• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଦୀର୍ଘ ୪୫ ବର୍ଷ ପରେ କଂଗ୍ରେସରେ ହେବାକୁ ଯାଉଛି ଆଭ୍ୟନ୍ତରୀଣ ନିର୍ବାଚନ । ୧୯୯୭ କୋଲକାତା ଏଆଇସିସି ପ୍ଲେନାରୀ ସେସନରେ କଂଗ୍ରେସ କାର୍ଯ୍ୟକାରୀ କମିଟି ଲାଗି ନିର୍ବାଚନ ହୋଇଥିଲା । ତା ପରେ ଆସନ୍ତା ଅକ୍ଟୋବରରେ ପୁଣି ହେବ ନିର୍ବାଚନ । ତେବେ ପିସିସି ସଭାପତି ଓ ଏଆଇସିସି ସଦସ୍ୟ ଲାଗି ନିର୍ବାଚନ ହେବ ନାହିଁ । କଂଗ୍ରେସର ନୂଆ ସଭାପତି ଏମାନଙ୍କୁ ମନୋନୀତ କରିବେ, ଯେଉଁମାନେ ସିଡବ୍ଲୁସିର ୧୨ ସଦସ୍ୟକୁ ମନୋନୀତ କରିବେ । ତେଣୁ ଏଭଳି ବ୍ୟବସ୍ଥା ଦ୍ୱାରା ନିର୍ବାଚନ କେବଳ ଲୋକ ଦେଖାଣିଆ ବୋଲି ଚର୍ଚ୍ଚା ହେଉଛି । ଏହି ପ୍ରସଙ୍ଗକୁ ନେଇ କଂଗ୍ରେସରେ ବି ବିବାଦ ଲାଗି ରହିଛି । ସବୁ ପଦ ଲାଗି ନିର୍ବାଚନ କରାଇବାକୁ ପୂର୍ବରୁ ଜି-୨୩ ଗୋଷ୍ଠୀ ଦାବି କରିବା ସହ ସୋନିଆଙ୍କୁ ଚିଠି ଲେଖିଥିଲେ ।

 କଂଗ୍ରେସରେ ହେବାକୁ ଯାଉଥିବା ଆଭ୍ୟନ୍ତରୀଣ ନିର୍ବାଚନକୁ ନେଇ ଉଠିଛି ଏଭଳି ପ୍ରଶ୍ନ । ୧୯୯୭ ମସିହା ପରେ କଂଗ୍ରେସରେ ପ୍ରଥମ ପାଇଁ ନିର୍ବାଚନ ହେବାକୁ ଯାଉଥିଲେ ମଧ୍ୟ ଯେଉଁ ବ୍ୟବସ୍ଥାରେ ନିର୍ବାଚନ ହେବ, ତାଦ୍ୱାରା ପ୍ରକୃତ ଉଦ୍ଦେଶ୍ୟ ପୂରଣ ହୋଇପାରିବା ନେଇ ଉଠିଛି ପ୍ରଶ୍ନ । କାରଣ ପିସିସି ସଭାପତି ଓ ଏଆଇସିସି ସଦସ୍ୟଙ୍କୁ ଦଳର ନୂଆ ସଭାପତି ମନୋନୀତ ହେବେ । ଏମାନେ ହିଁ ସିଡବ୍ଲୁସି ସଦସ୍ୟ ନିର୍ବାଚିତ କରିବେ । ସୁତରାଂ ଏହା ପରୋକ୍ଷରେ ସେଇ ସିଲେକ୍ସନ୍ ହେବ ବୋଲି କୁହାଯାଉଛି ।

କଂଗ୍ରେସର ଆଭ୍ୟନ୍ତରୀଣ ନିର୍ବାଚନ ଏକ ସ୍ୱଚ୍ଛ ପ୍ରକ୍ରିୟା ବୋଲି କହିଛନ୍ତି ଦଳର କେନ୍ଦ୍ରୀୟ ନିର୍ବାଚନ ଅଥରିଟି । ମାତ୍ର ଏଭଳି ବ୍ୟବସ୍ଥା ଦ୍ୱାରା ନିର୍ବାଚନ ସ୍ୱଚ୍ଛ କେମିତି ହେବ ତାକୁ ନେଇ ଉଠୁଛି ପ୍ରଶ୍ନ । ସିଡବ୍ଲୁସିରେ ୨୩ ଜଣ ସଦସ୍ୟ ଥିବା ବେଳେ ୧୧ ଜଣ ମନୋନୀତ ହୁଅନ୍ତି । ତେଣୁ ୧୨ ପଦବୀ ପୂରଣ ଲାଗି ନିର୍ବାଚନ ହେବ । ଅନ୍ୟପକ୍ଷରେ ଯଦି ୧୨ରୁ ଅଧିକ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତାକୁ ଆସନ୍ତି । ତେବେ ଯାଇ ଭୋଟର ଆବଶ୍ୟକତା ପଡିବ ।

ତେଣେ ଅକ୍ଟୋବର ୧୭ ତାରିଖରେ ଦଳୀୟ ସଭାପତି ପଦ ଲାଗି ନିର୍ବାଚନ ହେବ । ୧୯ ତାରିଖରେ ଫଳାଫଳ ଘୋଷଣା କରାଯିବ । ଏନେଇ ଆସନ୍ତା ୨୨ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ୨୪ରୁ ୩୦ ମଧ୍ୟରେ ଆଗ୍ରହୀ ପ୍ରାର୍ଥୀ ସେମାନଙ୍କ ପ୍ରାର୍ଥିପତ୍ର ଦାଖଲ କରିପାରିବେ । ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି ଅକ୍ଟୋବର ୮ । ଏହାପରେ ନୂଆ ସଭାପତି ପ୍ରଦେଶ କଂଗ୍ରେସ ସଭାପତିମାନଙ୍କୁ ନିଯୁକ୍ତ କରିବେ ।

ନୂଆ ସଭାପତିଙ୍କୁ ଏଥିପାଇଁ କ୍ଷମତା ପ୍ରଦାନ ଲାଗି ପିସିସି ସ୍ତରରେ ସର୍ବସମ୍ମତି କ୍ରମେ ପ୍ରସ୍ତାବ ପାରିତ ହେବ । ଏନେଇ ଖୁବ୍ ଶୀଘ୍ର ପ୍ରଦେଶ ରିଟର୍ଣ୍ଣି ଅଧିକାରୀମାନେ ବୈଠକ କରିବେ ବୋଲି କଂଗ୍ରେସ କେନ୍ଦ୍ରୀୟ ନିର୍ବାଚନ ଅଥରିଟିର ଅଧ୍ୟକ୍ଷ ମଧୁସୂଦନ ମିସ୍ତ୍ରୀ ସୂଚନା ଦେଇଛନ୍ତି ।