• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଦେଶରେ ବଦଳିବ କି ମୃତ୍ୟୁଦଣ୍ଡର ପଦ୍ଧତି ? ଫାଶି ବଦଳରେ ଦିଆଯିବ କି ବିକଳ୍ପ ମୃତ୍ୟୁଦଣ୍ଡ ? ଏ ଚର୍ଚ୍ଚା ଏଥିପାଇଁ ହେଉଛି ଯେ, କେନ୍ଦ୍ର ସରକାରଙ୍କୁ ଫାଶି ଦ୍ୱାରା ମୃତ୍ୟୁଦଣ୍ଡର ବିକଳ୍ପ ଖୋଜିବାକୁ କହିଛନ୍ତି ସୁପ୍ରିମକୋର୍ଟ । ଫାଶି ଭଳି ବର୍ବରଚିତ ମୃତ୍ୟୁ ଦଣ୍ଡର ବିକଳ୍ପ ଉପରେ ଅଧିକ ତର୍ଜମା କରିବା ସହ ଏହା ଉପରେ ତଥ୍ୟ ସଂଗ୍ରହ କରିବାକୁ ଆଟର୍ଣ୍ଣି ଜେନେରାଲ ଆର. ଭେଙ୍କଟରମାଣୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ ଏବଂ ଜଷ୍ଟିସ ପି. ଏସ୍ ନରସିହ୍ମାଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ କେନ୍ଦ୍ରକୁ ପ୍ରଶ୍ନ କରିଛନ୍ତି, ଫାଶି ଦଣ୍ଡ ଅଧିକ ଯନ୍ତ୍ରଣାଦାୟକ କି ? ଫାଶି ବଦଳରେ ଆଉ କିଛି ଅତ୍ୟାଧୁନିକ ବୈଜ୍ଞାନିକ ପଦ୍ଧତି ରହିଛି କି ?

ଅଧିକ ପଢ଼ନ୍ତୁ: ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଛାଟ; 'ଦୈନିକ ୫୩୩ ଟଙ୍କା ଦିଅ, ପିଛିଲା ଭାବରେ ଲାଗୁ କର'

ମେ ୨ ତାରିଖ ସୁଦ୍ଧା କମ୍ ଯନ୍ତ୍ରଣାଦାୟକ ତଥା ଅମାନୁଷିକ ନହେଲା ଭଳି ବିକଳ୍ପ ମୃତ୍ୟୁ ଦଣ୍ଡ ପଦ୍ଧତି ଖୋଜିବାକୁ କହିଛନ୍ତି ବିଚାରପତି । କେନ୍ଦ୍ରର ତଥ୍ୟ ଦାଖଲ ପରେ ଏହା ଉପରେ ତର୍ଜମା ପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରାଯିବ ବୋଲି ଖଣ୍ଡପୀଠ କହିଛନ୍ତି ।

ଟୁ ବି ହ୍ୟାଙ୍ଗଡ ଟିଲ୍ ଡେଥ୍ ଅର୍ଥାତ୍ ମୃତ୍ୟୁ ହେଲା ଯାଏଁ ଫାଶି ଖୁଣ୍ଟରେ ଝୁଲାଯାଉ । ଦୋଷୀକୁ ମୃତ୍ୟୁ ଦଣ୍ଡ ସଜ୍ଜା ଶୁଣାଇବା ବେଳେ ବିଚାରପତି ଏଭଳି ନିର୍ଦ୍ଦେଶ ଦେଇଥାନ୍ତି । ତେବେ ଏହାକୁ କ୍ରୁର ଏବଂ ଅମାନବୀୟ ଦର୍ଶାଇ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ଆଇନଜୀବୀ ରିଷି ମଲହୋତ୍ରା । ଆବେଦନରେ ଆଇନଜୀବୀ ଦର୍ଶାଇଛନ୍ତି ଯେ, ଫାଶିର ପୁରା ପ୍ରକ୍ରିୟା ବହୁତ ଲମ୍ବା । ମୃତ୍ୟୁ ନିଶ୍ଚିତ କରିବାକୁ ଫାଶିର ଅଧଘଣ୍ଟା ଯାଏଁ ଦୋଷୀକୁ ଝୁଲାଇ ରଖାଯାଇଥାଏ ।

ବିଶ୍ୱର ଅନେକ ଦେଶ ଫାଶି ଦଣ୍ଡକୁ ବନ୍ଦ କରିସାରିଛନ୍ତି । ଭାରତରେ ମଧ୍ୟ ଏହାକୁ ବନ୍ଦ କରାଯିବା ଉଚିତ । ଫାଶି ବଦଳରେ ରସାୟନିକ ଇଞ୍ଜେକସନ୍, ଗୁଳି କରିବା ଏବଂ ଇଲେକ୍ଟ୍ରିକ ଚେୟାରର ବ୍ୟବହାର କରିବାକୁ ଆବେଦନକାରୀ କୋର୍ଟଙ୍କୁ ପ୍ରସ୍ତାବ ଦେଇଛନ୍ତି । ଏହି ବିକଳ୍ପ ଉପରେ ଦୁଇ ଜଣିଆ ବିଚାରପତିଙ୍କ ଖଣ୍ଡପୀଠ ବ୍ୟାପକ ଆଲୋଚନା କରିବା ସହ ତଥ୍ୟ ସଂଗ୍ରହ କରିବାକୁ କହିଛନ୍ତି ।

ଫାଶି ଦଣ୍ଡର ବିକଳ୍ପ ପଦ୍ଧତି ନେଇ ୨୦୧୭ରେ ଆବେଦନ ହୋଇଥିଲା। ୨୦୧୮ରେ କେନ୍ଦ୍ର ସରକାର ଏହି ଅବେଦନ ଉପରେ ଜବାବ ଦାଖଲ କରି ଫାଶିକୁ ମୃତ୍ୟୁଦଣ୍ଡର ସବୁଠୁ ସଠିକ ପଦ୍ଧତି ଦର୍ଶାଇଥିଲେ । କହିଥିଲେ, ମୃତ୍ୟୁଦଣ୍ଡର ଅନ୍ୟ ପଦ୍ଧତି ଅପେକ୍ଷା ଫାଶି ଅଧିକ ବିଶ୍ୱାସଯୋଗ୍ୟ ଏବଂ କମ୍ ଯନ୍ତ୍ରଣାଦାୟକ । ଏବେ ଏହା ଉପରେ ପୁଣି ଆରମ୍ଭ ହୋଇଛି ବିତର୍କ ।