ସନ୍ଧ୍ୟା ୫ଟାରୁ ଅସ୍ତ୍ରବିରତି ଲାଗୁ ହୋଇଥିଲା । ଏହାକୁ ମାତ୍ର କେଇ ଘଣ୍ଟା ନପୁରୁଣୁ ପୁଣି ଅସ୍ତ୍ରବିରତି ଉଲ୍ଲଙ୍ଘନ କଲା ପାକିସ୍ତାନ । ପୁଣିଥରେ ଜମ୍ମୁ-କାଶ୍ମୀର ସୀମାରେ ବର୍ଷିଲା ଗୁଳିଗୋଳା । ଏଲଓସି ନିକଟବର୍ତ୍ତୀ ଏକାଧିକ ସ୍ଥାନରେ ପାକିସ୍ତାନ ପଟୁ ଡ୍ରୋନ ମାଡ଼ ସହ ପ୍ରବଳ ଗୁଳିବର୍ଷଣ ହୋଇଛି । ଅଖନୁର, ରଜୌରୀ ଓ ପୁଞ୍ଚରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି ପାକ୍ ସେନା । ଶ୍ରୀନଗରରେ ଶୁଭିଛି ବଡ଼ ବଡ଼ ବିସ୍ଫୋରଣ ଶବ୍ଦ । ତେବେ ଭାରତୀୟ ବର୍ଡର ସିକ୍ୟୁରିଟି ଫୋର୍ସ (BSF) ପକ୍ଷରୁ ମୁହଁତୋଡ଼ ଜବାବ ଦିଆଯାଉଛି ।
ଅଧିକ ପଢ଼ନ୍ତୁ: ଅସ୍ତ୍ରବିରତି ପାଇଁ ଭାରତ-ପାକିସ୍ତାନ ରାଜି, ସୂଚନା ଦେଲେ ଟ୍ରମ୍ପ
ଯାହା ସୂଚନା ମିଳୁଛି, ଶ୍ରୀନଗରରେ ଘନ ଘନ ଡ୍ରୋନ ଆଟାକ୍ କରିଛି ପାକିସ୍ତାନ । ପ୍ରାୟ ଶହେଟି ବିସ୍ଫୋରଣର ଶବ୍ଦ ଶୁଭିଛି । ଭାରତୀୟ ସେନା ଏହି ଡ୍ରୋନ୍ ମାରି ଖସାଉଛି । ଶ୍ରୀନଗର ଲାଲ୍ ଚୌକ ଉପରେ ଉଡିଛି ଡ୍ରୋନ । ଗୁଜରାଟ କଚ୍ଛ ଆକାଶରେ ମଧ୍ୟ ଡ୍ରୋନ୍ ଦେଖାଯାଇଥିବା ସୂଚନା ଦେଇଛନ୍ତି ଗୁଜରାଟ ଗୃହମନ୍ତ୍ରୀ ହର୍ଷ ସାଙ୍ଘଭି । ଏକାଧିକ ଡ୍ରୋନ୍ ଠାବ ପରେ କଚ୍ଛ ସଂପୂର୍ଣ୍ଣ ବ୍ଲାକ ଆଉଟ୍ ହୋଇଛି ।
ସେହିପରି ରାଜସ୍ଥାନର ପୋଖରାନରେ ମଧ୍ୟ ମାଳ ମାଳ ଡ୍ରୋନ ଆସୁଥିବାର ଦେଖାଯାଇଛି, ଯାହାକି ଭାରତୀୟ ଡିଫେନ୍ସ ସିଷ୍ଟମ ନଷ୍ଟ କରୁଛି । ସୀମାନ୍ତବର୍ତ୍ତୀ ଅଞ୍ଚଳରେ ପାକିସ୍ତାନର ଏପରି ଡ୍ରୋନ୍ ଆଟାକ୍ ପରେ ଜମ୍ମୁ, ଶ୍ରୀନଗର, ପଠାନକୋଟ, ଫିରୋଜପୁର, ଜୈସଲମେର୍, ବାରମେର୍, ଉଧମପୁର, ଗୁରୁଦାସପୁର ଓ ପୋଖରାନରେ ସମ୍ପୂର୍ଣ୍ଣ ବ୍ଲାକଆଉଟ୍ କରାଯାଇଛି ।
ଅଖନୁର, ରଜୌରୀ ଓ ଆରଏସ ପୁରା ସେକ୍ଟରରେ ପ୍ରବଳ ଗୁଳିଗୋଳା ବର୍ଷଣ କରିଛି ପାକିସ୍ତାନ ସେନା । ଶ୍ରୀନଗର ସହ ବରମୂଲାରେ ମଧ୍ୟ ବିସ୍ଫୋରଣର ଶବ୍ଦ ଶୁଣାଯାଇଛି । ଏହି ଘଟଣା ପରେ ଶ୍ରୀନଗର ଓ ଜମ୍ମୁର ଅଧିକାଂଶ ସ୍ଥାନକୁ ବ୍ଲାକଆଉଟ୍ କରିଦିଆଯାଇଛି ।
ଆଜି ସନ୍ଧ୍ୟା ୫ଟାରୁ ତୁରନ୍ତ ଅସ୍ତ୍ରବିରତି ପାଇଁ ଭାରତ-ପାକିସ୍ତାନ ସହମତି ହୋଇଛନ୍ତି ବୋଲି ଘୋଷଣା ହୋଇଥିଲା । ଦୁଇ ଦେଶ ପକ୍ଷରୁ ଜଳ, ସ୍ଥଳ ଓ ଆକାଶ ପଥରେ ଆକ୍ରମଣ ନ କରିବାକୁ ସହମତି ହୋଇଥିଲା । ଦୁଇ ଦେଶର DGMO ସ୍ତରୀୟ କଥାବାର୍ତ୍ତା ପରେ ଅସ୍ତ୍ରବିରତି ପାଇଁ ସହମତି ହୋଇଥିବା କଥା ସ୍ପଷ୍ଟ କରିଥିଲେ ବୈଦେଶିକ ସଚିବ ବିକ୍ରମ ମିଶ୍ରି । କିନ୍ତୁ ଏହି ଅସ୍ତ୍ରବିରତିକୁ ୪ ଘଣ୍ଟା ନପୁରୁଣୁ ପୁଣିଥରେ ନିଜ ଔକାତକୁ ଫେରିଛି ପାକିସ୍ତାନ ।