• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନଭେମ୍ବର ୧ରୁ କଡ଼ାକଡ଼ି ହେବ ନିୟମ । ଏଣିକି ପଛ ସିଟ୍‌ରେ ବସିଲେ ବି ବାନ୍ଧିବାକୁ ପଡ଼ିବ ସିଟ୍‌ ବେଲ୍ଟ । ଆଉ ଯିଏ ନପନ୍ଧିବ ତାକୁ ଗଣିବାକୁ ପଡ଼ିବ ମୋଟା ଅଙ୍କର ତଣ୍ଡ । ଏନେଇ କଡ଼ା ନିର୍ଦ୍ଦେଶ ଦେଇଛି ମୁମ୍ବାଇ ପୋଲିସ । କାର ଡ୍ରାଇଭର ସମେତ ଆଗରେ ବସିଥିବା ବ୍ୟକ୍ତି ଏବଂ ପଛରେ ବସିଥିବା ସମସ୍ତ ପାସେଞ୍ଜର ଏଣିକି ସିଟ୍‌ ବେଲ୍ଟ ପିନ୍ଧିବା ବାଧ୍ୟତା ମୂଳକ । ମୁମ୍ବାଇ ପୋଲିସ ପକ୍ଷରୁ ଏନେଇ ଏକ ନୋଟିସ ମଧ୍ୟ ଜାରି ହୋଇଛି । ନଭେମ୍ବର ୧ ତାରିଖରୁ ଏହି ନିୟମ କଡ଼ାକଡ଼ି ଭାବେ ଲାଗୁ ହେବ । 

ମୁମ୍ବାଇ ପୋଲିସ ପକ୍ଷରୁ କୁହାଯାଇଛି ଯେ, ମୁମ୍ବାଇ ରାସ୍ତାରେ ଗଡ଼ୁଥିବା ସମସ୍ତ କାର ନଭେମ୍ବର ୧ ତାରିଖରୁ ଚେକିଂର ସାମ୍ନା କରିବେ । ଯିଏ ସିଟ୍ ବେଲ୍ଟ ପିନ୍ଧିନଥିବେ ତାଙ୍କୁ ଜରିମାନା ଦେବାକୁ ପଡ଼ିବ ।  ମୋର ଭେହିକିଲ ଆକ୍ଟ ୨୦୧୯ ଅନୁସାରେ ଏହି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିଷ୍ପତି ମଧ୍ୟ ହୋଇଛି । 

ପୂର୍ବରୁ କେନ୍ଦ୍ର  ପରିବହନମନ୍ତ୍ରୀ ନିତୀନ ଗଡ଼କରୀ ଏନେଇ ଘୋଷଣା କରିଥିଲେ । ସେ କହିଥିଲେ କାର୍‌ରେ ପଛ ସିଟ୍‌ରେ ବସିଲେ ବି ପିନ୍ଧିବାକୁ ପଡିବ ସିଟ୍ ବେଲ୍ଟ ।  ନ ହେଲେ ଫାଇନ୍ ଦେବାକୁ ପଡ଼ିବ । କାର୍‌ ଦୁର୍ଘଟଣାରେ ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ୍ ମିସ୍ତ୍ରୀ (Cyrus Mistry)ଙ୍କ ମୃତ୍ୟୁର ୨ ଦିନ ପରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ଏହା କହିଥିଲେ । 

ସୂଚନାଯୋଗ୍ୟ, କେନ୍ଦ୍ରୀୟ ମୋଟର ଯାନ ନିୟମ ୧୯୮୯ ଅନୁସାରେ, ମୋଟର ସାଇକେଲ ଓ ୩ ଚକିଆକୁ ଛାଡ଼ିଦେଲେ ଅନ୍ୟ ସବୁ ଗାଡ଼ିର ଚାଳକ ଓ ଆଗ ସିଟ୍‌ରେ ବସିଥିବା ଯାତ୍ରୀଙ୍କ ପାଇଁ ସିଟ୍ ବେଲ୍ଟ ପିନ୍ଧିବା ବାଧ୍ୟତାମୂଳକ । ଏମିତିକି ୮ ଜଣ ଯାଏଁ  ଯାତ୍ରୀ ଯାଇପାରୁଥିବା ଓ ଆଗକୁ ମୁହଁ କରି ବସିଥିବା ଅନ୍ୟ ସବୁ ଯାତ୍ରୀଙ୍କ ପାଇଁ ବି ସିଟ୍ ବେଲ୍ଟ ବାଧ୍ୟତାମୂଳକ ଥିଲା ମାତ୍ର ଏହାକୁ କଡ଼ାକଡି ପାଳନ କରାଯାଉନଥିଲା । କିନ୍ତୁ ଆଗକୁ କାରଗୁଡ଼ିକରେ ସବୁ ଯାତ୍ରୀ ସିଟ୍ ବେଲ୍ଟ ପିନ୍ଧିବାକୁ ବାଧ୍ୟ ହେବେ । ସିଟରେ ପଡ଼ୁଥିବା ସିଟ୍ କଭର ସିଟ୍ ବେଲ୍ଟର ଲକିଂ ଓ ଅନଲକିଂରେ ଯେମିତି ପ୍ରତିବନ୍ଧକ ନସାଜିବ ଫିଟନେସ୍ ଯାଞ୍ଚ ବେଳେ ତାହା ସୁନିଶ୍ଚିତ କରିବାକୁ ସରକାର କହିଛନ୍ତି । ପଛ ସିଟ୍‌ରେ ବସିଥିଲେ ମଧ୍ୟ ସିଟ୍ ବେଲ୍ଟ ନପିନ୍ଧି ନଥିବାରୁ କିଛି ଦିନ ତଳେ ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ୍ ମିସ୍ତ୍ରୀଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣା ପରେ ପଛ ସିଟ୍ ବେଲ୍ଟ ନିୟମ କଡ଼ାକଡ଼ି କରିବାକୁ ସବୁ ରାଜ୍ୟଙ୍କୁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ।

କେନ୍ଦ୍ର ସରକାରଙ୍କ ପଛ ସିଟ୍ ବେଲ୍ଟ ବାଧ୍ୟତାମୂଳକ ନିଷ୍ପତ୍ତିକୁ ସ୍ୱାଗତ କରିଥିଲା ସୋସାଇଟି ଅଫ୍ ଇଣ୍ଡିଆନ୍ ଅଟୋମୋବାଇଲ ମାନୁଫାକ୍ଚର୍ସ- ସିଆମ୍।  ଯାତ୍ରୀ ସିଟ୍ ବେଲ୍ଟ ପିନ୍ଧିଥିଲେ ମୃତ୍ୟୁ ମୁଖରୁ ବର୍ତ୍ତିବାର ଅନେକ ସମ୍ଭାବନା ରହିଛି ବୋଲି କହିଛି ସିଆମ । 'Road accidents in India - 2020' ରିପୋର୍ଟ ଅନୁସାରେ, ସିଟ୍‌ ବେଲ୍ଟ ନପିନ୍ଧିବା ଯୋଗୁ ୧୧%ରୁ ଅଧିକ ମୃତ୍ୟୁ ଓ ଆହତ ହୋଇଥିବା ବେଳେ ୩୦.୧% ମୃତ୍ୟୁ ଓ ୨୬% ଆହତ ହେଲ୍‌ମେଟ୍‌ ନପିନ୍ଧିବା ଯୋଗୁ ହୋଇଛି । ୨୦୨୦ ମସିହାରେ ଏହି ଦୁର୍ଘଟଣା ଘଟିଛି।