ସେଦିନ ପହଲଗାମର ବୈସରନ ଘାଟିରେ କେମିତି ନରସଂହାର ଘଟାଇଥିଲେ ଆତଙ୍କୀ ? ହିନ୍ଦୁ-ମୁସଲିମ ମିଳିମିଶି ପ୍ରକୃତିର ଶୋଭାରାଜିର ଉପଭୋଗ କରୁଥିବା ପର୍ଯ୍ୟଟକଙ୍କୁ କେମିତି ଧର୍ମ ନାଁରେ ନିଶାନା କରିଥିଲେ ଆତତାୟୀ ? ଆଖି ସାମ୍ନାରେ ଘଟିଥିବା ନୃଶଂସତାର କାହାଣୀ ବଖାଣିଛନ୍ତି କିଛି ପର୍ଯ୍ୟଟକ ।
ଅତ୍ୟାଧୁନିକ ବନ୍ଧୁକରେ ପର୍ଯ୍ୟଟକଙ୍କୁ ସୁଟ୍ କରିବା ବେଳେ ମୁଣ୍ଡରେ ଲାଗିଥିବା କ୍ୟାମେରାରେ ସବୁ ରେକର୍ଡ କରୁଥିଲେ ଆତଙ୍କବାଦୀ । ସେପଟେ ସାମ୍ନାକୁ ଆସିଛି ଆତଙ୍କୀ ହମଲାର ଲାଇଭ୍ ଭିଡିଓ । ମାଆ, ଭଉଣୀ ଓ ତାଙ୍କ ଆଖି ସାମ୍ନାରେ ବାପାଙ୍କୁ ଗୁଳି କରିଦେଲେ । ଆତଙ୍କୀ କିଛି ଶୁଣିଲେନି, ହିନ୍ଦୁ ଜାଣୁ ଜାଣୁ ସିଧା ମୁଣ୍ଡକୁ ଗୁଳି । ଆଖି ଆଗରେ ବାପାଙ୍କ ମୃତ୍ୟୁ ଦେଖିଥିବା ମୁମ୍ବାଇ ବ୍ୟାଙ୍କର୍ ଶୈଲେସ କଲାଥିଆଙ୍କ ପୁଅ ବଖାଣିଛନ୍ତି ସେଦିନର ଲୋମହର୍ଷକ କାହାଣୀ । ଆତଙ୍କୀ ଲମ୍ବା ଦାଢି ରଖିଥିଲେ । କୁର୍ତ୍ତା ପାଇଜାମା ପିନ୍ଧିଥିଲେ । ମୁଣ୍ଡରେ କ୍ୟାମେରା ଲାଗିଥିଲା । ଆଉ ହାତରେ ଥିଲା ଅତ୍ୟାଧୁନିକ ବନ୍ଧୁକ ।
Also Read
କୋଳରେ ରକ୍ତ ଜୁଡୁବୁଡୁ ସ୍ବାମୀଙ୍କ ମୁଣ୍ଡ ଥିଲା । ଆଖି ସାମ୍ନାରେ ଥିଲେ ରାକ୍ଷସରୂପୀ ଆତଙ୍କୀ । ହେଲେ କିଛି କରିପାରିଲେନି ବୋଲି କହିଛନ୍ତି ହତଭାଗା ପତ୍ନୀ । ଶୈଲେସଙ୍କ ସ୍ତ୍ରୀ, ସ୍ବାମୀ ଶୈଲେସଙ୍କ ଜନ୍ମଦିନ ପାଳନ ପାଇଁ ପୁରା ପରିବାର ଯାଇଥିଲେ ପହଲଗାମ୍ । ସେଠାରେ ହିଁ ସେଲିବ୍ରେଟ୍ ହୋଇଥାନ୍ତା । ହେଲେ ଆଖି ସାମ୍ନାରେ ପାଣି ଫୋଟକା ଭଳି ସବୁ ମିଳେଇଗଲା ।
ଅଧିକ ପଢ଼ନ୍ତୁ: ପୁଣି ମାଟି କାମୁଡ଼ିବ କି ଭୂସ୍ବର୍ଗ ଜମ୍ମୁ କାଶ୍ମୀରର ପର୍ଯ୍ୟଟନ ଶିଳ୍ପ ?
ଫିଲ୍ମରେ ଦେଖିଥିବା ଆତତାୟୀଙ୍କ ଆତଙ୍କ ଯେତେବେଳେ ଆଖି ସାମ୍ନାରେ ଏବଂ ନିଜ ସହ ଘଟିଛି । ଏହାପରେ ଦାୟୀ କିଏ ବୋଲି ପ୍ରଶ୍ନ କରିଛନ୍ତି ପତ୍ନୀ । ଏମିତି ବି କିଛି ପର୍ଯ୍ୟଟକ ଅଛନ୍ତି । ଯେଉଁମାନେ ସେଦିନ ସୌଭାଗ୍ୟବଶତଃ ଆତଙ୍କୀଙ୍କ ନରସଂହାରରୁ ବର୍ତ୍ତିଯାଇଥିଲେ । କିଏ ଘୋଡା ଚାଳକଙ୍କୁ ସନ୍ଦେହ କରି ପାହାଡ ଚଢିନଥିଲା ତ କିଏ ଅସୁସ୍ଥତା କାରଣରୁ ଅଟକିଯାଇଥିଲେ ହୋଟେଲରେ । ଫଳରେ ବଞ୍ଚିଯାଇଥିଲା ଜୀବନ ।
ଏହାରି ଭିତରେ ସାମ୍ନାକୁ ଆସିଛି ପହଲଗାମରେ ଆତଙ୍କୀ ହମଲାର ଲାଇଭ୍ ଭିଡିଓ । କେମିତି ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କୁ ପଏଣ୍ଟ ବ୍ଲାଙ୍କରୁ ଗୁଳି କରିଥିଲେ ସେହି ସମୟର ଦୃଶ୍ୟ ସାମ୍ନାକୁ ଆସିଛି । ଏଭଳି ବର୍ବର, ଅମାନୁଷିକ, ନୃଶଂସ ଦୃଶ୍ୟ ଦେଖିବା ପରେ ମର୍ମାହତ ହୋଇଛନ୍ତି ଦେଶବାସୀ ।
ଛୁଟିରେ ପରିବାର ସହ ବୁଲି ଆସିଥିବା ନିରୀହ ପର୍ଯ୍ୟଟକଙ୍କୁ ଅତି ନିର୍ଦ୍ଦୟ ଭାବେ ହତ୍ୟା କରିଥିଲେ ଆତଙ୍କୀ । ବିଚଳିତ କଲା ଭଳି ଭିଡିଓ ଆତଙ୍କୀଙ୍କ ବର୍ବରତାକୁ ଦର୍ଶାଉଛି । ପହଲଗାମ୍ ର ବୈସରନ୍ ଘାଟିରେ ରକ୍ତର ହୋଲି ଖେଳିଥିଲେ ଆତଙ୍କୀ । ହମଲାର ଦୁଇ ଦିନ ପରେ ଘଟଣାସ୍ଥଳରେ ପଡିଛି ପର୍ଯ୍ୟଟକଙ୍କ ଚପଲ । ଜୀବନ ଭୟ ଓ ଆତଙ୍କ ଭିତରେ ମାଟି କାଦୁଅରେ ଲୋଟିଛି ସବୁକିଛି ।