Advertisment

କାହିଁକି ବର୍ଷାଜଳରେ ଉବୁଟୁବୁ ବେଙ୍ଗାଲୁରୁ ? ଜଳବନ୍ଦୀ ସ୍ଥିତିକୁ ନେଇ ରାଜନୀତି ଜୋର

ପୂର୍ବ ଜେଡିଏସ୍-କଂଗ୍ରେସ ସରକାରଙ୍କୁ ଦାୟୀ କଲେ ମୁଖ୍ୟମନ୍ତ୍ରୀ

author-image
Prangyan Parimita
ଅଦ୍ୟତନ ହୋଇଛି
Bengaluru Flood

Bengaluru Flood

କାହିଁକି ବେହାଲ୍ ବେଙ୍ଗାଲୁରୁ? କାହିଁକି ବର୍ଷାଜଳରେ ଉବୁଟୁବୁ ଦେଶର ଟେକ୍ନୋଲୋଜି କ୍ୟାପିଟାଲ୍? ଅଳ୍ପ ସମୟ ମଧ୍ୟରେ ପ୍ରବଳ ବର୍ଷା ଏବଂ ବିନା ଯୋଜନାରେ ଘର ନିର୍ମାଣ ଯୋଗୁଁ ବେଙ୍ଗାଲୁରୁରେ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି । ୫ଶହରୁ ଅଧିକ ଡ୍ରେନକୁ ଜବରଦଖଲ କରାଯାଇ ତା ଉପରେ ବେଆଇନ ନିର୍ମାଣ ହୋଇଥିବା ନେଇ ମଧ୍ୟ ରିପୋର୍ଟ ପ୍ରକାଶ ପାଇଛି । ତେଣେ ବର୍ତ୍ତମାନ ବେଙ୍ଗାଲୁରୁରେ ଉପୁଜିଥିବା ସମସ୍ୟା ପାଇଁ ଅବିଶ୍ରାନ୍ତ ବର୍ଷା ସହ ବିରୋଧୀଙ୍କୁ ଟାର୍ଗେଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ।

Advertisment

ପୂର୍ବ ଜେଡିଏସ୍-କଂଗ୍ରେସ ସରକାରକୁ ଦାୟୀ କରିଛନ୍ତି ମୁଖ୍ୟମନ୍ତ୍ରୀ । ଅନେକ ସ୍ଥାନରେ ବେଆଇନ ଭାବେ ବାସଗୃହ ନିର୍ମାଣ ହେବା ସହ ବିଲ୍ଡିଂ ଗୁଡିକ ବିନା ପ୍ଲାନିଂରେ କରାଯାଇଥିବା କହିଛନ୍ତି । ଆପାର୍ଟମେଣ୍ଟ, ବିଲ୍ଡିଂ, ବଫର ଜୋନ୍ ଆଦି ବିନା ପ୍ଲାନରେ ହୋଇଛି । ଫଳସୂରୁପ ବେଙ୍ଗାଲୁରୁକୁ ଏଭଳି ଦୁର୍ଦ୍ଦଶା ଭୋଗିବାକୁ ପଡ଼ୁଛି । ଆଗକୁ ଜବରଦଖଲ ପାଇଁ କାହାକୁ ପ୍ରଶୟ ଦିଆଯିବନି ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି । ବେଙ୍ଗାଲୁରୁ ସହରରୁ ଜଳ ନିଷ୍କାସନ ପାଇଁ ୧୫ ଶହ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ଏଥିସହ ଜବରଦଖଲ ଉଚ୍ଛେଦ ପାଇଁ ୩ ଶହ କୋଟି ଟଙ୍କା ଅନୁଦାନ ରାଶି ବ୍ୟୟବରାଦ କରାଯାଇଛି ।

ବେଙ୍ଗାଲୁରୁ ସହ ଅନ୍ୟ ଜିଲ୍ଲାରେ ବନ୍ୟା ଜଳ ପରିଚାଳନ ନିମନ୍ତେ ୬ ଶହ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା ରହିଛି ବୋଲି ସୂଚନା ଦେଇଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ । ବିଭାଗୀୟ କର୍ମଚାରୀ, ଇଞ୍ଜିନିୟର, ସ୍ୱେଚ୍ଛାସେବୀ, ଷ୍ଟେଟ୍ ଡିଜାଷ୍ଟର ରେସପନସ୍ ଫୋର୍ସ ସ୍ଥିତି ମୁକାବିଲା ପାଇଁ ଦିନରାତି ଏକ କରି କାମ କରୁଛନ୍ତି ।

Advertisment

୯୦ ବର୍ଷ ଭିତରେ ବେଙ୍ଗାଲୁରୁରେ ଏହା ସବୁଠୁ ବଡ଼ ବର୍ଷା ବୋଲି କୁହାଯାଉଛି । ଆଞ୍ଚଳିକ ପାଣିପାଗ ବିଭାଗ ଆସନ୍ତା ୪ ଦିନ ମଧ୍ୟରେ ଦକ୍ଷିଣ ଓ ଉତ୍ତର କର୍ଣ୍ଣାଟକର ଆଭ୍ୟନ୍ତରୀଣ ଅଞ୍ଚଳରେ ପ୍ରବଳ ବର୍ଷାର ପୂର୍ବାନୁମାନ କରିଥିବାରୁ ଚିନ୍ତା ଆହୁରି ବଢ଼ିଛି । ଉତ୍ତର କର୍ଣ୍ଣାଟକରେ ଅଧିକ ବର୍ଷା ନେଇ ଆଶଙ୍କା ରହିଛି । କୋଡାଗୁ, ହାସନା, ଚିକ୍କାମାଗାଲୁରୁ, ଶିଭମୁଗା ଆଦି ଜିଲ୍ଲାରେ ମୂଷଳଧାରାରେ ବର୍ଷିପାରେ ।

ସେହିପରି ଉପକୂଳ କର୍ଣ୍ଣାଟକରେ ଦକ୍ଷିଣ କନ୍ନଡ଼, ଉତ୍ତର କନ୍ନଡ଼, ଉଡ୍ଡୁପି ଜିଲ୍ଲାର କିଛି ଅଞ୍ଚଳରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି । ଯଦି ଆହୁରି ଅଧିକ ଦିନ ବର୍ଷା ଲାଗି ରହେ, ତେବେ ଆଗକୁ ପରିସ୍ଥିତି ଅଧିକ ବିଗିଡିଯିବା ନେଇ ଆଶଙ୍କା କରାଯାଉଛି । ଅତ୍ୟଧିକ ବର୍ଷା ଯୋଗୁ ଭୀମେଶ୍ୱର ନଦୀ ଫୁଲିବା ଯୋଗୁ ବନ୍ୟା ଜଳ ବି ବେଙ୍ଗାଲୁରୁ ସହରରେ ପ୍ରବେଶ କରିଛି ।

Heavy Rainfall Bengaluru Flood Karnataka Rains
Advertisment
Advertisment