Advertisment

India-Pak Ceasefire: ଏହି ୫ କାରଣ ପାଇଁ ଭାରତକୁ ଅସ୍ତ୍ରବିରତିର ଭିକ ମାଗିଲା ପାକିସ୍ତାନ !

କେମିତି ୪ ଦିନର ଲଢ଼େଇରେ ଚିତ୍ ହୋଇଗଲା ଶତ୍ରୁ ପାକିସ୍ତାନ ? ବିକଳ ହୋଇ ଭାରତ ଡିଜିଏମ୍ଓଙ୍କୁ ଫୋନ୍ କରି 'ଅସ୍ତ୍ରବିରତି' ଭିକ ମାଗିବାର କାରଣ କ'ଣ ? ନଜର ପକାନ୍ତୁ ୫ଟି ସମ୍ଭାବ୍ୟ କାରଣ ଉପରେ...

author-image
Namita Biswal
ଅଦ୍ୟତନ ହୋଇଛି
India-Pak Ceasefire

India-Pak Ceasefire

କାହିଁକି ଭାରତ ଆଗରେ ମୁଣ୍ଡ ନୁଆଁଇଲା ପାକିସ୍ତାନ ? ମାତ୍ର ୪ ଦିନର ଲଢ଼େଇ ପରେ ଏମିତି କଣ ଘଟିଲା ଯେ, ଭାରତକୁ ଅସ୍ତ୍ରବିରତି ପାଇଁ ଅନୁରୋଧ କଲେ ପାକିସ୍ତାନ ଡିଜିଏମ୍ଓ ? ଅନ୍ତର୍ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ଯେ, ଭାରତର ବ୍ରହ୍ମୋସ୍ ମାଡ଼ ଓ ପରମାଣୁ ଘାଟିରେ ଏୟାରଷ୍ଟ୍ରାଇକ୍ ଡରରେ ଛାନିଆ ହୋଇ, ମଧ୍ୟସ୍ଥତା ପାଇଁ ଆମେରିକାର ଶରଣ ପଶିଥିଲା ପାକିସ୍ତାନ । ଏହାପରେ କଥା ଆଗକୁ ବଢ଼ିଥିଲା ଓ ପାକିସ୍ତାନକୁ ନିଜେ ଫୋନ କରି ଭାରତ ଆଗରେ ମୁଣ୍ଡ ନୁଆଁଇବାକୁ ପଡ଼ିଲା ।

Advertisment

ପାକିସ୍ତାନ ଡିଜିଏମ୍ଓ ଭାରତ ଡିଜିଏମ୍ଓଙ୍କୁ ଫୋନ୍ କରି ଅସ୍ତ୍ରବିରତି ପାଇଁ ଅନୁରୋଧ କରିବା ପଛର କାରଣକୁ ନେଇ ସାରା ଦେଶରେ ଚର୍ଚ୍ଚା । ନଜର ପକାନ୍ତୁ ୫ଟି ସମ୍ଭାବ୍ୟ କାରଣ ଉପରେ...

କାରଣ-୧:ବୁଦ୍ଧି ଅନ୍ଧାର କରିଦେଲା 'ବ୍ରହ୍ମୋସ୍' ଭୟ  
ଶୁକ୍ରବାର-ଶନିବାର ରାତିରେ ପାକିସ୍ତାନର ୧୦ରୁ ଅଧିକ ଗୁରୁତ୍ବପୂର୍ଣ୍ଣ ସାମରିକ ଘାଟି ଓ ପ୍ରତିଷ୍ଠାନକୁ ମିଜାଇଲ୍ ମାଡ଼ କରିଥିଲା ଭାରତ । ସେଥିରେ ସ୍କାଲ୍ପ ଓ ହାମାର୍ ସହ ଭାରତର ବ୍ରହ୍ମାସ୍ତ୍ର 'ବ୍ରହ୍ମୋସ୍' ବି ସାମିଲ ଥିବା ଚର୍ଚ୍ଚା ହେଉଛି । ରାୱଲପିଣ୍ଡିର ସେନା ମୁଖ୍ୟାଳୟ ନିକଟ ନୁର୍ ଖାନ୍ ଏୟାରବେସ୍ ସମେତ ଅନ୍ୟ କିଛି ଗୁରୁତ୍ବପୂର୍ଣ୍ଣ ବାୟୁସେନା ଘାଟିରେ ବ୍ରହ୍ମୋସ୍ ମିଜାଇଲ୍ ଏଭଳି କ୍ଷୟକ୍ଷତି କରିଥିଲା ଯେ, ପାକ୍ ବାୟୁସେନାର ମେରୁହାଡ଼ ଭାଙ୍ଗି ଯାଇଥିଲା । ଏହାସହ POKର ବାହାୱଲପୁରକୁ ବି ବ୍ରହ୍ମୋସ ଦାଗିଥିବା ଚର୍ଚ୍ଚା ହେଉଛି । ଭାରତ ଆଗକୁ ଆହୁରି ବଡ଼ଧରଣର ଆକ୍ରମଣ ପ୍ଲାନିଂ କରୁଥିବା ଆଶଙ୍କା କରି, ପାକିସ୍ତାନ ମଧ୍ୟସ୍ଥତା ପାଇଁ ଆମେରିକାର ଶରଣ ପଶିଥିଲା ଏବଂ ହାଉଳି ଖାଇ ହାର୍ ମାନିଲା ।

Advertisment

କାରଣ-୨: ପାକିସ୍ତାନର ପରମାଣୁ ଘାଟି ଉଡ଼ାଇ ଦେଇଥାନ୍ତା ଭାରତ
ଜାତୀୟ ଗଣମାଧ୍ୟମ ସୂଚନା ଅନୁସାରେ, ପାକିସ୍ତାନର ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ, ଫାଇଟର୍ ଜେଟ୍, ରାପିଡ୍ ଆଟାକ୍ ଟିମ୍ ଆଦି ମୁତୟନ ଥିବା ଏୟାରବେସ୍ ଗୁଡ଼ିକ ଧୂଳିସାତ ହେବା ପରେ, ଭାରତର ପରବର୍ତ୍ତୀ ଟାର୍ଗେଟ୍ ଥିଲା ପାକିସ୍ତାନର ନ୍ୟୁକ୍ଲିଅର କମାଣ୍ଡ ବା ପରମାଣୁ ଘାଟି ଏବଂ ଏହାର କଣ୍ଟ୍ରୋଲ ସେଣ୍ଟର । ସେଭଳି ହୋଇଥିଲେ ପାକିସ୍ତାନ ପାଖରେ ଆତ୍ମରକ୍ଷାର ଆଉ କୌଣସି ଉପାୟ ରହିନଥାନ୍ତା ଏବଂ ଭୀଷଣ କ୍ଷୟକ୍ଷତି ଭୋଗିଥାନ୍ତା । ତେଣୁ ଏହି ଗୁଇନ୍ଦା ଆଲର୍ଟ ପାଇବା ପରେ ଅତର୍ଛିଆ ହୋଇ ଆମେରିକା ସହ ଯୋଗାଯୋଗ କରିଥିଲା ପାକିସ୍ତାନ ।

କାରଣ-୩: ଆମେରିକାକୁ ପାକିସ୍ତାନର ମିଛ 'ପରମାଣୁ' ଧମକ 
କିଛି ବିଶେଷଜ୍ଞଙ୍କ ମତରେ, ଯୁଦ୍ଧ ହାତରୁ ଖସିଯାଉଥିବା ଦେଖି ଶେଷ ପନ୍ଥା ଭାବେ ବିଶ୍ବକୁ ମିଛ ପରମାଣୁ ଯୁଦ୍ଧ ବାର୍ତ୍ତା ଦେବାକୁ ଚାହୁଁଥିଲା ପାକିସ୍ତାନ । ଏଥିପାଇଁ ନ୍ୟୁକ୍ଲିଅର କମାଣ୍ଡ ଅଥରିଟି ବୈଠକ ଡାକିଥିଲେ ପାକ୍ ପିଏମ୍ ଶେହବାଜ ସରିଫ୍ । ଏଥିସହ ପାକିସ୍ତାନୀ ସାମରିକ ଘାଟିଗୁଡ଼ିକରେ ଭୀଷଣ କ୍ଷୟକ୍ଷତି ପରେ ସେଠାରେ ଥିବା ଯୁଦ୍ଧାସ୍ତ୍ରଗୁଡ଼ିକ ଉଗ୍ରପନ୍ଥୀଙ୍କ ହାତରେ ମଧ୍ୟ ଲାଗିବାର ଆଶଙ୍କା ଥିଲା । ଭାରତର କୋପରୁ ବର୍ତ୍ତିବାକୁ ଆମେରିକାକୁ ଏଭଳି ଆଶଙ୍କା କଥା ଜଣାଇ, ସିଜଫାୟାର ପାଇଁ ମଧ୍ୟସ୍ଥତା କରିବାକୁ ଟ୍ରମ୍ପଙ୍କୁ ଅନୁରୋଧ କରିଥିଲେ ଶେହବାଜ । 

କାରଣ-୪: ପଙ୍ଗୁ ପାଲଟିଥିଲା ପାକିସ୍ତାନର ପ୍ରତିରକ୍ଷା ପ୍ରଣାଳୀ 
ପାକିସ୍ତାନକୁ ପଙ୍ଗୁ କରିବାକୁ, ତାର ସାମରିକ ଆଖି, କାନ ଓ ମସ୍ତିଷ୍କକୁ ବି ଟାର୍ଗେଟ୍ କରିଥିଲା ଭାରତ । ନଷ୍ଟ ହୋଇଥିଲା ରେଡିଓ ଟାୱାର, ସାଟେଲାଇଟ୍ ଲିଙ୍କ୍, ମିଜାଇଲ୍ ଓ ଡ୍ରୋନ୍ ଟ୍ରାକିଂ, ଇଲେକ୍ଟ୍ରୋନିକ୍ ୱାରଫେୟାର୍ ସିଷ୍ଟମ୍ ଆଦି ଥିବା ଟେକନିକାଲ୍ ଇନଷ୍ଟଲେସନ୍ । ତିନି ସେନା ମଧ୍ୟରେ କୋର୍ଡିନେସନ୍ ରଖି ଯୁଦ୍ଧକୁ ନିୟନ୍ତ୍ରଣ କରାଯାଉଥିବା ଏବଂ ରିୟଲ ଟାଇମ୍ ସାଟେଲାଇଟ୍ ଇମେଜ ଓ ରାଡାର୍ ଫିଡ୍ ମିଳୁଥିବା କମାଣ୍ଡ୍ ଆଣ୍ଡ୍ କଣ୍ଟ୍ରୋଲ୍ ସେଣ୍ଟର ସହ ରାଡାର୍ ସାଇଟ୍ ଓ ଅସ୍ତ୍ରାଗାର ବି ଧୂଳିସାତ ହୋଇଥିଲା । ଚାଇନା ମେଡ୍ ଏୟାର ଡିଫେନ୍ସ ସିଷ୍ଟମ୍ ମନୋବଳ ଭାଙ୍ଗିଦେବା ପରେ, ସ୍ଥିତି ଅସମ୍ଭାଳ ହେଉଥିବା ଦେଖି ଟ୍ରମ୍ପଙ୍କୁ ଫୋନ କରିଥିଲେ କାନ୍ଦ କାନ୍ଦ ଶେହବାଜ । କହିଥିଲେ ରକ୍ଷା କର ରକ୍ଷା କର । ଆଉ ସିଜଫାୟାର୍ ବୁଝାମଣା ପରେ ଶେହବାଜ, ଗଦଗଦ ହୋଇ କରିଛନ୍ତି ଏହି ଟ୍ରମ୍ପଙ୍କୁ ପ୍ରଶଂସାମୂଳକ ସୋସିଆଲ ମିଡିଆ ପୋଷ୍ଟ ।

କାରଣ-୫: ସ୍ଥିତି ବେକାବୁ ହେବା ଆଶଙ୍କା କରିଥିଲା ଆମେରିକା
ଭାରତ-ପାକିସ୍ତାନ ମଧ୍ୟରେ ତିକ୍ତତା ବୃଦ୍ଧି ପାଉଥିବାରୁ ଏହାକୁ ଗୁରତର ସହ ନେଇଥିଲା ଆମେରିକା । ପାକିସ୍ତାନ ନଦବିଲେ ଭାରତ ଆଗକୁ ଆହୁରି ଅଧିକ କାଉଣ୍ଟର ଷ୍ଟ୍ରାଇକ୍ କରିବ ବୋଲି ଜାଣି, ତୁରନ୍ତ ଉତ୍ତେଜନା ସ୍ଥିତି ହ୍ରାସ କରିବାକୁ ପାକିସ୍ତାନ ସେନାମୁଖ୍ୟ ମୁନୀରଙ୍କୁ ଫୋନ କରି ତାଗିଦ କରିଥିଲେ ଆମେରିକା ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ । ତେବେ ଏହିସବୁ ସମ୍ଭାବ୍ୟ କାରଣକୁ ନେଇ ଭାରତ ସରକାର କିମ୍ବା ଅନ୍ୟ କୌଣସି ପକ୍ଷରୁ ବିଧିବଦ୍ଧ ଭାବେ ସ୍ପଷ୍ଟ କରାଯାଇନାହିଁ । 

ବ୍ୟୁରୋ ରିପୋର୍ଟ, ଓଟିଭି  

Indo-Pak Ceasefire India Pakistan War Ceasefire
Advertisment
Advertisment