରେ ପ୍ରାୟ ୫ କୋଟି ଭାରତୀୟ ଗଞ୍ଜେଇ ଏବଂ ନିଶା ଦ୍ରବ୍ୟ ବ୍ୟବହାର କରିଥିବା ଜଣାଯାଇଛି। ଡବ୍ଲୁଏଚ୍ଓ ଦ୍ୱାରା ପ୍ରସ୍ତୁତ ରିପୋର୍ଟ ଅନୁଯାୟୀ, ବାର୍ଷିକ ପ୍ରାୟ ୦.୫ ନିୟୁତଙ୍କର ମୃତ୍ୟୁ ନିଶା ସେବନ ହେତୁ ହୋଇଥାଏ, ଯେଉଁଥିରେ ପ୍ରାୟ ୩୫୦,୦୦୦ ପୁରୁଷ ଏବଂ ୧୫୦,୦୦୦ ମହିଳା ଅଟନ୍ତି।

ଅନୁସନ୍ଧାନ ଅନୁଯାୟୀ, ଯୁବଗୋଷ୍ଠୀ ସର୍ବଭାରତୀୟ ସ୍ତରରେ ସର୍ବାଧିକ ପ୍ରଭାବିତ ହୋଇଥାଏ। ଏହା ସାଇକୋଆକ୍ଟିଭ ପଦାର୍ଥରେ ନିଶା ହେବାର ସମ୍ଭାବନା ଅଧିକ କାରଣ ଏହି ବୟସ ଜଣଙ୍କ ଜୀବନରେ ଏକ ବଡ଼ ପରିବର୍ତ୍ତନକୁ ପ୍ରତିପାଦିତ କରେ।

ଯୁବାବସ୍ଥାରେ, ବୌଦ୍ଧିକ, ଉଚ୍ଚ ବିଦ୍ୟାଳୟରେ ପ୍ରବେଶ କରିବା ଏବଂ ଏହି ସମୟରେ ଶରୀର ନିର୍ଦ୍ଦିଷ୍ଟ ହରମୋନ ପରିବର୍ତ୍ତନ ଅନୁଭବ କରେ ଯାହା ଜଣେ ବ୍ୟକ୍ତି ଭିତରେ ପରିବର୍ତ୍ତନ ସୃଷ୍ଟି କରେ। ଯୁବକମାନଙ୍କ ଜୀବନରେ ଅନେକ ସାମାଜିକ ଏବଂ ଭାବପ୍ରବଣ ଆହ୍ୱାନ, ସୁରକ୍ଷା ଏବଂ ଚିନ୍ତା ସମସ୍ୟା ଆସେ ଯାହା ଜୀବନର ଏହି ପର୍ଯ୍ୟାୟରେ ଜଣେ ବ୍ୟକ୍ତିଙ୍କୁ ପ୍ରଭାବିତ କରିଥାଏ ଏବଂ ସେମାନଙ୍କ ସହ ମୁକାବିଲା କରିବାରେ ଅକ୍ଷମତା ଜଣେ ବ୍ୟକ୍ତିଙ୍କୁ ଡ୍ରଗ୍ସ, ମଦ୍ୟପାନ, ସିଗାରେଟ୍ ଇତ୍ୟାଦି ଆଡକୁ ନେଇଥାଏ ବୋଲି କୁହାଯାଏ।

ରିପୋର୍ଟ ଅନୁସାରେ, ଯୁବ ମନ ଉପରେ ଆର୍ଥିକ ଚାପ ରହିବା ଦ୍ୱାରା ମଧ୍ୟ ନିଶା ଦ୍ୱାରା କବଳିତ ହେବାର ଆଶଙ୍କା ରହିଛି। ବିଶେଷକରି ବେକାର ଯୁବକ ଯେଉଁମାନେ ଉଚ୍ଚଶିକ୍ଷିତ ଏବଂ ସେମାନଙ୍କ ଶିକ୍ଷା ପାଇଁ ସମସ୍ତ ଅର୍ଥ ବିନିଯୋଗ କରାଯାଇଥାଏ, କିନ୍ତୁ ଯେହେତୁ ସେ ବେକାର ଏବଂ ସେହି ବିନିଯୋଗ ହୋଇଥିବା ଟଙ୍କାକୁ ରୋଜଗାର ଭାବରେ ଫେରାଇ ଆଣିବାକୁ ଅସମର୍ଥ। ବିଫଳତାର ଏହି ଉଦାସୀନତାରେ ଯୁବକଙ୍କୁ ନିଶା ଆଡକୁ ଟାଣି ନିଏ।

ବେଳେବେଳେ ଏହା ମଧ୍ୟ ଘଟେ ଯେ ଯେତେବେଳେ କିଶୋର ପରିବାର, ବନ୍ଧୁ କିମ୍ବା ନିକଟତମ ବ୍ୟକ୍ତିଙ୍କ ଠାରୁ ପର୍ଯ୍ୟାପ୍ତ ଧ୍ୟାନ ଏବଂ ପ୍ରେମ ପାଇ ନଥାଏ, ସେ ପ୍ରାୟତଃ ନିଜକୁ ଅବହେଳିତ ଅନୁଭବ କରନ୍ତି, ଏବଂ ଏହାର ମୁକାବିଲା ପାଇଁ ସେମାନେ ଡ୍ରଗ୍ସ ବ୍ୟବହାର ଆରମ୍ଭ କରନ୍ତି।

ଏହି କ୍ରମରେ ଯୁବଗୋଷ୍ଠୀ ସବୁଠାରୁ ଅସୁରକ୍ଷିତ ଗୋଷ୍ଠୀ ବୋଲି ରିପୋର୍ଟ ଦର୍ଶାଏ। ଏ କ୍ଷେତ୍ରରେ ସରକାର, ସାମାଜିକ ସଂଗଠନ, ବୁଦ୍ଧିଜୀବୀ ଦୃଢ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକ ରହିଛି। ବିଶେଷକରି ବେରୋଜଗାର ଓ ଶିକ୍ଷିତ ବେକାର ଯୁବଗୋଷ୍ଠୀଙ୍କ ପାଇଁ ନିଯୁକ୍ତି ତଥା ଆତ୍ମନିଯୁକ୍ତିର ସୁଯୋଗ ସୃଷ୍ଟି କରିବାର ଆବଶ୍ୟକ ରହିଛି। କୁହାଯାଏ ସିନେମା ହେଉଛି ସମାଜ ପରିବର୍ତ୍ତନର ଏକ ବଡ଼ ମାଧ୍ୟମ।

‘ବଲିମାଇ’ରେ ଯୁବଶକ୍ତିକୁ ନିଶାର ଅନ୍ଧକାର ଭିତରକୁ ଠେଲିଦେବା ପଛରେ ଯଦି ପୁଲିସ ପ୍ରଶାସନର ହାତ ରହିଛି ତଥାପି ସେହି ଶକ୍ତିକୁ ମୁଖ୍ୟ ସ୍ରୋତରେ ଆଣି ପୁଣି ଛିଡ଼ା କରାଇବା କ୍ଷେତ୍ରରେ ମଧ୍ୟ କିଛି ସଚ୍ଚୋଟ ପୁଲିସ ଅଫିସରଙ୍କ ଭୂମିକା ରହିଛି। ଟଙ୍କା ଓ କ୍ଷମତା ପାଇଁ ସମଗ୍ର ଯୁବଶକ୍ତିକୁ ଦିଗ ଭ୍ରଷ୍ଟ କରିବା ପରିବର୍ତ୍ତେ ସେମାନଙ୍କୁ ଉଚିତ ମାର୍ଗଦର୍ଶନ ଦେବା ନିହାତି ଆବଶ୍ୟକ।

(ବି.ଦ୍ର : ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

ଭୁବନେଶ୍ୱର, ନାଲ୍‌କୋ ଛକ