/odishatv-khabar/media/post_attachments/uploadimage/library/16_9/16_9_0/Similipal_1702704578.jpg)
Similipal
ଶିମିଳିପାଳରେ ଶୀତୁଆ ସକାଳର ମଜା ନେବାକୁ ଯଦି ଚିନ୍ତା କରୁଛନ୍ତି ଘଡ଼ିଏ ଅଟକି ଯାଆନ୍ତୁ । ଆଉ ଏଇ ଖବରଟିକୁ ପଢ଼ନ୍ତୁ.. ପର୍ଯ୍ୟଟନ ଋତୁରେ ଦିନେ କି ଦୁଇଦିନ ନୁହେଁ ବରଂ କୋଡ଼ିଏ ଦିନ ହେଲାଣି ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ବାରଣ । କାହିଁକି ନା ପାଞ୍ଚ ଦଫା ଦାବିରେ ଗେଟ୍ ଆଗରେ ଧାରଣା ଦେଇଛନ୍ତି ଗ୍ରାମବାସୀ, ରୋକ ଠୋକ ଶୁଣାଇଛନ୍ତି ଦାବି ପୁରଣ ନ ହେବା ଯାଏ ଶିମିଳିପାଳକୁ ପର୍ଯ୍ୟଟକଙ୍କୁ ଛାଡ଼ିବୁ ନାହିଁ । ହାତ ଟେକି ବସିଛନ୍ତି କର୍ତ୍ତୃପକ୍ଷ । ସମାଧାନର ବାଟ ବାହାରି ପାରୁ ନ ଥିବା ବେଳେ ନିରାଶ ହୋଇ ଫେରୁଛନ୍ତି ପର୍ଯ୍ୟଟକ ।
‘ଯେପର୍ଯ୍ୟନ୍ତ ଆମ ଦାବି ପୁରୁଣା ନ ହୋଇଛି ସେପର୍ଯ୍ୟନ୍ତ ଆମେ ପର୍ଯ୍ୟଟକଙ୍କୁ ଶିମିଳିପାଳ ଛାଡ଼ିବୁନି’ । ଏମିତି ସଫା ସଫା କହିଦେଇଛନ୍ତି ଗ୍ରାମବାସୀ । ଶିମିଳିପାଳ ଅଭୟାରଣ୍ୟର ଭିତରେ ଥିବା ତିନୋଟି ପଞ୍ଚାୟତର ଲୋକେ ଅଭୟାରଣ୍ୟର ପ୍ରବେଶ ପଥରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିଛନ୍ତି । ଶିମିଳିପାଳର ଗାଁ ଗୁଡିକୁ ଭଲ ରାସ୍ତା, ପ୍ରଧାନମନ୍ତ୍ରୀ ପକ୍କା ସଡ଼କ, ମୋବାଇଲ ଟାଓ୍ୱାର, ସ୍ଥାୟୀ ପୋଲ, ଏବଂ ସ୍ଥାନୀୟ ଯୁବକଯୁବତୀଙ୍କୁ କର୍ମ ନିଯୁକ୍ତି ସହ ବିଭାଗରେ ସ୍ଥାୟୀ ଚାକିରି ଏହିଭଳି ୫ଦଫା ଦାବି ନେଇ ଜିଦରେ ଅଟଳ ଗ୍ରାମବାସୀ । ଏଥିପାଇଁ ଶିମିଳିପାଳ ବୁଲିବାକୁ ଆସିଥିବା ପର୍ଯ୍ୟଟକଙ୍କୁ ନିରାଶ ହୋଇ ଫେରିବାକୁ ପଡ଼ୁଛି ।
ଶୀତ ଋତୁ ଆସିଲେ ଶିମିଳିପାଳର ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ହାତଠାରି ଡାକେ । ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ଶିମିଳିପାଳ ଜାତୀୟ ଅଭୟାରଣ୍ୟକୁ ଗତ ବର୍ଷ ପଚାଶ ହଜାରରୁ ଉର୍ଦ୍ଧ୍ୱ ପର୍ଯ୍ୟଟକ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିଲେ । ସେମାନଙ୍କ ମଧ୍ୟରେ ବିଦେଶୀ ପର୍ଯ୍ୟଟକ ମଧ୍ୟ ଆସିଥାନ୍ତି । ହେଲେ ଏବର୍ଷ ଗତ ୨୪ ତାରିଖରୁ ଗ୍ରାମବାସୀଙ୍କ ଧାରଣା ଯୋଗୁଁ ଠପ୍ ହୋଇଯାଇଛି ଶିମିଳିପାଳ ବୁଲା। ସମାଧାନ ପାଇଁ ବିଭିନ୍ନ ବିଭାଗ ସହ ବୈଠକ ପରେ ବୈଠକ ହେଲାଣି ହେଲେ କୌଣସି ନିଷ୍କର୍ସ ବାହାରୁନି । ଏପଟେ ଜିଦ୍ ରେ ଅଟଳ ଗ୍ରାମବାସୀ, ସେପଟେ ଏକ ପ୍ରକାର ଅସହାୟ ଅବସ୍ଥାରେ ଶିମିଳିପାଳ କର୍ତ୍ତୃପକ୍ଷ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)