• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଦୀର୍ଘ ୭୦ବର୍ଷ ପରେ ପୁଣି ଭାରତୀୟ ଜଙ୍ଗଲରେ ଚିତା ରାଜ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଜନ୍ମଦିନରେ ଚିତା ବାଘ ଗୁଡିକୁ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଛାଡିଛନ୍ତି । ତେବେ କୁନୋ ଜାତୀୟ ଉଦ୍ୟାନରେ ଚିତା ଛାଡ଼ିବା ଅବସରରେ ପ୍ରଧାନମନ୍ତ୍ରୀ ନିଜ ବକ୍ତବ୍ୟ ରଖିଛନ୍ତି । ବର୍ଷ ବର୍ଷ ଧରି ଚିତାଙ୍କ ପାଇଁ କିଛି ପଦକ୍ଷେପ ନିଆଯାଇନି ବୋଲି ସେ କହିଛନ୍ତି ।

ଦୁର୍ଭାଗ୍ୟର କଥା ୧୯୫୨ରେ ଚିତା ଅବଲୁପ୍ତ ବୋଲି ଆମେ ଘୋଷଣା କରିଥିଲୁ । ହେଲେ ଦେଶରେ ପୁଣି ଥରେ ଚିତାଙ୍କ ଥଇଥାନ ପାଇଁ ୧୯୫୨ରୁ ଏପର୍ଯ୍ୟନ୍ତ ଦଶନ୍ଧି ଦଶନ୍ଧି ଧରି କିଛି ପଦକ୍ଷେପ ନିଆଗଲାନି । ବଡ଼ କଥା ହେଲା ଆଜାଦୀ କା ଅମୃତ ମହୋତ୍ସବ ବେଳେ ଚିତା ପୁଣି ଫେରିଛନ୍ତି । ସୁନେଲୀ ଭବିଷ୍ୟତ ପାଇଁ ଅତୀତ ମଉକା ଦେଇଛି । ତେବେ ଚିତାଙ୍କୁ ଦେଖିବାକୁ ଲୋକଙ୍କୁ କିଛି ମାସ ଅପେକ୍ଷା କରିବାକୁ ପଡ଼ିବ । ସେମାନେ ଆମର ଅତିଥି, ଏଠାକୁ ନୂଆକରି ଆସିଛନ୍ତି, ପାଣିପବନ ଜାଣନ୍ତିନି । ଏଠାକାର ପରିବେଶ ସହ ମିଶିଗଲେ, ଆମେ ସେମାନଙ୍କୁ ଦେଖିପାରିବା ବୋଲି ସେ କହିଛନ୍ତି ।

ଆଜି ସକାଳେ ନାମିବ୍ୟାରୁ ସ୍ୱତନ୍ତ୍ର ଭାବେ ସଜ୍ଜିତ ହୋଇଥିବା ବିମାନରେ ଗ୍ୱାଲିୟର ବିମାନ ବନ୍ଦରକୁ ଅଣା ଯାଇଥିଲା । ଏହାପରେ ସ୍ୱତନ୍ତ୍ର ହେଲିକପ୍ଟରରେ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନକୁ ନିଆଯାଇଥିଲା । ସେଠାରେ ପ୍ରଥମେ ଏକ ନମ୍ବର ଏନକ୍ଲୋଜରରୁ ଦୁଇଟି ଚିତା ଚଢାଯାଇଥିଲା । ଏହାପରେ ୭୦ମିଟର ଦୂରରେ ଥିବା ଦ୍ୱିତୀୟ ଏନକ୍ଲୋଜରରୁ ଅନ୍ୟ ୬ଟି ଚିତାକୁ ଛଡାଯାଇଥିଲା । ୮ଟି ଚିତା ମଧ୍ୟରୁ ୫ଟି ମାଇ ଓ ୩ଟି ଅଣ୍ଡିରା ଚିତାଙ୍କ ଗତିବିଧି ସମ୍ପର୍କରେ ଜାଣିବା ପାଇଁ ସବୁ ଚିତାଙ୍କ ବେକରେ ରେଡିଓ କଲାର ଲଗାଯିବା ସହ ସ୍ୱତନ୍ତ୍ର ମନିଟରିଂ ଟିମ୍ ଗଠନ କରାଯାଇଛି ।

ଏହାଦ୍ୱାରା ସାଟେଲାଇଟ୍ ମାଧ୍ୟମରେ ସେମାନଙ୍କ ଉପରେ ନଜର ରଖାଯାଇ ପାରିବ । ଏହି ଟିମ୍ ୨୪ ଘଣ୍ଟା ସେମାନଙ୍କ ନଜର ରଖିବ । ଆଫ୍ରିକୀୟ ରାଷ୍ଟ୍ର ନାମିବ୍ୟାରୁ ବୋଇଂ-747 ଜୁମ୍ବୋ ଜେଟରେ ୧୦ ଘଣ୍ଟାର ଯାତ୍ରା କରି ଭାରତରେ ପହଞ୍ଚିଥିଲେ ଚିତାଦଳ । ଚିତାବାଘ ଗୁଡ଼ିକ ବିମାନଯାତ୍ରା ବେଳେ ବାନ୍ତି କରି ସ୍ୱାସ୍ଥ୍ୟ ବିଗିଡ଼ିବାର ଭୟ ଥିବାରୁ, ସେମାନଙ୍କୁ ଖାଲି ପେଟରେ ଭାରତ ଅଣାଯାଇଛି ।