• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ନଭେମ୍ବର ୧୨ ତାରିଖରେ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ । ୬୮ଟି ଆସନ ବିଶିଷ୍ଟ ବିଧାନସଭା ଲାଗି ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ନେଇ ତାରିଖ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନ୍ । ତେବେ ଗୁଜରାଟ ନିର୍ବାଚନ ପାଇଁ କିନ୍ତୁ ତାରିଖ ଘୋଷଣା କରାଯାଇ ନାହିଁ । ଦୀପାବଳି ପରେ ଏନେଇ ତାରିଖ ଘୋଷଣା କରାଯାଇ ପାରେ ବୋଲି କୁହାଯାଉଛି ।

ହିମାଚଳପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ୍ । ନଭେମ୍ବର ୧୨ ଭୋଟ୍, ଡିସେମ୍ବର ୮ରେ ଗଣତି ହେବ । ୨୪ ସାଧାରଣ ନିର୍ବାଚନ ପୂର୍ବରୁ ସେମିଫାଇନାଲ୍ ମୁକାବିଲା କୁହାଯାଉଥିବା ଦୁଇ ରାଜ୍ୟ ହିମାଚଳପ୍ରଦେଶ ଓ ଗୁଜୁରାଟ୍ ଭିତରୁ ଆଜି କେବଳ ହିମାଚଳ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ୍ ।

ନୂଆ ଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ କମିଶନରଙ୍କ ଘୋଷଣା ଅନୁଯାୟୀ, ୬୮ ଆସନ ବିଶିଷ୍ଟ ହିମାଚଳପ୍ରଦେଶ ଲାଗି ଗୋଟିଏ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ । ଏଥିପାଇଁ ୧୭ ତାରିଖରେ ଗେଜେଟ୍ ନୋଟିଫିକେସନ୍ ହେବ ଏବଂ ସେହିଦିନରୁ ପ୍ରାର୍ଥିପତ୍ର ଦାଖଲ ଆରମ୍ଭ ହୋଇ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଅକ୍ଟୋବର ୨୯ରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ଏହାପରେ ନଭେମ୍ବର ୧୨ ତାରିଖରେ ଭୋଟ୍ ଗ୍ରହଣ ହେବ ।

 

ପ୍ରତି ବିଧାନସଭା ନିର୍ବାଚନରେ କ୍ଷମତା ପରିବର୍ତ୍ତନ ଦେଖୁଥିବା ହିମାଚଳ ପ୍ରଦେଶରେ ଏବେ ବିଜେପି ଶାସନ । ମୋଟ୍ ୬୮ ଆସନ ବିଶିଷ୍ଟ ଏହି ରାଜ୍ୟରେ ୨୦୧୭ ନଭେମ୍ବର ୯ରେ ହୋଇଥିବା ମତଦାନରେ ସତ୍ତାଧାରୀ କଂଗ୍ରେସକୁ ବିପୁଳ ବ୍ୟବଧାନରେ ହରାଇ କ୍ଷମତାକୁ ଆସିଥିଲା ବିଜେପି । ସେତେବେଳେ ବିଜେପିକୁ ୪୪ ସିଟ୍ ମିଳିଥିବା ବେଳେ କଂଗ୍ରେସ ଖାତାକୁ ଯାଇଥିଲା ୨୧ ଆସନ । ହେଲେ ଏଥର କଣ ହେବ ? ଇତିହାସର ପୁନରାବୃତ୍ତି ଘଟି କଂଗ୍ରେସ କ୍ଷମତାକୁ ଫେରିବ ନା ରାଜ୍ୟ ରାଜନୀତିରେ ନୂଆ ଇତିହାସ ରଚି ପ୍ରଥମଥର ପାଇଁ କ୍ଷମତା ବଜାୟ ରଖିବ ବିଜେପି ? ନା ଉଭୟଙ୍କ ଖେଳ ବିଗାଡ଼ିବ ଆମ୍ ଆଦମୀ ପାର୍ଟି ?

୧୭ରେ କେବଳ ଦୁଇ ଦଳ କଂଗ୍ରେସ ଓ ବିଜେପି ମଧ୍ୟରେ ସିଧାସଳଖ ଟକ୍କର ଥିବା ବେଳେ ଏଥର କିଛି ଚମତ୍କାର ଲକ୍ଷ୍ୟରେ କେଜ୍ରିୱାଲ୍‌ଙ୍କ ଝାଡୁ ବି ବଳ କଷୁଛି ।  ତେଣୁ ଲଢ଼େଇ ଏଠି ବେଶ୍ ରୋଚକ ହେବାର ସମ୍ଭାବନା ରହିଛି । କାରଣ ଗତ ବର୍ଷ ରାଜ୍ୟରେ ହୋଇଥିବା ତିନିଟି ବିଧାନସଭା ଓ ଗୋଟିଏ ଲୋକସଭା ପାଇଁ ହୋଇଥିବା ଉପନିର୍ବାନରେ ଶାସକ ବିଜେପିକୁ ଝଟକା ଦେଇ କଂଗ୍ରେସ ସବୁ ଆସନରେ ବାଜି ମାରି ନେଇଥିଲା । ଏପରିକି ବିଜେପି ହାତରେ ଥିବା ମଣ୍ଡି ଲୋକସଭା ଆସନକୁ ବି ବିଜେପିଠୁ ଛଡ଼ାଇ ଆଣିଥିଲା କଂଗ୍ରେସ । ହେଲେ ବର୍ଷକ ତଳେ ହୋଇଥିବା ଉପନିର୍ବାଚନ ପରାଜୟକୁ ଭୁଲି ଉତ୍ତରାଖଣ୍ଡ ଭଳି ଏଠି ବି ଲଗାତର ଦ୍ୱିତୀୟ ପାଳି କ୍ଷମତାରେ ରହିବା ପାଇଁ ଜୋର୍ଦାର କସରତ ଚଳାଇଛି ବିଜେପି ।

ଉଭୟ ଗୁଜୁରାଟ ଓ ହିମାଚଳ ପ୍ରଦେଶ ଲାଗି ନିର୍ବାଚନ ତାରିଖ ଘୋଷଣା ହେବା ନେଇ ଚର୍ଚ୍ଚା ଭିତରେ ମୁଖ୍ୟ ନିର୍ବାଚନ କମିଶନର କିନ୍ତୁ ଆଜି କେବଳ ହିମାଚଳ ପ୍ରଦେଶ ପାଇଁ ତାରିଖ ଘୋଷଣା କରିଛନ୍ତି । ତେବେ ହିମାଚଳ ପ୍ରଦେଶ ଲାଗି ଭୋଟ୍ ଗ୍ରହଣ ଓ ଗଣତି ଭିତରେ ୨୭ ଦିନର ଲମ୍ବା ସମୟ ଥିବାରୁ ଏହାରି ଭିତରେ ବି ଗୁଜରାଟ୍ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇପାରେ ବୋଲି କୁହାଯାଉଛି ।