• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆକାଉଣ୍ଟକୁ ଆସିଲା ପୁଳା ପୁଳା ଟଙ୍କା । ନାଁ ଗଣିହେବ, ଦେଖିଲେ ଆଖି ଖୋସି ହୋଇଯିବ । କ୍ଷଣିକରେ ଆପଣଙ୍କ ଆକାଉଣ୍ଟକୁ କୋଟି କୋଟି ଟଙ୍କା ଆସିଗଲେ ଆପଣ କ’ଣ କରିବେ ? କାହାର ଖୁସିର ଠିକଣା ରହିବ ନାହିଁ ତ କିଏ ଖୁସିରେ ପାଗଳ ମଧ୍ୟ ହୋଇଯାଇ ପାରେ । ଜଣେ ଆମେରିକୀୟ ବ୍ୟକ୍ତିଙ୍କ ସହ ସମାନ ଘଟଣା ଘଟିଛି । କିଛି ଘଣ୍ଟା ପାଇଁ ସେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ହୋଇଯାଇଛନ୍ତି । ଡେରେନ୍ ଜେମ୍ସ ନାମକ ଜଣେ ବ୍ୟକ୍ତି କିଛି ଘଣ୍ଟା ପାଇଁ ହେଉ ମଧ୍ୟ ଦୁନିଆର ୨୫ତମ ଧନୀ ବ୍ୟକ୍ତି ହୋଇଯାଇଛନ୍ତି । କାରଣ ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ହଠାତ୍‌ ୫୦ ବିଲିୟନ ଡଲାର (୩୯୯୪୭୭୭୫୦୦୦୦୦) କ୍ରେଡିଟ୍ ହୋଇଥିଲା ।

ଦ ଡେଲି ଷ୍ଟାର ଅନୁଯାୟୀ, ଆମେରିକାର ଲୁଇସିଆନା ବାସିନ୍ଦା ଡେରେନଙ୍କ ଆକାଉଣ୍ଟକୁ ଏତେ ଟଙ୍କା ଆସିଯିବା ପରେ ସେ ନିଜ ଆଖିକୁ ମଧ୍ୟ ବିଶ୍ୱାସ କରିପାରୁ ନଥିଲେ । ସେ ଗଣମାଧ୍ୟମ ସହ ଆଲୋଚନାରେ କହିଛନ୍ତି, ମୁଁ ପାଗଳ ହୋଇଯିବା ପରି ଲାଗୁଥିଲା । କାରଣ ପୂର୍ବରୁ ଏତେ ଟଙ୍କା ମୋ ଆକାଉଣ୍ଟକୁ ଆସିନଥିଲା । ଆକାଉଣ୍ଟରେ ଏତେ ଟଙ୍କା ଦେଖି ଭାରି ଖୁସି ଲାଗିଲା, କିନ୍ତୁ ଏହା କେଉଁଠାରୁ ଆସିଛି ମୁଁ ଜାଣେ ନାହିଁ । ପରିବାର ଲୋକ ଭାବୁଥିଲେ ଟଙ୍କା ଦେଇଥିବା ବ୍ୟକ୍ତି ନିଶ୍ଚିତ ଘରକୁ ଆସିବ କିମ୍ବା ଫୋନ୍ କରିବ । କିନ୍ତୁ କେହି ଫୋନ୍‌ କଲେନି କି ଘରକୁ ଆସିଲେନି ।

ତେବେ ଟଙ୍କା ଦେଖି ସେ ଲୋଭାନ୍ୱିତ ହୋଇ ପଡ଼ିନଥିବା ସେ କହିଛନ୍ତି । ଟଙ୍କା ତାଙ୍କ ଆକାଉଣ୍ଟରେ ହିଁ ରହିଲା । ତା’ପରେ ବ୍ୟାଙ୍କ ସହିତ ଯୋଗାଯୋଗ କରି ପ୍ରକୃତ ମାଲିକଙ୍କ ନିକଟକୁ ଟଙ୍କା ଫେରାଇବା ପାଇଁ ବ୍ୟବସ୍ଥା କରିଥିଲେ ଡେରେନ୍ । ଟଙ୍କା ନିଜର ହୋଇନଥିବାରୁ ସେ ନା ଟଙ୍କାଟିଏ ଉଠାଇଲେ ନା ଖର୍ଚ୍ଚ କଲେ । କାରଣ ଡେରେନ୍ ଜାଣିଥିଲେ ଦିନେ ନା ଦିନେ ଟଙ୍କା ମାଗିବ ବ୍ୟାଙ୍କ । ତେବେ ଏହି ଘଟଣା ଘଟିବାର କିଛି ଦିନ ପରେ ଟଙ୍କା ପୁଣି ଆକାଉଣ୍ଟରୁ ଅଦୃଶ୍ୟ ହୋଇଗଲା ।