Advertisment

ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଛାଟ; 'ଦୈନିକ ୫୩୩ ଟଙ୍କା ଦିଅ, ପିଛିଲା ଭାବରେ ଲାଗୁ କର'

ଏଲ୍ ଆଣ୍ଡ୍ ଟି ଘଟଣା ପରେ ଏବେ ହୋମାଗାର୍ଡଙ୍କ ଭତ୍ତା ମାମଲା । ବର୍ଷ ବର୍ଷର ଲଢ଼େଇ ପରେ ପୁଣି ଓଡ଼ିଶା ସରକାରଙ୍କୁ ସୁପ୍ରିମ୍ ଝଟକା ।

author-image
Manoranjan Behera
undefined

Home Guards

ଆନ୍ଦୋଳନ, ହାଇକୋର୍ଟ ଓ ସୁପ୍ରିମକୋର୍ଟରୁ ଝଟକା, ଆଉ ଏବେ ବିରୋଧୀଙ୍କ ନିଶାନା । ରାଜ୍ୟ ସରକାରଙ୍କ ପିଛା ଛାଡ଼ୁନି ହୋମଗାର୍ଡଙ୍କ ଦୈନିକ ଭତ୍ତା ବୃଦ୍ଧି ପ୍ରସଙ୍ଗ । ଦୈନିକ ଭତ୍ତା ୫୩୩ ଟଙ୍କାକୁ ବଢ଼ାଇବା ସହିତ, ୨୦୧୮ ଜୁନ୍ ପହିଲାରୁ ଏହାକୁ ପିଛିଲା ଭାବେ ଲାଗୁ କରିବା ପାଇଁ ସୁପ୍ରିମକୋର୍ଟ ରାୟ ଦେବା ପରେ, ଗୃହରକ୍ଷୀଙ୍କ ମହଲରେ ଖୁସିର ଲହରି। ତେବେ ପ୍ରଥମରୁ ହିଁ ହୋମଗାର୍ଡଙ୍କ ନାଯ୍ୟ ଦାବିକୁ ସରକାର ମାନି ନେଇଥିଲେ, ବର୍ଷ ବର୍ଷ ଧରି ଆଇନଗତ ଲଢ଼େଇ ଲଢ଼ିବାକୁ ପଡ଼ିନଥାନ୍ତା କି ଟିକସଦାତାଙ୍କ ଅର୍ଥ ଅଯଥାରେ ସ୍ୱାହା ହୋଇନଥାନ୍ତା ବୋଲି ଦର୍ଶାଇ ବିରୋଧୀ ସମାଲୋଚନା କରିଛନ୍ତି ।

Advertisment

ଏଲ୍ ଆଣ୍ଡ୍ ଟି ଘଟଣା ପରେ ଏବେ ହୋମାଗାର୍ଡଙ୍କ ଭତ୍ତା ମାମଲା । ବର୍ଷ ବର୍ଷର ଲଢ଼େଇ ପରେ ପୁଣି ଓଡ଼ିଶା ସରକାରଙ୍କୁ ସୁପ୍ରିମ୍ ଝଟକା । ସୁପ୍ରିମକୋର୍ଟଙ୍କ ରାୟ ପରେ ରାଜ୍ୟ ସରକାରଙ୍କୁ ଘେରିଲେ ବିରୋଧୀ। ହୋମଗାର୍ଡଙ୍କୁ ଦୈନିକ ୫୩୩ ଟଙ୍କାର ଭତ୍ତା ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । କେବଳ ଏତିକି ନୁହେଁ, ପିଛିଲା ଭାବେ ୨୦୧୮ ଜୁନ୍ ପହିଲାରୁ ବର୍ଦ୍ଧିତ ପ୍ରାପ୍ୟକୁ ଲାଗୁ କରିବାକୁ ଏବଂ ବକେୟା ଭତ୍ତାକୁ ଆଗାମୀ ୩ ମାସ ଭିତରେ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ ।

ସୂଚନା ଅନୁସାରେ, ହୋମଗାର୍ଡ ବା ଗୃହରକ୍ଷୀଙ୍କ ଦୈନିକ ଭତ୍ତା ନବଢ଼ାଇବା ଜିଦରେ ବିଗତ ପ୍ରାୟ ୫ ବର୍ଷ ହେଲା ନ୍ୟାୟିକ ଲଢ଼େଇ ଲଢ଼ୁଥିଲେ ରାଜ୍ୟ ସରକାର । ପ୍ରଥମେ ହାଇକୋର୍ଟରୁ ଦୁଇଦୁଇ ଥର ଏବଂ ଗତ ୧୭ ତାରିଖରେ ସୁପ୍ରିମକୋର୍ଟରୁ ବି ରାଜ୍ୟ ସରକାରଙ୍କୁ ନିରାଶ ହେବାକୁ ପଡ଼ିଛି । ସେପଟେ ଆଗାମୀ ୩ ମାସ ଭିତରେ ପିଛିଲା ପ୍ରାପ୍ୟ ଦିଆନଗଲେ ପୁଣି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି ଆବେଦନକାରୀ ହୋମଗାର୍ଡ ।

Advertisment

ଏବେ ରାଜ୍ୟରେ କାର୍ଯ୍ୟରତ ଅଛନ୍ତି ୧୭ ହଜାର ୭୭୫ ହୋମ୍‌ଗାର୍ଡ। ୨୦୧୫ରେ ସୁପ୍ରିମକୋର୍ଟ ଏବଂ ୨୦୧୬ରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ସବୁ ରାଜ୍ୟର ହୋମାଗାର୍ଡଙ୍କୁ ସର୍ବନିମ୍ନ ଦୈନିକ ଭତ୍ତା ଦେବାକୁ ଚିଠି କରିଥିବା ବେଳେ, ୨୦୧୬ରେ ତତ୍କାଳୀନ ଡିଜି ମଧ୍ୟ କନଷ୍ଟେବଲଙ୍କ ଦରମା ହାରକୁ ବିଚାର କରି ହୋମଗାର୍ଡଙ୍କୁ ଦୈନିକ ଭତ୍ତା ୫୩୩ ଟଙ୍କା ଦେବାକୁ ସରକାରଙ୍କୁ ସୁପାରିଶ କରିଥିଲେ।

ଅନ୍ୟପକ୍ଷରେ ଏଭଳି ହେଲେ ହୋମଗାର୍ଡଙ୍କ ଭତ୍ତା, ଠିକା କନଷ୍ଟେବଲଙ୍କ ଦରମା ହାରଠୁ ଟପିଯିବ ବୋଲି ଯୁକ୍ତି ଦର୍ଶାଇ, ବର୍ଦ୍ଧିତ ଦରମା ଲାଗୁ କରିନଥିଲେ ରାଜ୍ୟ ସରକାର । ଫଳରେ ହୋମଗାର୍ଡ ଆନ୍ଦୋଳନ ତୀବ୍ର ହୋଇଥିଲା । ତେବେ ରାଜ୍ୟ ସରକାର ରାଜକୋଷରୁ ଅର୍ଥଶ୍ରାଦ୍ଧ କରି କୋର୍ଟ କଚେରୀରେ ବର୍ଷ ବର୍ଷ ଧରି ଆଇନଗତ ଲଢ଼େଇ ଲଢ଼ିବା ସତ୍ତ୍ୱେ, ସୁପ୍ରିମକୋର୍ଟରୁ ଝଟକା ଲାଗିବା ପରେ, ତୀବ୍ର ସମାଲୋଚନା କରିଛନ୍ତି ବିରୋଧୀ । ବିଜେଡି ମଧ୍ୟ ଏହାର ଜବାବ ରଖିଛି ।

ଗତବର୍ଷ 'ଏଲ୍ ଆଣ୍ଡ୍ ଟି' ମାମଲାରେ ବି ଠିକ୍ ଏଇ ଭଳି ସୁପ୍ରିମ୍ ଝଟକା ଲାଗିଥିଲା ରାଜ୍ୟ ସରକାରଙ୍କୁ । କଂପାନୀକୁ ୨୦ କୋଟିର ବକେୟା ନଦେଇ ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ହାରିବା ପରେ, ରାଜକୋଷରୁ ଗଣିବାକୁ ପଡ଼ିଛି ଶହେ କୋଟିରୁ ଅଧିକ ଟଙ୍କା ।

(ରିପୋର୍ଟ- ଭଦ୍ରକରୁ ପାର୍ଥସାରଥୀ ନାୟକ, ବାରିପଦାରୁ ମାଣିକଲାଲ ପାଣି, କଟକରୁ ଗୌତମ ପଣ୍ଡା ଓ ଭୁବନେଶ୍ୱରରୁ ଜଗଦୀଶ ଦାସ)

Odisha Government Supreme Court Home Guards
Advertisment
Advertisment