• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଥମିଲା ଭାରତ-ପାକିସ୍ତାନ ଯୁଦ୍ଧ ପରିସ୍ଥିତି । ଅସ୍ତ୍ରବିରତି ପାଇଁ ସହମତି ହୋଇଛନ୍ତି ଭାରତ-ପାକିସ୍ତାନ । ଦୁଇ ଦେଶ ପକ୍ଷରୁ ଜଳ, ସ୍ଥଳ ଓ ଆକାଶ ପଥରେ ଆକ୍ରମଣ ନ କରିବାକୁ ସହମତି ହୋଇଛି । ଭାରତୀୟ ସମୟ ଆଜି ସନ୍ଧ୍ୟା ୫ଟାରୁ ଅସ୍ତ୍ରବିରତି ଲାଗୁ ହୋଇଛି । ଦୁଇ ଦେଶର DGMO ସ୍ତରୀୟ କଥାବାର୍ତ୍ତା ପରେ ଅସ୍ତ୍ରବିରତି ପାଇଁ ସହମତି ହୋଇଛନ୍ତି । ପ୍ରଥମେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ସୂଚନା ପରେ ଏକଥା ସ୍ପଷ୍ଟ କରିଛନ୍ତି ଭାରତର ବୈଦେଶିକ ସଚିବ ବିକ୍ରମ ମିଶ୍ରି ।

ବୈଦେଶିକ ସଚିବଙ୍କ ସୂଚନା ମୁତାବକ, ଆଜି ଅପରାହ୍ନ ୩ଟା ୩୫ରେ DGMO ସ୍ତରୀୟ କଥାବାର୍ତ୍ତା ହୋଇଥିଲା । ଏଥିରେ ଦୁଇ ଦେଶ ତୁରନ୍ତ ଅସ୍ତ୍ରବିରତି ପାଇଁ ରାଜି ହୋଇଛନ୍ତି । ତିନି ସେନାକୁ ଉଭୟ ଦେଶ ପକ୍ଷରୁ ଅସ୍ତ୍ରବିରତି ସହମତି କଥା ଜଣାଇ ଦିଆଯାଇଛି । ଏହି ପ୍ରସଙ୍ଗରେ ଆସନ୍ତା ୧୨ ତାରିଖ ୧୨ଟାରେ ପୁଣିଥରେ DGMO ସ୍ତରୀୟ ଆଲୋଚନା ହେବ ।

ଅନ୍ୟପଟେ ଅସ୍ତ୍ରବିରତି ସହମତି ସମ୍ପର୍କରେ ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର କହିଛନ୍ତି, ''ଅସ୍ତ୍ରବିରତି ପାଇଁ ଦୁଇ ଦେଶ ମଧ୍ୟରେ ସହମତି ହୋଇଛି । କିନ୍ତୁ ଆତଙ୍କବାଦ ବିରୋଧୀ ଲଢ଼େଇରେ ସାଲିସ୍ କରିବୁନି । ପୂର୍ବ ଭଳି ଆତଙ୍କବାଦୀ ବିରୋଧୀ ଲଢ଼େଇ ଜାରି ରହିବ ।''

ସେହିପରି ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଏକ୍ସରେ ସୂଚନା ଦିଆଯାଇଛି, ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ପାଇଁ ସିଧାସଳଖ ଆଲୋଚନାରେ ସହମତି ହୋଇଛି । ପ୍ରଥମେ ପାକିସ୍ତାନ DGMO ଆଜି ଅପରାହ୍ନରେ କଲ୍ କରିଥିଲେ । ପାକିସ୍ତାନ DGMO କଲ୍ କରିବା ପରେ ଆଲୋଚନା ହୋଇଥିଲା । ଆଲୋଚନା ପରେ ଅସ୍ତ୍ରବିରତି ନେଇ ସହମତି ହୋଇଛି ।

ଅଧିକ ପଢ଼ନ୍ତୁ: ଅସ୍ତ୍ରବିରତି ପାଇଁ ଭାରତ-ପାକିସ୍ତାନ ରାଜି, ସୂଚନା ଦେଲେ ଟ୍ରମ୍ପ

ଆମେରିକାର ମଧ୍ୟସ୍ଥତାରେ ଭାରତ ଓ ପାକିସ୍ତାନ ତୁରନ୍ତ ଅସ୍ତ୍ରବିରତି ପାଇଁ ରାଜି ହୋଇଥିବା ପ୍ରଥମେ ସୂଚନା ଦେଇଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଅସ୍ତ୍ରବିରତି ସମ୍ପର୍କରେ 'ଏକ୍ସ'ରେ ଦେବା ସହ ସହମତି ପାଇଁ ଦୁଇ ରାଷ୍ଟ୍ରକୁ ଧନ୍ୟବାଦ ଜଣାଇଥିଲେ ଟ୍ରମ୍ପ ।ଏହାପରେ ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ମଧ୍ୟ ଭାରତ-ପାକିସ୍ତାନ ଅସ୍ତ୍ରବିରତି ସହମତି କଥା ଜଣାଇଛନ୍ତି ।