• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଧାମନଗର ବିଜେଡିରେ ବିଦ୍ରୋହ । କାମ ଦେଲାନି ଚାପ, ମ୍ୟାନେଜ୍ କରି ପାରିଲାନି ଦଳ । ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ରାଜେନ୍ଦ୍ର । ଧାମନଗର ଉପନିର୍ବାଚନରେ ବିଜେଡି ପାଇଁ ଅଡୁଆ ସ୍ଥିତି । କହିବାକୁ ଗଲେ ଏବେ ବିଜେଡି -ବିଜେଡି ମଧ୍ୟରେ ଫାଇଟ୍ । ଅବନ୍ତି ଦାସ୍ ବନାମ୍ ରାଜୁ ଦାସ । ଅବନ୍ତିଙ୍କୁ ତିହିଡି ବ୍ଲକ ଅଧ୍ୟକ୍ଷ ବନାଇଥିଲେ ରାଜେନ୍ଦ୍ର । ଏବେ ତାଙ୍କରି ବିପକ୍ଷରେ ଲଢିବେ ବିଧାୟକ ନିର୍ବାଚନ ।

ଆଜି ଅବନ୍ତି ଦାସ ବିଜେଡି ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିବା ବେଳେ ସ୍ୱାଧୀନ ଭାବେ ମନୋନୟନ ପତ୍ର ଦାଖଲ କରିଛନ୍ତି ଅସନ୍ତୁଷ୍ଟ ନେତା ରାଜେନ୍ଦ୍ର ଦାସ । ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢିବାକୁ ଯାଉଥିବା ରାଜେନ୍ଦ୍ର ଦାସ ବାପା, ମାଙ୍କୁ ଶ୍ରଦ୍ଧାଜଂଳି ଦେବା ପରେ ଭାବ ବିହ୍ୱଳ ହୋଇଯାଇଥିଲେ । ନିଜ ପରିବାର ସମର୍ଥକଙ୍କ ଗହଣରେ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଚିଂଥିଲେ ରାଜୁ । ସେଠାରେ ବିଜେଡି କର୍ମୀ ଓ ରାଜେନ୍ଦ୍ରଙ୍କ ସମର୍ଥକ କିଛି ସମୟ ପାଇଁ ମୁହାଁମୁହିଁ ହୋଇଥିଲେ । ନାମାଙ୍କନ ଦାଖଲ ପରେ କୁଚିକ୍ରି ଗୋଷ୍ଠୀ କହି ରାଜେନ୍ଦ୍ର ପରୋକ୍ଷରେ ଭଦ୍ରକ ବିଜେଡି ନେତାଙ୍କୁ ଟାର୍ଗେଟ କରିଛନ୍ତି ।

ସେପଟେ ଅବନ୍ତିଙ୍କ ପ୍ରାର୍ଥିପତ୍ର ଦାଖଲ ଅବସରରେ ବଳ ଦେଖାଇଛି ବିଜେଡି । ସ୍ଥାନୀୟ ନେହେରୁ ଷ୍ଟାଡିୟମ୍‌ରୁ ଅବନ୍ତି ଦଳୀୟ ନେତା ଓ ସମର୍ଥକ ସହ ବିଶାଳ ପଟୁଆରରେ ବାହାରିଥିଲେ । ବିଜେଡି ସଙ୍ଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ଓ  ଦଳର ଯୁବ ଏବଂ  ହେଭିୱେଟ୍ ନେତା ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ତେବେ ରାଜେନ୍ଦ୍ରଙ୍କ ପ୍ରାର୍ଥିତ୍ୱକୁ ନେଇ ବିଧାୟକ ବ୍ୟମକେଶ ରାୟ କହିଛନ୍ତି ଏହା ଦ୍ୱାରା ଦଳକୁ କିଛି ଫରକ୍ ପଡିବ ନାହିଁ ।

ଅସନ୍ତୁଷ୍ଟ ରାଜେନ୍ଦ୍ର ସ୍ୱାଧୀନ ପ୍ରାର୍ଥୀ ହେବା ପରେ ଅଡୁଆରେ ବିଜେଡି । ଭୁବନେଶ୍ୱର ପ୍ରାର୍ଥୀ ଘୋଷଣା ବେଳେ ରାଜେନ୍ଦ୍ରଙ୍କୁ ଡକାଇ ମନାଇବା ଲାଗି ଢେର ଉଦ୍ୟମ କରାଯାଇଥିଲା । ହେଲେ ମ୍ୟାନେଜ୍ ଫର୍ମୁଲା ଓ ଚାପ କାମ ଦେଇନି । ତେଣୁ ଏବେ ଧାମନଗରରେ ଚତୁର୍ମୁଖୀ ଲଢେଇ ହେବା ସ୍ପଷ୍ଟ ହୋଇଯାଇଛି । ବିଜେପିର ସୂର୍ଯ୍ୟବଂଶି ସୂରଜ, କଂଗ୍ରେସର ବାବା ହରେକୃଷ୍ଣ ସେଠୀ, ବିଜେଡିର ଅବନ୍ତି ଦାସ ଓ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କ ମଧ୍ୟରେ ଲଢେଇ ହେବ । ଏହାଦ୍ୱାରା ଧାମନଗର ନିର୍ବାଚନ ଗଣିତ ବଦଳି ଯିବ ବୋଲି କୁହାଯାଉଛି ।

୨୦୧୯ରେ ଗୋଷ୍ଠୀ କନ୍ଦଳକୁ ନେଇ ରାଜେନ୍ଦ୍ର ୪ ହଜାର ୬ ଶହ ଭୋଟରେ ହାରିଥିଲେ । ତେବେ ଏଠାରେ ତାଙ୍କର ନିଜସ୍ୱ ଭୋଟବ୍ୟାଙ୍କ ରହିଛି । ୨୦୦୪ରେ ରାଜେନ୍ଦ୍ର ଚାନ୍ଦବାଲିରୁ ସ୍ୱାଧୀନ ପ୍ରାର୍ଥୀ ହେବା ପରେ ମେଣ୍ଟରେ ଥିବା ବିଜେପି ପ୍ରାର୍ଥୀ ପରାସ୍ତ ହୋଇଥିଲେ । ତେଣୁ ତାଙ୍କ ପତିଆରା ନିର୍ବାଚନ ଫଳାଫଳକୁ କେତେ ପ୍ରଭାବିତ କରିବ ତା’ଉପରେ ନଜର ରହିଛି ।

ବିଗତ ଦିନରେ ହୋଇଥିବା ଉପନିର୍ବାଚନ ଗୁଡିକରେ ବିଜେଡିରେ ଦଳୀୟ ଅସନ୍ତୋଷ ଦେଖିବାକୁ ମିଳଥିଲା । ମାତ୍ର ବୁଝାସୁଝା ପରେ ତାହା ମ୍ୟାନେଜ ହୋଇଥିଲା । କେହି ଚ୍ୟାଲେଂଜ ଦେଇନଥିଲେ । ମାତ୍ର ଏଥର ରାଜେନ୍ଦ୍ର ଖୋଲାଖୋଲି ମଇଦାନ୍‌କୁ ଓହ୍ଲାଇଛନ୍ତି । ବିଜେଡି କେଉଁ ଷ୍ଟ୍ରାଟେଜୀରେ ଏହାକୁ କାଉଣ୍ଟର କରୁଛି ତାହା ଦେଖିବା କଥା ।