ଦିନ ଥିଲା ବାଉଁଶରେ ତିଆରି ସାମଗ୍ରୀର ବେଶ୍ ଚାହିଦା ଥିଲା । ସୁନ୍ଦର କାରିଗରୀ ସାଙ୍ଗକୁ ପାର୍ଶ୍ୱପ୍ରତିକ୍ରିୟା ନାହିଁ କି ପରିବେଶ ପ୍ରତି କ୍ଷତିକାରକ ବି ନୁହେଁ । ସେଥିପାଇଁ ଲୋକେ ତାକୁ ବ୍ୟବହାର କରିବାକୁ ପସନ୍ଦ କରୁଥିଲେ । ହେଲେ ଏବେ ସେସବୁକୁ ରାସ୍ତାରୁ ହଟାଇ ବାଜି ମାରିଛି ପ୍ଲାଷ୍ଟିକ୍ ।
ଆମେ ସମସ୍ତେ ଜାଣିଛେ ପ୍ଲାଷ୍ଟିକ କେତେ ହାନିକାରକ । ତଥାପି ଆମେ ନିଜ ସୁବିଧା ପାଇଁ ପ୍ଲାଷ୍ଟିକ୍ ସାମଗ୍ରୀ କିଣୁଛେ । ହେଲେ ଏସବୁ ଭିତରେ ବାଉଁଶ କାରିଗରମାନେ ନିଜ ଜୀବନ ଜୀବିକା ପାଇଁ ଆଜି କରୁଛନ୍ତି ସଂଘର୍ଷ ।
Also Read
ପକ୍ଷୀଟିଏ ତାର ବସା ବୁଣିଲା ଭଳି ବାଉଁଶ କାରିଗର ମାନେ ବି ନିଜର ଝାଳ ବୁହାଇ କୌଶଳ ଖଟାଇ ସେସବୁ ତିଆରି କରିଥାନ୍ତି । ୧୦-୧୨ ମାଇଲ ବାଟ ଚାଲି ଚାଲି ଯାଇ ବାଉଁଶ କିଣି ଆଣନ୍ତି । ତାକୁ ଚିରିକି ସୁଖେଇବାକୁ ଛାଡ଼ିଦିଅନ୍ତି । ସୁଖିଗଲା ପରେ ତାକୁ ବୁଣି ବୁଣି କୁହ୍ଲା, ଟୋକେଇ, ଫୁଲ ଚାଙ୍ଗୁଡ଼ି, ଝଙ୍କା, ପାଛିଆ, ଡାଲା, ଧାନ କଢ଼ା ଆଦି ଭଳିକି ଭଳି ସଂରକ୍ଷଣ ପାତ୍ର ସବୁ ତିଆରି କରନ୍ତି ।
ହେଲେ ଦୁଃଖର ବିଷୟ ଏତେ ପରିଶ୍ରମ ପରେ ବି ଆଜିର ପ୍ଲାଷ୍ଟିକ୍ ଯୁଗରେ ବାଉଁଶ କାରିଗରୀକୁ ଲୋକେ କିଣିବାକୁ ପସନ୍ଦ କରୁନାହାନ୍ତି । ଗାଁ ଗାଁ ବୁଲି ଘରେ ଘରେ ଯାଚି ଯାଚି ଦେଲେ ଟଙ୍କା ୫୦ କି ୬୦ରେ ବିକ୍ରି ହେଉଛି । ୧୦୦ ଟଙ୍କା ବି ମିଳୁନି କି ମାଗିଲେ ବି ଦେଉନାହାନ୍ତି ।
ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ମହୁଲିଆ ପଞ୍ଚାୟତର ୨ଟି ଗାଁ ମହୁଲିଆ ହରିଜନ ସାହି ଏଵଂ ନିଶ୍ଚନ୍ତା ହରିଜନ ସାହି । ପ୍ରାୟ ୫୦ ପରିବାର ଲୋକେ ଏଠାରେ ଵସଵାସ କରନ୍ତି । ସମସ୍ତେ ବାଉଁଶ କାରିଗର । ପ୍ଲାଷ୍ଟିକ ତିଆରି ଜିନିଷ ଯୋଗୁ ଏମାନଙ୍କ ମେରୁଦଣ୍ଡ ବଙ୍କା ହୋଇଯାଇଛି । ତଥାପି କୌଳିକ ବୃତ୍ତିକୁ ଜାବୁଡ଼ି ଧରିଛନ୍ତି ବାଉଁଶ କାରିଗରମାନେ । ବାପା ଗୋସାଇଁବାପା ଅମଳରୁ ଚାଲିଆସିଥିବା ବେଉସାକୁ ଆପଣାଇ ଅଳ୍ପରେ ପେଟ ପୁରୁ ପଛେ, ପରମ୍ପରାକୁ ଏମାନେ ବଞ୍ଚାଇ ରଖିଛନ୍ତି । ହେଲେ ସରକାରୀ ସ୍ତରରେ ଏମାନଙ୍କୁ ୠଣ କିମ୍ବା ପ୍ରୋତ୍ସାହନ ମିଳୁନଥିବାରୁ ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି । ଝାଟିମାଟି ନୁଆଁଣିଆ ଘରେ ଜୀବନ କାଟୁଛନ୍ତି । କାହାରିକୁ ଆବାସ ଘରଟିଏ ବି ମିଳିନି ।
ଅନ୍ୟପଟେ ଏବେ ବି ସରକାରଙ୍କ ଜନହିତକାର ଯୋଜନାଗୁଡ଼ିକରୁ ବଞ୍ଚିତ ଏହି ବାଉଁଶ କାରିଗରଙ୍କ ପରିବାର । ଏହାସହ ପୁଞ୍ଜି ଓ କଞ୍ଚା ମାଲର ଅଭାବ ଯୋଗୁ କୌଳିକ ବୃତ୍ତି ହଜିବାକୁ ବସିଲାଣି । ଦୁଇ ଓଳା ପେଟ ପୂରା ଖାଦ୍ୟ ମିଳିବା ବି କଷ୍ଟକର ହୋଇପଡ଼ୁଛି । ବାପା, ଦାଦାଙ୍କ ଏମିତି ଅବସ୍ଥା ଦେଖି ପରପିଢି ଆଉ ଏ କାମ କରିବାକୁ ମନ ବଳାଉନାହାନ୍ତି । ବାଉଁଶ କାରିଗରୀକୁ ବଞ୍ଚାଇ ରଖିବା ଲାଗି ସରକାର ପଦକ୍ଷେପ ନେବା ସହ ବାଉଁଶ କାରିଗରଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ଅନୁରୋଧ କରାଯାଉଛି।
- Reported by:
- Trinath Sahoo