Advertisment

ଗଗନୟାନ ପାଇଁ ଭାରତ ବଢ଼ାଇଲା ପାଦ, ମିଶନର ପ୍ରଥମ ଟେଷ୍ଟ୍ ଫ୍ଲାଇଟ୍ ସଫଳ

ପ୍ରତିଟି ଭାରତୀୟ ଆଜି ଗର୍ବିତ.. ଉତଫୁଲ୍ଲିତ... ଚମତ୍କୃତ.. । ଏ ଦୃଶ୍ୟ ଯେତିକି ରୋମାଞ୍ଚକର, ଏ ସଫଳତା ସେତିକି ଉତ୍ସାହପ୍ରଦ। ଇଏ ମିଶନ ଗଗନୟାନର ପୂର୍ବା-ଭ୍ୟାସ ଓ ପୂର୍ବା-ଭାସ ମଧ୍ୟ ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
undefined

Gaganyaan Mission

ଚନ୍ଦ୍ରଯାନ, ଆଦିତ୍ୟ L1 ବା ସୂର୍ଯ୍ୟୟାନ ଆଉ ଏବେ ଗଗନୟାନର ପ୍ରଥମ ଫ୍ଲାଇଟ୍ ଟେଷ୍ଟ୍ । ଚଳିତବର୍ଷ ଗୋଟିକ ପରେ ଗୋଟିଏ ବଡ଼ ସଫଳତା ହାତେଇଥିବା ଇସ୍ରୋ, ଆଜି ବି ଭାରତୀୟ ମହାକାଶ ଅଭିଯାନ କ୍ଷେତ୍ରରେ ଯୋଡ଼ିଛି ସ୍ୱର୍ଣ୍ଣିମ ଅଧ୍ୟାୟ । ମହାକାଶକୁ ମଣିଷ ପଠାଇବା ଲାଗି ପ୍ରସ୍ତାବିତ ମିଶନ୍ ଗଗନୟାନ ପାଇଁ ଭାରତ ବଢ଼ାଇଛି ବିଶ୍ୱାସ ଓ ଭରସାର ପ୍ରଥମ ପାଦ । କ୍ରୁ ଏସକେପ୍ ସିଷ୍ଟମର ଇନ-ଫ୍ଲାଇଟ୍ ଆବୋର୍ଟ ଡେମନଷ୍ଟ୍ରେସନ ବା ସରଳ ଭାଷାରେ କହିଲେ, ଗଗନୟାନ ଉତକ୍ଷେପଣ ପରେ ପରେ ମିଶନକୁ ଅଧାବାଟରେ ରୋକିବାକୁ ପଡ଼ିଲେ, ମହାକାଶଚାରୀମାନେ କିପରି ସୁରକ୍ଷିତ ଭାବେ ପୃଥିବୀକୁ ଫେରିପାରିବେ, ତାର ଏକ ସଫଳ ତଥା ରୋମାଞ୍ଚକର ପରୀକ୍ଷଣ କରାଯାଇଛି।

Advertisment

ପ୍ରତିଟି ଭାରତୀୟ ଆଜି ଗର୍ବିତ.. ଉତଫୁଲ୍ଲିତ... ଚମତ୍କୃତ.. । ଏ ଦୃଶ୍ୟ ଯେତିକି ରୋମାଞ୍ଚକର, ଏ ସଫଳତା ସେତିକି ଉତ୍ସାହପ୍ରଦ। ଇଏ ମିଶନ ଗଗନୟାନର ପୂର୍ବା-ଭ୍ୟାସ ଓ ପୂର୍ବା-ଭାସ ମଧ୍ୟ । କାରଣ ୨୦୨୫ରେ ଗଗନୟାନର ମହାକାଶଚାରୀମାନେ ଯେତେବେଳେ ପୃଥିବୀକୁ ଫେରିବେ, ସେତେବେଳେ ବି ଅବିକଳ ଏମିତି ହିଁ ଖୋଲିବ ଆକାଶଛତା, ଏମିତି ହିଁ ସମୁଦ୍ରରେ ଖସିବ କ୍ରୁ ମଡ୍ୟୁଲ। ଆଜି ଦିନ ୧୦ଟାରେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟ୍ଟା ସ୍ଥିତ ସତୀଶ ଧାୱନ ସ୍ପେଶ୍ ସେଣ୍ଟରରୁ ଲଞ୍ଚ୍ ହୋଇଥିଲା ଟେଷ୍ଟ ଭେହିକିଲ୍ TV-D1 । ପ୍ରାୟ ୩୫ ମିଟର ଉଚ୍ଚ ଏହି ରକେଟରେ ଥିଲା ଗଗନୟାନ କ୍ରୁ ମଡ୍ୟୁଲର ଏକ ମାନବ-ବିହୀନ ପ୍ରତିରୂପ । ଲଞ୍ଚିଂର ଦେଢ଼ ମିନିଟ୍ ପରେ ଯେତେବେଳେ ରକେଟ୍ ଟି ଭୂପୃଷ୍ଠରୁ ପ୍ରାୟ ୧୭ କିଲୋମିଟର ଉପରେ ଥିଲା, ଠିକ୍ ସେତିକି ବେଳେ କଣ୍ଟ୍ରୋଲ୍ ରୁମ୍‌ରୁ ଦିଆଯାଇଥିଲା 'ମିଶନ ଆବୋର୍ଟ କମାଣ୍ଡ୍'।

କମାଣ୍ଡ୍ ମିଳିବା ମାତ୍ରେ, ମୁଖ୍ୟ ରକେଟରୁ ଅଲଗା ହୋଇ ତଳକୁ ଖସିଥିଲା ସାଢ଼େ ୪ ଟନ୍ ଓଜନର କ୍ରୁ ମଡ୍ୟୁଲ। ଏହା ଖୁବ୍ ଦ୍ରୁତ ବେଗରେ ତଳକୁ ଖସୁଥିବାରୁ, ବେଗ କମାଇବା ପାଇଁ ପ୍ରଥମେ ଡ୍ରୋଗ୍ ପାରାସୁଟ୍ ଓ ପରେ ୩ଟି ବିଶାଳ ମୁଖ୍ୟ ପାରାସୁଟ୍ ଖୋଲିଥିଲା । ଏ ପୂରା ଦୃଶ୍ୟକୁ କଏଦ କରିଥିଲା ଡ୍ରୋନ୍ କ୍ୟାମେରା ଓ କ୍ରୁ ମଡ୍ୟୁଲରେ ଲାଗିଥିବା ଅନ୍-ବୋର୍ଡ କ୍ୟାମେରା । ଶେଷରେ ତାହା ଶ୍ରୀହରିକୋଟ୍ଟାରୁ ୧୦ କିଲୋମିଟର ଦୂରରେ ଅତି ସୁରକ୍ଷିତ ଭାବେ ବଙ୍ଗୋପସାଗରରେ ପଡ଼ି ଭାସିଥିଲା । ପୂର୍ବରୁ ସେହି ଅଞ୍ଚଳରେ ମୁତୟନ ଥିବା ନୌସେନା ଜାହାଜ କ୍ରେନ୍ ସହାୟତାରେ କ୍ରୁ ମଡ୍ୟୁଲକୁ ଉଦ୍ଧାର କରି ତଟକୁ ଆଣିଛନ୍ତି ।

Advertisment

କୌଣସି ସସ୍ପେନ୍ସ ଥ୍ରିଲର୍‌ଠୁ କମ୍ ନ ଥିଲା ଆଜିର ମିଶନ୍ । ବାରମ୍ବାର ବାଧା ଆସିଥିଲା, ଆଉ ଇସ୍ରୋ ସେସବୁକୁ ସାମ୍ନା କରିଥିଲା ନିଜର ଧୈର୍ଯ୍ୟ ଓ କୁଶଳତାର ସହ । ସକାଳ ୮ଟାରେ TV-D1 ଉତକ୍ଷେପଣ ହେବ ବୋଲି ଘୋଷଣା ହୋଇଥିଲେ ମଧ୍ୟ, ବାଧକ ସାଜିଥିଲା ଶ୍ରୀହରିକୋଟାର ଅପ୍ରତ୍ୟାଶିତ ବର୍ଷା ଓ ମେଘୁଆ ପାଗ । ଲଞ୍ଚିଂ ପ୍ରଥମେ ୩୦ ମିନିଟ୍ ଓ ପରେ ଆଉ ୧୫ ମିନିଟ୍ ଘୁଞ୍ଚିବା ପରେ, ଶେଷରେ ୮ଟା ୪୫ରେ ଆରମ୍ଭ ହେଲା ଉତକ୍ଷେପଣ ପ୍ରକ୍ରିୟା । ସେତେବେଳେ କାଉଣ୍ଟଡାଉନ ବି ସରିବାକୁ ବସିଥିଲା ।

ହେଲେ ଠିକ୍ ସେତିକି ବେଳେ ଦେଖାଦେଇଥିଲା ତ୍ରୁଟି। ଲଞ୍ଚିଂର ମାତ୍ର ୫ ସେକେଣ୍ଡ୍ ପୂର୍ବରୁ ଦେଖାଦେଲା ବୈଷୟକି ତ୍ରୁଟି। ରକେଟ୍ ଇଞ୍ଜିନ ବି ସାମାନ୍ୟ ଜଳିବା ଉଠି, ପୁଣି ଲିଭିଗଲା। ସ୍ୱାଭାବିକ ଭାବେ ରକେଟ୍ ଇଗ୍ନିଶନ୍ ବା ଥ୍ରଷ୍ଟ୍ ଇଞ୍ଜିନ୍ ଷ୍ଟାର୍ଟ ନ ହେବାରୁ, ଏହାକୁ ଚିହ୍ନଟ କରି ଉତକ୍ଷେପଣକୁ ଆପେ ଆପେ ହୋଲ୍ଡରେ ରଖିଦେଲା ଅଟୋମେଟିକ୍ ଲଞ୍ଚ ସିକ୍ବେନ୍ସ କଂପ୍ୟୁଟର । ଯଦିଓ ଏହି ଅଟୋମେଟିକ୍ ତ୍ରୁଟି ନିରୂପଣ ଓ ଉତକ୍ଷେପଣକୁ କଂପ୍ୟୁଟର ନିଜେ ସ୍ଥଗିତ ରଖିଦେବା, ଇସ୍ରୋ ପାଇଁ ଏକ ବଡ଼ ଉପଲବ୍ଧି; ତଥାପି ସାଧାରଣ ଜନତାଙ୍କ ମନରେ ଏହା ଅଳ୍ପ କିଛି ସମୟ ପାଇଁ ଭରିଦେଇଥିଲା ନିରାଶା ଓ ହତାଶା । ହେଲେ ନିଜ ନିପୁଣତାର ପ୍ରମାଣ ଦେଇ, ଇସ୍ରୋ ମାତ୍ର ୧ ଘଣ୍ଟା ୧୫ ମିନିଟ ଭିତରେ ତ୍ରୁଟି ସଂଶୋଧନ କରିଥିଲା ଏବଂ ଦିନ ୧୦ଟାରେ ପୁଣିଥରେ ଲଞ୍ଚିଂ ପାଇଁ ପ୍ରସ୍ତୁତ ହୋଇ, ଐତିହାସିକ ସଫଳତା ହାତେଇଲା।

ଅସଲ ଗଗନୟାନ ଉତକ୍ଷେପଣ ପରେ ପରେ, ଅଧାବାଟରେ କୌଣସି ସମସ୍ୟା ଦେଖାଦେଲେ ମହାକାଶଚାରୀମାନେ କିପରି ସୁରକ୍ଷିତ ଭାବେ ପୁଣିଥରେ ପୃଥିବୀକୁ ଫେରିପାରିବେ, ଆଜି ସେହି ପ୍ରକ୍ରିୟାର ପରୀକ୍ଷଣ ହୋଇଛି। ହେଲେ ଇଏ ତ ଆରମ୍ଭ ମାତ୍ର। ଏଭଳି ଅନେକ ପରୀକ୍ଷଣ ଓ ପୂର୍ବାଭ୍ୟାସ ପରେ, ସମ୍ଭବତଃ ଆସନ୍ତାବର୍ଷ ମହାକାଶକୁ ଯିବ ମାନବବିହୀନ ଗଗନୟାନ । ସେଥିରେ କେବଳ ବସିଥିବ ରୋବଟ୍ 'ବ୍ୟୋମମିତ୍ର'। ସବୁକିଛି ଠିକ୍ ଚାଲିଲେ, ୨୦୨୫ ସୁଦ୍ଧା ୩ ଜଣ ଭାରତୀୟ ମହାକାଶକୁ ଯିବେ, ସେଠାରେ ୩ ଦିନ ବିତାଇବେ ଏବଂ ହୁଏତ ପୁଣି ଥରେ ଦୋହରାଇବେ ରାକେଶ ଶର୍ମାଙ୍କ ସେହି ଐତିହାସିକ ଉକ୍ତି- 'ସାରେ ଜାହାଁସେ ଅଚ୍ଛା ହିନ୍ଦୁସ୍ତାଁ ହମାରା'। 

India ISRO Gaganyaan Mission
Advertisment
Advertisment