• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଷୋହଳ ଷୋହଳଟି ଦଫାରେ ଛନ୍ଦି ହୋଇଥିବା ମାୟାବିନୀ ଅର୍ଚ୍ଚନା ନାଗ୍ ଏବେ ଆଇନଜାଲରେ ପଡ଼ି ଛଟପଟ । ହନିଟ୍ରାପ୍, ବ୍ଲାକମେଲ୍, ହତ୍ୟା ଧମକ ଭଳି ସଂଗୀନ ଦଫା ଲାଗିଥିବା ବେଳେ ଜେଲ୍‌ରୁ ମୁକୁଳିବାର ବାଟ ଖୋଜୁଛି ଅର୍ଚ୍ଚନା । ହେଲେ ଅାଜି ନିରାଶ ହେବାକୁ ପଡ଼ିଛି ତାକୁ । କାରଣ ଭୁବନେଶ୍ୱର SDJMଙ୍କ କୋର୍ଟ ଆଜି ଜାମିନ ଆବେଦନର ଶୁଣାଣି କରିଥିଲେ ବି ରାୟକୁ ସଂରକ୍ଷିତ ରଖିଛନ୍ତି । ଏସବୁ ଭିତରେ ଅର୍ଚ୍ଚନାର କଳାଧନ ଅର୍ଜିବାର ପନ୍ଥା ଏବଂ ପୋଲିସର ତଦନ୍ତ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟାର ହେବା ସହ EDକୁ ତଦନ୍ତଭାର ଦେବାକୁ ଦାବି ହୋଇଛି ।

ହନିଟ୍ରାପ, ବ୍ଲାକମେଲ୍, ହତ୍ୟା ଧମକ । ସମ୍ପତ୍ତି ଅର୍ଜିବା ପାଇଁ ଯୁବତୀଙ୍କୁ ମୋହରା ସଜାଇ ବଡ଼ବଡ଼ିଆଙ୍କୁ ଚୁନା ଲଗାଇଥିବା ଅର୍ଚ୍ଚନା ନାଗ୍‌କୁ ବେଲ୍ ନା ପୁଣି ସେହି ଜେଲ୍ ? ଅର୍ଚ୍ଚନା ଓକିଲଙ୍କ ପକ୍ଷରୁ ଯୁକ୍ତିଥିଲା ଯେ, ଅର୍ଚ୍ଚନାଙ୍କ ବିରୋଧରେ ଯେଉଁ ସବୁ ଅଭିଯୋଗ ଲାଗିଛି ଏବଂ ଦଫା ଲାଗିଛି ତାହା ପ୍ରଯୁଜ୍ୟ ନୁହେଁ । ସେଥିପାଇଁ ତାଙ୍କୁ ଜାମିନରେ ଛଡ଼ାଯାଉ । ତାସହ ଏହି ମାମଲାର କେସ୍ ଡାଏରୀ ମଗାଯାଉ । କିନ୍ତୁ ସରକାରୀ ଓକିଲଙ୍କ ଯୁକ୍ତି, ଅର୍ଚ୍ଚନା ବିରୋଧରେ ୧୬ଟି ଦଫା ଲାଗିଥିବା ବେଳେ ଆଇପିସି ଧାରା ୩୭୦, ୩୨୮ ଏବଂ ଆଇଟି ଆକ୍ଟ ୬୬-E ଏବଂ ୬୭ ଲାଗିଛି । ତେଣୁ ତାଙ୍କୁ ଜାମିନ୍ ଦିଆନଯାଉ । କୋର୍ଟ ଉଭୟ ପକ୍ଷକୁ ଶୁଣିଲା ପରେ ରାୟକୁ ଭୁବନେଶ୍ୱର SDJMଙ୍କ କୋର୍ଟ ସଂରକ୍ଷିତ ରଖିଛନ୍ତି ।

କଳାହାଣ୍ଡିରୁ ଆସି ଭୁବନେଶ୍ୱରରେ କାୟା ବିସ୍ତାର କରିଥିବା ୩୦ ବର୍ଷିୟା ଅର୍ଚ୍ଚନା ସହ ବଡ଼ବଡ଼ିଆଙ୍କ ସଂପୃକ୍ତି ଏବଂ ତାସହ କଳାଧନ୍ଧାର ରହସ୍ୟ ସାମ୍ନାକୁ ଆଣୁନି ପୋଲିସ । ପ୍ରାୟ ସପ୍ତାହେ ହୋଇଗଲା । ଗୁମସୁମ୍ ରହିଛି କମିଶନରେଟ୍ ପୋଲିସର ତଦନ୍ତ ପ୍ରକ୍ରିୟା । ପୋଲିସ ଅର୍ଚ୍ଚନାକୁ ନା ରିମାଣ୍ଡରେ ନେଉଛି ନା କଳାସାମ୍ରାଜ୍ୟ ପଛର କାହାଣୀକୁ ସାର୍ବଜନୀନ କରୁଛି । ଯାହାକୁ ନେଇ ମାମଲା ଏବେ ପହଞ୍ଚିଛି ହାଇକୋର୍ଟରେ । ଘଟଣାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତଥା ଇଡି ତଦନ୍ତ ଦାବିରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ଭାରତୀୟ ବିକାଶ ପରିଷଦ । ଯେଉଁଥିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମେତ ଇଡି, ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ପୋଲିସ୍ ଡିଜି, ଖଣ୍ଡଗିରି ଥାନା ଅଧିକାରୀଙ୍କୁ ପକ୍ଷଭୁକ୍ତ କରିଛି ପରିଷଦ ।

ଲେଡି ବ୍ଲାକମେଲର ଅର୍ଚ୍ଚନାର ନାଗଫାଶରେ ୧୮ ବିଧାୟକ ଓ ୩ ମନ୍ତ୍ରୀ ଏବଂ ଅନେକ ଅଫିସର ପଡ଼ିଥିବା ଅଭିଯୋଗ ପରେ ପାୱାର କରିଡରେ ହଲଚଲ୍ । ହନିଟ୍ରାପ୍‌ରେ ଫସିଥିବା ଅଧିକାଂଶ ନେତା ବିଜେଡିର ବୋଲି ଚର୍ଚ୍ଚା ହେଉଛି । ଯାହାକୁ ନେଇ ସଂପୃକ୍ତ ନେତା ଏବେ ଟେନ୍‌ସନରେ । ପେନ୍ ଡ୍ରାଇଭ୍, ହାର୍ଡଡିସ୍କ ସମେତ ମୋବାଇଲ ଆଦି ପୋଲିସ ହାତରେ ଥିବାରୁ ବ୍ଲାକ୍‌ମେଲିଂର ଗନ୍ଧ ବାରିଛନ୍ତି ବିରୋଧୀ । ଭବିଷ୍ୟତରେ ବିଜେଡି ନେତାଙ୍କୁ ବ୍ଲାକମେଲିଂ କରିବା ପାଇଁ ଏହା ଏକ ସୁଯୋଗ ଆଣିଛି ବୋଲି ଅଭିଯୋଗ କରିଛନ୍ତି ବିଜେପିର ବରିଷ୍ଠ ନେତା ପ୍ରଦୀପ ପୁରୋହିତ ।

କଂଗ୍ରେସ ବି କହିଛି, ଲେଡି ବ୍ଲାକମେଲର୍ ଅର୍ଚ୍ଚନା ଭଳି ବିଜେଡି ମଧ୍ୟ ଦଳୀୟ ନେତାଙ୍କ ସମେତ ଅନ୍ୟ ନେତାଙ୍କୁ ବ୍ଲାକମେଲିଂ କରିବ । ବିରୋଧୀଙ୍କ ଏଭଳି ଅଭିଯୋଗ ପରେ ଏହା ସମୟ କହିବ ଏବଂ ସରକାର ଚିନ୍ତା କରିବେ ବୋଲି ସଫେଇ ଦେଇଛି ବିଜେଡି । ତେବେ ଅର୍ଚ୍ଚନାକୁ ନେଇ ଲାଗିରହିିଥିବା ହଟଚମଟ ଭିତରେ ହଲଚଲ ହେଉଥିବା ରାଜନୀତିର ଗତିବିଧି ଏବେ ଚର୍ଚ୍ଚାରେ ଥିବାବେଳେ ଅପେକ୍ଷା ଏହି ମାମଲା ଆଗକୁ କେଉଁ ମୋଡ଼ ନେଉଛି ।