Advertisment

Narasimha Jayanti & Hindu Mythology: ଭଗବାନ ବିଷ୍ଣୁଙ୍କର ଚତୁର୍ଥ ଅବତାର; ନୃସିଂହ ଅବତାର ପଛରେ କ’ଣ ଅଛି ରହସ୍ୟ !

ଭଗବାନ ବିଷ୍ଣୁଙ୍କର ଦଶାବତାର ମଧ୍ୟରୁ ନୃସିଂହ ଅବତାର ହେଉଛି ଚତୁର୍ଥ ଅବତାର। ସେ କାହିଁକି ଓ କେଉଁ ପରିସ୍ଥିତିରେ ଏହି ଅବତାର ଗ୍ରହଣ କରିଥିଲେ ତାହା ଅଳ୍ପେ ବହୁତେ ସମସ୍ତେ ଜାଣନ୍ତି। ତେବେ ଏହା ପଛରେ ଥିବା ପୌରାଣିକ କାହାଣୀଟି ପଢ଼ନ୍ତୁ ଓ ଜାଣନ୍ତୁ ଏହି ଦିନଟିକୁ ପାଳନ କଲେ କି କି ଲାଭ ହୁଏ।

author-image
Sarojini Sankhua
ଅଦ୍ୟତନ ହୋଇଛି
nrusingha jayanti & mythology behind incarnation of lord vishnu

nrusingha jayanti & mythology behind incarnation of lord vishnu

ବୈଶାଖ ମାସ ଶୁକ୍ଳ ଚତୁର୍ଦ୍ଦଶୀକୁ ନୃସିଂହ ଚତୁର୍ଦ୍ଦଶୀ ବା ନୃସିଂହ ଜନ୍ମ ଭାବେ ପାଳନ କରାଯାଏ। ଲୋକ ବିଶ୍ଵାସ ଅନୁଯାୟୀ ବିଷ୍ଣୁଙ୍କର ଦଶାବତାର ମଧ୍ୟରୁ ନୃସିଂହ ଚତୁର୍ଥ ଅବତାର ଅଟନ୍ତି। ନର (ମଣିଷ) ଓ ସିଂହ ଶରୀରର ମିଳିତ ରୂପ ହେଉଛନ୍ତି ନୃସିଂହ ରୂପ। ଏହିଦିନ ଭକ୍ତ ପ୍ରହ୍ଲାଦକୁ ରାଜା ହିରଣ୍ୟ କଶିପୁଙ୍କ ନିର୍ଯାତନାରୁ ମୁକ୍ତ କରିବା ପାଇଁ ଏହି ନରସିଂହ ରୂପରେ ଭଗବାନ ବିଷ୍ଣୁ, ଏକ ସ୍ତମ୍ଭ ବା ଖୁଣ୍ଟରୁ ଆବିର୍ଭାବ ହୋଇଥିଲେ। ଭଗବାନ ନୃସିଂହଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏହି ଚତୁର୍ଦ୍ଦଶୀ ପାଳନ କରାଯାଏ ବୋଲି ବିଶ୍ଵାସ କରାଯାଏ।

Advertisment

ନୃସିଂହ ଚତୁର୍ଦ୍ଦଶୀ ବ୍ରତ ପାଳନ ପଛର କାହାଣୀ

ପ୍ରହଲ୍ଲାଦର ଭକ୍ତିରେ ସନ୍ତୁଷ୍ଟ ହୋଇ ଭଗବାନ ନରସିଂହ ରୂପରେ ସ୍ତମ୍ଭରୁ ବାହାରି ଦୁଷ୍ଟ ହିରଣ୍ୟକଶିପୁକୁ ବଧ କଲେ। ଏହାପରେ ନୃସିଂହଙ୍କର କୋପ ଶାନ୍ତ ହେଲା। ଭକ୍ତ ପ୍ରହ୍ଲାଦ ପ୍ରଭୁଙ୍କ କୋଳରେ ବସି ବିନୀତ ହେଇ ପଚାରିଲା- “ହେ ପ୍ରଭୁ ! ଆପଣଙ୍କ ପ୍ରତି ମୋର ଏ ଅଗାଢ଼ ଭକ୍ତିର କାରଣ କୁହନ୍ତୁ।’’

ଭଗବାନ କହିଲେ- ‘’ପୂର୍ବ ଜନ୍ମରେ ତୁମେ ବଶୁଶର୍ମା ନାମକ ଜଣେ ଧାର୍ମିକ ବ୍ରାହ୍ମଣର ପୁତ୍ର ଥିଲ। ତୁମର ନାମ ଥିଲା ‘ବାସୁଦେବ’। କିନ୍ତୁ ତୁମେ ବେଶ୍ୟାସକ୍ତ ଥିଲ ଓ ଧନ ଚୋରିରେ ବ୍ୟସ୍ତ ରହୁଥିଲ। ଦିନେ ତୁମେ ଆସକ୍ତ ଥିବା ସେହି ବେଶ୍ୟା ସହିତ ତୁମର ଝଗଡା ହୋଇଗଲା। ସେଇ ଦୁଃଖରେ ତୁମେ ଆଉ ଭୋଜନ କଲ ନାହିଁ। ତୁମ ପାଇଁ ସେ ବେଶ୍ୟା ମଧ୍ୟ ଭୋଜନ କଲା ନାହିଁ। ଉଭୟ ସେଦିନ ରାତି ଅନିଦ୍ରା ରହି ଉପବାସ କଲ। ସେଦିନ ମୋର ଶ୍ରେଷ୍ଠ ବ୍ରତ ବୈଶାଖ ଶୁକ୍ଳ ଚତୁର୍ଦ୍ଦଶୀ ପଡ଼ିଥିଲା। ତୁମେ ସେଦିନ ଅଜାଣତରେ ଉପବାସ ରହିବା ସହ ରାତି ସାରା ଉଜାଗର ରହିଲ। ତେଣୁ ଅତ୍ୟନ୍ତ ପୁଣ୍ୟ ଫଳ ତୁମ ଦୁହିଁଙ୍କୁ ମିଳିଲା। ଏହି ବ୍ରତ ଫଳରେ ସେ ବେଶ୍ୟା ମଧ୍ୟ ଅନ୍ୟ ଜନ୍ମରେ ଅପସରା ହୋଇ ସ୍ଵର୍ଗବାସ କରି ପରେ ମୋକ୍ଷ ଲାଭ କଲା। ଆଉ ତୁମେ ହିରଣ୍ୟକଶିପୁଙ୍କ ପୁତ୍ର ରୂପେ ଜନ୍ମ ହୋଇ ବିଷ୍ଣୁଙ୍କର ପରମ ଭକ୍ତ ହେଲ।

Advertisment

ଏହି ବ୍ରତର ସୁଫଳ

ପ୍ରଥମେ ଏହି ବ୍ରତ ପାଳନ କରି ବ୍ରହ୍ମା ଏହି ସୃଷ୍ଟି ସର୍ଜନା କରିଥିଲେ। ତ୍ରିପୁରାସୁରକୁ ବଧ କରିବା ପୂର୍ବରୁ ଶିବ ମଧ୍ୟ ଏହି ବ୍ରତ ପାଳନ କରିଥିଲେ। ବହୁ ରାଜା ଓ ୠଷି ଏ ବ୍ରତ କରି ପୁଣ୍ୟଫଳ ପାଇଛନ୍ତି। ଏ ବ୍ରତ କଲେ ଧନ, ଜନ, ଗୋପ, ଲକ୍ଷ୍ମୀ ସହ ଅଶେଷ ପୁଣ୍ୟ ଓ ସିଦ୍ଧି ଲାଭ ହୁଏ। ବୈଶାଖ ଶୁକ୍ଳ ଚତୁର୍ଦ୍ଦଶୀ ତିଥି ସର୍ବ ପାପନାଶକ ଅଟେ।

ବ୍ରତ ପାଳନର ବିଧି

ଅନ୍ୟ ଏକାଦଶୀ ଉପବାସ ପରି ନୃସିଂହ ଚତୁର୍ଦ୍ଦଶୀ ପାଳନ କରାଯାଏ। ନୃସିଂହ ଚତୁର୍ଦ୍ଦଶୀର ଦିନକ ପୂର୍ବରୁ ବ୍ରତଧାରୀମାନେ ଦିନରେ ମାତ୍ର ଥରଟିଏ ଖାଦ୍ୟ ଗ୍ରହଣ କରନ୍ତି। ଏହି ବ୍ରତରେ କୌଣସି ପ୍ରକାରର ଶସ୍ୟ ସେବନ ନିଷିଦ୍ଧ ଅଟେ। ଭକ୍ତମାନେ ମଧ୍ୟାହ୍ନରେ ସଂକଳ୍ପ କରନ୍ତି ଏବଂ ସୂର୍ଯ୍ୟାସ୍ତ ପୂର୍ବରୁ ବିଧି ବିଧାନ ଅନୁସାରେ ଶ୍ରୀ ନୃସିଂହଙ୍କଠାରେ ପୂଜାର୍ଚ୍ଚନା କରନ୍ତି। ବିଶ୍ଵାସ ରହିଛି ଯେ, ପ୍ରଭୁ ନରସିଂହ ସୂର୍ଯ୍ୟାସ୍ତ ସମୟରେ ଦର୍ଶନ ଦେଇଥିଲେ। ବ୍ରତଧାରୀ ରାତିରେ ଉଜାଗର ରହି ସକାଳ ପର୍ଯ୍ୟନ୍ତ ପୂଜା କରନ୍ତି। ଚତୁର୍ଦ୍ଦଶୀ ତିଥି ସରିବା ପରେ ଉପବାସ ଭାଙ୍ଗି ବ୍ରାହ୍ମଣଙ୍କୁ ଦାନ ଦିଆଯାଏ।

ଶ୍ରୀ ମନ୍ଦିରରେ ନୃସିଂହ ଜନ୍ମ ନୀତି

ବୈଶାଖ ମାସ ଶୁକ୍ଳ ଚତୁର୍ଦ୍ଦଶୀ ତଥା ନୃସିଂହ ଚତୁର୍ଦ୍ଦଶୀରେ ଶ୍ରୀମନ୍ଦିରରେ ନୃସିଂହ ଜନ୍ମ ନୀତି ସମ୍ପନ୍ନ ହୋଇଥାଏ। ଯାତ ଭୋଗ ସରିବା ପରେ ଠାକୁର ଚନ୍ଦନକୁ ଯାଇଥାନ୍ତି। ଏହାପରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ ବଢ଼ିଥାଏ। ଚନ୍ଦନରୁ ଠାକୁର ଫେରିବା ପରେ ହୋମ ପାଳିଆପଣ୍ଡା ଶ୍ରୀଅଙ୍ଗରୁ ଆଜ୍ଞାମାଳ ନେଇ ଘଣ୍ଟ, ଛତା, କାହାଳୀ ସହ ସିଂହଦ୍ୱାର ଓ ଦୋଳମଣ୍ଡପ ସାହି ଦେଇ ଚକ୍ରନାରାୟରଣ ମନ୍ଦିରକୁ ଯାଆନ୍ତି। ସେଠାରେ ମହାପ୍ରଭୁଙ୍କ ଆଜ୍ଞାମାଳ ଚକ୍ରନାରାୟଣଙ୍କୁ ଲାଗି କରାଯାଇଥାଏ। ମହାପ୍ରଭୁଙ୍କ ମଇଲମ ହୋଇ ଆଳତି ବଢ଼େ। ପରେ ତିନିବାଡ଼ରେ ଠାକୁରଙ୍କ ପଞ୍ଚାମୃତ ମହାସ୍ନାନ ହୁଏ।

ସର୍ବାଙ୍ଗ ବଢ଼ିବା ପରେ ଠାକୁର ନୂଆଲୁଗା ଲାଗିହୋଇ ୬ ମୂର୍ତ୍ତି ଅଳଙ୍କାର ଲାଗିହୋଇଥାନ୍ତି। ପାଣି ପଡ଼ି ସନ୍ଧ୍ୟା ଧୂପ ନୀତି ବଢିବା ପରେ ମହାଜନ ସେବକ ମୁକ୍ତିମଣ୍ଡପ ଉପରକୁ ନୃସିଂହଙ୍କୁ ଖଟୁଲିରେ ବିଜେ କରାଇଥାନ୍ତି। ନୃସିଂହ ମନ୍ଦିର ଭିତରେ ପତି ମହାପାତ୍ର ଏବଂ ମଣ୍ଡପ ଉପରେ, ବିଜେ ନୃସିଂହଙ୍କ ପାଖରେ ପଣ୍ଡା ମହାସ୍ନାନ ପୂଜା କରିଥାନ୍ତି। ଏହାପରେ ଉଭୟଙ୍କ ପାଖରେ ଶୀତଳ ଭୋଗ ପଞ୍ଚ ଉପଚାରରେ ପୂଜା ବଢି ବନ୍ଦାପନା ହୋଇଥାଏ। ମହାଜନେ ନୃସିଂହଙ୍କୁ ହାତରେ ବିଜେ କରାଇ ଆଣି ଝୁଲଣ ମଣ୍ଡପ ତଳେ ଥିବା ବିମାନରେ ବିଜେ କରାଇଥାନ୍ତି। ବିମାନବଡ଼ୁ ମାନେ ନୃସିଂହଙ୍କୁ ଶ୍ରୀଜଗନ୍ନାଥ ବଲ୍ଲଭକୁ ବିଜେ କରାନ୍ତି। ସେଠାରେ ଭୋଗ ବନ୍ଦାପନା ସରିବା ପରେ ଠାକୁର ବାହୁଡ଼ା ବିଜେ କରିଥାନ୍ତି। ନୃସିଂହ ବିଜେ କରିବା ପରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଆଳତି ଲାଗିହୋଇ ଅନ୍ୟାନ୍ୟ ନୀତି ବଢିଥାଏ।

ନୃସିଂହ ଅବତାରର ଉଦେଶ୍ୟ

ଶ୍ରୀମଦଭାଗବତ, ସ୍କନ୍ଧ ପୁରାଣ ଏବଂ ଗୀତ ଗୋବିନ୍ଦରେ ବର୍ଣ୍ଣିତ ଦଶ ଅବତାର ଭିତରୁ ସତ୍ୟ ଯୁଗର ଚତୁର୍ଥ ଅବତାର ହେଲେ ନରସିଂହ ବା ନୃସିଂହ। ସେ ହେଉଛନ୍ତି ଅଗ୍ର ସ୍ମରଣୀୟ। ତେଣୁ ତାଙ୍କର ନାମ ଶ୍ରୀମଦ୍ଭାଗବତରେ ପ୍ରଥମେ ନିଆ ଯାଇଛି। ନମଇ ନୃସିଂହ ଚରଣ, ଅନାଦି ପରମ କାରଣ।

ଅହଂକାରୀ ହିରଣ୍ୟକଶିପୁ ନିଜର ତପଶକ୍ତି ବଳରେ, ନିଜକୁ ଭଗବାନ ବୋଲି ପ୍ରଚାର କରୁଥିଲା ଓ ଭଗବାନ ବିଷ୍ଣୁଙ୍କର ଭକ୍ତଙ୍କୁ ବହୁ ନିର୍ଯାତନା ଦେଇ ହତ୍ୟା କରୁଥିଲା। କିନ୍ତୁ ଭାଗ୍ୟକୁ ତାର ନିଜ ପୁତ୍ର ପ୍ରହଲ୍ଲାଦ ବାଳୁତ କାଳରୁ ହରିଭକ୍ତ ଥିଲା। ସେ ପ୍ରହଲ୍ଲାଦକୁ ହରିଭକ୍ତିରୁ ବିରତ କରିବା ପାଇଁ ବହୁ ଚେଷ୍ଟା କରିବା ପରେବି ବିଫଳ ହେବାରୁ ତାକୁ ହତ୍ୟା କରିବା ପାଇଁ ତାଙ୍କ ନିକଟକୁ ଆସି ନିଜର ପ୍ରଭୁ କେଉଁଠାରେ ଅଛନ୍ତି ବୋଲି ପଚାରିଲେ।

ପ୍ରହଲ୍ଲାଦ କିନ୍ତୁ କହିଥିଲା, ଭଗହାନ ସବୁଠି ଅଛନ୍ତି। ଏଥିରେ ରୁଷ୍ଟ ହୋଇ ହିରଣ୍ୟକଶିପୁ ନିକଟସ୍ଥ ଖମ୍ବରେ ନିଜ ପ୍ରଭୁ ଅଛନ୍ତି ପ୍ରମାଣ କରିବା ପାଇଁ ପ୍ରହଲ୍ଲାଦକୁ ବାଧ୍ୟ କରି ନିଜ ଗଦାରେ ସେହି ଖମ୍ବକୁ ପ୍ରଚଣ୍ଡ ଆଘାତ କଲା। ହିରଣ୍ୟକଶିପୁକୁ ବର ମିଳିଥିଲା ଯେ ତା’ର ମୃତ୍ୟୁ ଦିନରେ କି ରାତିରେ ହେବନାହିଁ, ମଣିଷ କି ଦେବତା ଦ୍ୱାରା ହେବନାହିଁ, ଅସ୍ତ୍ର-ଶସ୍ତ୍ରାଦିଦ୍ୱାରା ହେବ ନାହିଁ। ବରଦାନ ଅନୁସାରେ ଅଦ୍ଭୁତରୂପ ନେଇ ବିଷ୍ଣୁ ପ୍ରକଟ ହେଲେ, ଦିନରେ ନୁହଁ କି ରାତିରେ ନୁହଁ ଗୋଧୂଳି ସମୟରେ, ନର ନୁହେଁ କି ଦେବତା ନୁହଁ ନରସିଂହ ରୂପରେ ଏବଂ ତା’ର ପ୍ରାଣ ନେଲେ ,ଅସ୍ତ୍ର କି ଶସ୍ତ୍ର ନୁହଁ ନିଜ ନଖରେ। ତାଙ୍କର ଦେହ ନର ଆକାରର ଓ ମସ୍ତକ ଓ ନଖ ସିଂହ ମସ୍ତକ ଓ ନଖ ସଦୃଶ ଭୟଂକର। ପ୍ରହଲ୍ଲାଦ ଏହି ରୂପକୁ ଦେଖି ଭୟାତୁର ହୋଇଥିବାରୁ ସେ ପର କ୍ଷଣରେ ତାଙ୍କୁ ଆଶ୍ୱାସନା ଓ ଅଭୟ ପ୍ରଦାନ କରିଥିଲେ। ତାଙ୍କର ଏହି ରୂପକୁ ମୁଖ୍ୟତଃ ହିନ୍ଦୁ ଧର୍ମର ବୈଷ୍ଣବମାନେ ପୂଜା କରିଥାନ୍ତି। ରକ୍ଷାକର୍ତ୍ତା ଓ ବିପଦ ତାରଣକାରୀ ରୂପେ ସେ ଅଗ୍ରପୂଜିତ।

Odisha Odia Parba Parbani
Advertisment
Advertisment