Advertisment

ହୀରାକୁଦରେ ଡାଇରିଆ ଡର; ଝାଡାବାନ୍ତି ଆକ୍ରାନ୍ତରେ ଜଣଙ୍କର ମୃତ୍ୟୁ !

ସମ୍ବଲପୁରର ହୀରାକୁଦ ସହରରେ ବ୍ୟାପୁଛି ଝାଡ଼ାବାନ୍ତି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିବା ବେଳେ ଆକ୍ରାନ୍ତ ହୋଇଛନ୍ତି ପ୍ରାୟ ୧୩୦ ଜଣ।

author-image
Sujit kumar Swain
undefined

'Diarrhoea' hits Hirakud

ସମ୍ବଲପୁରର ହୀରାକୁଦ ସହରରେ ବ୍ୟାପୁଛି ଝାଡ଼ାବାନ୍ତି । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିବା ବେଳେ ଆକ୍ରାନ୍ତ ହୋଇଛନ୍ତି ପ୍ରାୟ ୧୩୦ ଜଣ । ଏବେବି ବହୁ ଆକ୍ରାନ୍ତ ହୀରାକୁଦ ଓ ବୁର୍ଲା ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଜନସ୍ବାସ୍ଥ୍ୟ ବିଭାଗ ବା PHD ଯୋଗାଉଥିବା ପାଣି ଦୂଷିତ ହେବା ଦ୍ବାରା ଝାଡ଼ାବାନ୍ତି ବ୍ୟାପୁଥିବା ଏଡିଏମଓ ଅଭିଯୋଗ ଆଣିଥିବା ବେଳେ PHD କର୍ତ୍ତୃପକ୍ଷ କିନ୍ତୁ ଏହା ମାନିବାକୁ ନାରାଜ ।

Advertisment

ହୀରାକୁଦରେ ଡାଇରିଆ ଡର। ସହରର ଘରେ ଘରେ ଡାଇରିଆ ରୋଗୀ। ଅଭିଯୋଗ ହୋଇଛି, ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି ହୀରାକୁଦ ସହର କାଳୁପଡ଼ାର ଟିକେଶ୍ବର ନାୟକ। ପରିବାର ଲୋକଙ୍କ କହିବା ଅନୁସାରେ, ଝାଡାବାନ୍ତି ହେବାରୁ ପ୍ରଥମେ ତାଙ୍କୁ ହୀରାକୁଦ ଓ ପରେ ବୁର୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ଭୋରରୁ ଆଖି ବୁଜିଥିଲେ ଟିକେଶ୍ବର। ସହରର କାଳୁପଡ଼ା, ଗୁରୁଦ୍ବାରପଡ଼ା, ଗୌଡ଼ପଡ଼ା, ମାଛପଡ଼ା, ନିୟୁ ମାର୍କେଟ୍ କଲୋନୀ ସମେତ ସମସ୍ତ ପଡ଼ାରେ ପ୍ରତିଦିନକେହି ନା କେହି ଡାଇରିଆରେ ଆକ୍ରାନ୍ତ ହେଉଛନ୍ତି। ସେମାନଙ୍କ ମଧ୍ୟରେ କେତେକଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଉଛି। କିନ୍ତୁ ବହୁ ଆକ୍ରାନ୍ତଙ୍କର ଏବେବି ଚିକିତ୍ସା ଚାଲିଛି। 

ଜନ ସଚେତନତା ସୃଷ୍ଟି ପାଇଁ ଆଶାକର୍ମୀମାନେ ଡାକବାଜି ଯନ୍ତ୍ର ମାଧ୍ୟମରେ ପ୍ରଚାର କରୁଛନ୍ତି। ଭ୍ରାମ୍ୟମାଣ ଡାକ୍ତରୀ ଟିମ୍ ଘରକୁ ଘର ଯାଇ ଲୋକଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝୁଛନ୍ତି। ତେବେ ହୀରାକୁଦ ସହରରେ କାହିଁକି ବ୍ୟାପୁଛି ଡାଇରିଆ ? ସେନେଇ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଓ ଜନସ୍ବାସ୍ଥ୍ୟ ବିଭାଗ ମଧ୍ୟରେ ଚାଲିଛି ଦୋଷ ଲଦାଲଦି। PHDର ଦୂଷିତ ପାଣି ପିଇବା ଯୋଗୁଁ ସଂକ୍ରମଣ ବଢୁଥିବା ଖୋଦ୍ ଏଡିଏମଓ ଅଭିଯୋଗ କରିଛନ୍ତି। ସେପଟେ ଏହାକୁ ବାଏଁ ବାଏଁ ଅସ୍ବୀକାର କରିଛନ୍ତି PHD କର୍ତ୍ତୃପକ୍ଷ । 

Advertisment

ଦୂଷିତ ପିଇବା ପାଣି ଯୋଗୁଁ ଡାଇରିଆ ବ୍ୟାପୁଥିବା ଉଭୟ ଉତ୍ତରାଞ୍ଚଳ ଆରଡିସି ଓ ଜିଲ୍ଲାପାଳ ବି କହିଛନ୍ତି। ଆଜି ହୀରାକୁଦ ମେଡିକାଲ ଯାଇ ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ଆରଡିସି ଓ ଜିଲ୍ଲାପାଳ । ଗତବର୍ଷ ଡିସେମ୍ବରରେ ରାଉରକେଲାର ସମସ୍ତ ୪୦ଟି ୱାର୍ଡ ଓ ବସ୍ତିରେ ଯାଦୁ ଭଳି ମାଡିଯାଇଥିଲା ଡାଇରିଆ। ଏଥିରେ ସରକାରୀ ହିସାବରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ହଜାରେରୁ ଅଧିକ ଆକ୍ରାନ୍ତ ହୋଇଥିଲେ। ତେଣୁ ଏବେ ହୀରାକୁଦରେ ତ୍ବରିତ ପଦକ୍ଷେପ ନିଆନଗଲେଅବସ୍ଥା ଆୟତ୍ତ ବାହାରକୁ ଚାଲିଯିବାର ଆଶଙ୍କା ରହିଛି ।

Diarrhea
Advertisment
Advertisment