/odishatv-khabar/media/post_attachments/uploadimage/library/16_9/16_9_0/IMAGE_1746975435.jpg)
PM Modi Talks On POK
ସେପଟୁ ଗୁଳି ଚଳାଇଲେ, ଏପଟୁ ଗୋଳା ବର୍ଷିବ ଶତ୍ରୁକୁ ଏଭଳି ସିଧା ଚେତାବନୀ ଦେଇଛନ୍ତି ପିଏମ୍ ମୋଦି । କଥାବାର୍ତ୍ତା ହେବ ତ କେବଳ POK ଫେରାଇବା ଉପରେ । ଆମେରିକା ଉପରାଷ୍ଟ୍ରପତି ଜେଡି ଭାନସଙ୍କ ସହ କଥା ହେବା ବେଳେ ପିଏମ୍ ମୋଦି ସଫା ସଫା ଶୁଣାଇ ଦେଇଛନ୍ତି, କାଶ୍ମୀର ପ୍ରସଙ୍ଗରେ ଆମର ଆଭିମୁଖ୍ୟ ଅତ୍ୟନ୍ତ ସ୍ପଷ୍ଟ । ଏବେ କେବଳ ଗୋଟିଏ ପ୍ରସଙ୍ଗ ବାକି ଅଛି, ତାହେଲା- ପାକ୍ ଅଧିକୃତ କାଶ୍ମୀରକୁ ଫେରାଇ ଆଣିବା । ଏହାବ୍ୟତୀତ ଅନ୍ୟ କୌଣସି କଥା ନାହିଁ । ଯଦି ସେମାନେ ଆତଙ୍କବାଦୀଙ୍କୁ ଆମ ହାତରେ ଟେକି ଦେବେ, ତେବେ ଯାଇ ଆଲୋଚନା ହୋଇପାରେ । ଅନ୍ୟ କୌଣସି ପ୍ରସଙ୍ଗରେ କଥାବାର୍ତ୍ତା ହେବାର ନାହିଁ ।
ଭାରତର ମଧ୍ୟସ୍ଥତା ଦରକାର ନାହିଁ:
ମୋଦି ଏହା ବି ସଫା ସଫା ଶୁଣାଇ ଦେଇଛନ୍ତି ଯେ, ଭାରତ ଚାହେଁ ନାହିଁ ଏଥିରେ ଆଉ କିଏ ମଧ୍ୟସ୍ଥତା କରୁ । ଆମକୁ କୌଣସି ମଧ୍ୟସ୍ଥିର ଦରକାର ନାହିଁ । ପ୍ରଧାନମନ୍ତ୍ରୀ ଏହା ବି ସ୍ପଷ୍ଟ ଭାବେ ଜଣାଇ ଦେଇଛନ୍ତି ଯେ, ଯଦି ସେପଟୁ ଗୁଳି ଚାଲେ, ଏପଟୁ ଗୋଳା ବର୍ଷିବ। ଅପରେସନ୍ ସିନ୍ଦୂର ଏଯାଏଁ ସରିନାହିଁ । ଜେଡି ଭାନ୍ସଙ୍କ ସହ ପିଏମ୍ ମୋଦିଙ୍କ କଥାବାର୍ତ୍ତା ନେଇ ନ୍ୟୁୟର୍କ ଟାଇମସରେ ରିପୋର୍ଟ ପ୍ରକାଶ ପାଇଛି ।
କୁହାଯାଉଛି, ଅପରେସନ ସିନ୍ଦୂରରେ ୩ଟି ଲକ୍ଷ୍ୟ ପୂରଣ ହୋଇଛି । ସେଗୁଡ଼ିକ ହେଲା ସାମରିକ, ରାଜନୈତିକ ଓ ମନସ୍ତାତ୍ତିକ ଲକ୍ଷ୍ୟ । ସାମରିକ ଲକ୍ଷ୍ୟରେ ବାହାୱଲପୁର, ମୁରିଦକେ, ମୁଜାଫରବାଦ ଆଦି ଆତଙ୍କୀ କ୍ୟାମ୍ପ ମାଟିରେ ମିଶିଛି । ୨- ରାଜନୈତିକ ଉଦ୍ଦେଶ୍ୟ- ସିନ୍ଧୁ ନଦୀ ଚୁକ୍ତି ସହ ସୀମା ପାର୍ ଆତଙ୍କବାଦ ଜଡ଼ିତ, ଯେ ପର୍ଯ୍ୟନ୍ତ ସୀମାପାର ଆତଙ୍କବାଦ ବନ୍ଦ ନହୋଇଛି, ସେ ଯାଏଁ ଚୁକ୍ତି ବାତିଲ୍ କାଏମ୍ ରହିବ । ତୃତୀୟରେ ମନୋସ୍ତାତ୍ତ୍ବିକ ବିଜୟ ହେଲା, ସେମାନଙ୍କ ଘରେ ପଶି ମାରିବା ଆମ ପାଇଁ ବଡ଼ ସଫଳତା ।
ଏ ଯାଏଁ ସରିନି ଅପରେସନ ସିନ୍ଦୂର:
ସେପଟେ ଅସ୍ତ୍ର ବିରତି ଘୋଷଣା ପରଠାରୁ ସୀମା ଶାନ୍ତ ଅଛି, ଗର୍ଜୁନି ଗୁଳିଗୋଳା କି ଉଡୁନି ଯୁଦ୍ଧ ଜାହାଜ । ହେଲେ ବି କିନ୍ତୁ ସରିନି ‘ଅପରେସନ ସିନ୍ଦୂର’ । ଏକଥା ଆଜି ସ୍ପଷ୍ଟ କରିଛି ଭାରତୀୟ ବାୟୁ ସେନା । ଏୟାର ଫୋର୍ସ କହିଛି- ଅପରେସନ ସିନ୍ଦୂର ମାଧ୍ୟମରେ ଦିଆଯାଇଥିବା ଟାସ୍କକୁ ସଫଳତାର ସହ ପ୍ରତିପାଦନ କରାଯାଇଛି । ସମନ୍ୱିତ, ସୁଚିନ୍ତିତ ଭାବେ ଏ ଅପରେସନ୍ ଚାଲିଛି । ତେବେ କୌଣସି କାଳ୍ପନିକ ଓ ଅସତ୍ୟ ଖବରଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛି ଇଣ୍ଡିଆନ୍ ଏୟାର ଫୋର୍ସ ।
ତେଣେ ‘ଅପରେସନ ସିନ୍ଦୂର’କୁ ନେଇ ବଡ଼ ବୟାନ ରଖିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ। ରାଜନାଥ କହିଛନ୍ତି- ‘ଅପରେସନ ସିନ୍ଦୂର’ କେବଳ ଏକ ସୈନ୍ୟ କାର୍ଯ୍ୟାନୁଷ୍ଠାନ ନୁହେଁ, ବରଂ ଆତଙ୍କବାଦ ବିରୋଧୀ ଲଢ଼େଇ । ଏହା ଦେଶର ରାଜନୈତିକ, ସାମାଜିକ ଓ ରଣନୈତିକ ଇଚ୍ଛାଶକ୍ତିର ପ୍ରତୀକ।ଭାରତୀୟ ସେନାର ଗର୍ଜନ କେବଳ ସୀମାରେ ସୀମୀତ ରହିନି ବରଂ ପାକ୍ ସେନାର ମୁଖ୍ୟାଳୟ ରାୱଲପିଣ୍ଡି ଯାଏଁ ବି ଶୁଭିଛି । ଭାରତ ଆତଙ୍କବାଦ ବିରୋଧରେ ଯେବେ ବି କୌଣସି ଆକ୍ସନ ନେବ, ଉଭୟ ଆତଙ୍କୀ ଓ ସେମାନଙ୍କ ଆକ୍କାଙ୍କ ପାଇଁ ସୀମା ଆରପଟ ଭୂମି ବି ସୁରକ୍ଷିତ ନୁହେଁ ବୋଲି ଚେତାଇ ଦେଇଛନ୍ତି ପ୍ରତିରକ୍ଷାନ୍ତ୍ରୀ ।
ଆଟାକ୍ କଲେ ମିଳିବ କଡ଼ା ଜବାବ:
ତେଣେ ଗତକାଲିର ଅସ୍ତ୍ରବିରତି ଉଲ୍ଲଙ୍ଘନ ନେଇ ପାକିସ୍ତାନକୁ ଚେତାବନୀ ଦେଇଛନ୍ତି ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ। ସେ ସ୍ପଷ୍ଟ ଭାବେ କହିଛନ୍ତି- ମେ ୧୦ରେ ହୋଇଥିବା DGMO ସ୍ତରୀୟ ସହମତି ଉଲ୍ଲଙ୍ଘନ ହେଲେ, ଭାରତ ଆକ୍ରମଣ କରିବା ନିଶ୍ଚିତ । ସୀମାରେ ସାଂପ୍ରତିକ ସ୍ଥିତି ନେଇ ସେ ୱେଷ୍ଟର୍ଣ୍ଣ ବର୍ଡର କମାଣ୍ଡରଙ୍କ ସହ କଥା ହୋଇଛନ୍ତି । ଆବଶ୍ୟକ ପଡ଼ିଲେ ଜବାବୀ ହମଲା ପାଇଁ ୱେଷ୍ଟର୍ଣ୍ଣ ବର୍ଡର କମାଣ୍ଡରଙ୍କୁ ପୂର୍ଣ୍ଣ କ୍ଷମତା ପ୍ରଦାନ କରାଯାଇଛି । ଏସବୁ ଭିତରେ ଆସନ୍ତାକାଲି ମଧ୍ୟାହ୍ନ ୧୨ଟାରେ ବସିବାକୁ ଯାଉଛି ଭାରତ-ପାକିସ୍ତାନ ଡିଜିଏମ୍ ସ୍ତରୀୟ ବୈଠକ। ଯାହା ଉପରେ ରହିଛି ସାରା ବିଶ୍ବର ନଜର ।
ବ୍ୟୁରୋ ରିପୋର୍ଟ, ଓଟିଭି...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)