/odishatv-khabar/media/post_attachments/uploadimage/library/16_9/16_9_0/BrahMos__1746977836.jpg)
BrahMos
ପାକିସ୍ତାନ ବିପକ୍ଷରେ ଭାରତର ଆକ୍ରମଣରେ ଗେମ୍ ଚେଞ୍ଜର ସାଜିଲା କି ବ୍ରହ୍ମୋସ ? ନିର୍ଣ୍ଣାୟକ ସାଜିଲା କି ଭାରତର ସୁପରସୋନିକ କ୍ରୁଜ୍ ମିସାଇଲ୍ ? ପାକିସ୍ତାନ ଉପରେ ଆକ୍ରମଣରେ ଭାରତର ସୁପରସୋନିକ କ୍ରୁଜ୍ ମିସାଇଲ୍ ବ୍ରହ୍ମୋସର ବ୍ୟବହାର ହୋଇଥିବା ଚର୍ଚ୍ଚା ହେଉଛି । ତେବେ ଏହା ଉପରେ ସେନା ପକ୍ଷରୁ କିଛି ବି ସ୍ପଷ୍ଟ କରାଯାଇନି ।
'ଅପରେସନ୍ ସିନ୍ଦୂର'ରେ ବ୍ରହ୍ମୋସର ଉପଯୋଗ ! ସୁପରସୋନିକ ମିସାଇଲ ମାଡ଼ରେ ଧ୍ବଂସ ପାକ୍ ଏୟାରବେସ୍ ! ପାକିସ୍ତାନ ବିପକ୍ଷରେ ଭାରତର ସଫଳ ଅପରେସନ ସିନ୍ଦୂର । ଯାହାର ଶ୍ରେୟ ଦିଆଯାଉଛି ବ୍ରହ୍ମୋସ ମିସାଇଲକୁ । କୁହାଯାଉଛି, ପ୍ରଥମ ଥର ପାଇଁ ପାକିସ୍ତାନ ବିପକ୍ଷରେ ଭାରତ ବ୍ରହ୍ମୋସ ମିସାଇଲ୍ ବ୍ୟବହାର କରିଛି । ମିସାଇଲର ଲକ୍ଷ୍ୟଭେଦ, ଦକ୍ଷତା ଓ ରେଜଲ୍ଟକୁ ଅନୁଧ୍ୟାନ କଲେ ତାହା ଯେ ବ୍ରହ୍ମୋସ ସେଥିରେ ତିଳେମାତ୍ର ସଂଶୟ ରହୁନି ।
ଅଧିକ ପଢ଼ନ୍ତୁ: ଏହି ୫ କାରଣ ପାଇଁ ଭାରତକୁ ଅସ୍ତ୍ରବିରତିର ଭିକ ମାଗିଲା ପାକିସ୍ତାନ !
ପାକ୍ ଏୟାରବେସ୍ ରଫିକି, ଚକଲାଲା, ନୁର ଖାନ, ରହିମ ୟାର ଖାନ୍ ଏବଂ ସୁକୁର ଉପରେ ଆଟାକ୍ ହେଉ ଅବା ବାହାବଲପୁରରେ ଜୈସ୍ ହେଡକ୍ବାର୍ଟର ଉପରେ ଆକ୍ରମଣ, ଏସବୁର ଧ୍ବଂସଲୀଳା ବ୍ରହ୍ମୋସ ହିଁ କରିଥିବା କୁହାଯାଉଛି । ଯାହାକୁ ଧରିବା ଏବଂ ଅଟକାଇବାରେ ଫେଲ୍ ହୋଇଥିଲା ପାକିସ୍ତାନ । ଶତ୍ରୁ ଦେଶର ଅଡଭାନ୍ସଡ ରାଡାର ଏବଂ ଏୟାର ଡିଫେନ୍ସ ସିଷ୍ଟମର ନାକ ତଳେ ଟାର୍ଗେଟ୍ କରିଥିଲା ଭାରତର ମିସାଇଲ୍ । ତେବେ ଭାରତୀୟ ସେନା ପକ୍ଷରୁ ବ୍ରହ୍ମୋସର ବ୍ୟବହାର ନେଇ କିଛି କୁହାଯାଇ ନାହିଁ ।
ଏହାରି ଭିତରେ ରାଜସ୍ଥାନର ବିକାନିର ଅଂଚଳରୁ ବ୍ରହ୍ମୋସର ବୁଷ୍ଟର ଏବଂ ନୋଜ୍ କ୍ୟାପ୍ ଉଦ୍ଧାର ହୋଇଛି । ଯାହା ଏହି ସ୍ବଦେଶୀ କ୍ଷେପଣାସ୍ତ୍ରର ବ୍ୟବହାର ଚର୍ଚ୍ଚାକୁ ବଢାଇଦେଇଛି । ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଆଜିର ବୟାନ ବି ପାକିସ୍ତାନ ବିପକ୍ଷରେ ବ୍ରହ୍ମୋସର ବ୍ୟବହାର ଖବରକୁ ବଳ ଦେଉଛି । ସେ କହିଛନ୍ତି, ବ୍ରହ୍ମୋସର ଭୟାବହତା କେତେ, ପାକିସ୍ତାନକୁ ପଚାର ।
ବ୍ରହ୍ମୋସ କେବଳ ଏକ ଅସ୍ତ୍ର ନୁହେଁ, ଏହା ଭାରତର ବ୍ରହ୍ମାସ୍ତ୍ର । ପୁରାଣ ବର୍ଣ୍ଣିତ ବ୍ରହ୍ମାସ୍ତ୍ର ଯେପରି ସବୁଠୁ ଶ୍ରେଷ୍ଠ ଅସ୍ତ୍ର, ବ୍ରହ୍ମୋସ ଠିକ୍ ସେହିଭଳି ଭାରତୀୟ ସେନାର ଶ୍ରେଷ୍ଠ କ୍ଷେପଣାସ୍ତ୍ର । ଶତ୍ରୁଙ୍କୁ ନାଶ କରିବାରେ ବ୍ରହ୍ମାସ୍ତ୍ର ଭଳି ଦୃଢ ଏବଂ ସିଦ୍ଧହସ୍ତ । ଲକ୍ଷ୍ୟସ୍ଥଳକୁ ଭେଦ ନକରିବା ଯାଏ ଅଟକିବନି । ଆକାଶମାର୍ଗରେ ଧରିହେବନି ବ୍ରହ୍ମୋସକୁ । ଏହାର ସବୁଠୁ ବଡ ଶକ୍ତି ହେଉଛି ଏହାର ଗତି । ଶବ୍ଦର ଗତିଠାରୁ ୩ଗୁଣା ଅଧିକ ବେଗରେ ଗତି କରିଥାଏ ବ୍ରହ୍ମୋସ । ଏହାକୁ ଟ୍ରାକ୍ କରିବା ଏବଂ ରୋକିବା ଅସମ୍ଭବ ।
ସ୍ଥଳ, ଜଳ ଓ ଆକାଶ ମାର୍ଗରୁ ଏହାକୁ ମାଡ କରିହେବ । ସ୍ଥଳଭାଗରେ ମୋବାଇଲ୍ ଲଂଚର, ଜଳରେ ଯୁଦ୍ଧପୋତ ଓ ସବମେରିନ ଏବଂ ଆକାଶପଥରେ ଫାଇଟର ଜେଟରୁ ଲକ୍ଷ୍ୟ କରିହେବ । ଅଢେଇ ହଜାରରୁ ୩ ହଜାର କିଲୋଗ୍ରାମ ବିସ୍ଫୋରକ ବହନ କରିପାରିବା କ୍ଷମତା ସହ ଲକ୍ଷ୍ୟଭେଦ କ୍ଷମତା ୪୦୦ କିଲୋମିଟରରୁ ଅଧିକ । ଏହି ମିସାଇଲର ନିର୍ମାଣ ଏତେ ଅତ୍ୟାଧୁନିକ ଯେ, ଶତ୍ରୁପକ୍ଷର ରାଡାର ଏହାକୁ ସହଜରେ ଧରିପାରିବନି ।
ଏହାରି ଭିତରେ ଆଜି ଲକ୍ଷ୍ନୌରେ ବ୍ରହ୍ମୋସ ଟେଷ୍ଟିଂ ଫ୍ୟାସିଲିଟି ସେଣ୍ଟର ଉଦଘାଟନ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ଏଠାରେ ପ୍ରତିବର୍ଷ ୮୦ରୁ ୧୦୦ ସୁପରସୋନିକ ବ୍ରହ୍ମୋସ ମିସାଇଲ ନିର୍ମାଣ କରାଯିବ ।
ବ୍ୟୁରୋ ରିପୋର୍ଟ, ଓଟିଭି
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)