• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

କୁହାଯାଏ କି ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ, ଗୁରୁଦେବ ମହେଶ୍ୱର । କିନ୍ତୁ ଏଠି ଗୁରୁଙ୍କୁ ପ୍ରଣାମ ବଦଳରେ ନିର୍ଧୂମ ମାଡ଼ । କପି କରିବାକୁ ମନା କରିବାରୁ ଶିକ୍ଷକଙ୍କୁ ପିଟିଲେ ମହିଳା । ଏମିତିକି ତାଙ୍କ ସାର୍ଟ ମଧ୍ୟ ଫାଡ଼ିଦେଲେ । କଥାଟି ଅଡ଼ୁଆ ଲାଗୁଥିଲେ ବି ସତ । ବିହାର ଭାଗଲପୁରରେ ଏମିତି କିଛି ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି ।

ସୂଚନାନୁଯାୟୀ ଭାଗଲପୁର ବିଶ୍ୱବିଦ୍ୟାଳୟରେ ଲ’ ପରୀକ୍ଷା ଚାଲୁଥିବା ବେଳେ ଜଣେ ମହିଳା କପି କରୁଥିବାର ସେଠାରେ ଉପସ୍ଥିତ ଥିବା ଶିକ୍ଷକ ଦେଖିଥିଲେ । ସେ ତାଙ୍କୁ ବାରଣ ବି କରିଥିଲେ । ଏହାପରେ ଆରମ୍ଭ ହେଲା ହାଇଡ୍ରାମା । ଶିକ୍ଷକ କାହିଁକି ବାରଣ କଲେ ବୋଲି ପରୀକ୍ଷାର୍ଥୀ ଜଣକ ଶିକ୍ଷକଙ୍କ କଲର୍‌ ଧରି ପିଟିଲେ । ଏମିତିକି ତାଙ୍କ ସାର୍ଟ ମଧ୍ୟ ଫାଡ଼ିଦେଲେ । ପାଟିଟୁଣ୍ତ ଅଟକାଇବାକୁ ଆସିଥିବା ଗାର୍ଡକୁ ମଧ୍ୟ ଚାପୁଡ଼ା ମାରିଲେ ମହିଳା ପରୀକ୍ଷାର୍ଥୀ ଜଣକ ।

 

କଥା ଏତିକିରେ ସରିନି । ମହିଳା ପୋଲିସ ଆସି ତାଙ୍କୁ ଅଟକାଇବାକୁ ଚେଷ୍ଟା କରୁଥିବା ବେଳେ ସେ ତାଙ୍କ ଲାଠି ମଧ୍ୟ ଛଡ଼ାଇ ନେଇଥିଲେ । ଏହି ଘଟଣା ପରେ ମହିଳାଙ୍କୁ ପରୀକ୍ଷା ହଲ୍‌ରୁ ବାହାର କରି ଦିଆଗଲା ଏବଂ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଏକ ରିପୋର୍ଟ କଲେଜ୍‌କୁ ପଠାଗଲା ।

ବାସ୍ତବରେ ପରୀକ୍ଷାର୍ଥୀ ଜଣକ ପରୀକ୍ଷାର ଠିକ୍‌ ଘଣ୍ଟାଏ ପୂର୍ବରୁ ପରୀକ୍ଷା ହଲ୍‌ରେ ପହଞ୍ଚିଯାଇଥିଲେ । ହଲ୍‌ର ବାହାରେ ବସିବା ବଦଳରେ ରୁମ୍‌ ଭିତରେ ଆସି ବସିଗଲେ । ରୁମ୍‌ରେ ଉପସ୍ଥିତ ଶିକ୍ଷକ ତାଙ୍କୁ ମନା କରିବା ସତ୍ତ୍ୱେ ସେ ନିଜ ଜିଦ୍‌ରେ ସେଠାରେ ବସି ରହିଲେ । ପରୀକ୍ଷା ଆରମ୍ଭର କିଛି ସମୟ ମଧ୍ୟରେ ସେ କପି କାଢ଼ି ଲେଖିବାକୁ ଲାଗିଲେ । ଶିକ୍ଷକ ତାଙ୍କୁ ବିରୋଧ କରିବାରୁ ତାଙ୍କୁ ନିର୍ଧୂମ ପିଟିଲେ ଆଉ ତାଙ୍କ ସାର୍ଟ ପାଡ଼ିଦେଲେ ।