ଭାରତର କୋପ ଦେଖି ଥରହର ପାକିସ୍ତାନ । ଆମର ୪ଟି ଏୟାରବେସକୁ ଟାର୍ଗେଟ୍ କଲା, ଆମେ ଉଡ଼ାଇଲୁ ତାଙ୍କର ଆଠ ଆଠଟି ଏୟାରବେସ୍ । ଟ୍ରେଲର୍ ଦେଖି ପିଳେହି ପାଣି, ଆଗକୁ ତ ଥିଲା ପୂରା ଫିଲ୍ମ ବାକି । ଗତରାତିରେ ପାକିସ୍ତାନର ୮ଟି ଗୁରୁତ୍ବପୂର୍ଣ୍ଣ ସାମରିକ ଘାଟି ଓ ପ୍ରତିଷ୍ଠାନକୁ ଉଡ଼ାଇ ଦେଇଛି ଭାରତ। ଡ୍ରୋନ୍ ଓ ମିଜାଇଲ୍ ରୋକିବା ସହ ଭାରତର ଲଢ଼ୁଆ ବିମାନ ପାକିସ୍ତାନର ୬ଟି ଗୁରୁତ୍ବପୂର୍ଣ୍ଣ ସାମରିକ ଘାଟି- ରଫିକି, ମୁରିଦ୍, ଚକଲାଲା, ରହିମ୍ ୟାର୍ ଖାନ୍, ସୁକ୍କୁର, ଚୁନିଆଁରେ ଭୀଷଣ କ୍ଷୟକ୍ଷତି କରିଛି। ତା' ସହ ପସରୁର୍ ରାଡାର୍ ସାଇଟ୍ ଓ ସିଆଲକୋଟ୍ ବାୟୁସେନା ଘାଟିକୁ ବି କରାଯାଇଛି ପିନ୍ ପଏଣ୍ଟ୍ ଟାର୍ଗେଟ୍ ।
ଧ୍ବସ୍ତବିଧ୍ବସ୍ତ ରହିମ୍ ୟାର୍ ଖାନ୍ ଏୟାରବେସ୍ ରନୱେ ଓ କୋଠାର ଅବସ୍ଥା । ପାକିସ୍ତାନର ଦକ୍ଷିଣ ପଞ୍ଜାବରେ ଥିବା ଏହି ବାୟୁସେନା ଘାଟି ଭାରତ ସୀମାର ଅତି ନିକଟରେ ଥିବାରୁ ଖୁବ୍ ଗୁରୁତ୍ବପୂର୍ଣ୍ଣ । ସେହିପରି ପାକିସ୍ତାନ ପଞ୍ଜାବ ପ୍ରୋଭିନ୍ସରେ କ୍ଷତିଗ୍ରସ୍ତ ହୋଇଥିବା ରଫିକି, ମୁରିଦ ଓ ଚୁନିଆଁ ଆଦି ଘାଟିରେ, କେଉଁଠି JF-17 ଓ ମିରାଜ୍ ଫାଇଟର ଜେଟ୍ ରହିଥାଏ, ତ ଆଉ କେଉଁଠୁ ଉଡ଼ିଥାଏ ଘାତକ ଶହପାର୍-୧ ଓ ବୟରକ୍ତାର୍ ଆଦି ଡ୍ରୋନ୍ । ସେହିପରି ସିନ୍ଧର ସୁକ୍କୁରରେ ରହିଛି F-16 ଫାଇଟର୍ ଜେଟ୍ ଏବଂ ରାୱଲପିଣ୍ଡି ଚକଲାଲା ସ୍ଥିତି ନୁର୍ ଖାନ୍ ଏୟାରବେସ ଇସଲାମାବାଦ୍ ଠାରୁ ମାତ୍ର ୧୦ କିଲୋମିଟର ଦୂର । ସେପଟେ ପାକିସ୍ତାନର ଆଉ ଏକ ସବୁଠୁ ଗୁରୁତ୍ବପୂର୍ଣ୍ଣ ଏୟାରବେସ ସରଗୋଡ଼ାରେ ବି ଏକାଧିକ ବିସ୍ଫୋରଣ ହୋଇଥିବାରୁ, ସେଠି ବି ଭାରତ ଏୟାରଷ୍ଟ୍ରାଇକ୍ କରିଥିବା ଚର୍ଚ୍ଚା ହେଉଛି ।
ଅଧିକ ପଢ଼ନ୍ତୁ: ଅସ୍ତ୍ରବିରତି ପାଇଁ ଭାରତ-ପାକିସ୍ତାନ ରାଜି, ସୂଚନା ଦେଲେ ଟ୍ରମ୍ପ
ସାମରିକ ଦୃଷ୍ଟିରୁ ପାକିସ୍ତାନକୁ ପଙ୍ଗୁ କରିବାକୁ, ତାର ଆଖି, କାନ ଓ ମସ୍ତିଷ୍କକୁ ବି ଟାର୍ଗେଟ୍ କରିଥିଲା ଭାରତ । ଭାରତ ଟାର୍ଗେଟ୍ କରିଥିବା ୮ଟି ସ୍ଥାନ ମଧ୍ୟରେ ରହିଛି ଏୟାର ଡିଫେନ୍ସ ରାଡାର୍ ସାଇଟ୍, ଟେକନିକାଲ୍ ଇନଷ୍ଟେଲସନ୍, କମାଣ୍ଡ୍ ଆଣ୍ଡ୍ କଣ୍ଟ୍ରୋଲ୍ ସେଣ୍ଟର ଏବଂ ଆର୍ମ ଷ୍ଟୋର୍ ବା ଅସ୍ତ୍ରାଗାର । ଟେକନିକାଲ୍ ଇନଷ୍ଟେଲସନ୍- ଯେଉଁଠି ରେଡିଓ ଟାୱାର, ସାଟେଲାଇଟ୍ ଲିଙ୍କ୍, ମିଜାଇଲ୍ ଓ ଡ୍ରୋନ୍ ଟ୍ରାକିଂ, ଇଲେକ୍ଟ୍ରୋନିକ୍ ୱାରଫେୟାର୍ ସିଷ୍ଟମ୍ ଆଦି ରହିଥାଏ ।
କମାଣ୍ଡ୍ ଆଣ୍ଡ୍ କଣ୍ଟ୍ରୋଲ ସେଣ୍ଟର- ଯେଉଁଠି ୱାର ରୁମ୍ ଭଳି ଯୁଦ୍ଧକୁ ନିୟନ୍ତ୍ରଣ କରାଯାଏ, ତିନି ସେନା ମଧ୍ୟରେ କୋର୍ଡିନେସନ୍ ରଖାଯାଏ ଓ ରିୟଲ ଟାଇମ୍ ସାଟେଲାଇଟ୍ ଇମେଡ୍ ଓ ରାଡାର୍ ଫିଡ୍ ମିଳିଥାଏ । ଆଉ ତା' ସହ ଶତ୍ରୁ ଗତିବିଧି ଉପରେ ନଜର ରଖିଥାଏ ରାଡାର୍ ସାଇଟ୍ । ଏସବୁ ସହ ପାକିସ୍ତାନର ଅସ୍ତ୍ରାଗାରକୁ ବି ମାଟିରେ ମିଶାଇବାକୁ ଆକାଶ ମାର୍ଗରୁ ଆକ୍ରମଣ ହୋଇଛି । ଏଥିରେ ସାଧାରଣ ଲୋକ ବା ବେସାମରିକ ସ୍ଥଳକୁ କୌଣସି କ୍ଷତି ନପହଞ୍ଚାଇ, ପାକିସ୍ତାନ ସେନାକୁ ଭିତରୁ ଭୀଷଣ ଭାବେ ଦୁର୍ବଳ କରିବାକୁ ଗତ ରାତିରେ ବଡ଼ ଆକ୍ସନ ନେଇଛି ଭାରତ ।
ଏଲଓସି ନିକଟରେ ବି ଭାରତୀୟ ସ୍ଥଳସେନା ମଧ୍ୟ ଗତରାତିରେ ଜମ୍ମୁକୁ ଲାଗିଥିବା ଏକାଧିକ ପାକିସ୍ତାନୀ ସେନା ପୋଷ୍ଟ୍ ଓ ସିଆଲକୋଟ୍ ଲୁନିରେ ଥିବା ଟେରରିଷ୍ଟ ଲଞ୍ଚପ୍ୟାଡ୍ ନଷ୍ଟ କରିଛି । ଏସବୁ ସ୍ଥାନରୁ ଟ୍ୟୁବ୍-ଲଞ୍ଚ୍ ଡ୍ରୋନ୍ ଭାରତ ଭିତରକୁ ପଠାଯାଉଥିଲା ବୋଲି ସେନା ପକ୍ଷରୁ ସୂଚନା ଦିଆଯାଇଛି । ତେଣେ ପୁଣି ପଦାରେ ପଡ଼ିଛି ପାକିସ୍ତାନର କାପୁରୁଷ ପଣିଆ । କାଲି ବିଭିନ୍ନ ଜନବସତି ଅଞ୍ଚଳକୁ ବିସ୍ଫୋଟକ ଡ୍ରୋନ୍ ପଠାଇବା ସହ, ଶ୍ରୀନଗର, ଅବନ୍ତିପୁରା ଓ ଉଦ୍ଧମପୁରରେ ସ୍କୁଲ ଓ ମେଡିକେୟାର ସେଣ୍ଟରକୁ ବି ଟାର୍ଗେଟ୍ ଚେଷ୍ଟା କରିଥିଲା ।
ପଞ୍ଜାବ ଫିରୋଜପୁରରେ ଡ୍ରୋନ୍ ମାଡ଼ ହୋଇ ଗୋଟିଏ ପରିବାର ଆହତ ହୋଇଛନ୍ତି । ସକାଳୁ ବିଭିନ୍ନ ଗାଁ ନିକଟରେ ମିଜାଇଲ୍ ଓ ପ୍ରୋଜେକ୍ଟାଇଲ୍ ଅବଶେଷ ମିଳିଛି । ଦିଲ୍ଲୀ ସିଭିଲିଆନ୍ ଏୟାରପୋର୍ଟକୁ ବି ଫତେହ-ଟୁ ମିଜାଇଲ୍ ପଠାଇଥିଲା, ଯାହାକୁ ମଝି ଆକାଶରେ ଉଡ଼ାଇ ଦିଆଯାଇଛି । ସେପଟେ ପୁଣି ଗତରାତିରେ ପାକିସ୍ତାନ ଡ୍ରୋନ୍ ହମଲା ବେଳେ, ଭାରତ କୋପରୁ ବର୍ତ୍ତିବାକୁ ଲାହୋର ନିକଟରେ ବେସାମରିକ ବିମାନ ଉଡ଼ାଇ ଲୋକଙ୍କୁ ଢାଲ କରିଥିବା ନଜରକୁ ଆସିଛି ।