• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Deviprasad Jena

ଚଳିତ ମାସ ଶେଷ ସୁଦ୍ଧା ଶ୍ରୀମନ୍ଦିରରେ ହେବ ଧାଡ଼ି ଦର୍ଶନ ବ୍ୟବସ୍ଥା । ଆଇନ ମନ୍ତ୍ରୀ କହିଛନ୍ତି, ଏଥି ପାଇଁ ସମସ୍ତ ପ୍ରସ୍ତୁତି ସରିଛି । ଏହି ସପ୍ତାହ ଭିତରେ ପରିଚାଳନା କମିଟି ଗଠନ ହୋଇଯିବ । ଏହାପରେ କମିଟିର ନିଷ୍ପତ୍ତି ଏବଂ ପରାମର୍ଶ କ୍ରମେ ନାଟ ମଣ୍ଡପ ଭିତରେ ଥିବା ହୁଣ୍ଡିଗୁଡ଼ିକର ସ୍ଥାନାନ୍ତର ସାରି ଶୃଙ୍ଖଳିତ ଦର୍ଶନ ପାଇଁ ହେବ ଧାଡ଼ି ବ୍ୟବସ୍ଥା । ଏହି ନିଷ୍ପତ୍ତିକୁ ଶ୍ରଦ୍ଧାଳୁମାନେ ସ୍ବାଗତ କରିଥିବାବେଳେ ଧାଡ଼ି ଦର୍ଶନ ପାଇଁ କେମିତି ରହିବ ବ୍ୟବସ୍ଥା ସେନେଇ ବଢ଼ିଛି ଚର୍ଚ୍ଚା ।

ଶ୍ରୀମନ୍ଦିରରେ ଶୃଙ୍ଖଳିତ ଜଗା ଦର୍ଶନ ପାଇଁ ପୁଣି ଧାର୍ଯ୍ୟ ହେଲା ଧାଡ଼ି ବ୍ୟବସ୍ଥା ପାଇଁ ସମୟ । ଏଣିକି ଠେଲାପେଲା ଅବସ୍ଥାରେ ମହାପ୍ରଭୁଙ୍କୁ ଦର୍ଶନ ବ୍ୟବସ୍ଥାରୁ ମିଳିବ ମୁକ୍ତି । ଏହି ମାସ ଶେଷ ସୁଦ୍ଧା ଧାଡ଼ିବାନ୍ଧି ଶ୍ରୀମନ୍ଦିରକୁ ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ ଏବଂ ଭକ୍ତ । ଆଜି ଗଞ୍ଜାମ ଗସ୍ତ ଅବସରରେ ଗଣମାଧ୍ୟମକୁ ସୂଚନା ଦେଇ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ଚଳିତ ମାସ ଶେଷ ସୁଦ୍ଧା ପୁରୀରେ ଆରମ୍ଭହେବ ଧାଡ଼ି ଦର୍ଶନ ପ୍ରକ୍ରିୟା ।

ଏହି ସପ୍ତାହ ମଧ୍ୟରେ ଗଠନ ହେବ ଶ୍ରୀମନ୍ଦିର ପରିଚାଳନା କମିଟି । କମିଟି ଗଠନହେବା ପରେ ନାଟ ମଣ୍ଡପ ଭିତରେ ଥିବା ହୁଣ୍ଡିଗୁଡ଼ିକୁ ଉଠାଇବା ପାଇଁ ଅନୁମୋଦନ ନିଆଯିବ । ପରିଚାଳନା କମିଟିର ପ୍ରସ୍ତାବ ଓ ରାଜ୍ୟ ସରକାରଙ୍କ ଅନୁମତି ପରେ ହୁଣ୍ଡି ସିଫ୍ଟ ହେବ । ଏହାପରେ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ମନ୍ତ୍ରୀ କହିଛନ୍ତି । ପ୍ରଥମେ ଗତ ଜାନୁୟାରୀ ପହିଲାରୁ ଧାଡ଼ି ଦର୍ଶନ ପାଇଁ ନିଷ୍ପତ୍ତି ହୋଇଥିଲା । ଏଥିପାଇଁ ଗତ ଡିସେମ୍ବର ୨୭ ଓ ୨୮ରେ ବ୍ୟାରିକେଡ୍ ଲଗାଯିବା ସହ ୩୦ ଓ ୩୧ ତାରିଖ ୨ ଦିନ ଧରି ପରୀକ୍ଷାମୂଳକ ଭାବେ ଦର୍ଶନ ଚାଲିବ ବୋଲି କୁହାଯାଇଥିଲା ।

ତେବେ ପରିଚାଳନା କମିଟି ସହ ବିନା ବିଚାରବିମର୍ଶ ଓ ଛତିଶା ନିଯୋଗର ମତାମତ ନଲୋଡି ନୂଆ ବ୍ୟବସ୍ଥା ଲାଗୁକୁ ନେଇ ଆପତ୍ତି ଉଠାଇଥିଲେ ସେବାୟତ । ଏପରିକି ନୂଆ ପରିଚାଳନା କମିଟି ଗଠନ ହୋଇନଥିବାରୁ ଧାଡ଼ି ଦର୍ଶନ ବ୍ୟବସ୍ଥା ଲାଗୁ ପାଇଁ ଉପୁଜିଛି ବଡ଼ ପ୍ରତିବନ୍ଧକ ।

ତେବେ ମନ୍ତ୍ରୀଙ୍କ କହିବା ଅନୁଯାୟୀ, ଯଦି ସପ୍ତାହକରେ ନୂଆ କମିଟି ଗଠନ ହୋଇଯାଏ, ତେବେ କେମିତି ରହିବ ଧାଡ଼ି ଦର୍ଶନ ବ୍ୟବସ୍ଥା ? ପୂର୍ବରୁ ସାତ ପାହାଚରୁ ବ୍ୟାରିକେଡରେ ପ୍ରବେଶ ସହ ବାହାର କାଠ ପାଖରେ ରାଂପରେ ଚଢ଼ି ଠାକୁରଙ୍କୁ ଦର୍ଶନ, ଆଉ ଗାରଦ ଓ ଘଣ୍ଟି ଦ୍ବାର ବାଟେ ପ୍ରସ୍ଥାନ ପାଇଁ ନିଷ୍ପତ୍ତି ହୋଇଥିଲା । ଏହି ଅନୁସାରେ ଧାଡ଼ି ଦର୍ଶନ ବ୍ୟବସ୍ଥା ହେବ, ନା ପୂର୍ବ ପ୍ରସ୍ତାବରେ ହେବ ପରିବର୍ତ୍ତନ ?

ସେବାୟତଙ୍କ କହିବା କଥା, ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଧାଡ଼ି ବ୍ୟବସ୍ଥା ନିଷ୍ପତ୍ତି ସ୍ବାଗତ ଯୋଗ୍ୟ । ତେବେ ଏହା ଶୀଘ୍ର ଲାଗୁ ହେବା ଉଚିତ । ଭକ୍ତମାନେ ମଧ୍ୟ ଏହି ନିଷ୍ପତ୍ତିକୁ ଶୀଘ୍ର କାର୍ଯ୍ୟକାରୀ କରିବାକୁ ମତ ରଖିଛନ୍ତି । ନାଟ ମଣ୍ଡପରେ ଧାଡ଼ି ଦର୍ଶନ ବ୍ୟବସ୍ଥା ହେଲେ ସାହାଣ ମେଲା ଦର୍ଶନରୁ ବଞ୍ଚିତ ହେବେ କି ଭକ୍ତ ? ନାଟ ମଣ୍ଡପରେ ଧାଡ଼ି ଲାଗିଲେ ଘଣ୍ଟା ଘଣ୍ଟା ଧରି ଶ୍ରଦ୍ଧାଳୁଙ୍କୁ ଅପେକ୍ଷା କରିବାକୁ ପଡ଼ିବନି ତ ? ଅପେକ୍ଷା, ନୂଆ ପରିଚାଳନା କମିଟି ଏ ଦିଗରେ ଆଗକୁ କି ନିଷ୍ପତ୍ତି ନେଉଛି ।

ଅଧିକ ପଢ଼ନ୍ତୁ: କାହିଁକି ପାଳନ ହୁଏ ବାସନ୍ତୀ ଦୁର୍ଗାପୂଜା, ଦଶହରାଠାରୁ ଏହା କେମିତି ଅଲଗା