• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପିଠଉ ଭଜା କରନ୍ତୁ କି ଚିପ୍ସ, ତରକାରୀ କରନ୍ତୁ କି ଆଚାର । ଯେମିତି ତିଆରି କଲେ ବି ପାଟିରୁ ଛାଡ଼ିବନି କି ଆପଣ ତାର ସ୍ୱାଦ କେବେ ଭୁଲିପାରିବେନି । ଆମେ କହୁଛୁ ପଦ୍ମନାଡ଼ କଥା । ଆଖିକୁ ଧଳା ଧଳା ଦେଖାଯାଇଥାଏ । ତାକୁ ମହୁନାଡ଼ ବି କୁହନ୍ତି । ଆପଣଙ୍କ ପାଟିକୁ ସୁଆଦିଆ ଲାଗୁଥିବା ଏଇ ପଦ୍ମନାଡ଼ ଅନେକଙ୍କ ପାଇଁ ଜୀବନ ଜୀବିକାର ଏକମାତ୍ର ମାଧ୍ୟମ । ଆଉ ଏହାକୁ ସଂଗ୍ରହ କରିବାକୁ କେତେ କଷ୍ଟ କରିବାକୁ ପଡ଼େ ଥରେ ପଢ଼ନ୍ତୁ...

ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକର ଜାହାଡା ହଜ.. ସୁଦୂର ପ୍ରସାରିତ ଏଇ ହଜରେ ପଙ୍କ ସର ସର । କାରଣ ଯେଉଁଠି ପଦ୍ମ, ସେଇଠି ପଙ୍କ ତ ହେବ । ଆଉ ଏଇ ହଜରୁ ପଦ୍ମନାଡ ସଂଗ୍ରହ କରି ଗୁଜୁରାଣ ମେଣ୍ଟାନ୍ତି ମଶାଣିଭାଗ ଏବଂ ଆଖପାଖ ୫ ଖଣ୍ଡ ଗାଁର ଗ୍ରାମବାସୀ । ସକାଳ ହେଉ ହେଉ ଆଗ ପଛ ହୋଇ ଘରର ମହିଳା ପୁରୁଷ ବାହାରି ପଡ଼ନ୍ତି ଜାହାଡା ହଜକୁ । ଗଭୀର ପାଣି ଭିତରେ ପଶି ମହୁନାଡକୁ ସଂଗ୍ରହ କରନ୍ତି ।

ଅନେକ ସମୟରେ ବିଷଧର ସାପ କାମୁଡ଼ିବାର ଭୟ ମଧ୍ୟ ରହିଥାଏ । ହେଲେ ପେଟପାଟଣା ପାଇଁ ପାଣି ଓ ପଙ୍କ ଭିତରୁ ମହୁନାଡ଼କୁ ଛାଣି ବାହାର କରି ଆଣନ୍ତି ସେମାନେ । ସଫାସୁତୁରା କରି ଗାଁ ଗାଁ ବୁଲି ବିକ୍ରି କରନ୍ତି । ୫୦-୧୦୦ ଯାହା ମିଳେ ସେତିକିରେ ତାଙ୍କର ପରିବାର ଚଳେ ।

ନଅଙ୍କ ଦୁର୍ଭିକ୍ଷ ବେଳେ ଲୋକଙ୍କ ଜୀବନ ବଞ୍ଚିବାର ରାହା ଥିଲା ପଦ୍ମନାଡ଼ । ଆଉ ଆଜି ବି ଏହାକୁ ଲୋକେ ଖାଇବାକୁ ପସନ୍ଦ କରନ୍ତି । ଲୋକଙ୍କ ଚାହିଦା ଅଛି ବୋଲି ଏଠାକାର ଲୋକଙ୍କ ଜୀବିକା ବି ବଞ୍ଚିଛି । ଏଇ ହଜ ନଥିଲେ ଲୋକଙ୍କ ଘରେ ଚୁଲି ଜଳୁନଥାନ୍ତା । ଶୀତ କାକର, ଜନ୍ତୁଜୁନ୍ତା ଭୟକୁ ଭୁଲି ଦୁଇ ପଇସା ରୋଜଗାର ଲାଗି ସବୁଦିନ ପଙ୍କରେ ପଶି ପଦ୍ମନାଡ଼ ସଂଗ୍ରହ କରୁଛନ୍ତି ଲୋକ । ଆଉ ଆମେ ମୂଲଚାଲ କରି ସେମାନଙ୍କଠାରୁ ପଦ୍ମନାଡ଼ କିଣୁଛେ । ୧୦୦ ଟଙ୍କାରେ କଣ ସେମାନଙ୍କ ପରିବାର ପେଟ ପୂରା ଗଣ୍ଡେ ଖାଇପାରୁଥିବ ।