• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଜଳ ତାଣ୍ଡବରେ କଲବଲ ସିଲିକନ୍ ସିଟି । ବର୍ଷା ବିତ୍ପାତରେ ବେହାଲ୍ ଆଇଟି ନଗରୀ । ବେଙ୍ଗାଲୁରୁ ଅବସ୍ଥା କିଭଳି ତାହା ନକହିବା ଭଲ । କେଉଁଠି ଟ୍ରାକ୍ଟରରେ ବସି ଗନ୍ତବ୍ୟସ୍ଥଳକୁ ଯାତ୍ରା ତ କେଉଁଠି ବିପଜ୍ଜନକ ପୋଲ ପାର୍ କରାଉଛି ବୁଲଡୋଜର । ଆଇଟି ନଗରୀକୁ ଏବେ ବଡ଼ ସାହାରା ଟ୍ରାକ୍ଟର । ସହର ସାରା ଚାଲୁଛି ମାଳ ମାଳ ଟ୍ରାକ୍ଟର ।

ଅବିଶ୍ରାନ୍ତ ବର୍ଷାରେ ବୁଡ଼ିଛି ରାସ୍ତା, ଜଳବନ୍ଦୀ ଆପାର୍ଟମେଣ୍ଟ ଓ ଘରଦ୍ୱାର । ସାଧାରଣ ସହରବାସୀ ହୁଅନ୍ତୁ କି ଆଇଟି କର୍ମଚାରୀ, ବର୍ଷା ପାଣି ଲହଡି ଭାଙ୍ଗୁଥିବା ରାସ୍ତାରେ ସମସ୍ତଙ୍କ ସୁରକ୍ଷିତ ଯାଆସ ଓ ପରିବହନର ବଡ଼ ମାଧ୍ୟମ ସାଜିଛି ଟ୍ରାକ୍ଟର । ଯେଉଁ ସ୍ଥାନରେ ଲୋକେ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି ସେଠି ଉଦ୍ଧାର ପାଇଁ ପହଞ୍ଚୁଛନ୍ତି ଏସଡିଆରଏଫ୍ ସହ ଏନଡିଆରଏଫ୍ ଟିମ୍ । ବେଙ୍ଗାଲୁରୁ ମହାନଗର ନିଗମର ପ୍ରାରମ୍ଭିକ ଆକଳନ ଅନୁସାରେ ପ୍ରାୟ ୨୦ ହଜାରରୁ ଅଧିକ ଗାଡ଼ି କ୍ଷତିଗ୍ରସ୍ତ ହୋଇଛି ଓ ୨ ହଜାର ଘର ଜଳପ୍ଲାବିତ ହେବାରୁ ୧୦ ହଜାରରୁ ଅଧିକ ଲୋକ ବେଘର ହୋଇପଡ଼ିଛନ୍ତି ।

ଏଣେ ଏକ ଦୁଃଖଦ ଘଟଣାକ୍ରମେ ହ୍ୱାଇଟ୍ ଫିଲ୍ଡ ଅଞ୍ଚଳର ଜଣେ ଯୁବତୀ ସ୍କୁଟିରେ ଯାଉଥିବା ବେଳେ ଖାଲରେ ପଡ଼ିଯିବାରୁ ଜୀବନ ବିକଳରେ ଏକ ବିଦ୍ୟୁତ୍ ଖୁଣ୍ଟକୁ ଧରି ପକାଇଥିଲେ । ଆଉ ସେହି ଖୁଣ୍ଟରେ କରେଣ୍ଟ ଚାର୍ଜ ଥିବାରୁ, ତାଙ୍କର ପ୍ରାଣହାନୀ ଘଟିଛି । କେଉଁଠି ଆପାର୍ଟମେଣ୍ଟ ଅଧା ବୁଡିଛି, ତ କେଉଁଠି ବ୍ୟବସାୟିକ ପ୍ରତିଷ୍ଠାନରେ ୬ ଫୁଟ ପାଣି । ଜରୁରୀ କାମରେ ଘରୁ ବାହାରିଲେ ରାସ୍ତାରେ ଘଣ୍ଟା ଘଣ୍ଟା ଫସିବାକୁ ପଡୁଛି । ପାଣି ଟାଙ୍କି ଓ ଟ୍ୟାପ୍ ବୁଡ଼ିଥିବାରୁ ପିଇବା ପାଣି ସମସ୍ୟା ସବୁଠୁ ଉତ୍କଟ ହେଲାଣି । ଆହୁରି ୪ ଦିନ ଦକ୍ଷିଣ ଓ ଉତ୍ତର କର୍ଣ୍ଣାଟକର ଆଭ୍ୟନ୍ତରୀଣ ଅଞ୍ଚଳରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଅନୁମାନ । ସରକାରଙ୍କ ଚିନ୍ତା ଦ୍ୱିଗୁଣିତ କରିଛି ଭୀମେଶ୍ୱର ନଦୀ ଫୁଲିବା ଯୋଗୁଁ ବନ୍ୟା ଜଳ ବେଙ୍ଗାଲୁରୁ ସହରରେ ପ୍ରବେଶ କଲାଣି ।

କାହିଁକି ବର୍ଷାରେ ଉବୁଟୁବୁ ହେଉଛି ଦେଶର ଏ ଟେକ୍ନୋଲୋଜି କ୍ୟାପିଟାଲ୍ ? ବାଦଲଫଟା ବର୍ଷା ଏବଂ ବିନା ପ୍ଲାନ୍‌ରେ ଘର ନିର୍ମାଣ ହିଁ ଏହାର ମୁଖ୍ୟ କାରଣ ବୋଲି ଦର୍ଶାଯାଉଛି । ୫ ଶହରୁ ଅଧିକ ଡ୍ରେନ୍ ଜବରଦଖଲ କରାଯାଇ ବେଆଇନ ନିର୍ମାଣ ହୋଇଛି । ଏଥିପାଇଁ ପୂର୍ବ ଜେଡିଏସ୍-କଂଗ୍ରେସ ସରକାରକୁ ଦାୟୀ କରିଛନ୍ତି ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ । ସେ କହିଛନ୍ତି, ଆଗକୁ ଜବରଦଖଲକାରୀଙ୍କୁ ସାବା଼ଡ କରାଯିବ । ସ୍ୱରେଜ ବୋର୍ଡ ପକ୍ଷରୁ ୮ ହଜାର ବୋରୱେଲ ସଚଳ କରାଯିବା ସହ ଲୋକଙ୍କ ପାଖରେ ପାଣି ଟ୍ୟାଙ୍କର ଶୀଘ୍ର ଉପଲବ୍ଧ କରାଇବାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ତେବେ ବର୍ଷା ଜନିତ ବନ୍ୟା ମନୁଷ୍ୟକୃତ ବୋଲି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗର ଜବାବ ରଖିଛି କଂଗ୍ରେସ ।

ପାଣିପାଗ ବିଭାଗର ତଥ୍ୟ ଅନୁସାରେ ଗତ ୯୦ବର୍ଷ ଭିତରେ ବେଙ୍ଗାଲୁରୁ ତୃତୀୟ ବୃହତ୍ ବର୍ଷା ତାଣ୍ଡବ ସମ୍ମୁଖୀନ ହୋଇଛି । ୧୯୮୮ ମସିହାରେ ସର୍ବାଧିକ ୧୮ ସେଣ୍ଟିମିଟର ବର୍ଷା ରେକର୍ଡ ଥିବାବେଳେ ୨୦୧୪ରେ ୧୩.୨୩ ସେଣ୍ଟିମିଟର ବର୍ଷାରେ ବେହାଲ ହୋଇଥିଲା ସହର । ତେବେ କଳେବର ବଢ଼ିବା ସାଙ୍ଗକୁ ଜବରଦଖଲ ସମସ୍ୟା ଯୋଗୁଁ ଏଥର ୧୩.୧୬ ସେଣ୍ଟିମିଟର ବର୍ଷାରେ ସବୁଠୁ ଅଧିକ କଲବଲ ହୋଇଛି ।