Advertisment

Mega Water Project Odisha: ସରୁନି ମେଗା ପାନୀୟ ଜଳ ପ୍ରକଳ୍ପ କାମ; ପାଣି ପାଇଁ ଛଟପଟ ୩୦ ପଂଚାୟତ...

ଜଗତସିଂହପୁର ବାଲିକୁଦା ବ୍ଲକ୍ ଆମ୍ବଶାଳର ମେଗା ପାନୀୟ ଜଳ ପ୍ରକଳ୍ପ। ୬ ବର୍ଷ ହେଲା ତିଆରି ଚାଲିଛି ଯେ ଚାଲିଛି।

author-image
Sujit kumar Swain
ଅଦ୍ୟତନ ହୋଇଛି
Mega Water Project Odisha

Mega Water Project Odisha

ଦେଢ ଶହ କୋଟିର ବଜେଟ୍। ଘରେ ଘରେ ପିଇବା ପାଣି ଯୋଗାଇବାକୁ ହୋଇଥିଲା ମେଗା ପାନୀୟ ଜଳ ପ୍ରକଳ୍ପ ପ୍ଲାନ୍। ୬ ବର୍ଷ ତଳେ କାମ ବି ଆରମ୍ଭ ହୋଇଛି। ହେଲେ ଆଜିଯାଏଁ ସରିବାର ନାଁ ନେଉନି। ଫଳରେ ପାଣି ପାଇଁ ଛଟପଟ ହେଉଛନ୍ତି ଜଗତସିଂହପୁର ଜିଲ୍ଲା ବାଲିକୁଦା ଓ ଏରସମା ବ୍ଲକର ୩୦ରୁ ଅଧିକ ପଂଚାୟତ। ବିଭିନ୍ନ ସ୍ଥାନରେ ପାଇପ ଲାଇନ ପଡିବାରେ ବ୍ୟାପକ ତ୍ରୁଟି ଓ ଅତ୍ୟାଧୁନିକ ଯନ୍ତ୍ରପାତି ଅଭାବରୁ ଲୋକଙ୍କ ପାଖରେ ପାଣି ପହଁଚିବା ସମ୍ଭବ ହୋଇପାରୁନି।

Advertisment

ଜଗତସିଂହପୁର ବାଲିକୁଦା ବ୍ଲକ୍ ଆମ୍ବଶାଳର ମେଗା ପାନୀୟ ଜଳ ପ୍ରକଳ୍ପ। ୬ ବର୍ଷ ହେଲା ତିଆରି ଚାଲିଛି ଯେ ଚାଲିଛି। ୨୦୧୮ରେ ଆରମ୍ଭ ହୋଇଥିଲା ପ୍ରକଳ୍ପ କାମ। ବ୍ୟୟ ଅଟ୍ଟକଳ ଥିଲା ଦେଢଶହ କୋଟି। ନାଉଗାଁ ବ୍ଲକ୍ ଦେବୀ ନଦୀରେ ଇନଟେକ୍ ନିର୍ମାଣ କରାଯାଇ ପାଇପରେ ପାଣି ଆଣିବା ପାଇଁ ପ୍ରସ୍ତୁତ ହୋଇଥିଲା ନକ୍ସା। ଟେଣ୍ଡର ଜରିଆରେ କାମ ହାତକୁ ନେଇଥିଲା ଏକ ଘରୋଇ ଠିକା ସଂସ୍ଥା। ତେବେ ଦୀର୍ଘ ୬ ବର୍ଷ ହେଲା କାମ ସରିବାର ନାଁ ନେଉନି। ଏପରିକି ଇନଟେକ୍ ନିର୍ମାଣରେ ବୈଷୟିକ ତ୍ରୁଟି ସାଙ୍ଗକୁ ଦେବୀ ନଦୀର ପାଣି ଶୁଖିଯିବା ଫଳରେ ଆରମ୍ଭରୁ ପ୍ରକଳ୍ପର ଭବିଷ୍ୟତ ନେଇ ଆଶଙ୍କା ସୃଷ୍ଟି ହୋଇଛି। 

ଅଧିକ ପଢ଼ନ୍ତୁ: ଅବକାରୀ ବିଭାଗ ଗାଡ଼ି ଉପରକୁ ଗୁଳିମାଡ଼, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

ବର୍ଷ ବର୍ଷ ଧରି ଚାଲିଛି ମେଗା ପାନୀୟ ଜଳ ପ୍ରକଳ୍ପ କାମ। ଏପଟେ ପାଣି ଟୋପେ ପାଇଁ ଗାଁ ଗାଁରେ ହାହାକାର। ରାତି ପାହିଲେ କୂଅ ପାଖରେ ଲାଗୁଛି ଲମ୍ବା ଲାଇନ୍। ସେଥିରୁ ବି ବାହାରୁଛି ଗୋଳିଆ ପାଣି। ଖରାଦିନେ ପିଇବା ପାଣି ପାଇଁ ଡହଳ ବିକଳ ଗ୍ରାମବାସୀ ଦୂଷିତ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି। 

Advertisment

ବାଲିକୁଦା ଓ ଏରସମା ବ୍ଲକ୍‌ର ସମୁଦ୍ର ତଟବର୍ତ୍ତି ୩୦ରୁ ଅଧିକ ପଞ୍ଚାୟତରେ ଭୂତଳ ଜଳ ଲୁଣି ହୋଇଥିବାରୁ ଲୋକେ ବର୍ଷ ବର୍ଷ ଧରି ପାନୀୟ ଜଳ ସମସ୍ୟା ଭୋଗୁଛନ୍ତି। ଦୀର୍ଘ ଦିନର ଦାବି ପରେ ୨୦୧୮ରେ ବଳିକୁଦା, ଏରସମା ଓ ନାଉଗାଁ ବ୍ଲକର ୧୫୪ ଟି ଗାଁକୁ ଦେବୀ ନଦୀରୁ ପାଇପ ଲାଇନରେ ମଧୁର ପାଣି ଯୋଗାଇବା ପାଇଁ ମେଗା ପାନୀୟ ଜଳ ପ୍ରକଳ୍ପର ଶୁଭ ପଡିଥିଲା। ଆଶା ବାନ୍ଧିଥିଲେ ଅଂଚଳବାସୀ। ହେଲେ ସେହି ଆଶା, ଆଶାରେ ହିଁ ରହିଯାଇଛି। ବୈଷୟିକ ତ୍ରୁଟି ଓ ପ୍ରଶାସନିକ ମନମୁଖୀ କାର୍ଯ୍ୟ ପାଇଁ ବାଲିକୁଦା ବ୍ଲକରେ ବିଫଳ ହୋଇଛି ମେଗା ପାନୀୟ ଜଳ ପ୍ରକଳ୍ପ।

Advertisment
Advertisment