• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଧନୁସଂକ୍ରାନ୍ତି ଅବସରରେ ବ୍ରହ୍ମପୁର ସହରର ମିଠା ଦୋକାନ ମାନଙ୍କରେ ଲାଗିଛି ଧନୁମୁଆଁର ସମ୍ଭାର। ଗଂଜାମରେ ପ୍ରସ୍ତୁତ ଏ ମୁଆଁର ପ୍ରସ୍ତୁତୀ ପ୍ରଣାଳୀ ଯେତେ ନିଆରା, ସେତେ ସ୍ୱାଦିଷ୍ଟ । ଖାସ ସେଥିପାଇଁତ ଗଂଜାମ ମୁଆଁ ସାରା ରାଜ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ଧନୁ ସଂକ୍ରାନ୍ତି ଦିନ ଇଷ୍ଟ ଦେବାଦେବୀଙ୍କ ଠାରେ ମୁଆଁ ଲାଗି କରିବାର ପରମ୍ପରା ଥିବା ବେଳେ, ବନ୍ଧୁବାନ୍ଧବଙ୍କ ପାଖକୁ ମୁଆଁ ପଠାଇଥାଆନ୍ତି ଗଂଜାମ ବାସିନ୍ଦା ।

ତତଲା କଡେଇରେ ଗୁଆ ଘିଅ ପକାଇ ଭଜା ହୋଇଥାଏ କାଜୁ, ପିସ୍ତା, ସହ ନଡିଆ। ଆଉ ଅନ୍ୟପଟେ ଭଜା ଚାଲିଥାଏ ଲିଆ । ଏଥିରେ ସ୍ୱତନ୍ତ୍ର ମସଲା ପକାଇ ପ୍ରସ୍ତୁତ ହୋଇଥାଏ ସ୍ୱତନ୍ତ୍ର ମୁଆଁ । ପରେ ଛାଞ୍ଚରେ ପକାଇ ତାକୁ ବିଭିନ୍ ଆକୃତିର ରୂପ ଦିଆଯାଇଥାଏ ।

ଧନୁ ସଂକ୍ରାନ୍ତି ପାଇଁ ଏବେ ବ୍ରହ୍ମପୁର ମିଠା ଦୋକାନ ମାନଙ୍କରେ ଚାଲିଛି ଏଭଳି ସ୍ୱତନ୍ତ୍ର ଧନୁମୁଆଁ ତିଆରି । ଗ୍ରାହକଙ୍କ ପସନ୍ଦକୁ ନଜରରେ ରଖି ସ୍ପେଶାଲ ମୁଆଁ, ଘିଅ ମୁଆଁ, ନଡିଆ ମୁଆଁ ଭଳି ବିଭିନ୍ନ କିସମର ମୁଆଁ ପ୍ରସ୍ତୁତ କରିଛନ୍ତି ମିଠା ଦୋକାନୀ ।

ପରମ୍ପରା ଅନୁସାରେ ବର୍ଷର ପ୍ରଥମ ଧାନ ଶସ୍ୟରେ ପ୍ରସ୍ତୁତ ଲିଆକୁ ମୁଆଁ କରି ଅଧିଷ୍ଠାତ୍ରୀ ଦେବୀ ମାଆ ବୁଢୀ ଠାକୁରାଣୀ ଠାରେ ଲଗାଇଥାନ୍ତି ଗଂଜାମ ବାସୀ । ସେହିପରି ବନ୍ଧୁବାନ୍ଧବଙ୍କ ସହ ସଂପର୍କର ଡୋରୀକୁ ମଜବୁତ କରିବାକୁ ଏହି ସ୍ୱତନ୍ତ୍ର ମୁଆଁ ବନ୍ଧୁ ପରିଜନଙ୍କ ଘରକୁ ପଠାଇବାର ମଧ୍ୟ ପରମ୍ପରା ରହିଛି । ଧନୁସଂକ୍ରାନ୍ତିରୁ ମକରସଂକ୍ରାନ୍ତି ଯାଏ ଏହି ସ୍ୱତନ୍ତ୍ର ମୁଆଁ ମିଳୁଥିବା ବେଳେ, ମିଠା ଦୋକାନ ମାନଙ୍କରେ ଗ୍ରାହକଙ୍କ ଭିଡ଼ ଲାଗିଲାଣି ।