/odishatv-khabar/media/post_attachments/uploadimage/library/16_9/16_9_0/IMAGE_1745513097.jpg)
ଲିଫ୍ଟ୍ ନେଲା ଜୀବନ ।
କାଳ ସାଜିଲା ହସ୍ପିଟାଲରେ ଲାଗିଥିବା ଲିଫ୍ଟ୍ । ମୃତ୍ୟୁର ବାହକ ହୋଇ ଆସିଲା, ନେଇଗଲା ରୋଗୀଙ୍କ ଜୀବନ । ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହି ଅଭାବନୀୟ ଘଟଣା ଘଟିଛି । ଓପିଡିରୁ ସ୍ଥାନାନ୍ତର ବେଳେ ଲିଫ୍ଟ ଡୋରରେ ଚାପି ହୋଇ ମହିଳା ରୋଗୀଙ୍କ ମୃତ୍ୟୁ ହୋଇଛି। ଏହି ଘଟଣା ପରେ ୫ ଘଣ୍ଟା ହସ୍ପିଟାଲରେ ଉତ୍ତେଜନା ଦେଖାଦେଇଥିଲା ।
ଜୀବନ ନେଲା ଅଚଳ ଲିଫ୍ଟ୍ । ରୋଗୀ ହୋଇ ଆସିଥିଲେ। ଶବ ହୋଇ ଫେରିଲେ । ଲିଫ୍ଟରେ ଚାପି ହୋଇ ଚାଲିଗଲା ମହିଳା ରୋଗୀଙ୍କ ଜୀବନ । ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଘଟିଛି ଏହି ଅଭାବନୀୟ ଘଟଣା । ମୃତକଙ୍କ ନାଁ ମୀନତି ପରିଡ଼ା । ବସୟ- ୫୫ ବର୍ଷ । ଘର ଭଦ୍ରକ ରାନ୍ଦିଆ ନରସିଂହପୁର । ରୋଗ ଦେଖାଇବାକୁ ହସ୍ପିଟାଲ ଆସିଥିଲେ ମୀନତି । ଶ୍ବାସ ଓ ଥାଇରଡ୍ ଚିକିତ୍ସା ପାଇଁ ପରିବାର ଲୋକ ଆଣିଥିଲେ ଭଦ୍ରକ ମେଡିକାଲ୍ । କେତେ ଆଶା ରଖି ଆସିଥିଲେ, ଡାକ୍ତରଙ୍କୁ ଦେଖାଇ ମେଡିସିନ୍ ନେଇ ଘରକୁ ଫେରିବେ । କିନ୍ତୁ, ସବୁ କିଛି ଓଲଟପାଲଟ ହୋଇଗଲା ।
ମୃତ୍ୟୁର ବାହକ ହୋଇ ଆସିଲା ଲିଫ୍ଟ । ଆଉଟଡୋରରେ ପ୍ରାଥମିକ ଚିକିତ୍ସା ପରେ ଫିମେଲ୍ ମେଡିସିନ୍ ୱାର୍ଡକୁ ସ୍ଥାନାନ୍ତର ବେଳେ ମୀନତି ଲିଫ୍ଟ ଡୋରରେ ଚାପି ହୋଇଯାଇଥିଲେ । ଏହାପରେ ଅଚଳ ଲିଫ୍ଟରେ ରୋଗୀ ମୃତ୍ୟୁକୁ ନେଇ ହସ୍ପିଟାଲ ପରିସରରେ ଉତ୍ତେଜନା ଦେଖା ଦେଇଥିଲା। ଘଟଣାସ୍ଥଳରୁ ଛୁ ମାରିଥିଲେ ଲିଫ୍ଟ ଅପରେଟର୍ ।
ପରିବାର ଲୋକଙ୍କ କାନ୍ଦ ବୋବାଳିରେ ଫାଟି ପଡ଼ିଥିଲା ହସ୍ପିଟାଲ । ମୃତଦେହ ଓହ୍ଲାଇ ଦେବେନି ବୋଲି ଜିଦ୍ ଧରିଥିଲେ ପରିବାର ଓ ସମ୍ପର୍କୀୟ। ଜିଲ୍ଲାପାଳ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବାରୁ ୫ ଘଣ୍ଟା ପରେ ମୃତଦେହ ଉଦ୍ଧାର ହୋଇଥିଲା । ଭଦ୍ରକ ସିଡିଏମଓ କହିଛନ୍ତି, ଲିଫ୍ଟର ସେନ୍ସରରେ ଖରାପ ହେବାରୁ ଏମିତି ଘଟଣା ଘଟିଲା ।
ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏହି ଘଟଣା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଥିପାଇଁ କିଏ ଦାୟୀ ? କାହାର ତ୍ରୁଟିରୁ ନିରୀହ ରୋଗୀଙ୍କ ଜୀବନ ଚାଲିଗଲା ? ଲିଫ୍ଟ ଅପରେଟର ସେତେବେଳେ କୁଆଡେ ଯାଇଥିଲେ ? ଲିଫ୍ଟରେ ତ୍ରୁଟି ପୂର୍ବରୁ ରହିଥିଲା କି ? ଯଦି ଥିଲା ବଦଳା ଯାଉ ନଥିଲା କାହିଁକି?
ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଉପଜିଲ୍ଲାପାଳଙ୍କ ନେତୃତ୍ବରେ ଏକ କମିଟି କରାଯାଇଛି । ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଅଚଳ ଲିଫ୍ଟକୁ ବଦଳାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଘଟଣାର ଯେଭଳି ପୁନରାବୃତ୍ତି ନହେବ ସେଥିପାଇଁ ଗୁରୁତ୍ବ ଦେବାକୁ ସିଡିଏମଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ମୃତକଙ୍କ ପରିବାରକୁ ପ୍ରଶାସନ ପକ୍ଷରୁ ୮ ଲକ୍ଷ ଟଙ୍କାର ସହାୟତା ଦିଆଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)