Advertisment

Odisha’s Prashant Satpathy: ପ୍ରଶାନ୍ତ ଶତପଥୀଙ୍କୁ ବିଦାୟ; ଶବାଧାରରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ଏବଂ ବହୁ ବିଶିଷ୍ଟ ବ୍ୟକ୍ତି

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରଶାନ୍ତଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କାର ଅନୂକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି । ମୃତ ପ୍ରଶାନ୍ତଙ୍କ ପତ୍ନୀଙ୍କୁ ସରକାରୀ ଚାକିରି ଓ ପୁଅର ପାଠପଢ଼ା ପାଇଁ ସରକାର ବ୍ୟବସ୍ଥା କରିବେ ବୋଲି କହିବା ସହ ଆତଙ୍କୀଙ୍କ ଏଭଳି ବର୍ବରକାଣ୍ଡକୁ ତୀବ୍ର ନିନ୍ଦା କରିଛନ୍ତି ମୁଖ୍ୟମନ୍ତ୍ରୀ ।

author-image
Deviprasad Jena
ପ୍ରଶାନ୍ତଙ୍କୁ ଲୁହ ଓ କୋହରେ ବିଦାୟ ।

ପ୍ରଶାନ୍ତଙ୍କୁ ଲୁହ ଓ କୋହରେ ବିଦାୟ ।

ଛୁଟି କାଟିବାକୁ ଯାଇଥିଲେ ଶବ ହୋଇ ଫେରିଲେ । ଆତଙ୍କୀଙ୍କ ଗୁଳିମାଡ଼ରେ ପ୍ରାଣ ହରାଇଥିବା ପ୍ରଶାନ୍ତ ଶତପଥୀଙ୍କୁ ଆଜି ଝୁରୁଛନ୍ତି ଆତ୍ମୀୟ ସ୍ବଜନ। ଖୋଜି ହେଉଛନ୍ତି ପତ୍ନୀ ଓ ପରିବାର । ଗତକାଲି ବିଳମ୍ବିତ ରାତିରେ ଶ୍ରୀନଗରରୁ ଭୁବନେଶ୍ବର ଆସି ପହଞ୍ଚିଥିଲା ପ୍ରଶାନ୍ତଙ୍କ ମରଶରୀର । ଆଜି ସକାଳେ ବାଲେଶ୍ବର ଇସାଣୀ ଗାଁରେ ଅନ୍ତିମ ସତ୍କାର କରାଯାଇଛି ।

Advertisment

ଯିଏ ସାତ ଜନ୍ମର ସାଥୀ ହେବାର ସ୍ବପ୍ନ ଦେଖାଇ ହାତ ଧରିଥିଲେ । ଯାହାଙ୍କ ପାଇଁ ଶଙ୍ଖା ସିନ୍ଦୁର ନାଇ ଜୀବନ ସାଥୀ ବନିଥିଲେ ।ସିଏ ଆଜି ଯେତେବେଳେ ଇହଧାମରୁ ବିଦାୟ ନେଇ ଯାଉଛନ୍ତି । କେଉଁ ପତ୍ନୀଙ୍କ ବା ଧୈର୍ଯ୍ୟ ରହିବ । ଧର୍ମ ନାଁରେ ଜହ୍ଲାଦ ସାଜିଥିବା ଆତଙ୍କୀଙ୍କ ଗୁଳିରେ ପ୍ରାଣ ହରାଇଥିବା ପ୍ରଶାନ୍ତ ଶତପଥୀଙ୍କ ପତ୍ନୀ ପ୍ରିୟଦର୍ଶିନୀଙ୍କ ମଥାରୁ ଆଜି ଲିଭିଯାଇଛି ସିନ୍ଦୂର । ସମସ୍ତେ ଲୁହ ଆଉ କୋହରେ ଡୁବିଛନ୍ତି ।

ପ୍ରଶାନ୍ତଙ୍କ ମରଶରୀର ପୈତୃକ ଗାଁ ଇସାଣୀରେ ପହଞ୍ଚିବା ପରେ ଦେଖିବାକୁ ମିଳିଥିଲା ଶୋକାକୂଳ ପରିବେଶ । ପାର୍ଥିବ ଶରୀରକୁ ଦେଖି ପ୍ରତିଟି ମଣିଷଙ୍କ ଆଖିରୁ ଲୁହ ଝରୁଥିଲା । ବୁଧବାର ରାତି ପ୍ରାୟ ସାଢ଼େ ୧୨ଟାରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଥିଲା ପ୍ରଶାନ୍ତଙ୍କ ପାର୍ଥିବ ଶରୀର । ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ପୋଲିସ ଡିଜି ୱାଇ.ବି.ଖୁରାନିଆଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ପହଞ୍ଚି ଅନ୍ତିମ ଦର୍ଶନ କରିଥିଲେ ।

Advertisment

ଅଧିକ ପଢ଼ନ୍ତୁ: କାହିଁକି ପହଲଗାମରେ ଆତଙ୍କୀ କଲେ ହମଲା; ସାମ୍ନାକୁ ଆସିଲା ଏହି ସମ୍ଭାବ୍ୟ କାରଣ

ସକାଳ ସାଢ଼େ ୫ଟାରେ ଇସାଣୀ ଗାଁରେ ପହଞ୍ଚିଥିଲା ପ୍ରଶାନ୍ତଙ୍କ ମରଶରୀର । ଯେଉଁଠି ଅନ୍ତିମ ଦର୍ଶନ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ, ପରିବହନ ମନ୍ତ୍ରୀ ବିଭୁତି ଜେନା ପ୍ରମୁଖ । ଶୋକାକୂଳ ପରିବେଶରେ ପ୍ରଶାନ୍ତଙ୍କ ପତ୍ନୀ, ପୁଅଙ୍କ ସମେତ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇଥିଲେ ସମସ୍ତେ । କେବଳ ଏତିକି ନୁହେଁ, ଖଇ କଉଡ଼ି ବିଂଛି ଯାଉଥିବା ୯ ବର୍ଷର ପୁଅ ସହ ପ୍ରଶାନ୍ତଙ୍କ ଶବାଧାରରେ ବି ସାମିଲ ହୋଇଥିଲେ । ଏକମାତ୍ର ପୁଅ ମୁଖାଗ୍ନୀ ଦେବାପରେ ଲୁହ ଛଳଛଳ ଆଖିରେ ପ୍ରଶାନ୍ତଙ୍କୁ ବିଦାୟ ଜଣାଇଥିଲା ଜନ୍ମମାଟି ।

ଛୁଟି କାଟିବାକୁ ପତ୍ନୀ ଏବଂ ପୁଅ ସହ ପ୍ରଶାନ୍ତ କେତେ ଖୁସିରେ ଯାଇଥିଲେ ପହଲଗାମ୍ । କିନ୍ତୁ କିଏ ଜାଣିଥିଲା, ଆତଙ୍କୀଙ୍କ ଗୁଳିରେ ଲେଖାଥିଲା ପ୍ରଶାନ୍ତଙ୍କ ନାଁ । ଆଜି ପ୍ରଶାନ୍ତଙ୍କ ଅବର୍ତ୍ତମାନରେ କ’ଣ ହେବ ଟିକି ପୁଅର ଭବିଷ୍ୟତ ? ଉଜୁଡ଼ିଯାଇଥିବା ସଂସାର ଭିତରେ କେମିତି ଏକୁଟିଆ ଜୀଇଁବେ ପତ୍ନୀ ପ୍ରିୟଦର୍ଶିନୀ ?

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରଶାନ୍ତଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କାର ଅନୂକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି । ତା’ସହ ମୃତ ପ୍ରଶାନ୍ତଙ୍କ ପତ୍ନୀଙ୍କୁ ସରକାରୀ ଚାକିରି ଓ ପୁଅର ପାଠପଢ଼ା ପାଇଁ ସରକାର ବ୍ୟବସ୍ଥା କରିବେ ବୋଲି କହିବା ସହ ଆତଙ୍କୀଙ୍କ ଏଭଳି ବର୍ବରକାଣ୍ଡକୁ ତୀବ୍ର ନିନ୍ଦା କରିଛନ୍ତି ।

ଅଧିକ ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା; ପ୍ରଶାନ୍ତଙ୍କ ପରିବାରକୁ ମିଳିବ ୨୦ଲକ୍ଷ ଟଙ୍କାର ସହାୟତା ଓ ତାଙ୍କ ସ୍ତ୍ରୀଙ୍କୁ ଚାକିରି

Odisha Terrorist Attack Jammu Kashmir Mohan Majhi Pahalgam Terrorist Attack Pahalgam Attack
Advertisment
Advertisment